Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Top 10 | Afternoon Bulletin: Top News Headlines from 09 November 2023: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଗୁରୁବାର ଅପରାହ୍ନର ୧୦ଟି ବଡ଼ ଖବର ।
Top 10 News Headlines in Odia | November 9 | Afternoon| 1. ଫେସବୁକର ନୂଆ ନିୟମ: ଫେସ୍ବୁକ୍, ଇନ୍ଷ୍ଟା ପାଇଁ ଆସିବ ନୂଆ ନିୟମ। ମେଟା ଏନେଇ ସୂଚନା ଦେଇଛି। ଏହାଦ୍ୱାରା ଏଆଇ ବା କୃତ୍ରିମ ବୁଦ୍ଧିମତ୍ତା ଅଥବା ଡିଜିଟାଲ୍ କୌଶଳ ବ୍ୟବହାର କରି ଫଟୋ ବା ଭିଡିଓକୁ ବଦଳାଉଥିବା ବ୍ୟବହାରକାରୀଙ୍କ ପାଇଁ କଟକଣା ଲାଗିବ। ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ‘ଡିପ୍ ଫେକ୍’ ବା କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗରେ ବଦଳାଯାଇଥିବା ଭିଡିଓକୁ ନେଇ ଚର୍ଚ୍ଚା ହେବା ପରେ ମେଟା ଏନେଇ ସତର୍କ ହୋଇଛି। ଏଣୁ ଏକ ନୂଆ ନିୟମ ନୂଆ ବର୍ଷରୁ ଲାଗୁ କରିବା ନେଇ ସୂଚନା ଦେଇଛି।
2. ପାରିତ ହେଲା ବିହାର ଆରକ୍ଷଣ କୋଟା: ବିହାର ବିଧାନସଭା ଆଜି ନୂତନ ଆରକ୍ଷଣ ବିଲ୍କୁ ପାରିତ କରିଛି। ଏହାଦ୍ୱାରା ସମୁଦାୟ ଆରକ୍ଷଣ କୋଟା ୬୫% ରେ ପହଞ୍ଚିଛି। ଏଥିରୁ ୧୮ ପ୍ରତିଶତ ଓବିସି ବର୍ଗ ପାଇଁ ସଂରକ୍ଷିତ ରହିଥିବାବେଳେ ଇବିସି ବର୍ଗ ପାଇୋ ୨୫% ଏବଂ ଏସ୍ସି ବର୍ଗଙ୍କ ପାଇଁ ୨୦% ସଂରକ୍ଷଣ ରହିବାକୁଥିବାବେଳେ ୨% ଆସନ ଆଦିବାସୀଙ୍କ ପାଇଁ ଏବଂ ଅର୍ଥନୀତିକ ପଛୁଆ ବର୍ଗ ପାଇଁ ଅତିରିକ୍ତ ୧୦% ସଂରକ୍ଷିତ ରହିବ। ପୂର୍ବରୁ ସମୁଦାୟ ସଂରକ୍ଷଣ ସୀମା ୫୦% ଥିଲା। ଜାତି ଭିତ୍ତିକ ଜନଗଣନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ବିହାର ସରକାର।
3. ବଲାଙ୍ଗୀର ଆୟୁର୍ବେଦୀୟ କଲେଜ ଅଧ୍ୟକ୍ଷଙ୍କ ଘରେ ଚଢ଼ଉ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ବଲାଙ୍ଗୀର ଆୟୁର୍ବୀୟ କଲେଜ ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଛି। ଭୁବନେଶ୍ବର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ର କ୍ଷମତା ବଳରେ ୮ ଜଣ ଡିଏସପି, ୬ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକକାଳୀନ ୬ ସ୍ଥାନରେ ଚଢ଼ଉ ହୋଇଛି। ତାଙ୍କ ନାଁରେ ପୁରୀରେ ୧୬ଟି ପ୍ଲଟ୍ ଥିବା ଜଣାଯାଇଛି। ତାଙ୍କର ତିନିଟି ବହୁମହଲାବିଶିଷ୍ଟ ଘର, ତିନିଟି ଦାମୀ କାର୍ ଓ ଗୋଟିଏ ବାଇକ୍ ଥିବା ମଧ୍ୟ ଜାଣିବାକୁ ପାଇଛି ଭିଜିଲାନ୍ସ।
