ଭୁବନେଶ୍ବର: : ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି)ରେ ନୂତନ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯାଇଛି। ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଆଡମିସନ୍ ପ୍ରକ୍ରିୟା ପରେ ପ୍ରତ୍ୟେକ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପାଇଁ ପୃଥକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଏବଂ ଅନୁଷ୍ଠାନ ଦ୍ୱାରା ଏକ ପ୍ରେରଣାଦାୟକ ସେମିନାର ଆୟୋଜିତ ହୋଇଥିଲା। ଏହି ଅବସରରେ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକର କ୍ୟାମ୍ପସ୍ ର ନୂତନ ସଦସ୍ୟମାନଙ୍କୁ ଆଇଆଇଟିର ଅନନ୍ୟ ବୈଶିଷ୍ଟ୍ୟ ସହିତ ପରିଚିତ କରି କହିଥିଲେ ଯେ, ଆଇଆଇଟି ଜ୍ଞାନ ସୃଜନ ଏବଂ ଜ୍ଞାନ ବିସ୍ତାରଠାରୁ ଆଗକୁ ବଢ଼ି ଜ୍ଞାନ ପ୍ରୟୋଗ, ଷ୍ଟାର୍ଟ ଅପ୍ ଏବଂ ଉଦ୍ୟମିତା ବିକାଶ ଦ୍ୱାରା ସାଧନ ସୃଷ୍ଟି ଏବଂ ଗୁଣାତ୍ମକ ଶିକ୍ଷକ ସୃଷ୍ଟି କରିବାରେ ଅଗ୍ରଗତି କରିଛି ବୋଲି କହିଥିଲେ।


COMMERCIAL BREAK
SCROLL TO CONTINUE READING

ପ୍ରତିଷ୍ଠାନର ଡିନ୍ ଓ ବରିଷ୍ଠ ଅଧ୍ୟାପକମାନେ ଆଇଆଇଟିର ବିଭିନ୍ନ ଏକାଡେମିକ୍ ଏବଂ ଅଣ ଏକାଡେମିକ୍ ସୁବିଧା ବିଷୟରେ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସୂଚନା ଦେଇଥିଲେ। ଏଥିସହ ଏହି ଅଧିବେଶନରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପ୍ରଶ୍ନ ଓ ଚିନ୍ତାର ସମାଧାନ କରାଯାଇଥିଲା। ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କମାଣ୍ଡର ଭି.କେ ଜେଟଲୀ ଉପସ୍ଥିତ ଥିବା ବେଳେ ପ୍ରଫେସର ଇନ୍ ଚାର୍ଜ (ସେମିନାର୍) ବିଜୟକୃଷ୍ଣ କରୀ ସେମିନାରର ସଂଯୋଜନା କରିଥିଲେ।


ଅନ୍ୟପଟେ ଆଇଆଇଟିରେ ବିଭିନ୍ନ ପାଠ୍ୟକ୍ରମର ଆଡମିସନ୍ ୯ ଜୁଲାଇରୁ ପିଏଚ୍ ଡି ନାମଲେଖା ସହିତ ଆରମ୍ଭ ହୋଇଥିଲା। ଏଥିରେ ଛାତ୍ରମାନେ ବି.ଟେକ୍ ରେ ୪୫୧ଜଣ ଛାତ୍ରଛାତ୍ରୀ, ଏମଟେକ୍ ରେ ୨୪୦ଜଣ, ଏମଏସସିରେ ୧୦୭ଜଣ, ଏମଏସ (ରିସର୍ଚ୍ଚ) ରେ ୬ଜଣ ଏବଂ ୧୧୫ ଜଣ ଛାତ୍ରଛାତ୍ରୀ ପିଏଚ୍ ଡି ପାଠ୍ୟକ୍ରମରେ ଯୋଗଦେଇଛନ୍ତି। ତେବେ ‘ଷ୍ଟଡି ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଚଳିତ ବର୍ଷ ୩ଜଣ ବିଦେଶୀ ଛାତ୍ର ନାମ ଲେଖାଇଛନ୍ତି। ପ୍ରତିଷ୍ଠାନ ପକ୍ଷରୁ ଇଞ୍ଜିନିୟରିଂ ଫିଜିକ୍ସ ନାମକ ଏକ ନୂତନ ଷ୍ଟ୍ରିମ୍ ଆରମ୍ଭ କରାଯାଇଛି। ଏଥିସହ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଏବଂ ଚିପ୍ ଡିଜାଇନ୍, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବିଷୟରେ ଏମଟେକ୍ ଏବଂ ଆଡ଼ଭାନ୍ସଡ୍ ମେଣ୍ଟେନାନ୍ସ ଟେକ୍ନୋଲୋଜି ଶୀର୍ଷକ ବ୍ଲେଣ୍ଡେଡ୍ ମୋଡ୍ ଏମଟେକ ଡିଗ୍ରି ପାଠ୍ୟକ୍ରମ ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ କରିଛି। ଖୁବଶୀଘ୍ର ୫୦ଜଣ ଛାତ୍ରଛାତ୍ରୀ ୪ବର୍ଷିଆ ଇଣ୍ଟିଗ୍ରେଟେଡ୍ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ଆଇଟିଇପି) ର ଦ୍ୱିତୀୟ ବ୍ୟାଚ୍ ରେ ନାମ ଲେଖାଇବାକୁ ଯାଉଛନ୍ତି ବୋଲି କୁହାଯାଇଛି।