Top 10 News Today: 


COMMERCIAL BREAK
SCROLL TO CONTINUE READING

01-  ଅପରାହ୍ଣ ୪ଟାରେ ରାଜ୍ୟ ବଜେଟ ଆଜି ବିଧାନସଭାରେ ୪ଟାରେ ରାଜ୍ୟ ବଜେଟ ଉପସ୍ଥାପିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ବଜେଟ ଉପସ୍ଥାପନ କରିବେ ବୋଲି ସୂଚନା ରହିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ପକ୍ଷରୁ ବଜେଟ୍‍ ଉପସ୍ଥାପନ ହେବ। ଏହି ବଜେଟ୍‍ରେ ବିଜେପି ଦେଇଥିବା ନିର୍ବାଚନ ପ୍ରତିଶୃତି ପୂରଣ ହେବା ସମ୍ଭାବନା ରହିଛି। ବଜେଟ୍‍ ଘୋଷଣା ପରେ ରାଜ୍ୟର ବିକାଶ ଇଞ୍ଜିନ୍‍ ତଥା ଆସନ୍ତା ୫ ବର୍ଷ ପାଇଁ ରାଜ୍ୟ ପ୍ରଶାସନର ଆଭିମୁଖ୍ୟ  ସ୍ପଷ୍ଟ ହେବ। 


02- ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଜି ଚତୁର୍ଥ ଦିନରେ ପୁଣି ଗୃହ ମୁଲତବୀ ଘୋଷଣା କରାଯାଇଛି। ବିରୋଧୀ କଂଗ୍ରେସର ହଟ୍ଟଗୋଳ ଯୋଗୁ ଅପରାହ୍ଣ ୪ଟା ଯାଏଁ ଗୃହ ସ୍ଥଗିତ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଶୂନ୍ୟକାଳରେ ଗୃହରେ ପୋଲାଭରମ ପ୍ରସଙ୍ଗ ଉଠିଥିଲା। ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରକୁ ଟଙ୍କା ଦେବା ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ପ୍ରକଳ୍ପ ଦ୍ଵାରା ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ଜଳମଗ୍ନ ହେବ ବୋଲି ସେ ଅଭିଯୋଗ କରିଥିଲେ। 


03- ବରିଷ୍ଠ ପ୍ରଶାସକ ଓଏଏସ୍ ଦେବ ପ୍ରସାଦ ଦାଶଙ୍କ ଉପରୁ ଗୁରୁବାର ରାଜ୍ୟ ସରକାର ନିଲମ୍ବନ ହଟାଇଛନ୍ତି। ଏହା ସହିତ ସରକାର ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମସଚିବ ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି। ୨୦୧୮ ମେ’ ୨୮ରେ ଦେବ ପ୍ରସାଦଙ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ନିଲମ୍ବିତ କରିଥିଲେ। ଦୀର୍ଘ ୫ ବର୍ଷରୁ ଅଧିକ ସମୟ ପରେ ଓଡିଶା ପ୍ରଶାସନିକ ଅଧିକାରୀଙ୍କ ଉପରୁ ମୁଖ୍ୟମନ୍ତ୍ରୀ ମହେନ ଚରଣ ମାଝୀଙ୍କ ବିଜେପି ସରକାର ନିଲମ୍ବନ ହଟାଇଛନ୍ତି।


04- ରାଷ୍ଟ୍ରପତି ଭବନର ଦରବାର ହଲ୍ ଓ ଅଶୋକା ହଲ୍ ର ନାମ ଏବେ ବଦଳି ଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନର ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ହଲର ନାମ ‘ଦରବାର ହଲ୍’ ଓ ‘ଅଶୋକା ହଲ୍’କୁ ‘ଗଣତନ୍ତ୍ର ମଣ୍ଡପ’ ଏବଂ‘ଅଶୋକ ମଣ୍ଡପ’ରେ ପରିବର୍ତ୍ତନ କରିଛନ୍ତି। ରାଷ୍ଟ୍ରପତି ଭବନ ସହିତ ସାଧାରଣ ଲୋକଙ୍କ ସଂଯୋଗ ବୃଦ୍ଧି ପାଇଁ ଆହୁରି ଅନେକ ନିଷ୍ପତ୍ତି ନିଆଯାଉଛି। ସାଧାରଣ ଜନତା ପରିଦର୍ଶନ କରିବା ପାଇଁ ରାଷ୍ଟ୍ରପତି ଭବନର ଦ୍ୱାର ଖୋଲା ଅଛି। ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ କୋଠାର ନାମ ପରିବର୍ତ୍ତନ କରିବା ମଧ୍ୟ ଏହି ଦିଗରେ ଏକ ପଦକ୍ଷେପ।


