Top 10 News Headlines:


COMMERCIAL BREAK
SCROLL TO CONTINUE READING

01- ମହୂଆ ମୈତ୍ର ମାମଲା, ସଦାଚାର କମିଟି ରିପୋର୍ଟ ମାଗିଲା ସିବିଆଇ : ସଂସଦରେ ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାରେ ଅଭିଯୁକ୍ତ  ହୋଇ ବିତାଡ଼ିତ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ମହୂଆ ମୈତ୍ରଙ୍କ  ମାମଲାରେ ଲୋକସଭାକୁ ରିପୋର୍ଟ ମାଗିଛି ସିବିଆଇ। ମିଳିଥିବା ଖବର ଅନୁସାରେ ଲୋକସଭା ସଦାଚାର କମିଟି ଦେଇଥିବା ରିପୋର୍ଟକୁ ସିବିଆଇ ତଦନ୍ତ ପାଇଁ ଆବଶ୍ୟକ କରୁଛି। ଏଥିନେଇ ଲୋକସଭା ମହାସଚିବଙ୍କୁ ଚିଠି ଲେଖିଥିଲେ ସୁଦ୍ଧା ଚିଠିର ଉତ୍ତର ଆସି ନଥିବା ସୂଚନା ମିଳିଛି। ଲୋକପାଳ ଏହି ମାମଲାର ତଦନ୍ତ ପାଇ ସିବିଆଇକୁ ଚିଠି ଲେଖିଛନ୍ତି। ଯଦି ଲୋକସଭା ସଦାଚାର କମିଟି ରିପୋର୍ଟକୁ ପ୍ରଦାନ କରନ୍ତି ତେବେ ମହୂଆଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇପାରିବ।


02- ଚାରମିନାର ଏକ୍ସପ୍ରେସ୍‌ ଦୁର୍ଘଟଣାର ଶିକାର:  ତେଲେଙ୍ଗାନାର ନାମପଲ୍ଲୀ ରେଳୱେ ଷ୍ଟେସନରେ ଚାରମିନାର ଏକ୍ସପ୍ରେସର ତିନୋଟି ବଗି ଲାଇନଚ୍ୟୁତ ହୋଇଛି। ଫଳରେ ଟ୍ରେନ୍‌ଟି ଆଂଶିକ ରୂପେ ପ୍ଲାଟଫର୍ମର କାନ୍ଥରେ ଧକ୍କା ହେବା ସହ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟ୍ରେନ ଲାଇନଚ୍ୟୁତ ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।


03- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ:  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଆଉ ମାତ୍ର ଛଅଦିନ ଥିବାରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ୫ଟି ତଥା ନବୀନ ଓଡିଶା ଅଧ୍ଯକ୍ଷ ଭିକେ ପାଣ୍ଡିଆନ ଘନଘନ ଗସ୍ତ କରୁଛନ୍ତି । ଏହା ସହ କାର୍ଯ୍ଯର ଟିକନିକ୍ ଅନୁଧ୍ୟାନ କରୁଛନ୍ତି । ସେପଟେ ଗତକାଲି ରାତିରେ ବି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପୁରୀରେ ପହଞ୍ଚି କାର୍ଯ୍ଯର ତଦାରଖ କରିଛନ୍ତି।  ୧୨ତାରିଖ ସୁଦ୍ଧା ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ।


