H1. ଆଜିଠୁ ଅଲାରନାଥ ଦର୍ଶନ
ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦୀରେ ଦିବ୍ୟସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି। ଶ୍ରଦ୍ଧାଳୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ନ ପାଇ ଆଜି ଠାରୁ ପଟ୍ଟିଦିଅଁଙ୍କୁ ଦର୍ଶନ କରିବେ। ଏହି ଅବସରରେ ଅଲାରନାଥଙ୍କ ଅଣସର ଦର୍ଶନ ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଣସର ପିଣ୍ଡିରେ ବିଜେ ସମୟରେ ଶ୍ରୀଅଲାରନାଥଙ୍କ ଦର୍ଶନ ସମଫଳ ପ୍ରଦାନ କରିଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। 


COMMERCIAL BREAK
SCROLL TO CONTINUE READING

H2. ଆରମ୍ଭ ହେଲା ପଟ୍ଟିଦିଅଁ ପୂଜା
ଅଣସର ପିଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଦିବ୍ୟସ୍ନାନ ପରେ ଏବେ ଜ୍ୱରରେ ପୀଡ଼ିତ ମହାପ୍ରଭୁ। ଜୟବିଜୟ ଦ୍ୱାର ଓ କଳାହାଟ ଦ୍ୱାର ମଝିରେ ଅଣସର ଘରେ ଶ୍ରୀଜିଉ ବିଜେ କରିଛନ୍ତି। ଫଳରେ ଆଜି ଠାରୁ ଶ୍ରୀମନ୍ଦିରରେ ପଟିଦିଅଁ ପୂଜା ପାଇବେ। ଏଥିପାଇଁ ରବିବାର ବିଳମ୍ବିତ ରାତିରେ ପଟିଦିଅଁ ଓ ଅନ୍ୟ ଦେବଦେବୀ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି। 


H3. ସରକାରୀ ବାବୁଙ୍କୁ ଉପସ୍ଥାନ ଛାଟ
ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ କେନ୍ଦ୍ର ସରକାର କହିଛନ୍ତି କି ସରକାରୀ ବାବୁମାନେ ଏଣିକି ୯.୧୫ ମିନିଟରେ ଅଫିସରେ ପହଞ୍ଚିବେ। ଯଦି ୯.୧୫ ସୁଦ୍ଧା ଅଫିସରେ ନ ପହଞ୍ଚିନ୍ତି ତେବେ ତାଙ୍କର ଅଧା ଦିନ ଛୁଟି ପଡ଼ିବ। ଏଥିରେ ମାତ୍ର ୧୫ ମିନିଟର ଗ୍ରେସ ପିରିୟଡ ରହିଛି। ଡିଓପିଟି (କାର୍ମିକ ଏବଂ ତାଲିମ ବିଭାଗ) ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। 


H4. ୨୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା
ଓଡ଼ିଶାର ୨୪ ଜିଲ୍ଲାକୁ ଛୁଇଁଛି ମୌସୂମୀ ବାୟୁ। ସମଗ୍ର ଓଡ଼ିଶାରେ ମୌସୁମୀ ବାୟୁ ଜନିତ ବର୍ଷା ହେଉଥିଲେ ମଧ୍ୟ ରାଜ୍ୟ ନିଅଣ୍ଟିଆ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ପାଣିପାଗ ବିଭାଦ ଦେଇଥିବା ସୂଚନା ଅନୁଯାୟୀ ଆଜି ସୁଦ୍ଧା ୮୩.୬ ମିମି ବର୍ଷା ହୋର କଥା। ମାତ୍ର ସେହି ଅନୁଯାୟୀ ବର୍ଷା ହୋଇପାରିନାହିଁ। ୨୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି। ପୁରୀରେ ସର୍ବାଧିକ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ୮ଟି ଜିଲ୍ଲା ନୂଆପଡ଼ା, ସମ୍ବଲପୁର, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ଢେଙ୍କାନାଳ, କଟକ ଓ ଜଗତସିଂହପୁର ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ଅନ୍ୟ ୧୭ଟି ଜିଲ୍ଲାରେ କମ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। 


H5. ରତ୍ନଭଣ୍ଡାର ଖୋଲିବାକୁ ସମୟ ଲାଗିବ: ଆଇନ ମନ୍ତ୍ରୀ
ରତ୍ନଭଣ୍ଡାର ଖୋଲିବା ନେଇ ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି । ରତ୍ନଭଣ୍ଡାର ବାବଦରେ ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗତକାଲି ସ୍ନାନଯାତ୍ରାରେ ଶ୍ରୀଜିଉଙ୍କ ହାତୀ ବେଶ ଦର୍ଶନ ପରେ ସେ କହିଛନ୍ତି ଯେ, ରତ୍ନଭଣ୍ଡାର ଗଣତି ଦିନେ କି ଦୁଇ ଦିନର କାମ ନୁହେଁ । ଗତଥର ୭୦ ଦିନ ଲାଗିଥିଲା, ଏଥର ବି ଲମ୍ବା ସମୟ ଲାଗିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। 


