Naveen in Odisha: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇଥିଲେ ମଧ୍ୟ ଗୁରୁତ୍ୱ ଦେଇଛି ବିଜେପି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ସମାବେଶରେ ତାଙ୍କୁ ମଞ୍ଚ ଉପରେ ସସମ୍ମାନ ଆସନ ଦିଆଯାଇ ସ୍ୱାଗତ କରାଯାଇଛି। ପୂର୍ବରୁ କେବେ କୌଣସି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଜଣେ ପରାଜିତ ମୁଖ୍ୟମନ୍ତ୍ରୀଙ୍କୁ ସଭା ମଣ୍ଡନ କରିଥିବା ଆଗରୁ ଦେଖାଯାଇ ନଥିଲା।  ଖାଲି ସେତିକି ନୁହେଁ ମଞ୍ଚ ଉପରେ ତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ଦଳର ଜାତୀୟ ସଭାପତି ବେଶ୍‍ ସମୟ ଗୁପଚୁପ୍‍ କଥା ହୋଇଥିବା ଦେଖିବାକୁ ମିଳିଛି। ଶପଥ ଗ୍ରହଣ କରିଥିବା ମନ୍ତ୍ରୀମାନେ ବି ନବୀନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ନବୀନ ବି ବେଶ୍‍ ଫିଟ୍‍ ରହିଛନ୍ତି। ପୂର୍ବରୁ ଯେମିତି ସେ ମଞ୍ଚ ଉପରକୁ ଉଠି ପାରୁ ନଥିବା ଦେଖିବାକୁ ମିଳୁଥିଲା ତାହା ଏଥର ବିଲକୁଲ ହୋଇ ନାହିଁ। ନବୀନ ନିଜେ ଚାଲି ଚାଲି ମଞ୍ଚକୁ ଉଠିଛନ୍ତି। ବିନା କାହାର ସାହାଯ୍ୟରେ ସେ ନିଜର ପତିଆରା ଦେଖାଇଛନ୍ତି। ପ୍ରଶ୍ନ ଉଠୁଛି ନବୀନଙ୍କୁ କାହିଁକି ଏତେ ଗୁରୁତ୍ୱ ଦେଉଛି ବିଜେପି। ଆସନ୍ତୁ ନଜର ପକାଇବା ନିମ୍ନ ବିନ୍ଦୁଗୁଡ଼ିକ ଉପରେ:


1.ନବୀନ ପଟ୍ଟନାୟକ ଲଗାତାର ୫ଥର ମୁଖ୍ୟମନ୍ତ୍ରୀ ରହିଛନ୍ତି। ରାଜ୍ୟରେ କୌଣସି ବ୍ୟକ୍ତି ଏତେ ଲମ୍ବା ସମୟ କାର୍ଯ୍ୟ କରି ନାହାନ୍ତି। ବିଜେଡି ତାଙ୍କୁ ପୂର୍ବରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ପ୍ରଚାର କରୁଥିଲା। ଏବେବି ବିଜେଡିର ସେହି ଧାରା ବଜାୟ ରହିଛି। ନବୀନଙ୍କୁ ସମ୍ମାନ ଦେଇ ତାଙ୍କୁ ଓ ଦଳକୁ ଚୁପ୍‍ କରିବାକୁ ଚାହୁଁଥାଇପାରେ ବିଜେପି। ଏଥିପାଇଁ ପରମ୍ପରାକୁ ବାଧା ଦେଇ ‘ବରିଷ୍ଠଙ୍କୁ ସମ୍ମାନ’ ଏକ ବାହାନା ହୋଇପାରେ।


2.ଲମ୍ବା ସମୟ ଧରି ବିଜେଡି ବିଜେପିର ସହଯୋଗୀ ରହି ଆସିଛି। ୧୯୯୭ରେ ବିଜେଡି ଗଢ଼ା ହେବା ଦିନଠାରୁ ବିଜେପିର ହାତ ଧରି ଚାଲିଥିଲା। ମଝିରେ ଅଲଗା ନିର୍ବାଚନ ଲଢ଼ିଥିଲେ ବି ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେପିକୁ ସମର୍ଥନ କରିଛି ବିଜେଡି। କିନ୍ତୁ ୨୦୨୪ ପରାଜୟ ପରେ ବିଜେଡି କଂଗ୍ରେସ ସହ ହାତ ମିଳାଇପାରେ ବୋଲି ଆଶଙ୍କା କରାଯାଉଛି। ଏପରିକି କିଛି ରଣନୀତିକାର ଦିଲ୍ଲୀରେ ସୋନିଆ ଗାନ୍ଧିଙ୍କ ସହ କଥା ହେବା ଲାଗି ବାଟ କାଢ଼ୁଥିବା ବି ଚର୍ଚ୍ଚା ହେଉଛି। ଯଦି କଂଗ୍ରେସ ସହ ନବୀନ ମେଣ୍ଟ କରନ୍ତି ତେବେ ପୁଣିଥରେ ବିଜେଡି ଫେରିବା ଅସମ୍ଭବ ନୁହେଁ। କେନ୍ଦ୍ରରେ ବିଜେପିକୁ ବି ଦ୍ୱନ୍ଦ୍ୱରେ ପକାଇପାରେ


3.ରାଜ୍ୟସଭାରେ ବିଜେଡିର ୯ ସାଂସଦ ରହିଛନ୍ତି। ଆଉ ଜଣେ ବିଜେଡି ସମର୍ଥିତ ବିଜେପି ସାଂସଦ ଯିଏ ଏବେ ମନ୍ତ୍ରୀ ହୋଇଛନ୍ତି। ଅନେକ ସମୟରେ କୌଣସି ଜଟିଳ ବିଧେୟକ ପାରିତ କରିବା ଲାଗି ଏହି ୯ ସାଂସଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ। କଂଗ୍ରେସ ସହ ନଯାଇ ଯେମିତି ଏନ୍‍ଡିଏ ସହ ରହିବେ ସେଥିନେଇ ବିଜେପି ଉଦ୍ୟମ କରୁଛି।


4.ଏବେ ଲୋକସଭାରେ ବିଜେଡିର କୌଣସି ଉପସ୍ଥିତି ନାହିଁ। କିନ୍ତୁ ଅନ୍ୟ ନେତାଙ୍କ ସହ ନବୀନଙ୍କର ଉତ୍ତମ ସମ୍ପର୍କ ଓ ବ୍ୟକ୍ତିତ୍ୱର ପରିଚୟ ରହିଛି। ଏହି ସମ୍ପର୍କକୁ ବ୍ୟବହାର କରି ଅନ୍ୟ ସମଭାବାପନ୍ନ ନେତାଙ୍କ ସହ ନିବିଡ଼ତାକୁ ବଢ଼ାଇପାରେ ଦଳ।


5.ନିର୍ବାଚନ ପୂର୍ବରୁ ବିଜେପି-ବିଜେଡି ସହ ମେଣ୍ଟ କରିବା ନେଇ ଶୀର୍ଷ ସ୍ତରରେ ଆଲୋଚନା ଚାଲିଥିଲା। ହେଲେ ରାଜ୍ୟସ୍ତରରେ ନେତାମାନେ ଏହାର ବିରୋଧ କରିବାରୁ ମେଣ୍ଟ ରୋକାଯାଇ ବିଜେପି ଏକାକୀ ଲଢ଼ି ସଫଳତା ପାଇଛି। ହୁଏତ ପୂର୍ବ ଚର୍ଚ୍ଚା ଅନୁସାରେ ନିର୍ବାଚନ ପରେ ଦୁଇ ଦଳ ଏକାଠି କାମ କରିବାକୁ ନିଷ୍ପତ୍ତି ନେଇ ଥାଇ ପାରନ୍ତି।


6.ଏପରିକି ନିର୍ବାଚନ ପ୍ରଚାର ସମୟରେ ବିଜେପି ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରିଥିଲେ ବି ତତ୍‍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତ୍ୟକ୍ଷ ଆକ୍ରମଣ କରି ନଥିଲା। ଦୁଇ ଦଳ ପରସ୍ପରରର ନେତାଙ୍କୁ ରାଷ୍ଟ୍ରନେତା ବୋଲି ଅଭିହିତ କରିଥିଲେ। ଏପରିକି ରାଷ୍ଟ୍ରୀୟ ଟିଭି ଚ୍ୟାନେଲରେ ବିଜେଡିର ନେତା ବୃହତର ସ୍ୱର୍ଥ ଲାଗି ଦୁଇ ନେତା ଏକାଠି ହେଉଛନ୍ତି ବୋଲି କହିଥିଲେ।  ଏହା ଅଘୋଷିତ ବୁଝାମଣାକୁ ସ୍ପଷ୍ଟ କରୁଥିଲା। ଏହି ଅଘୋଷିତ ବୁଝାମଣାକୁ ଦ୍ୱାରା ରାଜ୍ୟ ବିଜେପି ନେତାମାନେ ଚାପରେ ଥିବା ନେଇ ଚର୍ଚ୍ଚା ହେଉଛି।


7.ଶୀର୍ଷ ନେତୃତ୍ୱଙ୍କ ଅଭାବ, ଏକ ନେତାଙ୍କ ଦ୍ୱାରା ଚାଲୁଥିବା ବିଜୁ ଜନତା ଦଳର ଭବିଷ୍ୟତ ଅନିଶ୍ଚିତତା ଭିତରେ ଥିବାରୁ ନବୀନଙ୍କୁ ଦେଶର ଗୁରୁତ୍ୱପୂର୍ଣ୍ଣ ରାଜନୀତିକ ପଦବୀରେ ଥଇଥାନ କରି ଦଳକୁ ହାଇଜାକ୍‍ କରିପାରେ ବିଜେପି। ଶପଥଗ୍ରହଣ ସମାବେଶରେ ପରାଜିତ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ଉପରେ ସ୍ଥାନୀତ କରି ଏହା ସୂଚୀତ କରୁଥାଇପାରେ ବିଜେପି।


8.ବିଜେପିର ଲମ୍ବା ସମୟ ଶାସନ କରିବାର ଲକ୍ଷ୍ୟ ପଥରେ ଏହା ଏକ ରଣନୀତି ହୋଇପାରେ। ଅର୍ଥାତ୍‍ ବିଜେପି ଜାଣିଛି ଯେ ଓଡ଼ିଶାରେ କ୍ଷମତା କୌଣସି ସଂଗଠନ ନୁହେଁ ବରଂ, ପାଣ୍ଡିଆନ୍‍ ବିରୋଧୀ ହ୍ୱଓ୍ୱା ଦ୍ୱାରା ପରିଚାଳିତ ହୋଇଥିଲା। ଏଣୁ ନବୀନଙ୍କୁ ପାଖରେ ରଖି ଆଗକୁ ନିର୍ବାଚନ ଜିତିବାକୁ ଚାହୁଁଥାଇପାରେ ବିଜେପି।