1. ଭାରତରେ ଉଦାର ଅର୍ଥନୀତିକ ବ୍ୟବସ୍ଥାର ଅନ୍ୟତମ ପୁରୋଧା, ବିଶିଷ୍ଟ ଶିଳ୍ପପତି, ସମାଜ ସେବୀ ତଥା ଟାଟା ସନ୍‍ସର ଏମିରିଟସ୍‍ ଅଧ୍ୟକ୍ଷ ରତନ ନାଭାଲ ଟାଟାଙ୍କ ଦେହାନ୍ତ ହୋଇଛି। ୮୬ ବର୍ଷ ବୟସରେ ସେ ଗତ ରାତିରେ ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍‍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଅବସାନରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି। ଶିଳ୍ପ ଓ ଅର୍ଥନୀତିକ ତାଙ୍କର ପ୍ରାଥମିକ ଦାୟିତ୍ୱ ଥିଲେ ମଧ୍‍ୟ ଦେଶର ଜଣେ ନାଗରିକ ଭାବେ ସେ ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି ବ୍ୟକସ୍ଥା ଲାଗି ଅନେକ ତତ୍ପର ଥିଲେ। ଯୁବାବର୍ଗଙ୍କୁ ଆର୍ଥିକ ସଶକ୍ତ କରିବା ତାଙ୍କ ଭିତରେ ଥିବା ସୃଜନଶୀଳ ବୁଦ୍ଧିମତ୍ତାକୁ ସାମ୍ନାକୁ ଆଣିବା ଲାଗି ସେ ସହାୟତା ପ୍ରଦାନ କରୁଥିଲେ। ୧୯୯୧ ମସିହାରେ ସେ ଟାଟା ସନ୍ସର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। 

 

2. ରତନ ଟାଟାଙ୍କ ମର ଶରୀରକୁ ଶ୍ରଦ୍ଧାଞ୍ଜଳି ତଥା ତାଙ୍କ ଶେଷ ଦର୍ଶନ ଲାଗି ଉନ୍ମୁକ୍ତ କରାଯିବ।ନ୍ୟାସନାଲ୍‍ ସେଣ୍ଟର ଅଫ ପବ୍ଲିକ୍‍ ଆର୍ଟସ୍‍ର ଲନ୍‍ରେ ଏଥିଲାଗି ବ୍ୟବସ୍ଥା କରାଯାଇଛି। ଦର୍ଶନାର୍ଥୀଙ୍କ ଲାଗି ତିନି ନମ୍ବର ଗେଟରେ ପ୍ରବେଶ ଉନ୍ମୁକ୍ତ ରହିବ। ୨ ନମ୍ବର ଗେଟ୍‍ ଦେଇ ସେମାନେ ପ୍ରସ୍ଥାନ କରିବେ। ଅପରାହ୍ଣ ୪ଟା ଯାଏ ଏହି ଦର୍ଶନ ଖୋଲା ରହିବ। ଏହାପରେ ମର ଶରୀରକୁ ଓ୍ୱର୍ଲି ସ୍ମଶାନ ନିଆଯିବ। ସେଠାରେ ଶେଷ ପ୍ରାର୍ଥନା ସହ ଶରୀରକୁ ବିଦାୟ ଦିଆଯିବ। ଥାଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଦାୟ ଦିଆଯିବ ବୋଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଘୋଷଣା କରିଛନ୍ତି। 

 

 

