Top 10 News Today:


COMMERCIAL BREAK
SCROLL TO CONTINUE READING

ବିଜେଡ଼ିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା
H1. ବିଜୁ ଜନତା ଦଳ ପକ୍ଷରୁ ୬ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି।  ଦଳର ସଭାପତି ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାଯୋଗେ ଏହି ଘୋଷଣା କରିଛନ୍ତି। ଏହି ଅନୁସାରେ ହିନ୍ଦୋଳରୁ  ପ୍ରାର୍ଥୀ ହେବେ ମହେଶ ସାହୁ, ରଘୁନାଥ ପଲ୍ଲୀରୁ  ଅର୍ଚନାରେଖା ବେହୁରା, ବାଲିକୁଦା- ଏରସମାରୁ ସାରଦା ପ୍ରସନ୍ନ ଜେନା, କାକଟପୁରରୁ ତୁଷାରକାନ୍ତି ବହେରା, ବାଙ୍ଗିରିପୋଷୀରୁ ରଞ୍ଜିତା ମାରାଣ୍ଡି ଏବଂ ବରିରୁ ବିଶ୍ୱରଞ୍ଜନ ମଲ୍ଲିକ ପ୍ରାର୍ଥୀ ହେବେ। କେବଳ କାକଟପୁର ଆସନରୁ ତୁଷାରକାନ୍ତିଙ୍କୁ ପୁଣିଥରେ ବିଧାୟକ ଭାବେ ଲଢ଼ିବାକୁ ସୁଯୋଗ ଦିଆଯାଇଥିବା ବେଳେ ଅନ୍ୟ ୫ ଆସନରେ ନୂଆ ପ୍ରାର୍ଥୀଙ୍କୁ ନେଇ ଭୋଟ ମାଗିବ ବିଜେଡି। 


୧୪୧ ଆସନରେ ପ୍ରାର୍ଥୀ ଘୋଷଣା 
H2. ଆଜିର ଘୋଷଣା ପରେ ଦଳ ପକ୍ଷରୁ ୧୪୧ଟି ଆସନରେ ପ୍ରାର୍ଥୀ ସ୍ଥିର ହୋଇଛନ୍ତି। ଆହୁରି ୬ ଆସନ ଲାଗି ଦଳ ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି।  ଏହି ଆସନଗୁଡ଼ିକ ଭିତରେ ବାଲେଶ୍ୱର ସଂସଦୀୟ ନିର୍ବାଚନ ମଣ୍ଡଳର ଦୁଇ ବିଧାନସଭା ଆସନ ଭୋଗରାଇ ଏବଂ ନୀଳଗିରି ସମେତ ଯାଜପୁରର କୋରେଇ, କଟକର ଖଣ୍ଡପଡ଼ା, ଏବଂ ଭୁବନେଶ୍ୱର ସଂସଦୀୟ ନିର୍ବାଚନ ମଣ୍ଡଳୀର  ବେଗୁନିଆ, ଏବଂ ଖୋର୍ଦ୍ଧା ଆସନ ଅନ୍ତର୍ଭୁକ୍ତ। ଅନେକ ରାଜନୀତିକ ସମୀକରଣକୁ ହିସାବକୁ ନେଇ ଏହିସବୁ ଆସନରେ ନାଁ ଘୋଷଣା ବାକି ରହିଥିବା ଜଣାପଡ଼ିଛି। 


ତାରାଙ୍କ ନାମାଙ୍କନ ଦାଖଲ
H3. ଆଜି ଜୟପୁର ବିଧାନସଭା ଆସନ ଲାଗି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ତାରାପ୍ରସାଦ ବାହିନୀପତି। ମେ’ ମାସ ୧୩ ତାରିଖରେ ଏଠାରେ ନିର୍ବାଚନ ହେବ। ଏକ ବିରାଟ ପଟୁଆରରେ ଶ୍ରୀ ବାହିନୀପତି ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବଶ୍ୟକ ଦଲିଲ ଦାଖଲ କରିଥିଲେ। ଏହି ଆସନରୁ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ରବି ନନ୍ଦଙ୍କ ପତ୍ନୀ ଡ. ଇନ୍ଦିରା ନନ୍ଦ ପ୍ରାର୍ଥୀ ହୋଇଛନ୍ତି। 


