Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Top 10 News Headlines: ସଂକ୍ଷପରେ ପଢନ୍ତୁ ଦିନର ୧୦ଟି ବଡ଼ ଖବର
Top 10 News Headlines:
1- ବିଜେଡିରେ ଯୋଗଦେଲେ ଭିକେ ପାଣ୍ଡିଆନ: ଦଶହରାରେ ଚାକିରି ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଗ୍ରହଣ କରିଥିବା ଭି କାର୍ତ୍ତିକେୟ ପାଣ୍ଡିଆନ୍ ଆଜି ବିଜେଡିରେ ଯୋଗଦେଇଛନ୍ତି। ସେ ଏଣିକି ବିଧିବଦ୍ଧ ଭାବେ ବିଜୁ ଜନତା ଦଳର ଉପ ମୁଖ୍ୟ ହୋଇ ସଭାପତି ନବୀନ ପଟ୍ଟନାୟକଙ୍କ ମାର୍ଗ ଦର୍ଶନରେ ସେ ଦଳକୁ ୨୦୨୪ ନିର୍ବାଚନ ଲାଗି ପ୍ରସ୍ତୁତ କରିବେ ବୋଲି ଚର୍ଚ୍ଚା ହେଉଛି। କାର୍ତ୍ତିକ ପୂର୍ଣ୍ଣମୀ ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଏଥିଲାଗି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ନେତାମାନେ ନବୀନ ନିବାସରେ ଯୋଗ ଦେଇଥିଲେ।
2- ପାରାଦୀପ ବୌଇତ ବନ୍ଦାଣରେ ଯୋଗ ଦେଲେ ରାଷ୍ଟ୍ରପତି: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ୱେଟ୍ ବେଶୀନରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରୁ ନେହେରୁବଙ୍ଗଳାକୁ ଯାଇ ମହାମହିମ ମଧ୍ୟାହ୍ନ ଭୋଜନ କରିଥିବା ସୂଚନା ମିଳିଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ ଫୋର୍ସ, ୫ଜଣ ଏସପି, ୭ଜଣ ଅତିରିକ୍ତ ଏସପି, ୧୨ଜଣ ଡିଏସପି ଙ୍କୁ ନିୟୋଜିତ କରାଯାଇଛି ।
3- ସ୍ୱାମୀ ଭେଙ୍କଟେଶ୍ୱରଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ତିରୁମାଳା ମନ୍ଦିରରେ ପହଞ୍ଚି ପ୍ରଭୁଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦର୍ଶନ କରି ଦେଶବାସୀଙ୍କ ପାଇଁ ଶୁଭ ମନାସିଛନ୍ତି । ସକାଳ ୮ଟାରେ ଭେଙ୍କଟେଶ୍ୱରରେ ପହଞ୍ଚିଥିଲେ ପିଏମ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ଖୁବ୍ କଡାକଡି କରାଯାଇଥିଲା ।
4- ଉତ୍ତରାଖଣ୍ଡରେ ସିଲ୍କିରା ଟନେଲରେ ଉଦ୍ଧାର କାର୍ଯ୍ୟରେ ପୁଣି ବାଧା: ଉତ୍ତରାଖଣ୍ଡରେ ଅବସ୍ଥିତ ସିଲ୍କିରା ଟନେଲରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେନ୍ଦ୍ରୀୟ ଏବଂ ରାଜ୍ୟ ଉଦ୍ଧାରକାରୀ ଦଳ ଏ ବିଷୟରେ ବ୍ୟସ୍ତ ଅଛନ୍ତି। ସୋମବାର ହେଉଛି ଉଦ୍ଧାର କାର୍ଯ୍ୟର ୧୬ତମ ଦିନ କିନ୍ତୁ ଏପର୍ଯ୍ୟନ୍ତ କୌଣସି ସଫଳତା ହାସଲ କରାଯାଇ ନାହିଁ। ଆଗର୍ ମେସିନର ବ୍ଲେଡ୍ ଭାଙ୍ଗିବା ପରେ, ଭର୍ଟିକାଲ୍ ଡ୍ରିଲିଂ ମାଧ୍ୟମରେ ଏକ ଟନେଲ୍ ନିର୍ମାଣ ପାଇଁ ଉଦ୍ୟମ ଜାରି ରହିଛି।
5- ୨ରେ ସର୍ବଦଳୀୟ ବୈଠକ: ଡିସେମ୍ବର ୨ ତାରିଖ ଦିନ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସରକାରଙ୍କ ପକ୍ଷରୁ ଏହି ସର୍ବଦଳୀୟ ବୈଠକ ଡକାଇଛନ୍ତି। ଶୀତକାଳୀନ ଅଧିବେଶନରେ କିପରି ଦେଶବାସୀଙ୍କ ବହୁ ପ୍ରତୀକ୍ଷିତ ପ୍ରସଙ୍ଗଗୁଡ଼ିକୁ ଶାଣିତ ଭାବେ ଆଲୋଚନା କରାଯାଇପାରିବ ସେ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ପ୍ରତିଥରା ସଂସଦ ଆରମ୍ଭ ପୂର୍ବଦିନ ଏପରି ସର୍ବଦଳୀୟ ବୈଠକ ଡକାଇ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ବାବଦରେ ସୂଚନା ଦିଆଯାଇଥାଏ। ହେଲେ ଏଥର ଏହିଦିନ ୫ ରାଜ୍ୟ ନିର୍ବାଚନ ଫଳାଫଳ ବାହାରିବା ଦିନ ଥିବାରୁ ସର୍ବଦଳୀୟ ବୈଠକକୁ ଗୋଟିଏଦିନ ପୂର୍ବରୁ ଡକାଯାଇଛି।
