1. ଲାଞ୍ଚ ନେଉଥିବା ବେଳେ ଅଧିକାରୀଙ୍କୁ ମାଡିବସିଲା ସିବିଆଇ

ବ୍ରହ୍ମପୁରରେ ଅବସ୍ଥାପିତ କେନ୍ଦ୍ରୀୟ ଜିଏସ୍‍ଟି ଓ ଉତ୍ପାଦ କର ସୁପରିଣ୍ଟେଣ୍ଡେଣ୍ଟ ମନୋଜ କୁମାର ସୁବୁଦ୍ଧିଙ୍କୁ ସିବିଆଇ ଗିରଫ କରିଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଜଣେ ବ୍ୟକ୍ତି ତଥା ଅଭିଯୋଗକାରୀଙ୍କ  ଜିଏସ୍‍ଟି ପ୍ରକ୍ରିୟାକରଣ ବାବଦରେ ସେ ଉତ୍କୋଚ୍ଚ ଗ୍ରହଣ କରୁଥିବା ସମୟରେ ସିବିଆଇ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ସିବିଆଇ ସୂଚନା ବିଭାଗ ପକ୍ଷରୁ ଏହି ତଥ୍ୟ ମିଳିଛି।

 

2. ଅର୍ଥନୀତିଜ୍ଞଙ୍କ ସହିତ ମୋଦୀଙ୍କ ବୈଠକ

ନିତି ଆୟୋଗଙ୍କ ସଦସ୍ୟ ଥିବେ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ବୈଠକରେ ଯୋଗ ଦେଇଛନ୍ତି। ଦେଶର ଅର୍ଥନୀତିକ ପ୍ରଗତି କ୍ଷେତ୍ରରେ କେଉଁ ଭଳି ନୀତି ଗ୍ରହଣ କରାଯିବ ତାହାକୁ ଆଧାର କରି ଏହି ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରଧାନମନ୍ତ୍ରୀଙ୍କ ସଚିବ ପିକେ ମିଶ୍ରଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।  ଆସନ୍ତା ଲୋକସଭା ଅଧିବେଶନରେ ସରକାରଙ୍କ ପକ୍ଷରୁ ପୂର୍ଣ୍ଣଙ୍ଗ ବଜେଟ୍ ଉପସ୍ଥାପନ କରାଯିବ। 

 

3. ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ

ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମ ନିର୍ଭରତାକୁ ଆଉ ପାଦେ ଆଗକୁ ନେଇଛନ୍ତି।  ପ୍ରତିରକ୍ଷା ଉପକରଣକୁ ଆମ ଦେଶରେ ନିର୍ମାଣ ଲାଗି ୭ଟି ପ୍ରକଳ୍ପକୁ ଘରୋଇ କ୍ଷେତ୍ରରେ ବିକାଶ ଲାଗି ପାଣ୍ଠି ପ୍ରଦାନ କରିଛନ୍ତି। ଟେକ୍ନୋଲୋଜି ଡେଭେଲେପମେଣ୍ଟ ଫଣ୍ଡ ଯୋଜନାରେ ଏହି ପ୍ରକଳ୍ପସବୁକୁ ପ୍ରଦାନ କରାଯାଇଛି। ଏହିସବୁ ଟେକ୍ନୋଲୋଜିର ବିକାଶ ପ୍ରତିରକ୍ଷା କ୍ଷେତ୍ରରେ ନୂଆ ନିବେଶ ଏବଂ ଶିଳ୍ପକୁ ପ୍ରୋତ୍ସାହନ ଯୋଗାଇବ ବୋଲି ଆଶା କରାଯାଇଛି। 

 

4. ବଦଳିଲେ ଆଶିଷ ସିଂହ

ବରିଷ୍ଠ ପୁଲିସ ଅଧିକାରୀ ତଥା ଆଇଜି ପୁଲିସ ଆଶୀଷ କୁମାର ସିଂହଙ୍କୁ ବଦଳି କରାଯାଇଛି।ତାଙ୍କୁ ଗୃହ ବିଭାଗର ଓଏସ୍‍ଡି ଭାବେ ଦାୟିତ୍ୱ ଦିଆଯାଇଛି। ୨୦୦୪  ବ୍ୟାଚର ଏହି ଆଇପିଏସ୍‍ ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଆଇଜି ଭାବେ ନିୟୋଜିତ ଥିଲେ। ଗତ ନିର୍ବାଚନରେ ଶ୍ରୀ ସିଂହଙ୍କ ପକ୍ଷପାତିତାକୁ ନେଇ ଆଲୋଚନା ହୋଇଥିଲା। ବିଜେଡିକୁ ସହାୟତା ଦେବା ପାଇଁ ସେ ଚାକରିରୁ ଛୁଟି ନେଇଥିବା ନେଇ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ ହୋଇଥିଲା। ତେବେ ସେ ଅସୁସ୍ଥ ଥିବା ଦରତଶାଇଥିବାରୁ ତାଙ୍କ ଡାକ୍ତରୀ ଯାଞ୍ଚ ମଧ୍ୟ କରାଯାଇଥିଲା। ହେଲେ ଏହି ରିପୋର୍ଟରେ ସେ ସୁସ୍ଥ ଥିବା ଜଣାପଡ଼ିବା ପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ସୁପାରିଶ କରିଥିଲେ। 