ପତିପତ୍ନୀ ପ୍ରାର୍ଥୀ
H4. ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାରେ ପ୍ରଥମଥର ପାଇଁ ପତି ଓ ପତ୍ନୀ ଉଭୟ ପ୍ରାର୍ଥୀ ହୋଇଛନ୍ତି। ମୟୁରଭଞ୍ଜ ଆସନରୁ ସୁଦାମ ମାରାଣ୍ଡି ବିଜେଡି ଟିକଟରେ ଲୋକସଭା ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପତ୍ନୀ ତଥା ସ୍କୁଲ୍‍ ଶିକ୍ଷୟିତ୍ରୀ ରଞ୍ଜିତା ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି ଦଳ। ସେ ବାଙ୍ଗିରିପୋଷୀ ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକଟରେ ଲଢ଼ିବେ। ଏହି ଆସନରୁ ଶ୍ରୀ ମାରାଣ୍ଡି ୨୦୨୯ରେ ପ୍ରାର୍ଥୀ ହୋଇ ଜିତିଥିଲେ। 


ଅସନ୍ତୋଷ ଝାଡ଼ିଲେ ଆଶାୟୀ
H5. ଟିକଟ କଟିବାରୁ ଏହି ପ୍ରାର୍ଥୀ ତାଲିକାକୁ ନେଇ ଅନେକ ବିଧାୟକ ନିଜର ଅସନ୍ତୋଷ ଜାହିର କରିଛନ୍ତି। ସମାନଙ୍କ ଭିତରେ ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ ଓ ବରୀ ବିଧାୟକ ସୁନନ୍ଦା ଦାସ ଅନ୍ୟତମ। କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ଯୋଗୁ ସେମାନଙ୍କ ଟିକଟ କଟିଲା ବୋଲି ବୟାନ ଦେଇଛନ୍ତି। 


ଆଇନ ପରୀକ୍ଷା ବାତିଲ
H6. କଟକସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ୨୮ଟି ମହାବିଦ୍ୟାଳୟର ପରୀକ୍ଷା ବାତିଲ୍‍ ହୋଇଛି। ଆଇନ ସ୍ନାତକ ପାଠ୍ୟକ୍ରମର ଶେଷ ବା ଷଷ୍ଠ ସେମିଷ୍ଟର ପରୀକ୍ଷାରେ ସିଲାବସ୍‍ ବାହାରୁ ପ୍ରଶ୍ନ ଆସିଥିବାରୁ ପରୀକ୍ଷା ବାତିଲ କରାଯାଇଛି। ଏନେଇ ବିଶ୍ବିଦ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ପରୀକ୍ଷା କେବେ ହେବ ତାହା ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି କୁହାଯାଇଛି।


ଡିପଫେକର ଶିକାର ହେଲେ ରଣବୀର
H7. ‘ଡିପ୍‍ ଫେକ୍‍’ ଭିଡିଓକୁ ନେଇ ଅଭିନେତା ରଣବୀର ସିଂହ ମୁମ୍ବାଇର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କର ବାରଣାସୀ ଶୋ’ ଭିଡିଓସହ କେହି ବ୍ୟକ୍ତି ଏଆଇ ସୃଷ୍ଟ ରଣବୀରଙ୍କୁ ଯୋଡ଼ିଛନ୍ତି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ କହୁଥିବା ନଜରକୁ ଆସିଛି। 


