1. American Exit Poll: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ଇଲେକ୍ଟୋରାଲ କଲେଜ ମାଧ୍ୟମରେ ସମସ୍ତ ୫୩୮ଟି ଇଲେକ୍ଟୋରାଲ କଲେଜରେ ଭୋଟ ହୋଇଛି। ଆଜି ସକାଳୁ ଏକ୍ଜିଟ୍‍ ପୋଲ୍‍ ମାଧ୍ୟମରେ ସମ୍ଭାବନା ପ୍ରକାଶ ବି ଜାରି ରହିଛି। ଅଧିକାଂଶ ଏକ୍ଜିଟ୍‍ ପୋଲ୍‍ ଟ୍ରମ୍ପଙ୍କୁ ଏଥର ରାଷ୍ଟ୍ରପତି ଭାବେ ଦର୍ଶାଇଛନ୍ତି। ରାଷ୍ଟ୍ରପତି ହେବା ପାଇଁ ୨୭୦ ଇଲେକ୍ଟୋରାଲ ଭୋଟର ଆବଶ୍ୟକତା ରହିଛି। 

 

2. Rathyatra by ISCON in US Abandoned: ଆମେରିକାର ହ୍ୟୁଷ୍ଟେନ୍‍ ସହରରେ ହେବାକୁ ଥିବା ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ବାତିଲ କରାଯାଇଛି। ଏନେଇ ଇସ୍କନ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି। ଆସନ୍ତା ୯ ତାରିଖରେ ଏହି ରଥଯାତ୍ରା ପାଇଁ ନିଷ୍ପତ୍ତି ହୋଇଥିଲା। ଏହାକୁ ନେଇ ଜଗନ୍ନାଥ ଭକ୍ତ ସମାଜ ଉପରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଥିଲା। ଅଦିନରେ ମହାପ୍ରଭୁଙ୍କ ରଥଯାତ୍ରାକୁ ଏକ ପ୍ରଚାର ଯାତ୍ରା ବୋଲି କହିବା ସହ ଏଥିରେ ପରମ୍ପରା ଓ ପ୍ରଥାର  ଉଲ୍ଲଂଘନ ହେଉଛି ବୋଲି ଅଭିଯୋଗ କରିଥିଲେ ଗଜପତି ମହାରାଜା। ଏନେଇ ଗଣମାଧ୍ୟମରେ ଇସ୍କନ କର୍ତ୍ତୃପକ୍ଷଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ। 

 

3. Firing At Nandan Kanan Express: ଭଦ୍ରକ ରେଳ ଷ୍ଟେସନ ନିକଟରେ ନୂଆଦିଲ୍ଲୀରୁ ଫେରୁଥିବା ନନ୍ଦନକାନନ ଏକ୍ସପ୍ରେସ ଉପରକୁ କେହି ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗାର୍ଡରୁମର କାଚ କଣାା ହୋଇ କିଛି ବସ୍ତ ଭିତରକୁ ପ୍ରବେଶ କରିଛି। ତେବେ ଗୁଳିମାଡ଼ ବିଷୟରେ ସ୍ପଷ୍ଟ କରାଯାଇ ନାହିଁ। ରେଳବାଇ ପୁଲିସ ଏବାବଦରେ ତଦନ୍ତ କରୁଛି। 

 

4. 3 Months advanced Food grains: ଖାଦ୍ୟସୁରକ୍ଷା ଆଇନର ସମସ୍ତ ହିତାଧିକାରୀଙ୍କୁ ରାଜ୍ୟରେ ୩ ମାସର ଆଗୁଆ ଚାଉଳ ଅର୍ଥାତ୍‍ ୪୫ କିଲୋ ଚାଉଳ ପ୍ରଦାନ ଲାଗି ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିନେଇ ଅକ୍ଟୋବର ମାସରୁ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ୪୦ ଲକ୍ଷ ପରିବାର ପାଖରେ ଚାଉଳ ପହଞ୍ଚିପାରି ନାହିଁ। ମଙ୍ଗଳବାର ସନ୍ଧ୍ୟାରେ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଏହାକୁ ତୁରନ୍ତ ନିଷ୍ପାଦନ ପାଇଁ ଆଦେଶ ଦେଇଛନ୍ତି। ଅକ୍ଟୋବରରୁ ଡିସେମ୍ବର ଯାଏ ଅଗ୍ରୀରମ ଚାଉଳ ବଣ୍ଟନ କରାଯିବ। 

 

5. RDC Enquiry ordered for Death due to Kernel eating: ଆମ୍ବ ଟାକୁଆ ଜାଉ ଖାଇ ମୃତାହତ ଘଟଣାର ଆରଡିସିସ୍ତରୀୟ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି। ଖୁବ୍‍ ଶୀଘ୍ର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

 

