Top 10 News Today: 


COMMERCIAL BREAK
SCROLL TO CONTINUE READING

01- ରାତି ପାହିଲେ ରାଜ୍ୟରେ କମ୍ପିବ ନିର୍ବାଚନୀ ପ୍ରଚାର । ବିଜେପି ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଓଡ଼ିଶାରେ ପ୍ରଚାର କରିବେ । ସେହିପରି କଂଗ୍ରେସର ପ୍ରଚାର ପାଇଁ ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି । ଅମିତ ଶାହ କାଲି ମଧ୍ୟାହ୍ନ ସମୟରେ ଭୁବନେଶ୍ୱରରେ ପହଞ୍ଚିବା ପରେ 
ଆସିକାର ସୋରଡାରେ ଲୋକଙ୍କୁ ସମ୍ୱୋଧନ କରିବେ । ଏଥିସହ କଟକରେ ବିଶାଳ ରୋଡ ଶୋରେ ସାମିଲ ହେବେ । ଜେପି ନଡ୍ଡା ମଧ୍ୟ କାଲି ଦଳୀୟ କର୍ମଶାଳାରେ ଯୋଗଦେଇ ନେତୃବୃନ୍ଦଙ୍କୁ ମନ୍ତ୍ର ଦେବେ । ରାହୁଲ ଗାନ୍ଧି ବଲାଙ୍ଗିରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ।


02- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତୃତୀୟଥର ପାଇଁ ବାରଣାସୀ ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସକାଳୁ ଗଙ୍ଗାମାତାଙ୍କୁ ପୂଜା କରିବା ସହ ସେ ବିଭିନ୍ନ ମନ୍ଦିର ବୁଲିଥିଲେ। ଏହାପରେ ନିର୍ଦ୍ଧାରିତ ସମୟ ଅନୁସାରେ ସେ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। 


03- ଦିଲ୍ଲୀ AIIMSର ଜଣେ ସିକ୍ୟୁରିଟି ଗାର୍ଡ OPD କାର୍ଡ ପାଇଁ ଲାଞ୍ଚ ଆକାରରେ ଟଙ୍କା ନେଉଥିବାର ଧରାପଡିଛନ୍ତି । ଜଣେ ଡାକ୍ତର ହିଁ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛନ୍ତି । ଡାକ୍ତର ଏମ ଶ୍ରୀନିବାସ ନିୟମିତ ରାଉଣ୍ଡରେ ଥିଲେ। ଏହି ସମୟ ମଧ୍ୟରେ ସେ ଡାକ୍ତରୀ ୟୁନିଫର୍ମ ପିନ୍ଧି ନଥିଲେ ଏବଂ ମୁହଁରେ ମାସ୍କ ଲଗାଇଥିଲେ । ଦନ୍ତ ଚିକିତ୍ସା କେନ୍ଦ୍ରରେ ପହଞ୍ଚିବା ପରେ ସେ ସେଠାରେ ଉପସ୍ଥିତ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଏକ ଓପିଡି କାର୍ଡ ବନେଇବାକୁ କହିଥିଲେ । ସିକ୍ୟୁରିଟି ଗାର୍ଡ ଜଣକ ଏହାର ପ୍ରତିବଦଳରେ ଲାଞ୍ଚ ଆକାରରେ ୫ଶହ ଟଙ୍କା ଦେବାକୁ କହିଥିଲେ। ଲାଞ୍ଚ ନେବା କାରଣରୁ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ସନ ନିଆଯାଇ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । 


04- ଭାରତୀୟ ଜନତା ପାର୍ଟିର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେ ହେଉଛନ୍ତି ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ । ପୋଲିସ ହତ୍ୟା ଉଦ୍ୟମ ଦଫା ଲଗାଇବା ସହ କୋର୍ଟ ଫରୱାର୍ଡ କରିଛି ।


05- ଛତିଶଗଡର ନାରାୟଣପୁର ଜିଲ୍ଲାର ବଖରୁପାରା ଠାରେ ଜଣେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। କଂଗ୍ରେସ ନେତା ବିକ୍ରମ ବୈସ ତାଙ୍କ ଘର ବାହାରେ ବୁଲୁଥିବା ବେଳେ କିଛି ଅଜଣା ଆକ୍ରମଣକାରୀ ବାଇକ ଯୋଗେ ଆସି ତାଙ୍କୁ ତିନିଥର ଗୁଳି କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଗୋଟିଏ ଗୁଳି ବିକ୍ରମ ବୈସଙ୍କ ମୁଣ୍ଡରେ, ଦ୍ୱିତୀୟ ବୁଲେଟ୍ ତାଙ୍କ ପେଟରେ ଏବଂ ତୃତୀୟ ବୁଲେଟ୍ ତାଙ୍କ ଛାତିରେ ବାଜିଥିଲା। ଏହି କାରଣରୁ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଘଟଣା ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏସପି ପ୍ରଭାତ କୁମାର ତଦନ୍ତ ଆରମ୍ଭ କରିଛନ୍ତି।


06- କାକଟପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ବିଶ୍ୱଭୂଷଣ ଦାସ। ଏକ ବିଶାଳ ଶୋଭାଯାତ୍ରାରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚି କାକଟପୁର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କାକଟପୁର ନିର୍ବାଚନ ମଣ୍ଡଳୀରେ ବିଶେଷତଃ ବିଜେଡି-କଂଗ୍ରେସ-ବିଜେପି ମଧ୍ୟରେ ତ୍ରୀମୁଖି ଲଢେଇ ହୋଇଥାଏ। ଗତ ୨୦୦୯ରେ ବିଶ୍ୱଭୂଷଣ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୨୦୧୪ରେ ନିର୍ବାଚନରୁ ଓହରି ଯାଇଥିଲେ। ପୁନର୍ବାର ୨୦୧୯ରେ ବିଜେଡି ଠାରୁ କିଛି ଭୋଟ ବ୍ଯବଧାନରେ ପଛରେ ରହି ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏଥର ବିଜେଡିରୁ ମନ୍ତ୍ରୀ ତୁଷାରକାନ୍ତି ବେହେରା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବାଇଧର ମଲ୍ଲିକ।


07- ବାଲେଶ୍ୱର-ପଶ୍ଚିମବଙ୍ଗ ସୀମାନ୍ତରେ ଚେକିଂ ସମୟରେ ବିପୁଳ ପରିମାଣର ସୁନା ଜବତ ହୋଇଛି । ପ୍ରାୟ ୧୫ କେଜି ସୁନା ମିଳିଥିବା ନେଇ ସୂଚନା ମିଳିଛି । କୁହାଯାଉଛି ଯେ, ସୁନାର ଦାମ ପ୍ରାୟ ୧୦ କୋଟି ଟଙ୍କାରୁ ଅଧିକ ହେବ । ଇଲେକ୍ସନ ପାଇଁ ଗାଡି ଯାଞ୍ଚ ସମୟରେ ଲକ୍ଷ୍ମଣନାଥ ଗେଟ୍ ନିକଟରେ ସୁନା ଜବତ ହୋଇଛି । ସିକ୍ୟୁଏଲ୍ ଲଜିଷ୍ଟିକ ଟ୍ରାନ୍ସପୋର୍ଟ ନାଁର ଏକ ଗାଡ଼ି ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ସମୟରେ ଏତେ ପରିମାଣର ସୁନା ଗାଡି ଭିତରୁ ଜବତ କରିଛି ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ ।


08- ବଡ଼ମ୍ବାରେ ପ୍ରଚାର କଲେ ବିଜେଡି ନେତା ଭିକେ ପାଣ୍ଡିଆନ। ବିଜେଡି ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । ବାଙ୍କୀରେ ଆଜି ପ୍ରଚାର କରିବା ସହ ପାଣ୍ଡିଆନ୍ କହିଛନ୍ତି, ନିର୍ବାଚନ ଆସିଲେ ବଡ ବଡ ନେତାମାନେ ଆସିବେ । ଟୁରିଷ୍ଟ ଭଳିଆ ସେମାନେ ଆସିବେ, ପଳେଇବେ। ୫ ବର୍ଷ ଖୋଜିବେ ପାଇବେ ନାହିଁ। ହେଲେ ବିଜେଡିର ଦୁଇ ପ୍ରାର୍ଥୀଙ୍କୁ ବନ୍ଧୁ ବୋଲି କହି, ଏ ଦୁଇ ଜଣ ବନ୍ଧୁ ୨୪ ଘଣ୍ଟା ଆପଣଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ପାଣ୍ଡିଆନ୍।


09- ବାବା ରାମଦେବଙ୍କ ବିରୁଦ୍ଧରେ ବିଭ୍ରାନ୍ତିମୂଳକ ବିଜ୍ଞାପନ ମାମଲା ଚାଲିବ କି ନା ସେ ନେଇ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ।  କିନ୍ତୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ଯେଉଁ ଔଷଧଗୁଡ଼ିକୁ ବଜାରରୁ ଫେରାଇ ଆଣିବା ତଥା ଲାଇସେନ୍ସ ରଦ୍ଦ ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଆଦେଶ ଦେଇଥିଲେ ସେଗୁଡ଼ିକ ବାବଦରେ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି କୋର୍ଟ। 


10- କିଛି ଦିନର ଆଶ୍ୱସ୍ତି ପରେ ପୁଣି ତାତି ବଢିବାକୁ ଯାଉଛି । ଆଗାମୀ ୪୮ ଘଣ୍ଟା ଅର୍ଥାତ ୨ଦିନ ପରେ ତାପମାତ୍ରାରେ ପରିବର୍ତ୍ତନ ହେବା ସହ ୨ରୁ ୪ ଡିଗ୍ରୀ ବଢିବ ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । କାଳବୈଶାଖୀ ବର୍ଷା କାରଣରୁ ରାଜ୍ୟରେ କିଛିଦିନ ହେବ ତାତି ହ୍ରାସ ପାଇଥିବାବେଳେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । ପରବର୍ତ୍ତୀ ୩ଦିନ ମଧ୍ୟ ରାଜ୍ୟରେ ବର୍ଷାର କିଛି ସ୍ଥାନରେ ବର୍ଷା ହେବ ବୋଲି ସୂଚନା ମିଳିଛି । ପରେ ବର୍ଷାର ପରିମାଣ କମିବା ସହ ତାତି ଧିରେ ଧିରେ ବଢିପାରେ । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୬୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।