6- ବଜ୍ରପାତରେ ୨୦ ଜଣଙ୍କ ମୃତ୍ୟୁ : ଗୁଜୁରାଟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ସମୟରେ ବଜ୍ରପାତ ଘଟିବା କାରଣରୁ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଗୁଜରାଟର ବିଭିନ୍ନ ସହରରେ ଖରାପ ପାଗ ଏବଂ ବଜ୍ରପାତ ଯୋଗୁଁ ମୃତ୍ୟୁକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିନ ଦୁଃଖ ପ୍ରକାଶ କରିବା ସହ ସ୍ଥାନୀୟ ପ୍ରଶାସନ ରିଲିଫ କାର୍ଯ୍ୟରେ ନିୟୋଜିତ ଥିବା କହିଛନ୍ତି। ରାଜ୍ୟ ଜରୁରୀକାଳୀନ ସଞ୍ଚାଳନ କେନ୍ଦ୍ରର ଜଣେ ଅଧିକାରୀଙ୍କ କହିବାନୁସାରେ, ଗୁଜୁରାଟର ବିଭିନ୍ନ ଅଞ୍ଚଳରେ ବର୍ଷା ଜନିତ ବଜ୍ରପାତରେ ଏପର୍ଯ୍ୟନ୍ତ ୨୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
7- ରତ୍ନଭଣ୍ତାରରେ ହେବ ଲେଜର ସ୍କାନିଂ: ମଙ୍ଗଳବାର ଶ୍ରୀମନ୍ଦିର ରତ୍ନଭଣ୍ତାରରେ ହେବ ଲେଜର ସ୍କାନିଂ । ଏନେଇ ଏଏସଆଇକୁ ଅନୁମତି ପ୍ରଦାନ କରାଯାଇଛି । ସ୍କାନିଂ ପରେ ରିପୋର୍ଟ ଦେଇ ବୈଷୟିକ କମିଟି ସହ ଆଲୋଚନା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
8- କେବିସିରେ ଓଡ଼ିଆ ପୁଅଙ୍କ ସଫଳତା: କୌନ ବନେଗା କରୋଡ଼ପତିର ହଟ୍ ସିଟରେ ଓଡ଼ିଆ ବାଳକଙ୍କ ଭାଗ୍ୟ ଚମକିଛି । ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ୧୩ଟି ପ୍ରଶ୍ନର ସଠିକ୍ ଉତ୍ତର ଦେବାପରେ ୨୫ ଲକ୍ଷ ଟଙ୍କା ଜିତିଛନ୍ତି ୧୦ ବର୍ଷର ଓଡ଼ିଆ ପୁଅ ଅତ୍ୟୁକ୍ତ । ଏହି ସଫଳତା ପରେ ଅତ୍ୟୁକ୍ତଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।
9- ଆଜିଠାରୁ ଐତିହାସିକ ବାଲିଯାତ୍ରା: ଆଜିଠାରୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା । ୮ ଦିନ ଧରି ଚାଲିବାକୁ ଥିବା ଏହି ମେଳା ନେଇ ଚଳଞ୍ଚଚଳ ହୋଇଉଠିଛି କଟକ ବାଲିଯାତ୍ରା ପଡ଼ିଆ । ନୌବାଣିଜ୍ୟ ପରମ୍ପରାର ସ୍ମୃତି ବଖାଣୁଥିବା ଏହି ଐତିହାସିକ ଯାତ୍ରା ଆଜି ସନ୍ଧ୍ୟାରେ ଉଦ୍ଦଘାଟିତ ହେବ । ୩୪ ଏକର ଜମି ଉପରେ ଆୟୋଜିତ ହେଉଥିବା ବାଲିଯାତ୍ରାର ଉଭୟ ପଡ଼ିଆରେ ୧୨୦୦ରୁ ଅଧିକ ଷ୍ଟଲ ପଡ଼ିଥିବା ବେଳେ ଓରମାସ୍ ପରିସରରେ ୪୨୦ରୁ ଅଧିକ ଷ୍ଟଲ୍ ପଡ଼ିଛି। ଏଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ରହିଛି ‘କଟକ ଇନ୍ କଟକ’ରେ ଗ୍ରାମୀଣ କଟକର ଝଲକ।
10- ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି । ସେପଟେ ଉତ୍ତର ଥାଇଲାଣ୍ତ ଓ ଏହାର ସଂଲଗ୍ନ ଦକ୍ଷିଣ ଆଣ୍ତାମାନ ସାଗର ତଥା ସଂଲଗ୍ନ ଅଞ୍ଚଳ ଉପରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ଦକ୍ଷିଣ ଆଣ୍ତାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।
Also Read- ମଣିଷ ସ୍ୱରକୁ କିପରି ଅନୁକରଣ କରେ ଶୁଆ ? ଗଳାରେ ଏପରି କଣ ଥାଏ?
Also Read- Peepal leaf Remedies: ଆପଣଙ୍କ ଭାଗ୍ୟ ବଦଳାଇଦେବ ଏହି ପତ୍ର, ଏମିତି କରନ୍ତୁ ବ୍ୟବହାର