Top 10 News headlines in Odia | 25th Jan | Afternoon: 1. BJP weds BJD!: ଭାରତୀୟ ଜନତା ପାର୍ଟି (BJP) ଓ ବିଜୁ ଜନତା ଦଳ (BJD) ର ଅନ୍ତର୍ନିହିତ ସମ୍ପର୍କ ଥିବା ଅଭିଯୋଗ କରି କଂଗ୍ରେସ ଦଳ ଉଭୟ ଦଳକୁ ବର ଏବଂ କନିଆଁ ଭାବେ ସଜାଇ ଏକ ବ୍ୟଙ୍ଗାତ୍ମକ ଶୈଳୀରେ ବିବାହ କରାଇଛି। ଗୁରୁବାର ଦିନ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି ।


COMMERCIAL BREAK
SCROLL TO CONTINUE READING

2. OJEE 2024 exam date announced: ବହୁ ପ୍ରତୀକ୍ଷିତ ଓଡି଼ଶା ମିଳିତ ପ୍ରବେଶିକା ପରୀକ୍ଷା (OJEE) ୨୦୨୪ ର ପରିଚାଳନା ପାଇଁ ତାରୀଖ ଗୁରୁବାର ଦିନ ଘୋଷଣା କରାଯାଇଛି। ଅଧିକାରୀକ ସୂଚନା ଅନୁଯାୟୀ, OJEE ୨୦୨୪ ପରୀକ୍ଷା ୬ ମେ'ରୁ ଅନୁଷ୍ଠିତ ହେବ ଓ ୧୦ ମେ' ରେ ଶେଷ ହେବ। OJEE 2024 ପରିକ୍ଷା ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହେବ, ସେଥିମଧ୍ୟରେ ରାଜ୍ୟରେ ୩୦ ଓ ବାହାରେ ତିନୋଟି କେନ୍ଦ୍ର ରହିବ।


3. BrahMos Supersonic Missile: ପ୍ରତିରକ୍ଷା କ୍ଷେତ୍ରରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବାକୁ ଭାରତର ପ୍ରୟାସରେ ଖୁବ୍ ଶୀଘ୍ର ଆଉ ଏକ ସଫଳତା ଯୋଡାଯିବ। ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (DRDO) ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ରପ୍ତାନି ଆରମ୍ଭ କରିବ। DRDO ମୁଖ୍ୟ ସମୀର ଭି କାମାଟ ନିଜେ ଏହା ନିଶ୍ଚିତ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ANI ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ DRDO ଆସନ୍ତା ୧୦ ଦିନ ମଧ୍ୟରେ ଏହି କ୍ଷେପଣାସ୍ତ୍ରର ଗ୍ରାଉଣ୍ଡ ସିଷ୍ଟମ ରପ୍ତାନି ଆରମ୍ଭ କରିବ।


4. Gallantry Medals Award: ୭୫ତମ ଗଣତନ୍ତ୍ର ଦିବସ ଅବସରରେ ଗ୍ୟାଲେଣ୍ଟ୍ରି ପୁରସ୍କାର ପାଇଁ ଗୃହ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି। ୨୭୭ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଗ୍ୟାଲେଣ୍ଟ୍ରି ପୁରସ୍କାର ମଧ୍ୟରୁ ଅଧିକାଂଶ, ବାମପନ୍ଥି ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ୧୧୯ ଜଣ କର୍ମଚାରୀ, ଜମ୍ମୁ କାଶ୍ମୀର ଅଞ୍ଚଳର ୧୩୩ ଜଣ କର୍ମଚାରୀ ଓ ଅନ୍ୟାନ୍ୟ ଅଞ୍ଚଳର ୨୫ ଜଣଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି।


5. Republic Day 2024: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ୩୧ ଜଣଙ୍କୁ ଜୀବନ ରକ୍ଷା ପଦକ ପୁରସ୍କାର ୨୦୨୩ ପୁରସ୍କାରକୁ ଅନୁମୋଦନ କରିଛନ୍ତି। ସେଥିମଧ୍ୟରୁ ୩ ଜଣଙ୍କୁ ସର୍ବୋତ୍ତମ ଜୀବନ ରକ୍ଷା ପଦକ, ୭ ଜଣ ଉତ୍ତମ ଜୀବନ ରକ୍ଷା ପଦକ ଓ ୨୧ ଜଣ ଜୀବ ରାକ୍ଷୀ ପଦକ ସହିତ ସମ୍ମାନିତ ହେବେ।


