Sunehri bagh Mosque:ଜାଣନ୍ତୁ ସେହି ୧୫୦ବର୍ଷ ପୁରୁଣା ମସଜିଦ ବାବଦରେ ସବୁକିଛି,ଯାହାକୁ ଭାଙ୍ଗିବାକୁ ପ୍ରସ୍ତୁତ ହେଉଛି ଦିଲ୍ଲୀ ନଗର ନିଗମ
ଦିଲ୍ଲୀର ସୁନେହରୀ ବାଗ ମସଜିଦ ହଟାଇବା ପାଇଁ ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲ (ଏନଡିଏମସି) ଲୋକଙ୍କ ଠାରୁ ପରାମର୍ଶ ମାଗିଛି। ଲୋକମାନେ ପରାମର୍ଶ ଦେବା ପୂର୍ବରୁ ମସଜିଦ୍ ର ଇମାମ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଫେବ୍ରୁଆରି ୨୮ତାରିଖରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା।
Sunehri bagh Mosque: ଦିଲ୍ଲୀର ସୁନେହରୀ ବାଗ ମସଜିଦ ହଟାଇବା ପାଇଁ ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲ (ଏନଡିଏମସି) ଲୋକଙ୍କ ଠାରୁ ପରାମର୍ଶ ମାଗିଛି। ଲୋକମାନେ ପରାମର୍ଶ ଦେବା ପୂର୍ବରୁ ମସଜିଦ୍ ର ଇମାମ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଫେବ୍ରୁଆରି ୨୮ତାରିଖରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ସୁନେହରୀ ବାଗ ମସଜିଦ ଭାଙ୍ଗିବା ପ୍ରସଙ୍ଗକୁ ଐତିହ୍ୟ ସଂରକ୍ଷଣ କମିଟି (ଏଚସିସି)ର ସୁପାରିସକୁ ପଠାଯାଇଛି ବୋଲି ହାଇକୋର୍ଟଙ୍କୁ କୁହାଯାଇଥିଲା। ସୂଚନାଯୋଗ୍ୟ ଯେ, ଏହି ଆବେଦନରେ ଏନଡିଏମସିର ଡିସେମ୍ବର ୨୪ ର ସାର୍ବଜନୀନ ନୋଟିସକୁ ଚ୍ୟାଲେଞ୍ଜ କରାଯାଇ ମସଜିଦକୁ କିପରି ହଟାଇହେବ ସେ ନେଇ ଆପତ୍ତି ଏବଂ ପରାମର୍ଶ ମଗାଯାଇଥିଲା।
ଟ୍ରାଫିକ୍ ପୋଲିସର ବରିଷ୍ଠ ଓକିଲ ସଞ୍ଜୟ ଜୈନ ଦିଲ୍ଲୀ ହାଇକୋର୍ଟରେ କହିଛନ୍ତି ଯେ ଏହି ମାମଲା ଏଚସିସିର ବିଚାରାଧୀନ ଅଛି । ତେଣୁ ଆବେଦନର କୌଣସି ଯଥାର୍ଥତା ନାହିଁ। ଏହାର ଜବାବରେ ଜଷ୍ଟିସ୍ ସଚିନ ଦତ୍ତ ପ୍ରଶ୍ନ କରିଥିଲେ ଯେ, ଏବେ ଆବେଦନ ଉପରେ ଯୁକ୍ତି ହୋଇ ପାରିବ କି କାରଣ ଏଚସିସିର ସୁପାରିସ ପରେ ହିଁ ଉଚ୍ଛେଦ ଆଶଙ୍କା ଉଠିବ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିରାଜ ଆର ଦାତାର କହିଛନ୍ତି ଯେ ଏହି ପିଟିସନ ଏନଡିଏମସିର କାର୍ଯ୍ୟାନୁଷ୍ଠାନର ବୈଧତାକୁ ଚ୍ୟାଲେଞ୍ଜ କରୁଛି। ଯଦି ଏହି ପିଟିସନ୍ ଦାଖଲ ହୋଇନଥାନ୍ତା ଏବଂ ଏଚସିସି ପ୍ରତିକୂଳ ସୁପାରିସ କରନ୍ତି, ତେବେ ସେମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଅଦାଲତକୁ ଆସିବାକୁ ପଡ଼ିବ।
ଏନଡିଏମସି କହିଛି ଯେ ସୁନେହରୀ ବାଗ ମସଜିଦ କାରଣରୁ ଟ୍ରାଫିକ୍ ଜାମ୍ ସମସ୍ୟା ନିରନ୍ତର ରହିଛି। ତେଣୁ ସୁନେହରୀ ବାଗ ମସଜିଦକୁ ଛକରୁ ହଟାଇବା ହିଁ ଏକମାତ୍ର ବିକଳ୍ପ। ଫେବ୍ରୁଆରି ୨୧ତାରିଖରେ ଦିଲ୍ଲୀ ହାଇକୋର୍ଟ ସୁନେହରୀ ବାଗ ମସଜିଦ ଭାଙ୍ଗିବା ପ୍ରସ୍ତାବ ବିରୋଧରେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ ମନା କରିଦେଇଥିଲେ। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନ ଓ ଜଷ୍ଟିସ ମନମିତ୍ ପିଏସ୍ ଅରୋରାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ହାଇକୋର୍ଟର ଏକକ ଖଣ୍ଡପୀଠରେ ସମାନ ଆବେଦନ ବିଚାରାଧୀନ ରହିଛି। ତେଣୁ ଏହି ସମୟରେ ଏ ନେଇ କୌଣସି ଆଦେଶ ଦେବାର ଆବଶ୍ୟକତା ନାହିଁ।
ସୁନେହରୀ ବାଗ ମସଜିଦ
ପୁରୁଣା ଦିଲ୍ଲୀ ଚାନ୍ଦନୀ ଚୌକରେ ଥିବା ଗୁରୁଦ୍ୱାର ସିସ ଗଞ୍ଜ ସାହିବ ନିକଟରେ ଅବସ୍ଥିତ, ଯାହା ଏକଦା ଲାଲକିଲ୍ଲାକୁ ଯାଉଥିବା ରାଜକୀୟ ରାସ୍ତା ଥିଲା । ସୁନେହରୀ ବାଗ ମସଜିଦ ଉନବିଂଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । ମୋଗଲ ସମ୍ରାଟ ମହମ୍ମଦ ଶାହାଙ୍କ ଶାସନ କାଳରେ ରୋଶନ-ଉଦ-ଦୌଲା ଏହାକୁ ନିର୍ମାଣ କରିଥିଲେ । ରଫି ମାର୍ଗରୁ ଉଦ୍ୟୋଗ ଭବନ ଏବଂ ଦକ୍ଷିଣ ଦିଲ୍ଲୀ ଅଭିମୁଖେ ରେଳ ଭବନ ଯିବା ବାଟରେ ଏହି ମସଜିଦ ଅବସ୍ଥିତ । ସୁନେହରୀ ବାଗ ମସଜିଦ ରାସ୍ତା ମଝିରେ ଏକ ଛକରେ ରହିଛି। କିଛି ଦିନ ପର୍ଯ୍ୟନ୍ତ ଏହି ଛକଟି 'ହାକିମ୍ ଜୀ କା ବାଗ' ନାମରେ ମଧ୍ୟ ପରିଚିତ ଥିଲା। ଏହି ଛୋଟ ବଗିଚାରେ ରହିଛି ଏକ ସୁବର୍ଣ୍ଣ ମସଜିଦ । ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏନଡିଏମସି ସୁନେହରି ମସଜିଦ ହଟାଇବାକୁ ଚାହୁଁଛି ।
ଐତିହାସିକ କଣ କୁହନ୍ତି
୧୯୧୨ମସିହାରେ ଦିଲ୍ଲୀକୁ ଦେଶର ରାଜଧାନୀ କରାଯାଇଥିଲା। ସେହି ସମୟର ମାନଚିତ୍ରରୁ ଜଣାପଡୁଛି ଯେ ସେହି ସମୟରେ ମଧ୍ୟ ସୁନେହରୀ ବାଗ ମସଜିଦ ଏହାର ସ୍ଥାନରେ ଥିଲା । ଦିଲ୍ଲୀର ଅନେକ ଐତିହାସିକ ଏବଂ ଆର୍କିଟେକ୍ଟଙ୍କ ମତରେ ଏହି ମସଜିଦ ଏକ ଐତିହ୍ୟ କୋଠା ହୋଇଥିବାରୁ ଏହାକୁ ହଟାଇବା ଉଚିତ ନୁହେଁ। ଏହି ମସଜିଦର ନାମ ପଛରେ ରହିଛି ଅନେକ କାହାଣୀ । କୁହାଯାଏ ଏହି ମସଜିଦ ସ୍ଥାନରେ ଏକ ସୁବର୍ଣ୍ଣ ଗ୍ରାମ ଥିଲା । ଗାଁର ଲୋକମାନେ ଏହି ବଗିଚାରେ ନମାଜ ପଢ଼ିବାକୁ ଆସୁଥିଲେ। ଏହି ଗାଁର ସୀମା ବର୍ତ୍ତମାନର ସଂସଦ ରାସ୍ତା ଥାନା ପର୍ଯ୍ୟନ୍ତ ଯାଉଥିଲା । ଯେତେବେଳେ ବ୍ରିଟିଶ ସରକାର ନୂଆଦିଲ୍ଲୀରେ ସରକାରୀ କୋଠା ନିର୍ମାଣ ଆରମ୍ଭ କଲେ, ସେତେବେଳେ ଏହି ଗ୍ରାମକୁ ଉଚ୍ଛେଦ କରାଯାଇଥିଲା । ଏହା ପରେ ମଧ୍ୟ ସୁନେହରୀ ବାଗ ମସଜିଦ ରହିଥିଲା।
ରାଜଧାନୀରେ ୩ଟି ସୁବର୍ଣ୍ଣ ମସଜିଦ
ରାଜଧାନୀ ଦିଲ୍ଲୀରେ ତିନିଟି ସୁବର୍ଣ୍ଣ ମସଜିଦ ରହିଛି। ଦ୍ୱିତୀୟଟି ଚାନ୍ଦନୀ ଚୌକରେ ଥିବା ଗୁରୁଦ୍ୱାର ସିସଗଞ୍ଜ ନିକଟରେ ରହିଛି। ଏହାର ତିନୋଟି ଗୁମ୍ବୁଜ ତମ୍ବାରେ ଭର୍ତ୍ତି ହୋଇଛି । ସେଥିପାଇଁ ଏହାକୁ ସୁନେହରୀ ମସଜିଦ କୁହାଯାଏ । ଲାଲକିଲ୍ଲା ନିକଟରେ ରହିଛି ଆଉ ଏକ ସୁବର୍ଣ୍ଣ ମସଜିଦ । ଏହାକୁ କୁଦେସିଆ ବେଗମ୍ ନିର୍ମାଣ କରିଥିଲେ। ଏଥିରେ ୨ଟି ଟାୱାର ଓ ୩ଟି ଗୁମ୍ବୁଜ ରହିଛି। ପ୍ରଥମେ ଏହାର ଗୁମ୍ବୁଜକୁ ତମ୍ବା ରଙ୍ଗରେ ରଙ୍ଗିତ କରାଯାଇଥିଲା। ଏହି ସୁବର୍ଣ୍ଣ ମସଜିଦ ଟି ବହୁତ ଛୋଟ ।