Top 10 News Today


COMMERCIAL BREAK
SCROLL TO CONTINUE READING

01- ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ହାଇକୋର୍ଟଙ୍କ ରହିତାଦେଶ ବିରୋଧରେ ଫେରାଦ ଦେଇଛନ୍ତି । ଟ୍ରାଏଲ କୋର୍ଟଙ୍କ ଜାମିନ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି । ଜାମିନ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରିବା ସହ ପିଟିସନ୍‌ ଦାଖଲ କରିଛନ୍ତି କେଜ୍ରିୱାଲ । ଗତ ଏପ୍ରିଲ ୧ ତାରିଖରୁ କେଜ୍ରିୱାଲ ଜେଲ୍‌ରେ ଅଛନ୍ତି। ଗତମାସ‌ ଲୋକସଭା ନିର୍ବାଚନ ପ୍ରଚାର ଲାଗି ତାଙ୍କୁ ଅଳ୍ପ କିଛି ଦିନ ପାଇଁ ଜାମିନ ମିଳିଥିଲା। 


02- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଜନ୍ମମାଟି କେନ୍ଦୁଝର ଗ୍ରସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମାଆ ତାରିଣୀଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତୀ ପାଇଁ ୫୦ କୋଟି ଟଙ୍କା ଘୋଷଣା କରିଛନ୍ତି । ଏଥିସହ ସମ୍ବର୍ଦ୍ଧନା ସଭାରେ କେନ୍ଦୁଝରରେ ହୋଇଥିବା ଖଣି ଲୁଟ୍ ଏବଂ ଅନ୍ୟାନ୍ୟ ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲିଛନ୍ତି । ସମସ୍ତ ବିଷୟକୁ ତଦନ୍ତ ପରିସରଭୁକ୍ତ କରାଯିବା ସହ ଅଭିଯୁକ୍ତଙ୍କୁ ଛଡାଯିବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


03- NEET-UG ପରୀକ୍ଷାରେ କରାଯାଇଥିବା ଅନିୟମିତତା ସମ୍ପର୍କରେ ଶିକ୍ଷା ମନ୍ତ୍ରଣାଳୟ ସିବିଆଇକୁ ହସ୍ତାନ୍ତର କରିବା ପରେ ଏଜେନ୍ସି ଏହାର କାର୍ଯ୍ୟ ଆରମ୍ଭ କରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟରେ ଅଭିଯୋଗ କରିବା ପରେ ସିବିଆଇ ଏକ ନୂଆ ମାମଲା ରୁଜୁ କରିଛି। ଏକ ବିସ୍ତୃତ ଅନୁସନ୍ଧାନ କରାଯିବା ପରେ ଯାଇ ଅନୁସନ୍ଧାନକାରୀ ଟିମ ରାଜ୍ୟଗୁଡିକରେ ଥିବା ଏଫ୍ଆଇଆର ଗୁଡ଼ିକୁ ଗ୍ରହଣ କରିବେ। ରାଜ୍ୟ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ମଧ୍ୟ କଷ୍ଟୋଡିରେ ନିଆଯିବ ।


04- ଛତିଶଗଡର ସୁକୁମା ଜିଲ୍ଲା ସିଲଗର ଅଞ୍ଚଳରେ ନକ୍ସଲମାନେ IED ବିସ୍ଫୋରଣ କରିଛନ୍ତି । ସେନାର କୋବ୍ରା କର୍ପସର ଆଡଭାନ୍ସ ପାର୍ଟିର ଗତିବିଧିକୁ ଲକ୍ଷ କରି ନକ୍ସଲ ଏହି ହମଲା କରିଛନ୍ତି । ଏହି ଆକ୍ରମଣ ସମ୍ପର୍କରେ ସୁକମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି। ଏହି ନକ୍ସଲ ହମଲାରେ ଡ୍ରାଇଭର ଏବଂ ସହ-ଡ୍ରାଇଭର ଘଟଣାସ୍ଥଳରେ ସହିଦ ହୋଇଥିବା ସୂଚନା ମିଳିଛି । ଏଥିସହ ଅନ୍ୟ ସମସ୍ତ ଯବାନମାନେ ସୁରକ୍ଷିତ ରହିଥିବା ସୂଚନା ମିଳିଛି । ଏହି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଉଦ୍ଧାରକାରୀ ଟିମ୍ ଉଦ୍ଧାର କାର୍ଯ୍ୟ କରିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।


05- କାଲିଠୁ ବାଲେଶ୍ୱର ପୌରାଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ସହ ମିଳିବ ଇଣ୍ଟରନେଟ୍‌ ସେବା । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକ୍‌ରେ । ଏଥିସହ କାଲିଠୁ ମୋବାଇଲ୍‌ ଇଣ୍ଟରନେଟ୍‌ ମିଳିବ ବୋଲି କହିଛନ୍ତି । କର୍ଫ୍ୟୁ କୋହଳ ସହ କଟକଣା କମ୍‌ କରାଯିବ । ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା କର୍ଫ୍ୟୁ କୋହଳ ହେବ । ସେହିପରି ଟାଉନ ଥାନା ଅଞ୍ଚଳରେ ସକାଳ ୬ରୁ ଅପରାହ୍ନ ୨ଟା ସମୟ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ । 


