ଭୁବନେଶ୍ଵର: ଜଟଣୀ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବଜାର ଅଞ୍ଚଳରୁ ଏକ ଦୋକାନରୁ ଲୁଟ୍ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ହେଲା ବାଚ୍ଛରାପାଟଣାର ରବୀନ୍ଦ୍ର ପୃଷ୍ଟି ଓରଫ୍ ବିଟୁ (୩୦)। ତା ନିକଟରୁ ୭ହଜାର ୫୦୦ଟଙ୍କା ଜବତ କରିଛି ପୁଲିସ। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ, ରାମଚନ୍ଦ୍ରପୁର ବଜାର ଉପରେ ଅଭିଯୋଗକାରୀ କରନ ଅଗ୍ରୱାଲଙ୍କ ଏକ ଗ୍ରୋସରି ଦୋକାନ ରହିଛି। ଅଭିଯୁକ୍ତ ବିଟୁ ତାଙ୍କ ଦୋକାନରେ ପୂର୍ବରୁ କାମ କରୁଥିଲେ। କିଛି ଦିନ ପୂର୍ବେ ଏକ ଲୋନ୍ ଶୁଝିବାକୁ ଦୋକାନୀ ମାଲିକଙ୍କୁ ଟଙ୍କା ମାଗିଥିଲେ, ମାଲିକ ଟଙ୍କା ଦେବାକୁ ମନାକରି ଦେଇଥିଲେ। ଯାହାକୁ ନେଇ ଗତ ୫ତାରିଖ ବିଳମ୍ୱିତ ରାତିରେ ଅଭିଯୁକ୍ତ ଦୋକାନ କାଚ ଝରକା ଭାଙ୍ଗି ଭିତରେ ପସି ୨୫ହଜାର ଟଙ୍କା ଲୁଟି ନେଇଥିଲା। ପରଦିନ ସକାଳେ ଦୋକାନ ମାଲିକ ଲୁଟ୍ ହୋଇଥିବା ଜାଣି ସିସିଟିଭି ଫୁଟେଜ ଯାଞ୍ଚ କରିବାରୁ ବିଟୁ ଚୋରି କରିଥିବା ଦେଖିବାକୁ ପାଇଥିଲେ।


ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିଲା। ଆଜି ବିଶେଷ ସୂତ୍ରରୁ ଖବର ପାଇ ଆଇଓସିଏଲ ନିକଟରୁ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ। ଏ ନେଇ ଥାନାରେ ଏକ କେସ ନଂ ୩୪୪/୨୪ ରେ ମାମଲା ରୁଜ୍ଜୁ କରି ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ। ତେବେ ତା ନିକଟରୁ ସାଢେ଼ ୭ହଜାର ଟଙ୍କା ଜବତ ହୋଇଥିବା ବେଳେ ଅବଶିଷ୍ଟ ଟଙ୍କାକୁ ସାଙ୍ଗମାନଙ୍କ ସହ ଖର୍ଚ୍ଚ କରିଥିବା ପୁଲିସ ଜାଣିବାକୁ ପାଇଛି। ଅନ୍ୟପଟେ ପୂର୍ବରୁ ଅଭିଯୁକ୍ତ ନାଁରେ ଜଟଣୀ ଥାନାରେ ୪ଟି ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।