ରାଜ୍ୟରେ ଆଳୁ ଦର ବୃଦ୍ଧି, ଅଗ୍ନିବୀରଙ୍କୁ ପୁଲିସ ଚାକିରି ଏବଂ ଅଧିକ ଅପଡେଟ 


COMMERCIAL BREAK
SCROLL TO CONTINUE READING

1.ଆରମ୍ଭ ହୋଇଛି ପ୍ୟାରିସ୍‍ ଅଲମ୍ପିକ୍ସ୍‍-୨୦୨୪। ବିଶ୍ୱର ଖ୍ୟାତନାମା ଖେଳାଳିଙ୍କୁ ନେଇ ପ୍ରସ୍ତୁତ ହୋଇଛି ପ୍ୟାରିସ୍‍ର ନବନିର୍ମିତ ଅଲମ୍ପିକ୍ସ ଭିଲେଜ୍‍। ପ୍ରଥମଥର ପାଇଁ ଏହାର ଉଦ୍‍ଘାଟନୀ ଉତ୍ସବ ପାରମ୍ପରିକ ଭାବେ ଷ୍ଟାଡିୟମ ଭିତରେ ନ ହୋଇ ପ୍ୟାରିସ୍‍ର ‘ସେନ୍‍’ ନଦୀ କୂଳରେ ଆୟୋଜିତ ହୋଇଥିଲା। ଭାରତ ପକ୍ଷରୁ ପିଭି ସିନ୍ଧୁ ଏବଂ ଏ ଶରଥ କମଲ ଅଲମ୍ପିକ୍ସ ଧ୍ୱଜା ଉଡ଼ାଇ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ଏହି କ୍ରୀଡ଼ା ୧୧ ଅଗଷ୍ଟା ଯାଏ ଚାଲିବ। ଏଥିରେ ୩୨ଟି କ୍ରୀଡ଼ା ଲାଗି ୩୨୯ଟି ପ୍ରତିଯୋଗୀତା ଆୟୋଜନ କରାଯିବ। ସବୁଦାୟ ୨୦୬ଟି ଦେଶ ଏଥିରେ ଭାଗ ନେଉଛନ୍ତି। ଭାରତ ୧୬ଟି କ୍ରୀଡ଼ାରେ ଅଂଶଗ୍ରହଣ କରିବ। 


2.ଆଜି ପ୍ରଥମ ମ୍ୟାଚରେ ରାଇଫଲ ଶୁଟିଂ ( ବନ୍ଧୁକ ଚାଳନା) ରେ ଭାରତ ଭାଗ ନେବ। ଭାରତରୁ ରମିତା ଜିନ୍ଦଲ-ଅର୍ଜୁନ ବାବୁତା ଏବଂ ଇଲାବେନିଲ ଭଲାରିବାନ -ସନ୍ଦୀପ ସିଂହଙ୍କ ଯୋଡ଼ିଠାରୁ ପଦକ ଆଶା ରହିଛି। 


3.ମହାରାଷ୍ଟ୍ରର ନଭି ମୁମ୍ବାଇସ୍ଥିତ ଶାହବାଜ୍‍ ଗାଁରେ ଥିବା ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏଥିରେ କିଛି ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଇଛି। ଏନ୍‍ଡିଆରଏଫ୍‍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିଛିଦିନ ହେଲା ମୁମ୍ବାଇରେ ଲଗାତାର ବର୍ଷା ହେଉଛି। 


4.ଓଡ଼ିଶା ସରକାର ଅଗ୍ନିବୀର ଫେରନ୍ତାଙ୍କ ଲାଗି ସରକାରୀ ଚାକିରିରେ ୧୦ ପ୍ରତିଶତ ଆରକ୍ଷଣ ଘୋଷଣା କରିଛନ୍ତି। ବିଶେଷକରି ପୁଲିସ ଓ ଅନ୍ୟ ୟୁନିଫର୍ମ ସେବାରେ ଏହା ଲାଗୁ ହେବ। ଏହି ପଦବୀଗୁଡ଼ିକ ଲାଗି ହେଉଥିବା ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେବାକୁ ତାଙ୍କ ପାଇଁ ୫ ବର୍ଷ ବୟସ ସୀମା କୋହଳ କରାଯାଇଛି। 