05- ଜୁଲାଇ ୨୮ ତଥା ରବିବାର ଦିନ ଖୋଲିବ ହୀରାକୁଦ ଡ୍ୟାମ୍‌ । ସକାଳ ୯ଟାରେ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ଆଜି ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୫.୪୫ ଫୁଟରେ ପହଞ୍ଚିଥିବା ସମୟରେ ବର୍ତ୍ତମାନ ସେକେଣ୍ଡ ପିଛା ୨ ଲକ୍ଷ ୧୫ ହଜାର ଘନ ଫୁଟ୍‌ ଜଳ ପ୍ରବେଶ କରୁଛି ।


06-ସାମ୍ବାଦିକା ମଧୁମିତା ପରିଡ଼ା ଆତ୍ମହତ୍ୟା ମାମଲାରେ ଗିରଫ ହେଲେ ସ୍ବାମୀ ଶ୍ରୀଧର ଜେନା। ପ୍ରଥମେ ଅଟକ ରଖି ପଚରାଉଚରା କରିବା ପରେ ଶ୍ରୀଧରର ଜେନାଙ୍କୁ ଗିରଫ କରିଛି ପୁଲିସ। ପରିବାର ଲୋକଙ୍କ ଅଭିଯୋଗକ୍ରମେ ରୁଜୁ ହୋଇଛି ହତ୍ୟାକାଣ୍ଡ ମାମଲା। ଭୁବନେଶ୍ୱରର ଧଉଳି ଥାନା ପୁଲିସ ତାଙ୍କୁ ଗିରଫ କରିଛି।


07- ଭିଜିଲାନ୍ସ ଜାଲରେ ବଲାଙ୍ଗିର ଲୋୟର ସୁକତେଲ୍‌ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ କୁମାର ରାଉତ । ଭିଜିଲାନ୍ସ ପକ୍ଷରୁ ସୁନିଲଙ୍କ ବାସଭବନ ସମେତ ଏକକାଳୀନ ୯ଟି ସ୍ଥାନରେ ରେଡ୍ କରାଯାଇଛି । ଆୟ ଭହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ହୋଇଛି । ଭୁବନେଶ୍ୱର ପୁରୀ ସମେତ ବିଭିନ୍ନ ସ୍ଥାନରେ ରେଡ୍ ପରେ ସମସ୍ତ ସମ୍ପତ୍ତି ତାଲିକା ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି ।


08- ୭ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ୩ ଜଣଙ୍କ ମୃତ୍ୟୁ ଅଭିଯୋଗ । ବଲାଙ୍ଗିର ପୁଇଁତଳା ବ୍ଳକ କୁରୁଲ ଗାଁରୁ ଏପରି ଖବର ସାମ୍ନାକୁ ଆସିଛି । ଏଥିସହ ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗାଁରେ ବର୍ତ୍ତମାନ ୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।


09- ପ୍ୟାରିସ୍ ଅଲିମ୍ପିକ୍ସରେ ଆଜିଠୁ ଭାରତର ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଆର୍ଚେରୀ ଟିମ୍ ଇଭେଣ୍ଟରୁ ପ୍ରଥମ ଅଭିଯାନ ଆରମ୍ଭ କରିବ ଭାରତ । ଭାରତୀୟ ସମୟ ଅପରାହ୍ନ ୧ଟାରେ ପ୍ରତିଯୋଗିତା ଆରମ୍ଭ ହେବ । ୧୭ ଦିନ ପର୍ଯ୍ୟନ୍ତ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେବେ ୨୦୦ ଦେଶର ୧୦ ହଜାରରୁ ଅଧିକ ଖେଳାଳି ।


10- ଜୁଲାଇ ୨୬ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୭ରେ ଏହା ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ୨୮ରେ ଓଡ଼ିଶା ଓ ଛତିଶଗଡ଼ ଉପରେ ଏହାର ପ୍ରଭାବ ରହିବ । ଲଘୁଚାପ ପ୍ରଭାବରୁ ୨୭ରୁ ୨୯ ଯାଏ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।


Also Read- BSNL ଆଣିଲା ଜବରଦସ୍ତ ପ୍ଲାନ, ବର୍ଷେ ପର୍ଯ୍ୟନ୍ତ ଟେନସନ ଫ୍ରି !


Also Read- Shukra Gochar 2024: ଶୁକ୍ରଙ୍କ ଚଳନରୁ ଲକ୍ଷ୍ମୀ ନାରାୟଣ ରାଜଯୋଗ, ୫ଟି ରାଶି ପାଇଁ ସୁବର୍ଣ୍ଣ ସମୟ