ମହଙ୍ଗା ପଡିଲା ଅନଲାଇନ୍ ପ୍ରେମ, ବାଂଲାଦେଶରୁ ବାଲେଶ୍ୱର ଆସିଲେ ଯୁବତୀ
ଉଭୟେ ଉଭୟଙ୍କୁ ଦେଖା କରିବାକୁ ନିଷ୍ପତ୍ତି ନେବାପରେ ପ୍ରେମିକ ଜଣକ ବାଂଲାଦେଶ ଯାଇ ପ୍ରେମିକାଙ୍କୁ ଭେଟିବା ସହିତ ସେଠାରେ ମୁସଲିମ ପରମ୍ପରା ଅନୁଯାୟୀ ତାଙ୍କୁ ବିବାହ କରିଥିଲେ । ବିବାହ ପରେ ପାଖାପାଖି ୫ ବର୍ଷ ସେମାନେ ଏକାଠି ରହିଥିଲେ କିନ୍ତୁ ବର୍ତ୍ତମାନ ଘଟଣା ନେଇଛି ଭିନ୍ନ ମୋଡ ।
ବାଲେଶ୍ୱର: ଭୋଗରାଇ ବ୍ଳକ୍ ବୁଢ଼ାକୁସୁମୀ ଅଞ୍ଚଳର ବିରେନ୍ଦ୍ର ପ୍ରତାପ ଭଞ୍ଜ ନାମକ ଯୁବକ ବାଂଲାଦେଶ (Bangladesh)ର ଜଣେ ଯୁବତୀଙ୍କ ସହିତ ଅନଲାଇନରେ ବନ୍ଧୁତା କରି ପ୍ରେମରେ ପଡିଥିଲେ । ଉଭୟେ ଉଭୟଙ୍କୁ ଦେଖା କରିବାକୁ ନିଷ୍ପତ୍ତି ନେବାପରେ ପ୍ରେମିକ ଜଣକ ବାଂଲାଦେଶ ଯାଇ ପ୍ରେମିକାଙ୍କୁ ଭେଟିବା ସହିତ ସେଠାରେ ମୁସଲିମ ପରମ୍ପରା ଅନୁଯାୟୀ ତାଙ୍କୁ ବିବାହ (Marriage) କରିଥିଲେ । ବିବାହ ପରେ ପାଖାପାଖି ୫ ବର୍ଷ ସେମାନେ ଏକାଠି ରହିଥିଲେ କିନ୍ତୁ ବର୍ତ୍ତମାନ ଘଟଣା ନେଇଛି ଭିନ୍ନ ମୋଡ । ଫଳରେ ଯୁବତୀ ଜଣକ ସମୁଦ୍ରପାର ହୋଇ ପ୍ରେମିକଙ୍କ ଗାଁରେ ପହଞ୍ଚିଥିଲେ ।
ସୂଚନା ମୁତାବକ, ବାଂଲାଦେଶ ଆମତୋଳି ଅଞ୍ଚଳର ୨୫ ବର୍ଷୀୟା ଯୁବତୀ ରୁମା ମାରିୟମ ବାଲେଶ୍ୱର ଏସପିଙ୍କୁ ଭେଟିବା ସହ କିପରି ଲଭ୍, ସେକ୍ସ, ଧୋକାର ଶିକାର ହୋଇଛନ୍ତି ସେ ବିଷୟରେ କହିଛନ୍ତି । ବର୍ଷେ ପୂର୍ବରୁ ରୁମାଙ୍କୁ ଛାଡ଼ି ଭାରତ ଆସିଥିଲେ ତାଙ୍କ ପ୍ରେମିକ ବିରେନ୍ଦ୍ର କିନ୍ତୁ ଆଉ ଫେରିନଥିଲେ ବାଂଲାଦେଶ । ପରେ ରୁମା ଜାଣିବାକୁ ପାଇଥିଲେ ଯେ, ତାଙ୍କ ସ୍ୱାମୀ ବିରେନ୍ଦ୍ର ଗାଁରେ ଦ୍ୱିତୀୟ ବିବାହ କରୁଛନ୍ତି । ରୁମା ତତକ୍ଷଣାତ ଓଡ଼ିଶାରେ ପହଞ୍ଚିବାକୁ ଚାହିଁଥିଲେ ମଧ୍ୟ ଭିସା ସାଜିଥିଲା ପ୍ରତିବନ୍ଧକ । ପରେ ଭିସା ପାଇଁ ଆବେଦନ କରିଥିଲେ ରୁମା ଏବଂ ଭିସା ମିଳିବା ପରେ ବାଂଲାଦେଶରୁ ପଶ୍ଚିମବଙ୍ଗ ଓ ସେଠାରୁ ଟ୍ରେନ୍ ସାହାଯ୍ୟରେ ବାଲେଶ୍ୱରରେ ପହଞ୍ଚିଥିଲେ ରୁମା । ବାଟ ଖୋଜି ଖୋଜି ସ୍ୱାମୀଙ୍କ ଗାଁରେ ପହଞ୍ଚି ସବୁ କଥା ତାଙ୍କ ଘରଲୋକଙ୍କୁ ଜଣାଇଥିଲେ । ବିରେନ୍ଦ୍ରଙ୍କ ଘରଲୋକେ ସବୁକଥା ଜାଣିବା ପରେ ରୁମାଙ୍କୁ ଘର ସାମ୍ନାରୁ ତଡି ଦେଇଥିଲେ । ଫଳରେ ରୁମା ବାଲେଶ୍ୱର ଏସପିଙ୍କ ନିକଟରେ ପହଞ୍ଚି ସବୁକଥା କହିଛନ୍ତି । ଏଥିସହ ରୁମାଙ୍କ ନିକଟରେ ଥିବା ବିବାହ ସମୟର ଓ ଅନ୍ୟାନ୍ୟ ଫଟୋ ପ୍ରମାଣପତ୍ର ଦେଖାଇଛନ୍ତି । ବର୍ତ୍ତମାନ ନ୍ୟାୟ ଦାବି କରୁଛନ୍ତି ବାଂଲାଦେଶୀ ଯୁବତୀ ରୁମା । ସେ କହିଛନ୍ତି ଯେ, ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ବାଂଲାଦେଶ ଫେରିବେ ନାହିଁ ।
Also Read- Cyclone michaung:ବାତ୍ୟା 'ମିଚାଓଙ୍ଗ୍' ପାଇଁ ଜାତୀୟ ସଙ୍କଟ ପରିଚାଳନା କମିଟିର ପ୍ରସ୍ତୁତି ସମୀକ୍ଷା
Also Read- ମଣିଷ ସ୍ୱରକୁ କିପରି ଅନୁକରଣ କରେ ଶୁଆ ? ଗଳାରେ ଏପରି କଣ ଥାଏ?