06- ହୀରାକୁଦ ବିସ୍ଥାପିତଙ୍କୁ ସ୍ଥାୟୀ ପଟ୍ଟା ମିଳିବ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । 'ଡିସେମ୍ବର ସୁଦ୍ଧା ସବୁ ସରକାରୀ ବିଭାଗକୁ ଜମି ମିଳିବା ପ୍ରକ୍ରିୟା ଆରମ୍ଭ ହେବ । ଦୁର୍ନୀତିକୁ ପ୍ରଶୟ ଦିଆଯିବନି, ଗରିବଙ୍କୁ ଶୋଷଣ କଲେ କଡ଼ା ଦଣ୍ଡବିଧାନ କରାଯିବ । ଆଧୁନିକ ଜ୍ଞାନକୌଶଳରେ ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତିକୁ କମ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।


07- ଅଲିମ୍ପିକ୍ସ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି । ନ୍ୟାସନାଲ ଆଣ୍ଟିଂ ଡୋପିଂ ଏଜେନ୍ସି (NADA) ଏହି ଆକ୍ସନ ନେଇଥିବା ସୂଚନା ମିଳିଛି । ମୂତ୍ର ନମୁନା ପରୀକ୍ଷଣ ପାଇଁ ନ ଦେବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି । ଡୋପିଂ କଣ୍ଟ୍ରୋଲ ଅଫିସର (DCO)ଙ୍କ ଚେତାବନୀ ମାନି ନ ଥିଲେ । ଜୁଲାଇ ୧୧ ସୁଦ୍ଧା ସସ୍‌ପେଣ୍ଡ୍‌ ନୋଟିସ୍‌ ଉତ୍ତର ଦେବାକୁ ପୁନିଆଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।


08- AICC ଅଧ୍ୟକ୍ଷ ଖଡ଼ଗେଙ୍କୁ ଭେଟିଛନ୍ତି ଓଡ଼ିଶାର ୬ ବିଧାୟକ । କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ ଏହି ଭେଟଘାଟ ହୋଇଛି । କଂଗ୍ରେସ ବିଧାୟକ ଦଳ ନେତା କିଏ ହେବ ଏନେଇ ଚର୍ଚ୍ଚା ହେଉଥିବା ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ହୋଇଛି । ସୌଜନ୍ୟମୂଳକ ସାକ୍ଷାତ ହୋଇଥିବା କହିଛନ୍ତି ସାଂସଦ ଉଲାକା । ବିଧାୟକ ଦଳ ନେତା କିଏ ହେବେ ସେ ସମ୍ପର୍କରେ ହାଇକମାଣ୍ଡ ନିଷ୍ପତ୍ତି ନେବେ । ଯାହା ନିଷ୍ପତ୍ତି ନିଆଯିବ ତାହାକୁ ଗ୍ରହଣ କରିବୁ ବୋଲି ବିଧାୟକ ରାମଚନ୍ଦ୍ର କାଡ଼ାମ କହିଛନ୍ତି ।


09- ସ୍ନାନ ବେଦୀରେ ମହାପ୍ରଭୁଙ୍କୁ ଦିବ୍ୟ ସ୍ନାନ କରାଯିବା ପରେ ବର୍ତ୍ତମାନ ଜ୍ୱରରେ ପଡିଛନ୍ତି ଶ୍ରୀଜିଉ । ୧୫ ଦିନ ପର୍ଯ୍ୟନ୍ତ ବର୍ତ୍ତମାନ ଅଣସର ପିଣ୍ଡିରେ ଚାଲିବ ମହାପ୍ରଭୁଙ୍କ ଗୁପ୍ତ ସେବା । ତେଣୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳୀ ବିଶେଷ ନାହିଁ । ଅନ୍ୟପଟେ ଆଜିଠୁ ବ୍ରହ୍ମଗିରିର ଅଲାରନାଥଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଲକ୍ଷାଧିକ ଭକ୍ତ ଆଜି ଅଲାରନାଥଙ୍କ ଦର୍ଶନ କରିଛନ୍ତି ।


10- ରାଜ୍ୟର ସମସ୍ତ ଅଞ୍ଚଳକୁ ପ୍ରବେଶ କରିଛି ମୌସୁମୀ ବାୟୁ । ମୌସୁମୀ ସକ୍ରିୟ କାରଣରୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ତେବେ ୨୬ ଜୁନରୁ ବର୍ଷାର ମାତ୍ରା ବଢିବ ବୋଲି କୁହାଯାଇଛି । ଏନେଇ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।


Also Read- Lucky Zodiac Sign: ୨୪ ଜୁନରେ ନବପଞ୍ଚମ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