Top 10 News Today: 


COMMERCIAL BREAK
SCROLL TO CONTINUE READING

01- ପଞ୍ଜାବରେ ବଢିଚାଲିଛି ମଦ ମୃତ୍ୟୁ ସଂଖ୍ୟା । ସାଙ୍ଗରୁର ଜିଲ୍ଲାରେ ବିଷାକ୍ତ ମଦ ପିଇବା କାରଣରୁ ମୃତ୍ୟୁ ସଂଖ୍ୟା ୨୧ରେ ପହଞ୍ଚିଥିବା ସୂଚନା ମିଳିଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ଗଣମାଧ୍ୟମକୁ ଦେଇଥିବା ସୂଚନା ମୁତାବକ,  ଇଥାନଲ ମିଶ୍ରିତ ବିଷାକ୍ତ ମଦ ପିଇବା  କାରଣରୁ ପ୍ରାୟ ୪୦ ଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାର୍ଚ୍ଚ ୨୦ରେ ୪ ଜଣ, ୨୧ରେ ୪ଜଣ, ୨୨ରେ ୮ଜଣ, ୨୩ରେ ୫ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୬ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏକ ଘରୁ ୨ଶହ ଲିଟର ବିଷାକ୍ତ ମଦ ଜବତ କରାଯାଇଛି । 


02- ଆଜି ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଯୋଗଦେବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି । ଏଥିସହିତ ବିଜେପି ଓଡ଼ିଶା ସଂଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ବୈଠକରେ ସାମିଲ୍ ହେବେ । ଆଜିର ବୈଠକରେ ଓଡ଼ିଶାର ପ୍ରାର୍ଥୀ ତାଲିକା ଚୁଡାନ୍ତ ହେବ ବୋଲି ଚର୍ଚ୍ଚା ହେଉଛି ।


03- ଶ୍ରୀମନ୍ଦିର ଭିତରେ ବିଦେଶୀ ମହିଳା ପର୍ଯ୍ୟଟକ । ସେବାୟତଙ୍କ ଦ୍ୱାରା ବିଦେଶୀ ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯାଇଛି । ସିହଂଦ୍ୱାର ଥାନାରେ ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି । ବାଇଶି ପାହାଚ ନିକଟରୁ ବିଦେଶୀନିଙ୍କୁ ଚିହ୍ନଟ କରିଛନ୍ତି ସେବାୟତ । ସେପଟେ ଗତ କିଛି ଦିନ ହେଲା ୫ଜଣ ବାଂଲାଦେଶୀ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଯାହାକୁ ନେଇ ପୁଲିସ ସମ୍ପୃକ୍ତ ବାଂଲାଦେଶୀଙ୍କୁ ଅଟକ ରଖି ଛାନଭିନ କରୁଛି । 


04- ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଘେରିଛି ଆପ୍ । ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମଦ ବ୍ୟବସାୟୀମାନେ ନିର୍ବାଚନୀ ବଣ୍ଡ ଜରିଆରେ ବିଜେପିକୁ ଟଙ୍କା ଦେଇଥିବା କହିଛନ୍ତି ଦିଲ୍ଲୀ ମନ୍ତ୍ରୀ ଆତିଶୀ । ଏବଂ ଏହି ମାମଲାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଗିରଫ କରିବାକୁ ଦାବି କରିଛି ଆପ୍ । ସେପଟେ ଏହାର ଜବାବ ରଖିଛି ଭାରତୀୟ ଜନତା ପାର୍ଟି । ଜଣେ ରାଜନେତା ହୋଇଥିବାରୁ ଓ ଆଗକୁ ନିର୍ବାଚନ ଥିବାରୁ ଆପଣ ଦୁର୍ନୀତି କଲେ ବି ତଦନ୍ତକାରୀ ସଂସ୍ଥା ଏହାର ଯାଂଚ ନକରୁ ବୋଲି ଆପଣ ଚାହୁଁଛନ୍ତି, ଏହା କଣ ଗଣତନ୍ତ୍ର କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।


05- ୨୮ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍‌‌)ଙ୍କ ବଦଳି କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବଦଳି ହୋଇଥିବା ଅଧିକାରୀଙ୍କ ମଧ୍ୟରେ ୧୨ଜଣ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ରେଙ୍ଗାଲି ରାଇଟ୍‌‌ କେନାଲ ସିଷ୍ଟମ୍‌‌, ଜିଲ୍ଲାସ୍ତରୀୟ କ୍ରୀଡ଼ା ବିଭାଗ ଓଏସ୍‌‌ଡି, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ, ପୁରୀ ଶ୍ରୀମନ୍ଦିର ସହକାରୀ, ପ୍ରଶାସକ, ଡିଏସ୍‌‌ଆର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବଦଳି କରାଯାଇଛି।


