ଭୁବନେଶ୍ୱର: ନିର୍ବାଚନରେ କ୍ଷମତାଚ୍ୟୁତ ହେବାପରେ ବିଜୁଜନତା ଦଳର ମୁଖିଆ ନବୀନ ପଟ୍ଟନାୟକ ଜୁଲାଇ ୧୭ ତାରିଖରେ ତାଙ୍କ ଦଳର ବିଧାୟକମାନଙ୍କୁ ନେଇ ଏକ ଛାୟା ମନ୍ତ୍ରିମଣ୍ଡଳ ଗଠନ କରିଥିଲେ। ଗଣତନ୍ତ୍ରରେ ବିରୋଧି ଦଳ ଭାବେ ନିଜକୁ ଓଡ଼ିଶାର ଜାଗ୍ରତ ପ୍ରହରୀ ବୋଲି ବର୍ଣ୍ଣନା କରିବା ସହ ଏହି ଛାୟା ମନ୍ତ୍ରିମଣ୍ଡଳ ଦ୍ୱାରା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକଳାପ ଉପରେ ଦଳ ତୀକ୍ଷ୍ଣ ନଜର ରଖିବ ବୋଲି କହିଥିଲା। । ୫୦ ଜଣ ନିର୍ବାଚିତ ସଦସ୍ୟଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ପ୍ରଦାନ କରିଥିଲେ। ହେଲେ ଆଜି ସେମାନେ କେଉଁଠି? ରାଜ୍ୟରେ ଏତେ ବଡ଼ ପ୍ରସଙ୍ଗସବୁ ସାମ୍ନାକୁ ଆସୁଥିଲେ ମଧ୍‍ୟ ଏ ମନ୍ତ୍ରିମଣ୍ଡଳ କାହିଁକି ଚୁପ ରହିଛି ତାହା ଏବେ ସମସ୍ତଙ୍କୁ ଚକିତ କରୁଛି। 


COMMERCIAL BREAK
SCROLL TO CONTINUE READING

ଏହି ଛାୟା ମନ୍ତ୍ରିମଣ୍ଡଳ ଗଠନ ହେବାର ଇତିମଧ୍ୟରେ ଦୁଇମାସ ବିତିଗଲାଣି। ବିଭିନ୍ନ ବିଭାଗର ଦାୟିତ୍ୱ ପାଇଥିବା ବିଧାୟକମାନେ ଏବେ କେବଳ ନିଜ ଭାଗ୍ୟକୁ ନିନ୍ଦା କରିବାରେ ଲାଗିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏବେ ରାଜ୍ୟରେ ଯେଉଁସବୁ ଅନିୟମିତତା ଦେଖିବାକୁ ମିଳୁଛି, ସେ ସବୁଥିରେ ବିଜେଡି ସରକାରର ହାତ ରହିଛି। ତେଣୁ ବିଜେଡି ବିଧାୟକମାନେ ଅନିୟମିତତା ସମ୍ପର୍କରେ କିଛି କହିବା ପରିବର୍ତ୍ତେ ଚୁପ୍‍ ରହିବାକୁ ଉଚିତ ମନେକରୁଥିବା ସାଦାରଣରେ ଆଲୋଚନା ହେଉଛି।


