ଆଜି ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ
ଆଉ କେଇ ମୁହୁର୍ତ୍ତ ପରେ ପୁରୀ ଲେଖିବ ଇତିହାସ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ଦିନ ପ୍ରାୟ ସାଢେ ଗୋଟାଏ ବେଳକୁ ଗଜପତି ମହାରାଜ ଯଜ୍ଞ ପୂର୍ଣ୍ଣାହୂତି ଦେବା ସହିତ ମୁଖ୍ୟମନ୍ତ୍ରୀ ପୁରୀ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ। ଜଗନ୍ନାଥ ହେରିଟେଜ୍ କରିଡର ଭାବରେ ମଧ୍ୟ ଜଣାଶୁଣା ଏହି ପରିକ୍ରମା ପ୍ରକଳ୍ପର ଓଡ଼ିଶା ବ୍ରିଜ୍ ଏବଂ ନିର୍ମାଣ ନିଗମ (ଓବିସିସି) ଦ୍ୱାରା କାର୍ଯ୍ୟ ଶେଷ ହୋଇଛି। ଏହି ଲୋକାର୍ପଣ ସମାରୋହରେ ଦେଶର ପ୍ରସିଦ୍ଧ ୯୦ଟି ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନର ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଛି। ଉଦ୍ଘାଟନ ପରେ ଏହି କରିଡର ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ୩୭୦୦ କୋଟି ଟଙ୍କା ବ୍ୟୟରେ ଏହି କରିଡର ନିର୍ମାଣ କରାଯାଇଛି। ଏଥିରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ବିଲଡିଂ, ଶ୍ରୀମନ୍ଦିର ସ୍ୱାଗତ କେନ୍ଦ୍ର, ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର, ସମୁଦ୍ରକୂଳ ବିକାଶ ଆଦି ଯୋଜନା ଅନ୍ତର୍ଭୁକ୍ତ ରହିଛି।


COMMERCIAL BREAK
SCROLL TO CONTINUE READING

ଲୋକାର୍ପଣ ପୂର୍ବରୁ ପୁରୀରେ ଭକ୍ତଙ୍କ ଭିଡ଼
ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପ ଅର୍ଥାତ ଜଗନ୍ନାଥ ମନ୍ଦିର ହେରିଟେଜ୍ କରିଡର ପ୍ରକଳ୍ପ ଆଜି ଲୋକାର୍ପିତ ହେବ। ଲୋକାର୍ପିତ ହେବାର ଗୋଟିଏ ଦିନ ପୂର୍ବରୁ ଭକ୍ତମାନେ ପୁରୀରେ ଆସି ପହଞ୍ଚିଛନ୍ତି। ପ୍ରକଳ୍ପ ଉଦଘାଟନ ଉଦ୍ଦେଶ୍ୟରେ ତୀର୍ଥସ୍ଥାନକୁ ଫୁଲ, ରଙ୍ଗବେରଙ୍ଗ ଆଲୋକ ଏବଂ କାନ୍ଥରେ ବିଭିନ୍ନ କଳା ଦ୍ୱାରା ସଜାଯାଇଛି। ଏଠାରେ କହି ରଖୁ କି ମଙ୍ଗଳବାର ଦିନ ମଧ୍ୟ ଜାରି ରହିଥିବା ମକର ସଂକ୍ରାନ୍ତି ଦିନଠାରୁ ଯଜ୍ଞର ଆରମ୍ଭ କରାଯାଇଥିଲା। ତେବେ ଏହି ଯଜ୍ଞ ଆଜି ଅର୍ଥାତ ଜାନୁଆରୀ ୧୭ ତାରିଖ ବୁଧବାର ଦିନ ପ୍ରାୟ ୧.୨୦ ରୁ ସାଢେ ଦୁଇଟା ମଧ୍ୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପୁର୍ଣ୍ଣାହୁତି ଦେବେ। 


ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିବସ
ଜମୁଛି ବରଗଡ ଧନୁଯାତ୍ରା। ବିଶ୍ୱ ପ୍ରସିଦ୍ଧ ଏହି ଯାତ୍ରାର ଆଜି ହେଉଛି ଦ୍ୱିତୀୟ ଦିବସ। ଦ୍ୱିତୀୟ ଦିବସରେ କାରାଗାରରେ ଶ୍ରୀକୃଷ୍ଣଙ୍କ ଜନ୍ମ ଲୀଳା ମଞ୍ଚସ୍ଥ ହୋଇଛି। କଂସଙ୍କ କୋପରୁ ଅଷ୍ଟମ ଗର୍ଭ ସନ୍ତାନକୁ ବଂଚାଇବା ପାଇଁ ଗୋପପୁର ନେଲେ ବାସୁଦେବ । ଏପଟେ କଂସ ଦରବାରରେ ନାଚଗୀତର ଆସର ଜମିଛି । ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିବସରେ ମହାରାଜ କଂସ ନଗର ଭ୍ରମଣରେ ବାହାରିଥିବା ବେଳେ ପ୍ରଜାଙ୍କ ମନୋରଂଜନ ପାଇଁ ରଙ୍ଗମହଲର ଉଦଘାଟନ କରିଛନ୍ତି ।


ପାକିସ୍ତାନ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼
ପାକିସ୍ତାନର ବେଲୁଚିସ୍ତାନ ଉପରେ ଇରାନ ମିଶାଇଲ ମାଡ଼ କରିଥିବା ସୂଚନା ରହିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ତେବେ ଏହି ଆକ୍ରମଣକୁ ନେଇ ପାକିସ୍ତାନ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ପାକିସ୍ତାନ କହିଛି ଏହା ବେଆଇନ ଓ ଏହାର ଭୟଙ୍କର ପରିମାଣ ଇରାନକୁ ଭୋଗିବାକୁ ହେବ ବୋଲି ପାକିସ୍ତାନ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି। ଏହା ସହିତ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଏହି ଆକ୍ରମଣରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଛି। 


କେନ୍ଦ୍ରାପଡ଼ାରେ ଦୁଇ ଦିନ ମଦ ବନ୍ଦ
କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ନିଆରା ପଦକ୍ଷେପ। ଦୁଇ ଦିନ ପାଇଁ ଜିଲ୍ଲାରେ ମଦ ବନ୍ଦ କରିଛି ଜିଲ୍ଲା ପ୍ରଶାସନ। ଆଜି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ପାଇଁ କେନ୍ଦ୍ରାପଡ଼ାରେ ବନ୍ଦ ହୋଇଛି ମଦ ବିକ୍ରି। କେବଳ ଆଜି ନୁହେଁ ଆସନ୍ତା ୨୨ ତାରିଖରେ ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଜିଲ୍ଲାରେ ମଦ ବିକ୍ରି ବନ୍ଦ ନେଇ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡି, ଦେଶୀ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଶ୍ରୀକ୍ଷେତ୍ରରେ ଲୋକାର୍ପିତ ହେଉଛି ପୁରୀ ପରିକ୍ରମା ପ୍ରକଳ୍ପ। ରାଜ୍ୟବାସୀଙ୍କ ପାଇଁ ସବୁଠୁ ଏକ ବଡ଼ ଦିନ। ବିଭିନ୍ନ ସ୍ଥାନରେ ଭିଡ ଓ ଆଧ୍ୟାତ୍ମିକ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା ସହ ଶାନ୍ତି ସୌହାର୍ଦ୍ଦ ବଜାୟ ରଖିବା ପାଇଁ ଓଡିଶା ଅବକାରୀ ଆଇନ ୨୦୦୮ର ସେକ୍ସନ ୨୬(୧) ଆଧାରରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।


ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠାର ଦ୍ୱିତୀୟ ଦିବସ
ଅଯୋଧ୍ୟା ସହର ଏହାର ଦେବତାଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ। ୨୨ ଜାନୁଆରୀରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ରୀତିନୀତି ଆରମ୍ଭ ହୋଇଛି। ଆଜି ଏହି ରୀତିନୀତିର ଦ୍ୱିତୀୟ ଦିନ ଯାହା ସାତ ଦିନ ପର୍ଯ୍ୟନ୍ତ ଚାଲିବ। ବୁଧବାର ଦିନ ଅପରାହ୍ନ ୧.୨୦ ମିନିଟ ପରେ ଜଳଯାତ୍ରା, ତୀର୍ଥ ପୂଜା, ବ୍ରାହ୍ମଣ-ବାଟୁକ-କୁମାରୀ-ସୁଭାସିନି ପୂଜା, ବର୍ଦ୍ଧିନୀ ପୂଜନ, କଳସ ଯାତ୍ରା ଏବଂ ପ୍ରସାଦ କମ୍ପ୍ଲେକ୍ସରେ ଭଗବାନ ଶ୍ରୀ ରାମଲାଲାଙ୍କ ପ୍ରତିମା ପରିଭ୍ରମଣ ହେବ।


ଦୃତଗତିରେ ପଞ୍ଜିକୃତ ହେଉଛି BSKY ଆବେଦନ
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ପାଇଁ ଆବେଦନ କ୍ଷେତ୍ରରେ ହୋଇଛି ଦ୍ରୁତ ଅଗ୍ରଗତି। ଗ୍ରାମ ତଥା ପଞ୍ଚାୟତ ସ୍ତରରେ ହୋଇଥିବା ସଚେତନତା କାର୍ଯ୍ୟକ୍ରମ ଫଳରେ ଏହା ସମ୍ଭବ ହୋଇପାରିଛି। ଜାନୁଆରୀ ୧୬ ତାରିଖ ମଙ୍ଗଳବାର ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୪୬ ହଜାର ୨୯୪ ପରିବାରଙ୍କ ଦରଖାସ୍ତ ଅନଲାଇନ୍ ପଞ୍ଜୀକୃତ ହୋଇଛି। ଏହି ପଞ୍ଜୀକୃତ ଦରଖାସ୍ତରେ ୯ ଲକ୍ଷ ୭୦ ହଜାରରୁ ଉର୍ଦ୍ଧ୍ୱ ସଦସ୍ୟଙ୍କ ନାଁ ରହିଛି। ଜନସାଧାରଣଙ୍କ ଠାରୁ ମିଳିଥିବା ମତାମତକୁ ବିଚାର କରି ରାଜ୍ୟ ସରକାର ଜାନୁଆରୀ ୧୬ ତାରିଖରେ ଅନଲାଇନ ଦରଖାସ୍ତ ପଞ୍ଜୀକରଣ ସମୟ ସୀମାକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।


ହୁତି ବିଦ୍ରୋହୀଙ୍କ ବିରୋଧରେ ଆମେରିକା ବ୍ରିଟେନର କାର୍ଯ୍ୟାନୁଷ୍ଠାନ
ବିଗତ କିଛି ଦିନ ଧରି ଆରବ ସାଗର ସମତେ ଲାଲ ସାଗର ଏବଂ ଆଡେନ ଉପସାଗରରେ ଆତଙ୍କ ସୃଷ୍ଟି କରିଥିବା ହୁଥି ବିଦ୍ରୋହୀଙ୍କ ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରି ସାରିଛନ୍ତି  ଆମେରିକା-ବ୍ରିଟେନ। ଏନେଇ କାର୍ଯ୍ୟକାରୀ କରାଯାଉଥିବା ନୌସେନା ଅଭିଯାନର ନାଁ ହେଉଛି "ଅପରେସନ ପ୍ରସ୍ପିରିଟି ଗାର୍ଡିୟାନ"। ଏହି ଅଭିଯାନ ଅଧିନରେ ୟମେନ ଠାରେ ହୁତି ବିଦ୍ରୋହୀଙ୍କ ସହ ଜଡିତ ବିଭିନ୍ନ ସ୍ଥାନ ଉପରେ ଆମେରିକା-ବ୍ରିଟେନ ପକ୍ଷରୁ କରାଯାଇଛି ଆକ୍ରମଣ। ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗତ ବର୍ଷ ଶେଷରେ ଲୋହିତ ସାଗରରେ ଜାହାଜ ଯୋଗେ ହେଉଥିବା ଅନ୍ତର୍ଜାତୀୟ ପରିବହନକୁ ଟାର୍ଗେଟ କରୁଥିଲେ। ଯାହାର ଜବାବ ଏବେ ଆମେରିକା, ବ୍ରିଟେନ ସମେତ ଅନ୍ୟାନ୍ୟ ଦେଶ ଆରମ୍ଭ କରି ଦେଇଛନ୍ତି। ୟେମେନ ଠାରେ ହୁତି ବିଦ୍ରୋହୀଙ୍କ ସହ ଜଡିତ ବିଭିନ୍ନ ସ୍ଥାନ ଉପରେ ଆମେରିକା-ବ୍ରିଟେନ ପକ୍ଷରୁ କରାଯାଇଛି ଜବରଦସ୍ତ ବିମାନ ଆକ୍ରମଣ। 


