Subhadra Scheme: ‘ସୁଭଦ୍ରା' ଯୋଜନା ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟରେ ଟଙ୍କା ପଠାଯିବ। ଠିକଣା ସମୟରେ ଏନେଇ ତାରିଖ ଘୋଷଣା କରାଯିବ। ଏଯାଏ ୧ କୋଟି ୬୦ ହଜାର ମହିଳା ଆବେଦନ କରିସାରିଲେଣି। ଶେଷ ହିତାଧିକାରୀ ‘ସୁଭଦ୍ରା 'ଟଙ୍କା ପାଇବା ଯାଏ ଏହି ପ୍ରକ୍ରିୟା ଜାରି ରହିବ। ଏବେ ବି ଯାଞ୍ଚ ପ୍ରକ୍ରିୟା ଚାଲିଛି। ଏଯାଏ ପ୍ରାୟ ୬୦ ଲକ୍ଷ ମହିଳା ‘ସୁଭଦ୍ରା' ଟଙ୍କା ପାଇସାରିଲେଣି।  ସରକାରଙ୍କ ପାଖରେ ବଜେଟ୍ ଅଛି। ଟଙ୍କା ପାଇବାରେ କିଛି ଅସୁବିଧା ନାହିଁ।

 

Onion Price Update: ପିଆଜର ଦରବୃଦ୍ଧିକୁ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରବଳ ବର୍ଷା ଯୋଗୁ ଫସଲହାନି ଘଟିଛି। ଏଥିରୁ ବାଦ୍ ପଡ଼ିନି ପିଆଜ। ଏବେ ପାଗ ବଦଳିବା ପରେ ସ୍ଥିତିରେ ପରିବର୍ତ୍ତନ ଆସିବ। ଆଉ ବେଶୀ ଦିନ ପିଆଜ ଦର ଅଧିକ ରହିବ ନାହିଁ। ଅଳ୍ପଦିନ ଭିତରେ ଦର କମିବ ଓ ଖାଉଟି ଆଶ୍ବସ୍ତ ହେବେ ବୋଲି ଆଶା ପ୍ରକଟ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

 

Odisha CM Pandal Visit: କଟକରେ ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ ପ୍ରତାପନଗରୀ, ବାଲିକୁଦା, ଚାଉଳିଆଗଞ୍ଜ ପୂଜାମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରି ଖାନନଗର ପୂଜା ମଣ୍ଡପରେ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପୂଜା ମଣ୍ତପ ବୁଲା ମଧ୍ୟରେ ଭିଡ଼ରେ ଫସିଛି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ । କଟକର ଚୌଧୁରୀ ବଜାର ପୂଜା ମଣ୍ତପ ସାମ୍ନାରେ ଅଧଘଣ୍ଟା ହେବ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଫସିଥିବା ନେଇ ସୂଚନା ମିଳିଛି । 

 

Amar Satapathy Statement: ନିର୍ବାଚନ ପରାଜୟ ପରେ ଫୁଟି ବାହାରୁଛି ବିଜେଡି ନେତାଙ୍କ ଅସନ୍ତୋଷ । ନବୀନଙ୍କ ପାଣ୍ଡିଆନ ପ୍ରୀତି ବିରୋଧରେ ସିଧା ନିଶାନା କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ । କହିଲେ, ଆମେ ନବୀନ ପଟ୍ଟନାୟକଙ୍କୁ ନେତା ବାଛିଥିଲୁ ପାଣ୍ଡିଆନଙ୍କୁ ନୁହେଁ । ଆଶା କରିଥିଲୁ ସବୁ ଦାୟିତ୍ବ ନେବେ । ବିଜୟର ଶ୍ରେୟ ଯେମିତି ନେଉଥିଲେ ପରାଜୟର ବି ଦାୟିତ୍ବ ନବୀନ ପଟ୍ଟନାୟକ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।  

 

Maa Durga Ornaments Loot:ଯାଜପୁର କୋରେଇରେ ଦୁର୍ଗା ମଣ୍ଡପରୁ ଲୁଟ୍।  ମା’ ଦୂର୍ଗା ଓ ପାର୍ଶ୍ବ ଦେବାଦେବୀଙ୍କ ସୁନା ରୂପା ଅଳଙ୍କାର ସହ ରୂପାରେ ନିର୍ମିତ ଅସ୍ତ୍ରଶସ୍ତ୍ର ଲୁଟି ନେଲେ ଦୁର୍ବୃତ୍ତ। ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ରାତିରେ ମା’ ଙ୍କ ନିତୀକାନ୍ତି ଶେଷକରି ଆୟୋଜକ କମିଟି ସଦସ୍ୟ ଓ ପୂଜକ ମଣ୍ଡପ ଫାଟକରେ ତାଲା ପକାଇ ଶୋଇବାକୁ ପଳାଇଥିଲେ। ପରେ ବିଳମ୍ବିତ ରାତିରେ ଶୌଚ ହେବାକୁ ଉଠିବା ବେଳକୁ ମଣ୍ଡପ ଫାଟକ ଖୋଲା ରହିଥିବା ସହ ମା’ର ଦୁର୍ଗା ଓ ପାର୍ଶ୍ଵ ଦେବଦେବୀଙ୍କର ଗହଣା ଏବଂ ରୁପାରେ ନିର୍ମିତ ଅସ୍ତ୍ରଶସ୍ତ୍ର ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। 

 