ଏବେ ସାରାଦେଶରେ ଭରତପୁର ଥାନାର କେଳେଙ୍କାରୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗୃହ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ମିଳିଥିବା ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ ଏହି ଥାନାର ପୂର୍ବତନ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କ ସମ୍ପର୍କରେ ଚୁପ୍‍ ରହିଛନ୍ତି। କାରଣ ଦିନକୃଷ୍ଣଙ୍କ ସମେତ ଭୁବନେଶ୍ୱର ଡିସିପି, ପୁଲିସ କମିଶନର ବିଜେଡି ସରକାର ସମୟରେ ନିଯୁକ୍ତି ପାଇଥିଲେ। ତେଣୁ ସେମାନଙ୍କ ସମ୍ପର୍କରେ ବିଧାୟକ ପୂଜାରୀ ନୀରବ ରହିଥିବା ଆଲୋଚନା ହେଉଛି।
ଦ୍ୱିତୀୟ ସମସ୍ୟା ରାଜ୍ୟରେ ରାସ୍ତାଘାଟ ସବୁ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୂର୍ତ୍ତବିଭାଗ ଉପରେ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ମିଳିଛି ବିଧାୟକ ବ୍ୟୋମକେଶ ରାୟ ଓ ଅଭିମନ୍ୟୁ ସେଠୀଙ୍କୁ। ସେମାନେ ମଧ୍ୟ ଏନେଇ ଚୁପ୍‍ ରହିଛନ୍ତି। କାରଣ ବିଜେଡି ଶାସନ କାଳରେ ନିର୍ବାଚନ ପୂର୍ବରୁ ବ୍ୟାପକ ପିସି କାରବାର ହୋଇଥିବାରୁ ରାସ୍ତାଘାଟ ନିର୍ମାଣ ଓ ମରାମତି ନାମରେ ଦୁର୍ନୀତି ହୋଇଛି। ଯାହାଫଳରେ ଅନେକ ଯନ୍ତ୍ରୀ ଏବେ ଭିଜିଲାନ୍ସ ଜାଲରେ ପଡ଼ି ଛଟପଟ ହେଉଛନ୍ତି। ପିସି ନେଇଥିବା କୌଣସି ବିଜେଡି ନେତା ପିଠିରେ ପଡ଼ୁ ନାହାନ୍ତି।


ବିଧାୟକ ଗଣେଶ୍ୱର ବେହେରାଙ୍କୁ ମିଳିଛି ଖଣି ବିଭାଗ। ନିକଟରେ ଶେଷ ହୋଇଥିବା ବିଧାନସଭାର ତଥ୍ୟ ଅନୁସାରେ ରାଜ୍ୟର ୧୮୧ଟି ଖଣି ବର୍ଷ ବର୍ଷ ଧରି ବନ୍ଦ ରହିଛି। କିନ୍ତୁ ବିଜେଡି ସରକାର ସେହିସବୁ ଖଣିକୁ ସରକାର ନିଲାମ କରିବା ପରିବର୍ତ୍ତେ ସନ୍‍ ଆଲୟେଜ୍‍ ଆଣ୍ଡ ମିନେରାଲ୍ସ ଭଳି ଅନେକ ଖଣିକୁ ତରବରିଆ ଭାବରେ ନିର୍ବାଚନ ଘୋଷଣା ଦିନ ନବୀକରଣ କରିଛନ୍ତି। ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର ଜିଲ୍ଲାରେ ବିଜେଡି ଶାସନ କାଳରେ ଜିଲ୍ଲା ଖଣିଜ ପାଣ୍ଠି ଅପବ୍ୟବହାର ହୋଇଥିବା ଅଭିଯୋଗ ହେବାରୁ ସିଏଜି ତଦନ୍ତ ଆରମ୍ଭ ହୋଇଛି। ତେଣୁ ବିଧାୟକ ଗଣେଶ୍ୱର ବେହେରା କାହାକୁ ଜଗିବେ ବୋଲି ପ୍ରଶ୍ନ ଉଠୁଛି।


ବିଜୁ ଆବାସ ଯୋଜନାରେ କୋଠାଘର ଥିବା ଲୋକଙ୍କୁ ଘର ମିଳିଥିବା ଖବର ଆସୁଛି। ଏପରିକି ସହରାଞ୍ଚଳରେ ରାସ୍ତାଘାଟ, ଡ୍ରେନେଜ ବ୍ୟବସ୍ଥା ମଧ୍ୟ ବିଗିଡ଼ି ଯାଇଛି। ସହରାଞ୍ଚଳ ପାନୀୟ ଜଳ ଯୋଜନାର କାର୍ଯ୍ୟକାରିତା ପାଇଁ ୱାଟକୋରେ ମଧ୍ୟ ଦୁର୍ନୀତି ଅଭିଯୋଗ ଆସୁଛି। ଏପରିସ୍ଥଳେ ନଗର ଉନ୍ନୟନ ବିଭାଗକୁ ଜଗିବା ପାଇଁ ଦାୟିତ୍ୱ ପାଇଥିବା ବିଧାୟକ ନଳିନୀକାନ୍ତ ପ୍ରଧାନ ଓ ପ୍ରଦୀପ କୁମାର ସାହୁ ମଧ୍ୟ ଚୁପ୍‍ ରହିଛନ୍ତି।


