Top 10 News Headlines: 1- ଗତ ୩୦ ତାରିଖରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଜି ୪ଟି ରାଜ୍ୟ ଯଥା, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ଲୋକସଭା ନିର୍ବାଚନ ପାଇଁ ଆଉ ଅଳ୍ପ ମାସ ବାକି ରହିଥିବା ବେଳେ ଏହି ୪ଟି ରାଜ୍ୟର ନିର୍ବାଚନ ଫଳାଫଳ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବପୂର୍ଣ୍ଣ ଅଟେ ।


COMMERCIAL BREAK
SCROLL TO CONTINUE READING

2-ଶନିବାର ପାକିସ୍ତାନ ଅଧିକୃତ କଶ୍ମୀର ଅନ୍ତର୍ଗତ ଗିଲ୍‌ଗିତ୍‌-ବାଲ୍‌ତିସ୍ତାନ ଅଞ୍ଚଳରେ ଆତଙ୍କବାଦୀମାନେ ଏକ ଯାତ୍ରୀବାହୀ ବସ୍‌ ଉପରକୁ ଗୁଳି ଚାଳନା କରିଥିଲେ । ଏଥିରେ ଅନ୍ୟୂନ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଆହତ ହୋଇଥିବା ସୂଚନା ମିଳିଛି । ବସ୍‌ଟି ଗିଲ୍‌ଗିତ୍‌ରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ବେଳେ ଚିଲାସ୍‌ଠାରେ ଆତଙ୍କବାଦୀମାନେ ବସ ଉପରକୁ ଗୁଳି ଚଳାଇଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି।


3- ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପବିତ୍ର ଭୂମି ପୂଜନ ସମାରୋହ ଅଗଷ୍ଟ ୫ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ନିମନ୍ତ୍ରଣ କାର୍ଡର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଗାଢ ହଳଦିଆ ରଙ୍ଗର ଏହି ନିମନ୍ତ୍ରଣ କାର୍ଡକୁ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ପ୍ରାୟ ୨୦୦ ନିମନ୍ତ୍ରିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କାର୍ଡ ପଠାଯିବ। ସାରା ଦେଶରୁ ପାଖାପାଖି ୬ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯିବାର ସୂଚନା ରହିଛି ।


4-ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଅଧିକ ଘନୀଭୂତ ହେଉଛି। ରବିବାର ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା "ମାଇଚୋଙ୍ଗ୍" କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇର ପୂର୍ବତଟ ରେଳମଣ୍ଡଳ ପକ୍ଷରୁ ୫୪ ଟ୍ରେନ୍ ଚଳାଚଳକୁ ବାତିଲ କରାଯାଇଛି। 


5-ସାଧାରଣ ନିର୍ବାଚନ ପାଇଁ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଡିସେମ୍ବର ୯ ପର୍ଯ୍ୟନ୍ତ ଚାଲୁ ରହିବ । ତାଲିକାରେ ଥିବା ତ୍ରୁଟି ସଂଶୋଧନ ଓ ନୂତନ ଭୋଟର ଭାବେ ପଞ୍ଜୀକରଣ ନିମନ୍ତେ ଆବେଦନପତ୍ର ଗ୍ରହଣ କରାଯିବ ବୋଲି ଶନିବାର ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ନଭେମ୍ବର ୫,୧୧, ୧୯ ଓ ୨୫ରେ ସମସ୍ତ ବୁଥରେ ସ୍ବତନ୍ତ୍ର ଭୋଟର ତାଲିକାରେ ସଂଶୋଧନ କ୍ରାର୍ଯ୍ୟକ୍ରମ ହୋଇଥିଲା ।


6- ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ (Depression) ଶନିବାର ଗଭୀର ଅବପାତରେ (Deep Depression) ପରିଣତ ହୋଇଛି । ଏହା ପଶ୍ଚିମ –ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୮ କିମି ବେଗରେ ଗତି କରୁଛି । ଏହି ଗଭୀର ଅବପାତ ପୁଡୁଚେରୀର ଦକ୍ଷିଣ-ପୂର୍ବ ଦିଗରେ ୪୦୦ କି.ମି, ନେଲୋରଠାରୁ ୫୦୦ କି.ମି ଓ ମଚ୍ଛଲିପଟମ୍ ଠାରୁ ୬୫୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୪ ଘଣ୍ଟା ମଧ୍ଯରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାରେ (Cyclone) ପରିଣତ ହେବ ।


7- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନର ଜମିଜମା ସମସ୍ୟାର ସମାଧନ ସଂପର୍କରେ ଏକ ବିସ୍ତୃତ ସମୀକ୍ଷା କରି ଏହାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଜିଲ୍ଲା ଗସ୍ତ ସମୟରେ ବିସ୍ଥାପିତଙ୍କ ଜମି ସମସ୍ୟାର ସମାଧାନ ପାଇଁ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ ଓ ଏ ସଂପର୍କରେ ବିଭିନ୍ନ ବୈଠକରେ ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।


8- ରାଜ୍ୟ ହସ୍ତତନ୍ତ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ନୀଳାଚଳ ଅର୍ବାନ ହାଟରେ ଶନିବାର ଉଦ୍‌ଘାଟିତ ହୋଇଛି। ଏଥିରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ବରଗଡ଼, କଳାହାଣ୍ଡି, ବାରିପଦା, ନୟାଗଡ଼, ସୋନପୁର, ଆଠଗଡ, ପୁରୀ, ଖୋର୍ଦ୍ଧା ଓ ବୌଦ୍ଧ ବୟନ ମଣ୍ଡଳରୁ ୨୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବୁଣାକାର ସମିତିର ସଦସ୍ୟମାନେ ଯୋଗ ଦେଇଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବୁଣାକାର, କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ରର ବିକ୍ରି ବୃଦ୍ଧି କରି ବୁଣାକାରଙ୍କୁ ନିୟମିତ କାମ ଯୋଗାଇ ଦେବା ଏବଂ ଆର୍ଥିକ ଉନ୍ନତି ଉଦ୍ଦେଶ୍ୟରେ ଏହି ମେଳା ଆୟୋଜନ ହୋଇଛି


9- ‘ପୁଷ୍ପା’ର ସଫଳତା ପରେ ଦର୍ଶକ ଏହାର ସିକ୍ୱେଲ ‘ପୁଷ୍ପା ୨’ ଦେଖିବାକୁ ଉତ୍ସାହର ସହ ଚାହିଁ ରହିଛନ୍ତି । ବର୍ତ୍ତମାନ ଫିଲ୍ମର ସୁଟିଂ ଜାରି ରହିଥିବା ବେଳେ ଏବେ ‘ପୁଷ୍ପା’ର ସୁଟିଂକୁ କିଛି ସମୟ ପାଇଁ ବନ୍ଦ କରାଯାଇଛି । ଅଲ୍‌ଲୁ ଅର୍ଜୁନଙ୍କ ଆହତ ସମସ୍ୟା ଯୋଗୁଁ ଫିଲ୍ମ ସୁଟିଂ ବନ୍ଦ ଥିବା ସୂଚନା ମିଳିଛି ।


10-ବେଙ୍ଗାଲୁରୁ ଚିନିସ୍ବାମୀ ଷ୍ଟାଡ଼ିୟମରେ ଆଜି ଭାରତ- ଅଷ୍ଟ୍ରେଲିଆ ଭିତରେ ଖେଳାଯିବ ଟି-୨୦ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ । ପୂର୍ବରୁ ଭାରତ ଟି-୨୦ ସିରିଜକୁ ନିଜ ନାଁରେ କରିସାରିଛି । ଭାରତ ଏବେ ୩-୧ରେ ଆଗୁଆ ରହିଛି ।