କୁଏତରେ ହିନ୍ଦି ଭାଷାରେ ରେଡ଼ିଓ ସେବା
H8. କୁଏତରେ ପ୍ରଥମଥର ପାଇଁ ହିନ୍ଦି ଭାଷାରେ ରେଡିଓ ସେବା ଆରମ୍ଭ ହୋଇଛି। କୁଏତରେ ଥିବା ଭାରତୀୟ ରାଷ୍ଟ୍ରଦୂତ  କାର୍ଯ୍ୟାଳୟ ଏହା ସ୍ପଷ୍ଟ କରିଛନ୍ତି। ପ୍ରତି ରବିବାରଦିନ କୁଏତ ରେଡିଓର ଉଭୟ ଏଫ୍‍ଏମ୍‍ ଏବଂ ଏଏମ୍‍  ଚ୍ୟାନେଲ୍‍ରେ ଏହି ହିନ୍ଦୀ ସେବା ଉପଲବ୍ଧ ହେବ ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।  କୁଏତ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ  ମନ୍ତ୍ରଣାଳୟଙ୍କ ନିଷ୍ପତ୍ତି ଅନୁସାରେ ଏହା ସମ୍ଭବ ହୋଇପାରିଛି। ଯାହା ଦୁଇ ଦେଶ ଭିତରେ ସଦ୍‍ଭାବକୁ ଆହୁରି ବିକଶିତ କରିବ ବୋଲି ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି। ଦୂତାବାସର ଏକ୍ସ ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି। 


ଓଡ଼ିଶା ଆସିବେ ରାହୁଲ
H9. ରାଜ୍ୟରେ କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ପ୍ରଚାର ଉଦ୍ଦେଶ୍ୟରେ କଂଗ୍ରେସର ଷ୍ଟାର ପ୍ରଚାରକୁ ରାହୁଲ ଗାନ୍ଧି ଓଡ଼ିଶା ଆାସିବେ। ଏଆଇସିସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଓଡ଼ିଶା ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।  ୨୮ ତାରିଖରେ ସାଲେପୁରଠାରେ ସାଧାରଣ ସଭାରେ ସେ ଲୋକଙ୍କୁ ଉଦ୍‍ବୋଧନ ଦେବା ସମ୍ଭାବନା ରହିଛି। ଠିକ୍‍ ସେହିପରି ଆସନ୍ତା ମାସର ପ୍ରଥମ ସପ୍ତାହରେ ପୁଣିଥରେ ରାହୁଲ ଓଡ଼ିଶା ଆସିପାରନ୍ତିୁ। ରାୟଗଡ଼ାଠାରେ ସେ ଆୟୋଜିତ ହେବାକୁ ଥିବା ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି କୋରାପୁଟ ଲୋକସଭା ପ୍ରାର୍ଥୀ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି। ଶ୍ରୀ ଉଲାକା ଗତଥର ପ୍ରାର୍ଥୀ ହୋଇ ଜିତିଥିଲେ। 


ଅରୁଣାଚଳରେ ପୁଣିଥରେ ହେବ ଭୋଟ
H10. ଅରୁଣାଚଳ ପ୍ରଦେଶର ୮ ବୁଥରେ ପୁଣିଥରେ ଭୋଟ ଗ୍ରହଣ କରାଯିବ। ୨୪ ତାରିଖ ଦିନ ସକାଳ ୬ଟାରୁ ୨ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ଉତ୍ତେଜନା ଓ ଇଭିଏମ୍‍ ଭଙ୍ଗକୁ ଦୃଷ୍ଟିରେ ରଖି ଏହି ପୁନଃ ଭୋଟଗ୍ରହଣ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ।  ଏପ୍ରିଲ ୧୯ରେ ଏହି ଅଞ୍ଚଳରେ ଭୋଟଗ୍ରହଣ କରାଯାଇଥିଲା। ଆଜି ମଣିପୁରରେ  ୧୧ ବୁଥରେ ପୁନଃ ଭୋଟ ଗ୍ରହଣ କରାଯାଉଛି।