INDIA meet postponed: 


COMMERCIAL BREAK
SCROLL TO CONTINUE READING

କଂଗ୍ରେସ ନେତୃତ୍ୱାଧିନ ମେଣ୍ଟ I.N.D.I.A ର ବୁଧବାର ହେବାକୁ ଥିବା ପ୍ରସ୍ତାବିତ ବୈଠକ ବାତିଲ ହୋଇଛି  । କଂଗ୍ରେସରୁ ମିଳୁଥିବା ସୂଚନା ଅନୁସାରେ ମେଣ୍ଟର କିଛି ଦଳର ନେତାଙ୍କ ପାଖରେ ଡିସେମ୍ବର ୬ ପର୍ଯ୍ୟନ୍ତ ସମୟର ଅଭାବ ରହିଥିବାରୁ ବୈଠକକୁ ବାତିଲ କରିଦିଆଯାଇଛି । ତେବେ ମେଣ୍ଟର ଅନୌପଚାରିକ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ଭାଗିଦାର ଦଳଗୁଡିକର ସଂସଦୀୟ ଦଳ ନେତା ସାମିଲ ହେବେ । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ରାଜ୍ୟରେ ବାତ୍ୟ ମୁକାବିଲାରେ ବ୍ୟସ୍ତ ଥିବା କାରଣରୁ ଦିଲ୍ଲୀ ଆସି ପାରିବେ ନାହିଁ ।ସେହିଭଳି ମମତା ବାନାର୍ଜିଙ୍କ ପାରିବାରିକ ବିବାହ ଉତ୍ସବ ପାଇଁ ତାଙ୍କ ପକ୍ଷରେ ଦିଲ୍ଲୀ ଆସିବା ସମ୍ଭବ ନୁହେଁ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଅସୁସ୍ଥତା କାରଣରୁ ଦିଲ୍ଲୀ ଆସିବେ ନାହିଁ ।ତେଣୁ ବୈଠକ ବାତିଲ ହୋଇଥିବା କୁହାଯାଉଛି ।


ତେବେ ରାଜନୈତିକ ବିଶ୍ଲେଷକଙ୍କ କହିବା ହେଉଛି ୩ଟି ମୁଖ୍ୟ ରାଜ୍ୟରେ ବିଜେପିର ବିଜୟକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ବିରୋଧୀ ମେଣ୍ଟର ନେତା । ଏହି ପରାଜୟ ପାଇଁ କଂଗ୍ରେସକୁ ଦାୟୀ କରୁଛନ୍ତି ଏହି ନେତା । ନିଜ ଅସନ୍ତୋଷ ଜାହିର କରିବାକୁ ବୈଠକୁ କୌଣସି ନେତା ଆସୁନାହାନ୍ତି ।


ସୂଚନାଯୋଗ୍ୟ ଯେ, ୬ ଡିସେମ୍ବର ଦିନ ହେବାକୁ ଥିବା ବୈଠକକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ମେଣ୍ଟରେ ସବୁକିଛି ଠିକ ନଥିବା ସୂଚାଇ ଥିଲା । ମମତା କହିଥିଲେ ଯେ, ବୈଠକ ବାବଦରେ ମୋ ପାଖରେ କୌଣସି ସୂଚନା ନାହିଁ । ରାଜ୍ୟରେ ମୋର ସେହି ଦିନ କିଛି କାର୍ଯ୍ୟକ୍ରମ ରହିଛି । ଯଦି ମୁଁ ଏହି ବୈଠକ ବାବଦରେ ଜାଣିଥାନ୍ତି ତେବେ କାର୍ଯ୍ୟକ୍ରମ ରଖିନଥାନ୍ତି ।


ଅନ୍ଯପକ୍ଷରେ ସମାଜବାଦୀ ପାର୍ଟି ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ ସ୍ପଷ୍ଟ କରିଥିଲେ ଯେ, ଡିସେମ୍ବର ୬ ତାରିଖରେ ହେବାକୁ ଥିବା I.N.D.I.A ବୈଠକରେ ଅଖିଳେଶ ଯୋଗ ଦେବେ ନାହିଁ । ଦଳର ମହାସଚିବ ପ୍ରଫେସର ରାମ ଗୋପାଳ ଯାଦବ କିମ୍ବା ଜାତୀୟ ସଭାପତିଙ୍କ ଦ୍ୱାରା କ୍ଷମତାପ୍ରାପ୍ତ କୌଣସି ନେତା ବୈଠକରେ ଯୋଗ ଦେବେ । ତାଙ୍କ ଦଳକୁ ମଧ୍ୟ ବୈଠକ ବାବଦରେ କୌଣସି ସୂଚନା ଦିଆଯାଇନଥିଲା ବୋଲି ସେ କହିଥିଲେ ।


ସୂଚନାଯୋଗ୍ୟ ୟେ, ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ମଧ୍ଯରେ ଇଣ୍ଡିଆ ମେଣ୍ଟ ନେତାଙ୍କ ବୈଠକ ପାଇଁ ନିଷ୍ପତି ନିଆଯାଇଥିଲା । ଏହି ବୈଠକ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ହେବାର ଥିଲା । ୪ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଥିଲେ ଯେ, ନିର୍ବାଚନ ଫଳାଫଳକୁ ନେଇ ସେ ନିରାଶ ନୁହନ୍ତି । ତେବେ ବିଜେପି ଭଳି ବଡ଼ ଦଳ ସହିତ ଲଢେଇ ପାଇଁ ଅଧିକ ପ୍ରସ୍ତୁତି କରିବାକୁ ପଡ଼ିବ । ଲୋକସଭା ନିର୍ବାଚନ ଫଳାଫଳ ଅଲଗା ହେବ ବୋଲି ସେ ଭରସାବ୍ୟକ୍ତ କରିଥିଲେ ।


ସେହିଭଳି ନୀତିଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ୍ ସୋମବାର ଦିନ ବିଧାନସଭା ନିର୍ବାଚନରେ ପରାଜୟ ପାଇଁ ମଧ୍ଯ କଂଗ୍ରେସକୁ ଦାୟୀ କରିଥିଲା । କଂଗ୍ରେସର ଏକଲା ଚାଲୋ ନୀତି ପାଇଁ ବିଧାନସଭା ନିର୍ବାଚନରେ ପରାଜୟ ମିଳିଲା ବୋଲି ଜେଡିୟୁ କହିଥିଲା ।  ଅନ୍ୟପକ୍ଷରେ ଟିଏମସିର ବରିଷ୍ଠ ନେତା ଅଭିଶେକ ବାନାର୍ଜି ସୋମବାର ଦିନ କହିଥିଲେ ଯେ, ତିନି ରାଜ୍ୟରେ ପରାଜିତ କଂଗ୍ରେସ ଅତ୍ମବିମୁଗ୍ଧତା ମୁଦ୍ରାରେ ଅଛି । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ନିଜ ଘର ସଜାଡିବାକୁ ପଡିବ ବୋଲି ସେ କହିଥିଲେ ।