ଏବେ ରାଜ୍ୟର ଅନେକ ମାଗଣା ଚାଉଳ ହିତାଧିକାରୀ ତାଲିକାରୁ କଟିବାରେ ଲାଗିଛନ୍ତି। ଏହି ହିତାଧିକାରୀମାନେ ବିଜେଡି ଶାସନ କାଳରେ ଭୋଟ୍‍ ରାଜନୀତି ପାଇଁ ଏଭଳି ହିତାଧିକାରୀ ସାମିଲ ହୋଇଥିଲେ। ଯାହାଫଳରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦାୟିତ୍ୱରେ ଥିବା ବିଧାୟକ ନିରଞ୍ଜନ ପୂଜାରୀ ଓ ରାମାକାନ୍ତ ଭୋଇ ମଧ୍ୟ ଚୁପ ରହିଛନ୍ତି।
ସବୁଠାରୁ ବଡ଼ କଥା ହେଲା ଓଡ଼ିଶାର ଭବିଷ୍ୟତ କୁହାଯାଉଥିବା ଛାତ୍ରଛାତ୍ରମାନେ ଆଗାମୀ ଦିନରେ ସର୍ବଭାରତୀୟ ପରୀକ୍ଷାରେ ସଫଳତା ପାଇବାର ସମ୍ଭାବନା କ୍ଷୀଣ। କାରଣ ଗତବର୍ଷ ୫-ଟି ସଚିବ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଯେପରି ନୂଆ ‘ଓ’ ନାଟକ କଲେ ସେଥିପାଇଁ ଯୁକ୍ତ ଦୁଇରେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ଫଳରେ ପରୀକ୍ଷା ପାଇଁ ସେମାନଙ୍କ ପାଠ୍ୟକ୍ରମକୁ କମାଇ ଦିଆଯାଇଛି। ତେଣୁ ଉଚ୍ଚଶିକ୍ଷା ବିଭାଗ ଜଗିବା ଦାୟିତ୍ୱ ପାଇଥିବା ବିଧାୟକ ରମେଶ ଚନ୍ଦ୍ର ବେହେରା କ’ଣ କରିବେ ସେଥିପାଇଁ ମୁଣ୍ଡରେ ହାତ ଦେଇ ବସିଛନ୍ତି।


ସବୁଠାରୁ ବଡ଼ ରୋଚକ ସ୍ଥିତି ଆଦିବାସୀ କଲ୍ୟାଣ ବିଭାଗ ଦେଖିବାକୁ ମିଳିଛି। ଏହାର ଦାୟିତ୍ୱରେ ବିଧାୟକ ଚନ୍ଦ୍ରମଣି କହଁର ରହିଛନ୍ତି। ବିଜେଡି ସରକାର ସ୍ୱତନ୍ତ୍ର ଆଦିବାସୀ ବିକାଶ ନିଗମ ନାମରେ ଆଦିବାସୀମାନଙ୍କ ପ୍ରତି ଯେଉଁ ଧୋକ୍କା କରିଛନ୍ତି ତାହା ବିଧାନସଭାରେ ବିଜେପି ବିଧାୟକ ଅମର ନାୟକଙ୍କ ପ୍ରଶ୍ନର ଉତ୍ତରରୁ ଜଣାପଡ଼ିଛି। ବିଜେଡି ସରକାର ଆଦିବାସୀ ଉନ୍ନତି ନାମରେ ସେମାନଙ୍କୁ ପେଣ୍ଡୁ ଓ ବାଜା ଧରାଇଥିବା ବିଧାନସଭା ତଥ୍ୟରୁ ଜଣାପଡ଼ିଛି। ତେଣୁ ବିଧାୟକ ଚନ୍ଦ୍ରମଣି କହଁର କ’ଣ କହିବେ ତାକୁ ନେଇ ଚିନ୍ତାରେ ପଡ଼ିଥିବା କୁହାଯାଉଛି।