 

5. ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଆଡ଼ପ ମଣ୍ଡପ ପହଣ୍ଡି ବେଳେ ବଳଭଦ୍ର ପଡ଼ିଯିବା ଘଟଣାକୁ ନେଇ ବିରୋଧୀ ଦଳ ନେତା ଉଦବେଗ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ସେ ଏନେଇ ଏକ ଚିଠି ଲେଖିଛନ୍ତି। ଏଥିରେ କହିଛନ୍ତି, ଶ୍ରୀମନ୍ଦିର ଇତିହାସରେ ଏମିତି ଅଘଟଣ କେବେ ଦେଖାଯାଇ ନଥିଲା। ଏହା ସମଗ୍ର ହିନ୍ଦୁ ସମାଜକୁ ବ୍ୟଥିତ କରିଛି। ସେ ମଧ୍ୟ ଏଥିରେ ବ୍ୟଥିତ ଥିବା ଦର୍ଶାଇ ଏପରି ଘଟଣାର ପୁନରାବୃତ୍ତି ଯେମିତି ନହୁଏ ତାହାକୁ ନିଶ୍ଚିତ କରିବା ଲାଗି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।  

 

6. ୧୪ରେ ଖୋଲିବ ରତ୍ନଭଣ୍ଡାର

ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର ଖୋଲାଯିବ। ନଯୁ୍କ୍ତ ହୋଇଥିବା କମିଶନଙ୍କ ସୁପାରିସ ଅନୁସାରେ ସରକାର ଆବଶ୍ୟକ ଅନୁମୋଦନ କରିବେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଏହିଦିନ ସନ୍ଧ୍ୟା ଦର୍ଶନ ନୀତି ଅନୁଷ୍ଠିତ ହେଉଥିବା ବେଳେ ନିର୍ଦ୍ଧାରିତ ବିଶେଷଜ୍ଞ, ସେବକ, ପୁଲିସ ଏବଂ ଅଧିକାରୀଙ୍କ ଉପସ୍ଥିତିରେ ରତ୍ନ ଭଣ୍ଡାର ଖୋଲାଯିବା ନେଇ ପୂର୍ବରୁ ଜଷ୍ଟିସ ବିଶ୍ୱନାଥ ରଥଙ୍କ କମିଶନ ମତ ପ୍ରକାଶ କରିଥିଲେ।।

 

7. ୧୮ରେ ନିଟ ୟୁଜି ମାମଲାର ଶୁଣାଣୀ

ନିଟ୍‍- ୟୁଜି ପ୍ରଶ୍ନ ପତ୍ର ଲିକ୍‍ ମାମଲରେ ସୁପ୍ରିମ କୋର୍ଟ ଶୁଣାଣି ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ କରିଛନ୍ତି।  ଅର୍ଥାତ୍‍ ଆଜି ହେବାକୁ ଥିବା ଶୁଣାଣି ଜୁଲାଇ ୧୮ ତାରିଖକୁ ହେବ।  ଜାତୀୟ ପରୀକ୍ଷା ଏଜେନ୍ସୀ ଏନ୍‍ଟିଏ ଦ୍ୱାରା କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠ ସମସ୍ତ ଆବେଦନକର୍ତ୍ତାଙ୍କ ନିକଟରେ ପହଞ୍ଚି ପାରି ନଥିବାରୁ ଏହି ନିଷ୍ପତ୍ତିନେଇଛନ୍ତି ସୁପ୍ରିମ କୋର୍ଟ। ଏନ୍‍ଟିଏଲ  ଦାଖଲ କରିଥିବା ସତ୍ୟପାଠରେ ସୋଶାଲ ମିଡିଆରେ ଘୁରି ବୁଲୁଥିବା ନିଟ୍‍ ପ୍ରଶ୍ନ ପତ୍ରକୁ ଜାଲ ପ୍ରଶ୍ନ ପତ୍ର ବୋଲି ଅଭିହିତ କରିଛନ୍ତି। 

