Top 10 News Headlines: 1. ହମାସକୁ ଆଇଏସ୍ଆଇଏସ୍ସହ ତୁଳନା କଲେ ବାଇଡେନ୍‍: ଇରାକ୍‍ ଓ ସିରିୟାରେ ଆତଙ୍କ ଖେଳାଇଥିବା ସଂଗଠନ ଆଇଏସ୍‍ଆଇଏସ୍‍ ଭଳି ଲକ୍ଷ୍ୟ ରଖିଛି ହମାସ୍‍। ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଢୁଥିବା ଇସ୍ରାଏଲକୁ ଆମେରିକା ପୂର୍ଣ୍ଣ ସମର୍ଥନ କରୁଛି ଓ ଏହାର ଜନତାଙ୍କୁ ସୁରକ୍ଷା ଦେବା ଲାଗି ଯାହା ଆବଶ୍ୟକ ତାହାକୁ ନିଶ୍ଚିତ କରିବାକୁ ଆମେରିକା ପ୍ରତିବଦ୍ଧ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‍ କହିଛନ୍ତି। ଏହି ଲଢ଼େଇ ଜୀୟୁ ବା ମୁସ୍‍ଲିମ୍‍ଙ୍କ ବିରୁଦ୍ଧରେ ନୁହେଁ ବରଂ ଆତଙ୍କବାଦ ବିରୁଦ୍ଧରେ ବୋଲି ଆମେରିକାର ନାଗରିକଙ୍କୁ ବାର୍ତ୍ତା ଦେଇଛନ୍ତି ବାଇଡେନ୍‍।


COMMERCIAL BREAK
SCROLL TO CONTINUE READING

2. ହଜାର ଟପିଲା ମୃତକଙ୍କ ସଂଖ୍ୟା: ହମାସ୍‍ ଆତଙ୍କୀଙ୍କ ଆକ୍ରମଣ ଓ ଇସ୍ରାଏଲ୍‍ର ଯୁଦ୍ଧ ଚତୁର୍ଥ ଦିନରେ ପହଞ୍ଚିଛି। ଏହି ହିଂସା ଦ୍ୱାରା ୩ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବିଶ୍ୱର ବିଭିନ୍ନ ଦେଶ ଏହି ଦୁଇ ରାଷ୍ଟ୍ରକୁ ସମର୍ଥନ କରି ଭାଗ ଭାଗ ହେବା ଦେଖାଯାଉଛି। ବିଶେଷ କରି, ଦୁଇ ପ୍ରମୁଖ ଶକ୍ତି ଭାବେ ଜଣାଶୁଣା ଆମେରିକା ଓ ଋଷ ଭିନ୍ନ ଭିନ୍ନ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି।


3.ଭାରତ-ଆଫଗାନିସ୍ତାନ ମ୍ୟାଚ୍‍: ଆଜି ବିଶ୍ୱକପ୍‍ କ୍ରିକେଟ୍‍ର ନବମ ମ୍ୟାଚ୍‍ରେ ଆଫଗାନିସ୍ତାନକୁ ଭେଟିବ ଭାରତ। ଦିଲ୍ଲୀ ଅରୁଣ ଜେଟ୍‍ଲି ଷ୍ଟାଡିୟମ୍‍ ରେ ଅପରାହ୍ଣ ୨ଟାରେ ଏହି ମ୍ୟାଚ୍‍ ଅନୁଷ୍ଠିତ ହେବ। ଗତକାଲି ବିଶ୍ୱକପ୍‍ କ୍ରିକେଟର ଅଷ୍ଟମ ମ୍ୟାଚ୍‍ ରେ ଶ୍ରୀଲଙ୍କାକୁ ହରାଇଛି ପାକିସ୍ତାନ। ଶ୍ରୀଲଙ୍କା ଦ୍ୱାରା ୫୦ ଓଭରରେ ଦିଆଯାଇଥିବା ୩୪୪ ରନ୍‍ର ଟାର୍ଗେଟକୁ ପାକିସ୍ତାନ ୪ ଓ୍ୱିକେଟ୍‍ ହରାଇ ହାସଲ କରିଥିଲା।