4. ଶ୍ରୀଲଙ୍କାର ବ୍ୟାଟିଂ: ଆଜି ବେଙ୍ଗାଲୁରୁସ୍ଥିତ ‘ଚିନ୍ନାସ୍ବାମୀ ଷ୍ଟାଡିୟମ୍’ରେ କ୍ରିକେଟ୍ ବିଶ୍ବକପ୍ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ରେ ‘ଟସ୍’ ଜିଣିବା ପରେ ନ୍ୟୁଜିଲ୍ୟାଣ୍ଡର ଟିମ୍ର ଅଧିନାୟକ କେନ୍ ୱିଲିୟମ୍ସନ୍ ପ୍ରଥମେ ଶ୍ରୀଲଙ୍କା ବିପକ୍ଷରେ ବୋଲିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମ୍ୟାଚ୍ ଆରମ୍ଭରୁ ଶ୍ରୀଲଙ୍କା ଟିମରେ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ଖବର ଲେଖିବା ପର୍ଯ୍ୟନ୍ତ ଶ୍ରୀଲଙ୍କା ୨୬ ଓଭରରେ ୮ ଓ୍ୱିକେଟ ହରାଇ ୧୧୫ ରନ୍ ସଂଗ୍ରହ କରିଛି ।
5. କଂଗ୍ରେସର ସଂକୀର୍ତ୍ତନ ପ୍ରତିବାଦ: ପୁରୀ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା, ରତ୍ନ ଭଣ୍ଡାରର ଗଣତି, ମରାମତି ଦାବିରେ ଆଜି କଂଗ୍ରେସ ସାରା ଓଡ଼ିଶାରେ ସଂକୀର୍ତ୍ତନ ପ୍ରତିବାଦ ଆରମ୍ଭ କରିଛି। ଦିନ ୧୨ଟାଯାଏ ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଛି। ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ସତ୍ୟାଗ୍ରହ କରାଯାଇଥିଲା।
6. ଆଜିଠୁ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ: ପୁଷ୍ଟିଶସ୍ୟ ବା ମାଣ୍ଡିଆ ଜାତୀୟ ଶସ୍ୟ ଯାହାକୁ ଭାରତର ବିଭିନ୍ନ ସ୍ଥାନରେ ମୋଟା ଶସ୍ୟ ଭାବେ ଗ୍ରହଣ କରାଯାଏ, ସେ ବିଷୟରେ ସଚେତନତା ସୃଷ୍ଟି ପାଇଁ ଆଜିଠାରୁ ୨ ଦିନିଆ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱରଠାରେ ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ରାଜ୍ୟ ଏ ଏପରି ଏକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରିବାରେ ପ୍ରଥମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
7. ନୂଆବର୍ଷରେ ସମଲେଇ ମନ୍ଦିରର ରୂପାନ୍ତରଣ: ଆଜି ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ସମଲେଶ୍ୱରୀ ମନ୍ଦିର ଏବଂ ପାରିପାର୍ଶ୍ୱ ବିକାଶ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍। ନିର୍ମାଣକାରୀ ସଂସ୍ଥା ଓ ସେବାୟତଙ୍କ ସହ ଆଲୋଚନା କରିବା ପରେ ନୂଆ ବର୍ଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