5.ଆଜି ସନ୍ଧ୍ୟାରେ ନିତି ଆୟୋଗଙ୍କ ଗଭର୍ଣ୍ଣିଂ ବଡି ବୈଠକ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଯୋଗ ଦେବା ଲାଗି ଗତ ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟ ପକ୍ଷରୁ ଅନେକ ଦଳ  ଏହି ବୈଠକକୁ ବର୍ଜନ କରୁଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। 


6.ଭାରତରୁ ଜଣେ ଗଗନଯାତ୍ରୀଙ୍କୁ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଯିବ। ଏଥିଲାଗି ଇସ୍ରୋ ଏବଂ ନାସାର ମିଳିତ ଉଦ୍ୟମରେ ପ୍ରସ୍ତୁତି ଆରମ୍ଭ ହୋଇଥିବା କହିଛନ୍ତି ମହାକାଶ ମନ୍ତ୍ରୀ ଜିତେନ୍ଦ୍ର ସିଂହ। ଏହି ମହାକାଶ ଯାତ୍ରୀ ଭାରତରୁ ହେବେ। ଇସ୍ରୋ- ନାସା ଏବଂ ନାସା ସହ ସଂଯୁକ୍ତ ଆକ୍ସିଅମ୍‍ ସ୍ପେସ୍‍ ନାମକ ଏକ ଘରୋଇ ମହାକାଶ ସଂସ୍ଥା ଏହି ମିଶନରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। 


7.ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଭାରତୀୟ ବଂଶଜ ତଥା ବର୍ତ୍ତମାନ ଆମେରିୀୟ ଉପରାଷ୍ଟ୍ରପତି ଥିବା କମଳା ହ୍ୟାରିସ୍‍। ଏକ ଲୋକ କୈନ୍ଦ୍ରିକ ପ୍ରଚାର ଦ୍ୱାରା ସେ ବିଜୟ ହାସଲ କରିବେ ବୋଲି କହିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍‍ ରାଷ୍ଟ୍ରପତି ପ୍ରାର୍ଥୀତ୍ୱରୁ ଓହରିବା ପରେ ଏବେ ଡୋନାଲ୍ଡ ଟ୍ରମ୍ପ ଏବଂ କମଳା ହ୍ୟାରିସ୍‍ଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା ହେବ। ନଭେମ୍ବର ୫ ତାରିଖରେ ହେବ ନିର୍ବାଚନ। 


8.କେନ୍ଦୁଝର ଓ ସୋନପୁର ସହରରେ ଦୁଇଟି ଇଏସ୍‍ଆଇ ହସ୍ପିଟାଲ ପ୍ରତିଷ୍ଠା ହେବ। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ଶ୍ରମିକ ଶ୍ରେଣୀର ଲୋକ ଓ ସେମାନଙ୍କ ପରିବାର ଉତ୍ତମ ସ୍ବାସ୍ଥ୍ୟ ସେବା ପାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଆବଶ୍ୟକ ଅନୁମୋଦନ କରିଛନ୍ତି। 


9.ଆଜିଠାରୁ ଆରମ୍ଭ ହେଉଛି ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ୍‍। ଶ୍ରୀଲଙ୍କାର ପାଲେକେଲେଠାରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଖେଳାଯିବ। 


10.ରାଜ୍ୟରେ ଆଳୁ ଦର ଆକାଶଛୁଆଁ ହୋଇଛି। ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହୋଇଯିବାରୁ ରାଜ୍ୟରେ ସଙ୍କଟ ଆହୁରି ବଢ଼ିଛି। ଏବେ ଆଳୁ କିଲୋ ପ୍ରତି ୫୦ଟଙ୍କା ପାଖାପାଖି ପହଞ୍ଚିଛି। ବିଧାନସଭାରେ ଆଳୁ ଦର ବୃଦ୍ଧିକୁ ନେଇ ବିଧାୟକମାନେ ଉଦବେଗ ପ୍ରକାଶ କରିବାରୁ ମୁଖ୍ୟମନ୍ତ୍ରୀ ବିକ୍ରେତାଙ୍କୁ ୩୨ଟଙ୍କାରୁ ଅଧିକ ଦରରେ ଆଳୁ ବିକ୍ରିକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଏହାଛଡ଼ା ରାଜ୍ୟ ଚାହିଦା ତୁଲାଇବାକୁ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର।