Nuakhai: ସମ୍ବଲପୁର: ଆଜି ଠିକ ସେଇ ମହାର୍ଘ୍ୟ ମୁହୂର୍ତ୍ତରେ ଶେଷ ହୋଇଛି ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି କାର୍ଯ୍ୟକ୍ରମ। ୧୦.୨୭ ରୁ ୧୦.୪୨ ମିନିଟ ମଧ୍ୟେ ନୂଆଁଖାଇ ଲାଗି ହୋଇଛି ମା ସମଲେଶ୍ୱରୀଙ୍କ ଠାରେ। ତା'ପରେ ମହା ଆଳତୀ ଆରମ୍ଭ ହୋଇଥିଲା। ପୁଣି ଭୋଗ ଲାଗି ହୋଇଥିଲା ମା ସମଲେଶ୍ୱରୀଙ୍କ ପାଖରେ। ତା'ପରେ ଭକ୍ତ ମାନଙ୍କୁ ସାଧାରଣ ଦର୍ଶନ ପାଇଁ ଛଡା ଯାଇଥିଲା | ଏବେ ନୂଆଁଖାଇ ପାଇଁ ଦୁଲୁକୁଛି ପଶ୍ଚିମ ଓଡ଼ିଶା, ଘରେ ଘରେ ପାଳନ ହେଉଛି ଏହି ପର୍ବ। 


COMMERCIAL BREAK
SCROLL TO CONTINUE READING

ପଣ୍ଡିତମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଲଗ୍ନ ମୁତାବକ ଆଜି ସେପ୍ଟେମ୍ବର ୨୦ ତାରିଖ, ଭାଦ୍ରବ, ଶୁକ୍ଳ ପକ୍ଷ ପାଞ୍ଚମୀ ତିଥି ପୂର୍ବାହ୍ନ ୧୦.୨୭ ମିନିଟରୁ ୧୦.୪୨ ମିନିଟ ମଧ୍ୟରେ ମାଁ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଅର୍ପଣ କରାଯାଇଛି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିଲା। ମା'ଙ୍କ ଠାରେ ନବାନ୍ନ ଲାଗି ପରେ ଆଜି ମନ୍ଦିର ଚତୁର୍ପାର୍ଶ୍ଵରେ ଥିବା ୧୧୫ ଦେବା ଦେବୀଙ୍କୁ ମଧ୍ୟ ନବାନ୍ନ ଲଗାଯାଇଛି।  ଆଜି ପରମ୍ପରା ମୁତାବକ ନୂଆଁଖାଇ ଦିନ ଭୋର ୪ଟାରୁ ପୂଜକମାନେ ମାଁଙ୍କ ମନ୍ଦିର ଗମ୍ଭୀରାର ମୁଖ୍ୟ ଦ୍ୱାରା ଖୋଲି ମାଁଙ୍କୁ ଗଙ୍ଗା ଜଳରେ ସ୍ନାନ କରାଇଥିଲେ। 


ଏହାପରେ ମାଁଙ୍କୁ ପାଟ ବସ୍ତ୍ର ଓ ସବୁ ପ୍ରକାର ଆଭୂଷଣ ପରିଧାନ କରାଯାଇଥିଲା। ଏହାପରେ ମନ୍ଦିର ଗମ୍ଭୀରା ମୁଖ୍ୟ ଦ୍ଵାରକୁ ବନ୍ଦ କରି ଦିଆଯାଇଥିଲା। ଏହାପରେ ନବାନ୍ନ ଲାଗି ହେବାର ଶୁଭଲଗ୍ନର ୧୦ ମିନିଟ ପୂର୍ବରୁ ପୂଜକମାନେ ନିଜ ନିଜ ଘରୁ ନବାନ୍ନ ସହ ବିଭିନ୍ନ ପ୍ରସାଦ, ପିଠା ପଣା ଓ ପୂଜା ସାମଗ୍ରୀ ଧରି ମନ୍ଦିରରେ ପ୍ରବେଶ କରି ନିର୍ଧାରିତ ସମୟରେ ମାଁଙ୍କୁ ନବାନ୍ନ ଲାଗି କରିଥିଲେ। ନୂଆଁଖାଇ ହେଉଛି ଏକ କୃଷିଭିତ୍ତିକ ଗଣପର୍ବ। 


ପ୍ରଥମେ ଚାଷୀ ନିଜର ପ୍ରଥମ ଫସଲ ଅମଳ କରି ନିଜର ଅଧିଷ୍ଠାତ୍ରୀ ଦେବୀ ମାଙ୍କ ଠାରେ ପ୍ରସାଦ ସ୍ୱରୂପ ଅର୍ପଣ କରିଥାଏ ଓ ପରେ ସେହି ପ୍ରସାଦକୁ ନେଇ ନିଜେ ଖାଇଥାଏ। ସେ ମା'ଙ୍କୁ ସୁମରଣା କରି କହିଥାଏ ଯେ ପ୍ରତ୍ୟେକ ବର୍ଷ ଏଭଳି ଭଲ ଫସଲ ହେଉଥାଉ ଏବଂ ମାଙ୍କ ସୁଦୟା ତା ଉପରେ ରହିଥାଉ। ସମସ୍ତ ପରିବାର ବର୍ଗ ଙ୍କୁ ଏକତା ସୂତ୍ରରେ ମା' ବାନ୍ଧି ରଖିଥାଉ ଓ ବିଶ୍ୱରେ ଶାନ୍ତି ବିରାଜମାନ କରିଥାଉ ବୋଲି ମଧ୍ୟ ଭକ୍ତ ଗୁହାରୀ କରିଥାଏ। ଏ ପର୍ବର ଆଉ ଏକ ଗୁରୁତ୍ୱପୂର୍ଣ ବିଷୟ ହେଉଛି ଯେ ଆଜି ର ଦିନରେ ସମସ୍ତେ ଶତ୍ରୁ ମିତ୍ର ଏକ ହୋଇ ନବାନ୍ନ ଖାଇଥାନ୍ତି। ସେଇଭଳି ସମସ୍ତଙ୍କୁ ଶତ୍ରୁ ମିତ୍ର ଙ୍କୁ ଏକତା ସୂତ୍ର ରେ ବାନ୍ଧି ରଖିବାର ନିଆରା ପରମ୍ପରା ହେଉଛି ନୁଆଁଖାଇ।


Also Read: Tomato Price: ୨ ଶହରୁ ଆସି ୨ ଟଙ୍କାରେ ପହଞ୍ଚିଲା ମୂଲ୍ୟ; ଏବେ ରାସ୍ତାରେ ଫୋପାଡୁଛନ୍ତି କୃଷକ