04- ପର୍ଯ୍ୟଟକ ପଠାଇବାକୁ ଚୀନକୁ ନେହୁରା ହେଲେ ମାଳଦ୍ୱୀପ ରାଷ୍ଟ୍ରପତି:  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବା ଏବେ ମାଳଦ୍ୱୀପ ପାଇଁ ମହଙ୍ଗା ପଡ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପୂରା ଦେଶ ଏକ ହୋଇ ଛିଡ଼ା ହୋଇଛି। ମାଳଦ୍ୱୀପକୁ ସଂଖ୍ୟାଧିକ ମାତ୍ରାରେ ବିମାନ ଟିକେଟ ବାତିଲ ହେଉଛି। ହୋଟେଲ ମଧ୍ୟ କ୍ୟାନସଲ ହେଉଛି। ଏଭଳି ସ୍ଥଳେ ନିଜ ଦେଶକୁ ଅଧିକ ପର୍ଯ୍ୟଟକ ପଠାଇବାକୁ ଚୀନକୁ ଅପିଲ କରିଛନ୍ତି ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ବିବାଦ ମଧ୍ୟରେ ୫ ଦିନିଆ ଗସ୍ତରେ ଚୀନ ଯାତ୍ରା କରିଛନ୍ତି ମହମ୍ମଦ ମୁଇଜ୍ଜୁ। ସରକାରୀ ଗସ୍ତର ଦ୍ୱିତୀୟ ଦିନରେ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମଙ୍ଗଳବାର ଦିନ ଫୁଜିଆନ୍ ପ୍ରଦେଶରେ 'ମାଲଦ୍ୱୀପ ବ୍ୟବସାୟ ଫୋରମ୍'କୁ ସମ୍ବୋଧିତ କରି ଚୀନ୍‌କୁ ଦ୍ୱୀପପୁଞ୍ଜର ନିକଟତମ ସହଯୋଗୀ ବୋଲି ସମ୍ବୋଧନ କରିଛନ୍ତି। 


05- ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ: ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ଜଣେ ମହିଳା ମାଓବାଦୀ । ଉଙ୍ଗୀ ନକ୍ସଲ ସଂଗଠନରେ ୨୦୧୬ ମସିହାରେ ସାମିଲ ହୋଇ ସେ ଉଭୟ ଓଡ଼ିଶା ସମେତ ଛତିଶଗଡରେ ୨୦ରୁ ଅଧିକ ହିଂସାକାଣ୍ଡରେ ନିଜକୁ ସାମିଲ କରିଥିବା ଜଣାପଡିଛି । ଆତ୍ମ ସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ନାମ ଉଙ୍ଗୀ ମାଡଭି । ସେ ରୋଶନୀ ନାମରେ ମଧ୍ୟ ଜଣାଶୁଣା । ରୋଶନୀଙ୍କ ନାଁରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ରହିଥିଲା । ନକ୍ସଲ ଆଡାରେ ନିଯ୍ୟାତନା ଦିଆଯାଉଥିବା ନେଇ ମଧ୍ୟ ମୁହଁ ଖୋଲିଛନ୍ତି ରୋଶନୀ ।


06- SCBକୁ ବଡ଼ ସଫଳତା: ପୁଣିଥରେ କଟକ ବଡ଼ ମେଡିକାଲ ନିଜର ସଫଳତାକୁ ନେଇ ଚର୍ଚ୍ଚାକୁ ଆସିଛି । ମେଡିକାଲରେ ବିରଳ ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳ ହୋଇଛି । ଏହି ଅସ୍ତ୍ରୋପଚାର ରାଜ୍ୟରେ ପ୍ରଥମ ବୋଲି କୁହାଯାଇଛି । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହା ଏକ ନୂଆ ମାଇଲଖୁଣ୍ଟ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଅସ୍ଥିମଜ୍ଜା ପ୍ରତିରୋପଣ ମାଗଣାରେ ହୋଇଥିବା ଜଣାପଡିଛି ।


07- କଟକରୁ ବିଦାହେଲେ ୨୭୬ ହରିଣ: କଟକ ଡିୟର ପାର୍କରୁ ଚନ୍ଦକା ଭରତପୁର ଏବଂ ଅମ୍ବିଲୋକୁ ସ୍ଥାନାନ୍ତର ହୋଇଛନ୍ତି ୨୭୬ଟି ହରିଣ। ଗୋଟିଏ ସ୍ଥାନରୁ ଅନ୍ୟତ୍ର ସ୍ଥାନୁ ସ୍ଥାନାନ୍ତର ହେଉଥିବା କାରଣରୁ ହରିମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି । ନନ୍ଦନକାନନ ଡାକ୍ତର ଓ ଭେଟେନାରୀ ପ୍ରଫେସର ଏହି କାର୍ଯ୍ୟରେ ନିଯୋଜିତ ରହି ହରିଣଙ୍କ ଚିକିତ୍ସା ପ୍ରତି ଦୃଷ୍ଟି ଦେଇଛନ୍ତି ।