8. ମହୂଆଙ୍କୁ ବହିଷ୍କାର ସୁପାରିସ: ତୃଣମୂଳ ସାଂସଦ ମହୂଆ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କାର ପାଇଁ ଆଜି ସୁପାରିସ୍ କରିପାରେ ସଦାଚାର କମିଟି। ଅପରାହ୍ଣରେ ଏଥିଲାଗି ସମୟ ସ୍ଥିର ହୋଇଛି। ପ୍ରଶ୍ନ ପାଇଁ ଲାଞ୍ଚ ଘଟଣାରେ ଏହି ନିଷ୍ପତ୍ତି ନେଇ ପାରନ୍ତି କମିଟି। ବିଦେଶରୁ ତାଙ୍କ ସଂସଦୀୟ ପୋର୍ଟାଲ୍ ଆଇଡି ବ୍ୟବହାର କରି ଅନ୍ୟ ଜଣଙ୍କ ଦ୍ୱାରା ପ୍ରଶ୍ନ ପଚରାଯିବା ପ୍ରସଙ୍ଗର ତଦନ୍ତ କରିଥିବା ସଦାଚାର କମିଟି ଏହି ନିଷ୍ପତ୍ତି ଉପରେ ଆଜି ମୋହର ଲଗାଇପାରନ୍ତି। କମିଟିର ସଦସ୍ୟଙ୍କୁ ପ୍ରଦାନ କରାଯାଇଥିବା ୫୦୦ ପୃଷ୍ଠାର ରିପୋର୍ଟରେ ଏ ବିଷୟ ଉଲ୍ଲେଖ ରହିଛି। ଲୋକସଭାର ସଦାଚାର କମିଟି ଏ ପ୍ରସଙ୍ଗରେ ଆଜି ବୈଠକ ଡକାଇଛନ୍ତି।
9. ଚୀନକୁ ଟପିଲା ଭାରତ: ଉତ୍କୃଷ୍ଟ ଉଚ୍ଚଶିକ୍ଷା ଅନୁଷ୍ଠାନ ସୃଷ୍ଟି କରିବାରେ ଭାରତ ଚୀନ୍କୁ ଟପିଛି। ବିଶ୍ୱର ପ୍ରମୁଖ ଉଚ୍ଚଶିକ୍ଷା ଅନୁଷ୍ଠାନ ଅନୁଶୀଳନକାରୀ କ୍ୱାକରଲି ସାଇମଣ୍ଡ (କ୍ୟୁଏସ୍) ପକ୍ଷରୁ ପ୍ରକାଶିତ ଏସୀୟ ଗୁଣାତ୍ମକ ଉଚ୍ଚଶିକ୍ଷା ଅନୁଷ୍ଠାନ ତାଲିକାରୁ ଏହା ସ୍ପଷ୍ଟ ହୋଇଛି। ଏଥିରେ ଚୀନର ୧୩୩ ଅନୁଷ୍ଠାନ ଥିବାବେଳେ ଭାରତର ୧୪୮ ଅନୁଷ୍ଠାନ ରହିଛି। ତୃତୀୟ ଏସୀୟ ଦେଶ ଭାବେ ଜାପାନର ୯୬ ଉଚ୍ଚଶିକ୍ଷା ଅନୁଷ୍ଠାନ ଏହି ତାଲିକାରେ ରହିଛି। ୨୫ଟି ଦେଶର ୮୫୬ ଅନୁଷ୍ତଠାନକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। କେବଳ ଗୁଣାତ୍ମକ ଶୈକ୍ଷିକ ବାତାବରଣ ତାହା ନୁହେଁ, ବରଂ ନିଯୁକ୍ତି ଦାତାଙ୍କ ସନ୍ତୁଷ୍ଟି ଆ ଆଗ୍ରହକୁ ବିଚାର କରି ଏହି ମାନ୍ୟତା ପ୍ରଦାନ କରାଯାଇଥାଏ।
10. ବିଦ୍ୟାଳୟରେ ଜୁ’ ଆମ୍ବାସେଡର: ନନ୍ଦନକାନନ ପକ୍ଷରୁ ସ୍କୁଲ୍ ପିଲାଙ୍କୁ ଜୁ’ ଆମ୍ବାସେଡର ଭାବେ ନିଯୁକ୍ତି କରାଯିବ। ପ୍ରତି ସ୍କୁଲ୍ର ଜଣେ ଛାତ୍ର ବା ଛାତ୍ରୀଙ୍କୁ ଏକ ବର୍ଷ ପାଇଁ ଜୁ’ ଆମ୍ବାସେଡର ବିବେଚନା କରି ତାଙ୍କ ମାଧ୍ୟ୍ରମରେ ବନ୍ୟପ୍ରାଣୀ ସଚେତନତା ସୃଷ୍ଟି କରିବ। ଜାନୁୟାରୀ ୧ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ଏଥିଲାଗି ପ୍ରତି ସ୍କୁଲ୍ରେ ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ ଜୁ’ ଆମ୍ବାସେଡର ହେବେ ସେମାନଙ୍କୁ ଏକ ବର୍ଷ ନନନ୍ଦନକାନନ ଭ୍ରମଣ ମାଗଣା ରହିବ।