4.ଆଫଗାନିସ୍ତାନରେ ପୁଣି ଭୂକମ୍ପ: ଆଜି ସ୍ଥାନୀୟ ସମୟ ସକାଳ ୫ଟା ୧୦ ମିନିଟ୍‍ ସମୟରେ ଉତ୍ତର ଆଫଗାନିସ୍ତାନରେ ପୁଣି ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହା ୬.୩ ବୋଲି ଆମେରିକୀୟ ଭୂ- ଗବେଷଣା ସଂସ୍ଥା କହିଛି। ହେରାତ୍‍ ସହରଠାରୁ ୨୯ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ରହିଛି। ୧୦ କିଲୋମିଟର ଭୂଗର୍ଭରେ ଭୂଚଳନ ହେତୁ ଏହି ଭୂକମ୍ପ ସୃଷ୍ଟି ହୋଇଥିବା କୁହାଯାଇଛି। କିଛିଦିନ ପୂର୍ବେ ଭୟଙ୍କର ଭୂକମ୍ପ ହେତୁ ଆଫଗାନିସ୍ତାନରେ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।


5.ପଞ୍ଚାୟତକୁ ୫୦ ଲକ୍ଷ: ପଞ୍ଚାୟତସ୍ତରରେ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହୋଇଛି ‘ଆମ ଓଡ଼ିଶା ନବୀନ ଓଡ଼ିଶା’।  ଏଥିଲାଗି ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବେ ସରକାର। ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ ପାଇଁ ୩୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ରାଜ୍ୟର ୬୭୯୪ଟି ପଞ୍ଚାୟତରେ ୯୦୭୨୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ ଏହି ପ୍ରକଳ୍ପକୁ ଉଦ୍‍ଘାଟନ କରିଛନ୍ତି।


6. କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: ୨୮ ତାରିଖ ଦିନ ଚନ୍ଦ୍ରଗ୍ରହଣ ହେବ। ଏହା ରାତି ୧ଟା ୪ ମିନିଟ୍‍ ରୁ ୨ଟା ୨୪ ମିନିଟ୍‍ ଯାଏ ଦୃଶ୍ୟମାନ ହେବ। ସମୁଦାୟ ୧ ଘଣ୍ଟା ୧୯ ମିନିଟ୍‍ ଗ୍ରହଣ ରହିବ। ଏହି ସମୟରେ ହିନ୍ଦୁ ରୀତି ନୀତି ଅନୁସାରେ ମନ୍ଦିରର ନୀତି ନିର୍ଘଣ୍ଟ କରାଯାଇଛି।


7.ଦର୍ଶନ ବେଳେ ଭକ୍ତଙ୍କ ମୃତ୍ୟୁ: ପୁରୀ ଶ୍ରୀମନ୍ଦିରରେ ଦର୍ଶନ ସମୟରେ ବାହାର କାଠ ନିକଟରେ ଟଳି ପଡିଲେ ଭକ୍ତ। ପରେ ତୁରନ୍ତ ତାଙ୍କୁ ହସ୍ପପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ନାମ ହେଉଛନ୍ତି ରାୟନ ପ୍ରସାଦ ସାନ । ତାଙ୍କ ଘର ଉତ୍ତରପ୍ରଦେଶର ଝାନ୍ସିରେ ବୋଲି ଜଣାପଡ଼ିଛି । ସେ ପରିବାରବର୍ଗଙ୍କ ସହ ପୁରୀ ଆସିଥିଲେ।