08-  ପରିବାରକୁ ମିଳିଲା ଦିଲୀପଙ୍କ ଶବ: ରାଜ୍ୟରେ ବହୁ ଚର୍ଚ୍ଚିତ ଖବର ତଥା ହାଇଟେକ୍ ଟ୍ରାଜେଡିରେ ଡିଏନଏ ରିପୋର୍ଟ ଆସିବା ପରେ ମୃତ ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି । ଗାଁରେ ପରିବାର ଓ ପ୍ରିୟଜନ ଶବକୁ ସଂସ୍କାର କରିଛନ୍ତି । ଶବ ଅଦଳବଦଳ ଅଭିଯୋଗ ସହିତ ଦିଲୀପଙ୍କ ମାଆ ଥାନାରେ ଏଫଆଇଆର ଦେଇଛନ୍ତି । ପ୍ରକୃତ ଦୋଷୀ ସାମ୍ନାକୁ ଆସୁ ଏବଂ କ୍ଷତିପୂରଣ ମିଳୁ ବୋଲି ଦିଲ୍ଲୀପଙ୍କ ମାଆ ଦାବି କରିଛନ୍ତି ।


09- ଦେଶର ଦ୍ୱିତୀୟ ପ୍ରଦୂଷିତ ସହର ଅନୁଗୋଳ: ଓଡ଼ିଶାରେ ବାୟୁ ମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ଅନୁଗୋଳ ସ୍ଥିତି ସାଂଘାତିକ ବର୍ଗରେ ରହିଥିଲା। ସହରବାସୀ ଶ୍ୱାସ ରୋଗରେ ପଡ଼ିବା ସହିତ ପ୍ରଶ୍ୱାସ ନେବାରେ ସମସ୍ୟା ଭୋଗୁଥିବା ନଜରକୁ ଆସିଛି। ତେବେ ସବୁଠାରୁ ବଡ଼ କାରଣ ହେଉଛି ଦେଶର ସର୍ବାଧିକ ପ୍ରଦୂଷିତ ୧୦ ସହର ମଧ୍ୟରେ ଓଡ଼ିଶାର ୪ଟି ସ୍ଥାନ ରହିଛି। ସୋମବାର ଅନୁଗୋଳର ଏକ୍ୟୁଆଇ ୩୫୨ ରହିଥିବା ବେଳେ ମଙ୍ଗଳବାର ୩୫୭ରେ ପହଞ୍ଚିଛି। ଅନୁଗୋଳ ଉପରକୁ ନୋଏଡ଼ା ରହିଥିଲା।  


10- ଆଗକୁ ବଢିବ ଶୀତ: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ବୁଧବାର ସକାଳୁ ରାଜଧାନୀରେ ଘନ କୁହୁଡି ଦେଖିବାକୁ ମିଳିଛି। ଆସନ୍ତା ୧୩ ତାରିଖରୁ ରାଜ୍ୟରେ ରାତିର ତାପମାତ୍ରା କମିବ। ଫଳରେ ଶୀତ ବଢିବ। ସେହିପରି କୁହୁଡି ମଧ୍ୟ ରାଜ୍ୟରେ ଅଧିକ ରହିବ।  ଆଜି ଓ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ଘନ କୁହୁଡି଼ ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି ଆଭ୍ୟନ୍ତରୀଣ ଓଡି଼ଶା  ଓ ଉପକୂଳ ଓଡି଼ଶାର ଅଧିକାଂଶ ସ୍ଥାନରେ ଘନ କୁହୁଡି଼ ଦେଖାଯିବ।


Also Read- ନିଜକୁ 'ଫକୀର' କହୁଥିବା ବ୍ୟକ୍ତି ହୃଦୟରୁ ସାଜିଲେ ଧନୀ, ରାମ ମନ୍ଦିରକୁ ଦେଲେ ସର୍ବାଧିକ ଦାନ


Also Read- Success Story: ଯାଆଁଳା ଭଉଣୀଙ୍କ ସଫଳତା, CA ଫାଇନାଲରେ ଟପ୍ପର