6. Govt to Train Students to Combat Naxals: ରାଜ୍ୟରେ ନକ୍ସଲଙ୍କ ସହ ଲଢ଼େଇ କରିବା ଲାଗି କଲେଜ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବ ଉଚ୍ଚଶିକ୍ଷେ ବିଭାଗ। ଏନ୍‍ସିସି ନିର୍ଦ୍ଦେଶାଳୟ ସହାୟତାରେ ଏହି ତାଲିମ ପରିଚାଳନା କରାଯିବ। ଏଥିଲାଗି ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଛାତ୍ର ଛାତ୍ରୀ ଚ୍ରୟନ କରାଯିବ। ପ୍ରଥମେ ୭ଟି ନକ୍ସଲ ଅଧିକୃତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ସହାୟତାରେ ଏହି ଉଦ୍ୟମ କରାଯିବ। 

 

7. Leakage in Meghanaad Prachir: ଆନନ୍ଦ ବଜାରର ଡ୍ରେନ ମେଘନାଦ ପ୍ରାଚୀରରେ ପାଣି ଆସିବାର କାରଣ । ଏହାକୁ ମରାମତି କରିବା ତଥା ଅନ୍ୟ ଦିଗକୁ ନେବା କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏହି ପ୍ରସଙ୍ଗକୁ ରାଜନୀତିକ ଲଢ଼େି ଆରମ୍ଭ ହୋଇଛି। ପୂର୍ବ ସରକାର ସମୟରେ  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ପାରିପାର୍ଶ୍ୱିକ ଭଙ୍ଗା ହେବା କାରଣରୁ ପ୍ରଚୀର ଦୁର୍ବଳ ହୋଇଥିବା ନେଇ ଅଭିଯୋଗ ହୋଇଛି। 

 

8.Interest Reimbursement application: କାର୍ଯ୍ୟ ପୁଞ୍ଜି ପାଇଁ ହେଉ ବା ରପ୍ତାନୀ ପ୍ୟାକିଂ ପାଇଁ ନିଆଯାଇଥିବା ଋଣ ଉପରେ ପ୍ରଦତ୍ତ ସମ୍ପୂର୍ଣ୍ଣ ସୁଧ ଫେରସ୍ତ ଲାଗି ରାଜ୍ୟ ସରକାର ନୂତନ ଯୋଜନା ଲାଗୁ କରିଛନ୍ତି। ଏହାକୁ ମୁଖ୍ୟମନ୍ତ୍ରୀଙ୍କ ସୁଧ ଫେରସ୍ତ ନୀତି ଭାବେ ଗ୍ରହଣ କରାଯାଉଛି। ନିର୍ମାଣ କ୍ଷେତ୍ରରେ ଥିବା କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଗୁଡ଼଼ିକୁ ଏହା ସହାୟକ ହେବ। ଏଥିଲାଗି ଦ୍ୱିତୀୟ ଷାଣ୍ମାସିକ ଆବେଦନ ପ୍ରକ୍ରିୟା ଏବେ ଜାରି ରହିଛି।  

 

 

9.Winter session from Nov 25: ନଭେମ୍ବର ୨୫ ତାରିଖରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଏହାସହ ୨୬ ତାରିଖ ସମ୍ବିଧାନ ଦିବସ ଅବସରରେ ଦୁଇ ସଦନର ସଦସ୍ୟମାନେ ସମ୍ବିଧାନ ସଦନ ଅର୍ଥାତ୍‍ ପୁରୁଣା ସାଂସଦଭବନରେ ଏକାଠି ହୋଇ ଦେଶର ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତିକୁ ପାଳନ କରିବେ। ଜରୁରୀ ପରିସ୍ଥିତି ନ ଉପୁଜିଲା ଯାଏ ଏହା ଡିସେମ୍ବର ୨୦ ତାରିଖ ଯାଏ ଚାଲିବ ବୋଲି ସଂସଦୀୟ ବ୍ୟାପର ମନ୍ତ୍ରୀ କିରେନ୍‍ ରିଜ୍ଜିଜୁ ସୂଚନା ଦେଇଛନ୍ତି। 

 

10.One State One RRB: ଓଡ଼ିଶାର ଗ୍ରାମାଞ୍ଚଳରେ ପ୍ରତିଷ୍ଠିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏବଂ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ର ମିଶ୍ରଣ ହେବ। କେନ୍ଦ୍ର ସରକାରଙ୍କ ଏକ ରାଜ୍ୟ ଏକ ଆଞ୍ଚଳିକ ବ୍ୟାଙ୍କ ନିୟମ ଅନୁସାରେ ଏହି ମିଶ୍ରଣ ହେବ। ଦେଶରେ ଏହି ନିୟମ କାର୍ଯ୍ୟକାରୀ ହେଲେ ଆଞ୍ଚଳିକ ବ୍ୟାଙ୍କ ସଂଖ୍ୟା ୪୩ରୁ ୨୮କୁ ଆସିବ। ପୂର୍ବରୁ ୨୦୧୩ ମସିହାରେ ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କ, କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ ଓ ବୈତରଣୀ ଗ୍ରାମ୍ୟ ବ୍ୟାଙ୍କକୁ ମିଶାଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା। ସେହିପରି ଏହା ପୂର୍ବରୁ ୨୦୧୨ ମସିହାରେ ଋଷିକୂଲ୍ୟା ଗ୍ରାମ୍ୟ ବ୍ୟାଙ୍କଳ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମିଶ୍ରଣ କରାଯାଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ସ୍ଥାପନ କରାଯାଇଥିଲା।