H6. CMO ଗଲେ ଆଉ ଦୁଇ ଅଧିକାରୀ
ରାଜ୍ୟର ପ୍ରଥମ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟାଳୟରେ ଆଉ ଦୁଇଜଣ ବରିଷ୍ଠ ପ୍ରଶାସନିକ ଅଫିସରଙ୍କୁ ନିଯୁକ୍ତି ମିଳିଛି । ବରିଷ୍ଠ ଓଏଏସ୍ ଚିତ୍ରସେନ ରାଉତ ଓ ବରିଷ୍ଠ ଓଏଫଏସ୍ ଉମେଶଚନ୍ଦ୍ର ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଛି । ପୂର୍ବରୁ ୩ଜଣ ଅଫିସର ତ୍ରିଲୋଚନ ମହାନ୍ତି, ବିନୋଦ ବିହାରୀ ସିଂ ଓ ସତୀଶ ଚନ୍ଦ୍ର ସାମଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିଲା ।


H7. ହଟିଲେ ନିଗମ ଅଧିକାରୀ
ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷ ମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦିଆଯାଇଛି। ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ପୂର୍ବ ସରକାରଙ୍କ ସମୟରେ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ଏହି ଅଧ୍ୟକ୍ଷ ମାନଙ୍କ ଯୋଗୁ ନିଗମ ଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।


H8. NEET-PG ପରୀକ୍ଷା ସ୍ଥଗିତ 
ଆଜି ହେବାକୁ ଥିବା ନିଟ୍-ପିଜି ପରୀକ୍ଷା ସ୍ଥଗିତ। ଖୁବଶୀଘ୍ର ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯିବ। କମ୍ପିଟେଟିଭ୍ ପରୀକ୍ଷାର ପେପର ଲିକ୍ ଅଭିଯୋଗକୁ ଦୃଷ୍ଟିରେ ରଖି ମେଡିକାଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଏନଟିଏ ଦ୍ୱାରା ପରିଚାଳିତ ନିଟ୍-ପିଜି ପ୍ରବେଶିକା ପ୍ରକ୍ରିୟାର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ ପାଇଁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।


H9. ସ୍ୱଚ୍ଛତା ପାଇଁ ଗଠନ ହେଲା କମିଟି
NEET ଏବଂ UGC-NET ବିବାଦ ମଧ୍ୟରେ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏକ ଉଚ୍ଚସ୍ତରୀୟ କମିଟି ଘୋଷଣା କରାଯାଇଛି । ପରୀକ୍ଷା ପ୍ରକ୍ରିୟାର ଯାନ୍ତ୍ରକ କୌଶଳର ଉନ୍ନତି, ଡାଟା ସୁରକ୍ଷା ପ୍ରୋଟୋକଲ୍ ସହ ଜାତୀୟ ପରୀକ୍ଷା ଏଜେନ୍ସିର ଗଠନ ଏବଂ କାର୍ଯ୍ୟକାରିତା ଉପରେ ସୁପାରିଶ କରିବେ ଉକ୍ତ କମିଟି । ଏହି ପ୍ୟାନେଲରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଆଇଏସଆରଓ) ର ପୂର୍ବତନ ଚେୟାରମ୍ୟାନ୍ ତଥା ଆଇଆଇଟି କାନପୁରର ଗଭର୍ନର୍ସ ବୋର୍ଡର ଚେୟାରମ୍ୟାନ୍ ଡ କେ ରାଧାକୃଷ୍ଣନ ଅଧ୍ୟକ୍ଷତା କରିବେ।


H10. ଲାଗୁ ହେଲା ଆଣ୍ଟି ପେପର ଲିକ ଆଇନ
ଆଣ୍ଟି-ପେପର ଲିକ୍ ଆଇନ (Centre notifies Public Examinations (Prevention of Unfair Means) ଆଇନ, ୨୦୨୪ ଆଜିଠାରୁ ଦେଶରେ ଲାଗୁ ହୋଇଛି। କର୍ମଚାରୀ, ଜନ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ ମଧ୍ୟ ଏହାର ବିଜ୍ଞପ୍ତି ଜାରି କରିଛି। ଚଳିତ ବର୍ଷ ଫେବୃଆରୀରେ ସଂସଦ ଏହି ଆଇନ କାର୍ଯ୍ୟକାରୀ ହେବା ପରେ ପେପର ଲିକ୍ ପାଇଁ ଦୋଷୀ ସାବ୍ୟସ୍ତ ହେଲେ ଦଶ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡିବ। ଏହାସହ ଏକକୋଟି ଟଙ୍କା ଜରିମାନା ଦେବାର ପ୍ରାବଧାନ ମଧ୍ୟ ରହିଛି।