06- ଆଜି ସାରା ବିଶ୍ୱ ପାଳିବ ଆର୍ଥ ଆୱାର। ପ୍ରତିବର୍ଷ ଚଳିତ ବର୍ଷ ମଧ୍ୟ ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ୱବାସୀ। ଏହି ଦିବସଟି ପ୍ରତ୍ୟକ ବର୍ଷ ମାର୍ଚ୍ଚ ମାସରେ ପାଳନ କରାଯାଏ।  ଆଜି ରାତି  ୮ଟା ୩୦ ରୁ ୯ଟା ୩୦ ଯାଏଁ  ଆର୍ଥ ଆୱାର ପାଳନ କରାଯିବ। ଅର୍ଥାତ୍ ପୂରା ୧ ଘଣ୍ଟା ବିଶ୍ବବାସୀ ବିନା ବିଦ୍ୟୁତ୍ ରେ କଟାଇବା। ଆଉ ଅନ୍ଧାରରେ ରହିବ।  ସୂଚନା ଯୋଗ୍ୟ,  ପ୍ରଥମେ ୨୦୦୭ ମସିହାରେ ପ୍ରଥମେ  ଅଷ୍ଟ୍ରେଲିଆ ସିଡନୀରେ ଏହାକୁ ପାଳନ କରାଯାଇଥିଲା । ପରେ ବିଶ୍ବରେ ଏହାକୁ ୨୦୦୮ ମସିହାରେ ପାଳନ ହେବା ଆରମ୍ଭ ହୋଇଥିଲା । ଲାଇଟଗୁଡିକୁ ସୁଇଚ ଅଫ କରାଗଲେ ଗ୍ରୀନହାଉସ ଗ୍ୟାସ ହ୍ରାସ ସହ ଜୀବାଷ୍ମ ଇନ୍ଧନ ବ୍ୟବହାର ବନ୍ଦ ହୋଇଥାଏ । ଏହା ପୃଥିବୀ ପ୍ରତି ଅନୁକୂଳ ସାବ୍ୟସ୍ତ ହୋଇଥାଏ ।


07- ଶୁକ୍ରବାର ବିଳମ୍ବିତ ରାତିରେ ଋଷିଆ ରାଜଧାନୀ ମସ୍କୋ ସହରରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୯୩ ପହଞ୍ଚିଥିବା ସୂଚନା ମିଳିଛି । ଅନେକ ଲୋକେ ଗୁରୁତର ହୋଇଛନ୍ତି। ଆତତାୟୀଙ୍କ ଗୁଳି ବର୍ଷାରେ କିଛି ସମୟ ମଧ୍ୟରେ ମସ୍କୋ ସହରରେ ଆତଙ୍କ ଖେଳି ଯାଇଥିଲା।  ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି । ଋଷୀୟ ସରକାରୀ ନ୍ୟୁଜ ଏଜେନ୍ସି ଆରଆଇଏ ନୋଭୋସ୍ତି ଅନୁଯାୟୀ ରାଜଧାନୀ ମସ୍କୋ ଠାରେ ଏକ ସମାରୋହ ସ୍ଥଳରେ ଅନେକ ବନ୍ଧୁକଧାରୀ ଗୁଳିମାଡ଼ କରିବା ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ଗୁଳି ମାଡ଼ରେ ଆହତ ହୋଇଛନ୍ତି। ଘଟଣାରେ ପୁଲିସ ଆଜି ୪ ଜଣ ବନ୍ଧୁକଧାରୀଙ୍କ ସହ ୧୧ ଜଣଙ୍କୁ ଗିରଫ କରିଛି।


08- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦେଶର ୨୦ ଟି ବିଦ୍ୟାଳୟ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯାହା ଶିକ୍ଷା ନାମରେ ଟଙ୍କା ଲୁଟୁଥିଲା। ନିୟମକୁ ଅଣଦେଖା କରି ଚାଲୁଥିବା ଏହିପରି ୨୦ଟି ବିଦ୍ୟାଳୟର ମାନ୍ୟତା CBSE ବାତିଲ କରିଦେଇଛି। ତିନୋଟି ବିଦ୍ୟାଳୟ ମଧ୍ୟ ଏପରି ଅଛି ଯାହାର ସ୍ୱୀକୃତି ଏପର୍ଯ୍ୟନ୍ତ ବାତିଲ ହୋଇନାହିଁ କିନ୍ତୁ ସେଗୁଡିକ ନିଶ୍ଚିତ ଭାବରେ ଡାଉନଗ୍ରେଡ୍ କରାଯାଇଛି। ଏହି ବିଷୟରେ ବିସ୍ତୃତ ସୂଚନା ଦେଇ ସିବିଏସ୍ଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି।


09-  ଆଜି ଆଇପିଏଲ୍ ୨୦୨୪ର ଦ୍ୱିତୀୟ ମ୍ୟାଚରେ ସାମ୍ନାସାମ୍ନି ହେଉଛନ୍ତି ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ। ଏହି ମ୍ୟାଚ୍ ମୁଲ୍ଲାପୁର ଷ୍ଟାଡିୟମରେ ଅନୁଷ୍ଠିତ ଖେଳାଯାଉଛି। ଦୀର୍ଘ ଦିନର ବିରତି ପରେ ଦିଲ୍ଲୀ କ୍ୟାପିଟାଲର କ୍ୟାପଟେନ ଋଷଭ ପନ୍ଥ କ୍ରିକେଟ୍ ପିଚ୍କୁ ଫେରୁଛନ୍ତି। ଏ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ତାଙ୍କ ପ୍ରଶଂସକମାନେ। ସେପଟେ ପଞ୍ଜାବ କିଙ୍ଗସକୁ ଅଧିନାୟକତ୍ୱ କରୁଛନ୍ତି ସିଖର ଧାୱନ।


10- ରାଜ୍ୟରେ ଏବେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତ ୨ ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବା ସହ ଖରା, ଗୁଳୁଗୁଳି ମଧ୍ୟ ଦେଖିବାକୁ ମିଳିଛି। ଲଗାଣ ବର୍ଷା ପରେ ଏବେ ବଦଳିଛି ପାଣିପାଗ। ଆଜି ଅର୍ଥାତ ଶନିବାର ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ମାତ୍ର ୨୫ ଓ ୨୬ ରାଜ୍ୟର ଅଳ୍ପ କିଛି ଜିଲ୍ଲା ତଥା ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ କାଳବୈଶାଖୀ ହେତୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।


Also Read- Jupiter Transit 2024: ୧୨ ବର୍ଷ ପରେ ବୃହସ୍ପତି ଚଳନରୁ ୪ ରାଶିକୁ ବଡ଼ ଲାଭ