8. ୧୩୦ ଦିନ ପରେ ଶବ ସତ୍କାର: ବାହାନଗା ଟ୍ରେନ୍‍ ଦୁର୍ଘଟଣାରେ ମୃତ ୨୮ ଜଣ ଅପରିଚିତଙ୍କ ଶବକୁ ଭୁବନେଶ୍ୱର ମ୍ୟୁନିସିପାଲିଟି ପକ୍ଷରୁ ସତ୍କାର କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏମ୍ସ ପକ୍ଷରୁ ଏହି ମୃତଦେହ ଗୁଡ଼ିକୁ ସଂରକ୍ଷିତ କରି ରଖିବା ସମ୍ଭବ ନୁହେଁ ବୋଲି କହିବା ପରେ ବିଏମ୍‍ସି ପକ୍ଷରୁ ଏଥିପାଇଁ ପଦକ୍ଷେପ ନିଆଯାଇଛି। ଦୁଇଦିନ ଧରି ଏହି ସତ୍କାର ପ୍ରକ୍ରିୟା ଚାଲିବ ବୋଲି ବିଏମ୍‍ସି କମିଶନର କହିଛନ୍ତି।


9.ଜଙ୍ଗଲି କନ୍ଦା ରୋକିବ କୁପୋଷଣ: କୋରାପୁଟର ଆଦିମ ଅଧିବାସୀମାନେ ଖାଦ୍ୟ ରୂପେ ବ୍ୟବହାର କରୁଥିବା ଜଙ୍ଗଲି କନ୍ଦା କୁପୋଷଣରୁ ରକ୍ଷା କରିପାରିବ। ଏଥିରୁ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇପାରି ବୋଲି କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷାବିତ ଓ ଛାତ୍ରଛାତ୍ରୀ ଗବେଷଣାରୁ ଜାଣିପାରିଛନ୍ତି। ୧୦ ବର୍ଷ ହେବ ଏ ବାବଦରେ ଗବେଷଣା କରାଯାଇଥିବା ବିଶ୍ୱବିଦ୍ୟଳୟର ପ୍ରଫେସର ଦେବବ୍ରତ ପଣ୍ଡା କହିଛନ୍ତି। ସେ କହିଛନ୍ତି, କୋରାପୁଟର ଆଦିବାସୀମାନେ ୮ ପ୍ରକାର ଜଙ୍ଗଲି କନ୍ଦାକୁ ଖାଦ୍ୟ ଭାବେ ବ୍ୟବହାର କରନ୍ତି। ଏଗୁଡ଼ିକ ଅଧିକ ପରିମାଣରେ ପ୍ରୋଟିନ୍‍, ଫାଇବର, ଆଣ୍ଟି ଅକ୍ସିଡାଣ୍ଟ ଓ ଭିଟାମିନ୍‍ ଯୁକ୍ତ ବୋଲି ସେ କହିଛନ୍ତି।


10.ଅମର୍ଦ୍ଦା ବିମାନବନ୍ଦର ସ୍ୱପ୍ନ ଅଧୁରା ରହିଲା: ପ୍ରତିରକ୍ଷା ବିଭାଗ ବ୍ୟବହାର କରୁଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ସବୁଦିନିଆ ବିମାନ ବନ୍ଦରରେ ପରିଣତ କରି ଉଡ଼ାଣ ଯୋଜନାରେ ବିମାନ ଉଡ଼ାଣ କରିବା ସ୍ୱପ୍ନ ଅଧାରେ ଅଟକିଛି। ଆଜି ଜମି ହସ୍ତାନ୍ତର ପ୍ରକ୍ରିୟା କାର୍ଯ୍ୟକ୍ରମ ଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ କାର୍ଯ୍ୟକ୍ରମ ହୋଇପାରି ନାହିଁ। ୧୯୪୬ ମସିହାରୁ ପ୍ରତିରକ୍ଷା ବିଭାଗ ଏହି ବିମାନ ବନ୍ଦର ପାଇଁ ସ୍ଥାନୀୟ ଲୋକଙ୍କଠାରୁ ଜମି ନେଇ ପ୍ରତିବଦଳରେ ବାର୍ଷିକ କ୍ଷତିପୂରଣ ଦେବାକୁ କହିଥିଲେ ମଧ୍ୟ ତାହା କରୁ ନଥିବାରୁ ସ୍ଥାନୀୟ ଲୋକେ ଏୟାର୍‍ଷ୍ଟ୍ରିପ ଅବରୋଧ କରିଥିଲେ।