 

8. ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ଅଧିକ ଦେୟ

ଦିଲ୍ଲୀରେ ଏଣିକି ଗାଡ଼ି ମାଲିକଙ୍କୁ ପ୍ରଦୂଷଣ ପ୍ରମାଣପତ୍ର ସଂଗ୍ରହ କରିବାକୁ ଅଧିକ ଦେୟ ଦେବାକୁ ହେବ। ୧୩ ବର୍ଷ ପରେ ଏହି ଦର ବୃଦ୍ଧି ହୋଇଛି। ଏହି ନୂଆ ଦର ଅନୁଦାରେ ପେଟ୍ରୋଲ, ସିଏନ୍‍ଜି ଏବଂ ଏଲ୍‍ପିଜି ଦୁଇଚକିଆ ବା ତିନି ଚକିଆ ଗାଡ଼ି ଲାଗି ୮୦ ଟଙ୍କା ଦେବକୁ ହେବ। ୪ ଚକିଆ ପାଇଁ ୧୧୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଡିଜେଲ ଚାଳିତ ଗାଡ଼ି ପାଇଁ ୧୪୦ ଟଙ୍କା ଧାର୍ଯ୍ୟ କରାଯାଇଛି। 

 

9. ବଢିଲା ପୂଜା ଖେଡକରଙ୍କ ସମସ୍ୟା

ଶିକ୍ଷାନବୀଶ (ଟ୍ରେନି) ଭାବେ କାର୍ଯ୍ୟ କରୁଥିବା ଆଇଏଏସ୍‍ ଅଧିକାରୀ ପୂଜା ଖେଡ୍‍କର ବ୍ୟବହାର କରୁଥିବା ଅଡି କାର୍‍କୁ ଯାଞ୍ଚ କରିବ ମହାରାଷ୍ଟ୍ର ପୁଲି। ତାଙ୍କର କ୍ଷମତା ପରିସର ହୋଇ ନଥିଲେ ମଧ୍ୟ ସେ ନିଜର ବ୍ୟକ୍ତିଗତ କାର୍‍ରେ ସରକାରୀ ବୋର୍ଟ ବ୍ୟବହାର କରିବା ସହ ଏକ ବିକନ୍‍ ଲାଇଟ୍‍ ମଧ୍ୟ ଲଗାଉଥିଲେ। ଏହା ସହ ସେ ଉପରିସ୍ଥ ଅଧିକାରୀ ଓ ନିଜ ସହକର୍ମୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗରେ ଜିଲ୍ଲାପାଳ ତାଙ୍କୁ ବଦଳି କରିଛନ୍ତି। ଏବେ ପୁଲିସ ସେ ବ୍ୟବହାର କରୁଥିବା ଅଡି କାର୍‍କୁ ଯାଞ୍ଚ କରିବାକୁ ଆଦେଶ ପାଇଛି। 

 

10. ବିଜେପିରେ ମିଶିବ ବିଆରଏସ

ତେଲେଙ୍ଗନାରେ ଭାରତ ରାଷ୍ଟ୍ରସମିତି ( ବିଆର୍‍ଏସ୍‍) ବିଜେପି ସହ  ମେଣ୍ଟ କରିପାରେ। କେହି କେହି ବିଜେପି ନେତା ଏହି ପାର୍ଟିଠାରୁ ଦୂରେଇ ରହିବାକୁ ଯୁକ୍ତି ବାଢ଼ୁଥିବା ବେଳେ ଆଉ କେହି ମେଣ୍ଟ ବା ମିଶ୍ରଣଙ୍କୁ ନେଇ ଚର୍ଚ୍ଚା କରୁଛନ୍ତି। ତେଲେଙ୍ଗାନାରେ ଅନେକ ବର୍ଷ କ୍ଷମତାରେ ରହିଥିବା କେସିଆର୍‍ଙ୍କ ଏହି ଦଳ ଏବେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବାହାରେ ରହିଛି। ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବା ଏବଂ ଲୋକସଭା ନିର୍ବାଚନରେ ଭୋଟର ବିଜେପିକୁ ଭୋଟ ଦେବା ବିଆର୍‍ଏସ୍‍ର ଅସ୍ଥିତ୍ୱ ଉପରେ ପ୍ରଶ୍ନ ଲଗାଇଛି।