Srimandira BadaSnana: ଶ୍ରୀମନ୍ଦିରରେ ଅଘଟଣ  । ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କୁ କରାଗଲା ବଡ଼ ମହାସ୍ନାନ । କଳାହାଟ ଦ୍ୱାର ନିକଟରେ ରକ୍ତ ଛିଟା ପଡ଼ିବାରୁ  ବଡ଼ମହାସ୍ନାନ ହୋଇଛି  ।  ଜଣେ କର୍ମଚାରୀଙ୍କ ହାତ ଚାପି ଯିବାରୁ ରକ୍ତସ୍ରାବ ହୋଇଥିଲା । ଏଥିପାଇଁ  ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ସୂଚନା ଯୋଗ୍ୟ ଯେ ଆସନ୍ତାକାଲି ବିଜୟା ଦଶମୀରେ ସୁନାବେଶରେ ସଜେଇ ହେବେ ମହାପ୍ରଭୁ। ହଜାର ହଜାର ଭକ୍ତ ରତ୍ନସିଂହାସନରେ ଠାକୁରଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିବେ ।

 

Drowning Death: ସମ୍ବଲପୁର ମହାନଦୀରେ ନିଖୋଜ ଦୁଇ ନାବାଳଙ୍କ ମୃତଦେହ ଉଦ୍ଧାର । ସମଲେଶ୍ବରୀ ମନ୍ଦିର ନିକଟ ମହାନଦୀରୁ ଉଭୟଙ୍କ ମୃତଦେହ ମିଳିଛି । ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରିଛି । ଗତକାଲି ସନ୍ଧ୍ୟାରେ ଦୁଇ ଜଣ ନାବାଳକ ଗାଧାଉଥିବା ବେଳେ ମହାନଦୀରେ ନିଖୋଜ ହୋଇଯାଇଥିଲେ।  ଉଭୟ ନାବାଳକ ସାଙ୍ଗ ଓ କ୍ଷେତରାଜପୁର ତିୱାରୀଗଳିରେ ରହୁଥିଲେ ।  ଗତକାଲି ରାତି ହୋଇଯାଇବାରୁ ସର୍ଚ୍ଚ ଅପେରସନ ବନ୍ଦ ରହିଥିଲା ।

 

Haryana New Govt:  ଆସନ୍ତା ୧୭ରେ ହରିୟାଣାରେ ନୂଆ ସରକାର । ୧୭ରେ ଶପଥ ନେବେ ନାୟବ ସିଂ ସୈନି ହରିୟାଣାର ମୁଖ୍ୟମନ୍ତ୍ରୀ । ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ସାମିଲ ହେବେ । ପଞ୍ଚକୁଲାରେ ହେବ ଶପଥ ଗ୍ରହଣ ଉତ୍ସବ ହେବ । ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବେ । ଏ ନେଇ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଅକ୍ଟୋବର ୧୭ ରେ ପଞ୍ଚକୁଲାରେ ମୁଖ୍ୟମନ୍ତ୍ରୀ ତଥା ଅନ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।

 

Military Camp: ମହାରାଷ୍ଟ୍ରର ନାଶିକରେ ଅବସ୍ଥିତ ମିଲିଟାରୀ କ୍ୟାମ୍ପରେ ଏକ ବଡ଼ ଦୁର୍ଘଟଣା ଘଟିଛି । ତାଲିମ ସମୟରେ ଗୁଳି ଚାଳନା ଅଭ୍ୟାସ କରୁଥିବା ବେଳେ ଘଟିଲା ବଡ ଅଘଟଣ । ବିସ୍ଫୋରଣ ହୋଇ 2 ଅଗ୍ନିବୀର ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ପୁରା କ୍ୟାମ୍ପରେ ବିଶୃଙ୍ଖଳା ହୋଇଥିଲା । ତେବେ କେଉଁ କାରଣ ପାଇଁ ବିସ୍ଫୋରଣ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଛି । ଏନସିପି ନେତ୍ରୀ ସୁପ୍ରିୟା ସୁଲେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କୁ ଶହୀଦର ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି ।

 

MS Dhoni: ଚେନ୍ନାଇ ସୁପର କିଙ୍ଗର ପୂର୍ବତନ କ୍ୟାପ୍ଟେନ ଏମଏସ ଧୋନୀ ନିଜର ନୂଆ ଲୁକରେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଧୋନୀଙ୍କ ଏହି ଲୁକ ଆଇପିଏଲ ୨୦୨୪ରୁ ସଂପୂର୍ଣ୍ଣ ଭିନ୍ନ ଅଟେ। ଚେନ୍ନାଇ ସୁପର କିଙ୍ଗର ପୂର୍ବତନ କ୍ୟାପ୍ଟେନ ଏମଏସ ଧୋନୀଙ୍କୁ ନେଇ ଏହି ପ୍ରଶ୍ନ ଉଠିଛି ଯେ, ସେ ଆଇପିଏଲ ୨୦୨୫ରେ ଖେଳିବେ ନା ନାହିଁ। ଧୋନୀ କିମ୍ବା ସିଏସକେ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ବିବୃତ୍ତି ସାମ୍ନାକୁ ଆସିନାହିଁ। ଏହାରି ମଧ୍ୟରେ ଏମଏସ ଧୋନୀଙ୍କ ନୂଆ ଲୁକ ଖୁବ ଭାଇରାଲ ହେବାରେ ଲାଗିଛି। ଆଇପିଏଲ ୨୦୨୫ରୁ ପୂର୍ବରୁ ଆସିଥିବା ଧୋନୀଙ୍କ ଲୁକ ଆଶ୍ଚର୍ଯ୍ୟଜନକ ଅଟେ। ଏହି ଲୁକରେ ସେ କୌଣସି ହିରୋଠୁ ବି କମ ଲାଗୁନାହାନ୍ତି।