3. ଯୁକ୍ତରାଷ୍ଟ୍ର ଆମେରିକାରେ ଦିନକୁ ଦିନ ଦକ୍ଷିଣ ଏସୀୟ ମୂଳ ବାସିନ୍ଦାଙ୍କ ପ୍ରଭାବ ବଢ଼ିବା ତଥା ରାଜନୀତି କ୍ଷେତ୍ରରେ ସେମାନେ ଅଧିକରୁ ଅଧିକ ପଦବୀ ଗ୍ରହଣ କରିବାକୁ କେନ୍ଦ୍ର କରି ସେଠାରେ ସେମାନଙ୍କ ପ୍ରତି ଘୃଣାଭାବ ବଢ଼ିଛି। ବିଶେଷକରି ଅନ୍‍ଲାଇନରେ ଏପରି ଘୃଣା  ବଢ଼ିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଜାନୁୟାରୀ ୨୦୨୩ରୁ ଅଗଷ୍ଟ ୨୦୨୪ ମଧ୍ୟରେ ଏହିପରି ଭାବ ବଢ଼ିଥିବା ଏହି ରିପୋର୍ଟରେ କୁହାଯାଇଛି। କମଳା ହ୍ୟାରିସ୍‍ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବା ତଥା ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ପ୍ରାର୍ଥୀ ହେବା ପରେ ଏପରି ଅବସ୍ଥା ସୃଷ୍ଟି ହୋଇଛି।

 

4. ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥ ବିତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ଅବସରରେ ୧୭୫୦ କୋଟି ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ ୨୫ ଲକ୍ଷ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟରେ ଅର୍ଥ ପ୍ରଦାନ କରାଯାଇଥିଲା। ଏବେ ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା ୬୦ ଲକ୍ଷ ହୋଇଛି। ଏ ଭିତରେ ୧ କୋଟିରୁ ଅଧିକ ମହିଳା ପଞ୍ଜିକରଣ କରିଛନ୍ତି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପର୍ଯ୍ୟାୟ ଅନୁସାରେ ଅର୍ଥ ମିଳିବ ବୋଲି ସେ କହିଛନ୍ତି। 

 

5. ଓଡ଼ିଶା ହାଇକୋର୍ଟରେ ପୂଜା ଅବକାଶ ଆରମ୍ଭ ହୋଇଛି। ଆଜିଠାରୁ ୨୦ ତାରିଖ ଯାଏ ହାଇକୋର୍ଟ ଛୁଟି ରହିବ। ୨୧ ତାରିଖରେ ହାଇକୋର୍ଟ ଖୋଲିବ। ଏହି ସମୟ ଭିତରେ ଜରୁରୀ କାଳୀନ ମାମଲାକୁ ଶିଣିବା ପାଇଁ ୧୮ ତାରିଖ ଦିନ ଏକ ଅବକାଶ ବେଞ୍ଚ କାର୍ଯ୍ୟ କରିବ ବୋଲି କୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଅକ୍ଟୋବର ୧୪, ୧୫, ୧୭ ଓ ୧୮ ତାରିଖରେ ଦିନ ୧୧ଟାରୁ ୧୨ ଟା ଭିତରେ ଇ ଫାଇଲିଂ କରାଯିବ। 

 

6. ରାଜ୍ୟରେ ଆଳୁ ସଙ୍କଟକୁ ରୋକିବା ଲଶଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିଲାଗି ୧୪ ତାରିଖରୁ ଆଳୁ ବିହନ ଯୋଗାଣ ଆରମ୍ଭ ହେବ। ୧.୮୭ କ୍ବିଣ୍ଟାଲ୍‍ ଆଳୁ ବିହନ ଯୋଗାଣ ଲାଗି ସରକାର ପ୍ରସ୍ତୁତ ହୋଇଛନ୍ତି। ନଭେମ୍ବର ତୃତୀୟ ସପ୍ତାହ ସୁଦ୍ଧା ସବୁ ଅଞ୍ଚଳରେ ଆଳୁ ବିହନ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖିଛନ୍ତି ସରକାର। 

 