6. Odisha Crime: କେନ୍ଦୁଝର ପୋଲିସର ବଡ଼ ସଫଳତା ପାଇଛି। କେନ୍ଦୁଝର ଜିଲ୍ଲା ପୋଲିସ ସାଇବର କ୍ରାଇମରେ ବ୍ୟବହାର ହେଉଥିବା ନକଲି ୪ ହଜାର ସିମକାର୍ଡ଼ ବିକ୍ରି କରିଥିବା ୪ଜଣ ଅପରାଧୀଙ୍କୁ ଗିରଫ କରିଛି। ଏହି ଠକ ମାନେ ୪ ହଜାରରୁ ଉର୍ଦ୍ଧ୍ୱ ନକଲି ସିମ୍ କାର୍ଡ଼ ଝାଡଖଣ୍ଡ, ବିହାର, ରାଜସ୍ଥାନ ଆଦି ରାଜ୍ୟର ସାଇବର୍ ଠକଙ୍କୁ ବିକ୍ରି କରୁଥିଲେ। ସେମାନଙ୍କ ନିକଟରୁ ୫୩୮ ଟି ସିମ୍, ୧୮ଟି ମୋବାଇଲ, ୫ଟି ବାଇମେଟ୍ରିକ ସ୍କାନର, ୨୫ଟି ଏଟିଏମ୍ କାର୍ଡ଼, ୨୫ଟି ଆଇଡି କାର୍ଡ, ଗୋଟିଏ ଲାପଟପ, ୭ଟି ପାସ ବୁକ୍, ୧୮୫ଟି ଫଟୋ ଓ ୫୦୭୧ ଟଙ୍କା ଜବତ ହୋଇଛି।


7. Ayodhya Ram Mandir: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ଲକ୍ଷାଧିକ ଭକ୍ତ ରାମ ମନ୍ଦିର ନିକଟରେ ପହଞ୍ଚି ଠାକୁରଙ୍କ ଦର୍ଶନ ପାଇଁ ଭିଡ ଲଗାଉଛନ୍ତି । ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀରାମ ମନ୍ଦିରରେ ଦର୍ଶନ ପାଇଁ ଏକ ନୂଆ ସମୟ ରିଲିଜ୍ କରାଯାଇଛି । ୨୫ ଜାନୁଆରୀରୁ ଭକ୍ତମାନଙ୍କ ପାଇଁ ସକାଳ ୬ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀରାମଙ୍କକୁ ଭବ୍ୟ ଦର୍ଶନ କରିପାରିବେ। ଅତ୍ୟଧିକ ଭିଡକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭକ୍ତଙ୍କ ପାଇଁ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। 


8. Odisha Weather Report: ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ କାରଣରୁ ଶୀତର ପ୍ରକୋପ ବଢିବାରେ ଲାଗିଛି । ଗତକାଲି ଭୁବନେଶ୍ୱର ସମେତ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହୋଇଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଓଡ଼ିଶାର ପ୍ରାୟ ୧୨ଟି ଜିଲ୍ଲାକୁ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା। ସେହିପରି ଆଜି ମଧ୍ୟ ପାଣିପାଗ ବିଭାଗ ୧୨ଟି ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବର୍ଷା କାରଣରୁ ରାଜ୍ୟରେ ରାତି ସମୟର ତାପମାତ୍ରା ୨ରୁ ୩ ଡିଗ୍ରୀ କମ୍ ରହିଛି । ତାପମାତ୍ରା କମିବା କାରଣରୁ ଥଣ୍ଡାର ପ୍ରକୋପ ବଢିବାରେ ଲାଗିଛି।


9. Mary Kom Retirement: ନିଜର ଅବସର ଖବରକୁ ଖଣ୍ଡନ କରିଛନ୍ତି ମହିଳା ବକ୍ସର ମ୍ୟାରି କମ। ଏଠାରେ କହି ରଖୁଛୁ କି ବୁଧବାର ଦିନ ବିଳମ୍ବିତ ରାତିରେ ମ୍ୟାରି କମଙ୍କ ଅବସର ଖବର ଗଣମାଧ୍ୟମରେ ବ୍ୟାପି ଯାଇଥିଲା। ଟିଭି ଚ୍ୟାନେଲ ଠାରୁ ଆରମ୍ଭ କରି ସମଗ୍ର ଇଣ୍ଟରନେଟରେ ଅବସର ପାଇଁ ମ୍ୟାରି କମଙ୍କୁ ତାଙ୍କର ଉଜ୍ଜ୍ୱଳ କ୍ୟାରିୟର ପାଇଁ ଧନ୍ୟବାଦ ଦେଉଥିଲେ। କିନ୍ତୁ ହଠାତ୍ ମେରି କୋମ୍ ସାମ୍ନାକୁ ଆସି ତାଙ୍କ ଅବସର ଖବରକୁ ମିଥ୍ୟା ବୋଲି ଅଭିଯୋଗ କରି ବିବୃତ୍ତିକୁ ବିକୃତ କରି ଉପସ୍ଥାପନ କରାଯାଇଥିବା ନେଇ କହିଛନ୍ତି।


10. India vs England 1st Test: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ମ୍ୟାଚ୍‌ର ପ୍ରଥମ ଦିନରେ ଇଂଲଣ୍ଡ ଦଳ ନିଜର ପ୍ରଥମ ଇନିଂସରେ ୨୪୬ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଭାରତୀୟ ପାଇଁ ବ୍ୟାଟିଂ ବର୍ତ୍ତମାନ ରୋହିତ ଶର୍ମା ଓ ଯଶସ୍ୱୀ ଜୈସୱାଲ ବ୍ୟାଟିଂ କରୁଛନ୍ତି।