7. ଅପପୃଷ୍ଟି ଓ ରକ୍ତହୀନତା ସହ ଲଢ଼ିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣା ଭିଟାମିନଯୁକ୍ତ ଚାଉଳ ପ୍ରଦାନ କରାଯିବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଲାଭାନ୍ୱିତ ହେଉଥିବା ୮୦ କୋଟି ଭାରତୀୟଙ୍କୁ ଏହି ଚାଉଳ ପ୍ରଦାନ କରାଯିବ। ୨୦୨୮ ଡିସେମ୍ବର ଯାଏ ଦେଶର ସବୁ କୋଣରେ ଏପରି ଚାଳଉଳ ପ୍ରଦାନ ଲାଗି ବ୍ୟବସ୍ଥା କରିଛନ୍ତି ସରକାର। ଏଥିଲାଗି ସରକାର ୧୭ହଜାର ୮୨ କୋଟି ଟଙ୍କା ଖର୍ଚ୍ଚ କରିବେ। ଏନେଇ କେନ୍ଦ୍ର କ୍ୟାବିନେଟ୍‍ ନିଷ୍ପତ୍ତି ଗ୍ରହଣ କରିଛନ୍ତି। 

 

8. କିଏ ହେବେ ରାଜ୍ୟ ନିର୍ବାଚନ କମିଶନର। ଆଗକୁ ମ୍ୟୁନିସିପାଲିଟି ଓ ପଞ୍ଚାୟତିରାଜ ନିର୍ବାଚନ ଥିବାରୁ ଏହାକୁ ପରିଚାଳନା କରିବେ କିଏ? ଏଭଳି ପ୍ରଶ୍ନ ଏବେ ସରକାରୀ ମହଲରେ ଚର୍ଚ୍ଚା ହେଉଛି। କାରଣ ବିଜେଡି ସରକାରଙ୍କ ସମୟରେ ନିଯୁକ୍ତ ନିର୍ବାଚନ କମିଶନରଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୮ ତାରିଖରେ ଶେଷ ହୋଇଛି। କିନ୍ତୁ ନୂଆ କମିଶନର ନିଯୁକ୍ତ ହୋଇ ନଥିବାରୁ ସେ ଏବେ ବି ଦାୟିତ୍ୱ ତୁଲାଉଛନ୍ତି। 

 

9. ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ସୁଧ ହାର ଅପରିବର୍ତ୍ତିତ ରଖିଛନ୍ତି। ରେପୋହାର ଅପରିବର୍ତ୍ତିତ ରହିଥିବାରୁ ସାଧାରଣ ବ୍ୟକ୍ତି ନେଇଥିବା ଋଣ ପାଇଁ ଇଏମ୍‍ଆଇ ବା ମାସିକ କିସ୍ତି ଅପରିବର୍ତ୍ତିତ ରହିବ। ଅପରପକ୍ଷେ ୟୁପିଆଇ ଲାଇଟ୍‍ ଓ୍ୱାଲେଟରେ କାରବାରକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

 

10. ରାଜ୍ୟ ସରକାରଙ୍କ ଦ୍ୱାରା ଚାଲୁଥିବା ବିଭିନ୍ନ ପିଏସ୍‍ୟୁ କର୍ମଚାରୀଙ୍କୁ ଦଶହରା ଭେଟି ଦେବାକୁ ଯାଇ ସରକାର ମହଙ୍ଗାଭତ୍ତାକୁ ୪ ପ୍ରତିଶତ ବଢ଼ାଇଛନ୍ତି। ଏହାଦ୍ୱାରା ସେମାନଙ୍କ ମହଙ୍ଗାଭତ୍ତା ୪୬ ପ୍ରତିଶତରୁ ୫୦ ପ୍ରତିଶତ ହୋଇଛି। ଏହି ବର୍ଦ୍ଧିତ ଭତ୍ତା ଜାନୁୟାରୀ ୨୦୨୪ରୁ ପିଛିଲା ଭାବେ ଲାଗୁ ହେବ। ପୂର୍ବରୁ ସମସ୍ତ ସରକାରୀଙ୍କ ଗ୍ରାଚ୍ୟୁଟି ଅର୍ଥକୁ ୧୫ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରିଥିଲେ ମୁଖ୍ୟମନ୍ତ୍ରୀ।