ରାମ ମନ୍ଦିର ପ୍ରତିଷ୍ଠା ପାଇଁ ମରିସସ ସରକାର ଦେଲେ ଛୁଟି
ଆସନ୍ତା ୨୨ ତାରିଖରେ ହେବାକୁ ଯାଉଛି ଅଯୋଧ୍ୟା ସ୍ଥିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା। ଯାହାକୁ ନେଇ କେବଳ ଦେଶ ନୁହେଁ ବରଂ ସାରା ବିଶ୍ୱର ରାମ ଭକ୍ତ ଉତ୍ସାହିତ ହୋଇଉଠିଛନ୍ତି। ଆଉ ମାତ୍ର ସପ୍ତାହେ ପରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବ। ଏହି ସମୟରେ ଆଫ୍ରିକୀୟ ଦେଶ ମରିସସ ଠାରୁ ଆସିଛି ଏକ ବଡ଼ ଖବର। ଆସନ୍ତା ୨୨ ତାରିଖରେ ଆୟୋଜିତ ହେଉଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ୨ ଘଣ୍ଟାର ସ୍ୱତନ୍ତ୍ର ବିରତି ଦେବାକୁ ଘୋଷଣା କରିଛନ୍ତି ମରିସସ ସରକାର।


ଭାରତ ବନାମ ଆଫଗାନିସ୍ତାନ ତୃତୀୟ ଟି୨୦
ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଟି୨୦ ସିରିଜର ତୃତୀୟ ମ୍ୟାଚ ବେଙ୍ଗାଲୁରୁ ଠାରେ ଖେଳାଯିବ। ପୂର୍ବରୁ ଦୁଇଟି ମ୍ୟାଚ ଜିତି ସାରିଥିବା ବେଳେ ତୃତୀୟ ମ୍ୟାଚ ଜିତିବା ସହିତ ସିରିଜ କ୍ଲିନ ସୁଇପ କରିବା ଲକ୍ଷରେ ମୈଦାନକୁ ଓହ୍ଲାଇବ ଘରୋଇ ମ୍ୟାଚ। ସେପଟେ ସମ୍ମାନ ରକ୍ଷା ପାଇଁ ଖେଳିବ ଭ୍ରମଣକାରୀ ଆଫଗାନିସ୍ତାନ ଦଳ। ସନ୍ଧ୍ୟା ସାତଟାରୁ ଏହି ମ୍ୟାଚ ଖେଳାଯିବ। ପୂର୍ବ ଦୁଇଟି ମ୍ୟାଚରେ ଭାରତ ବିଜୟ ଲାଭ କରିଛି। ପ୍ରଥମ ଦୁଇଟି ଯାକ ମ୍ୟାଚରେ ଭାରତ ୬ ୱିକେଟରେ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚକୁ ୧୫ ବଲ ବାକି ଥାଇ ଜିତି ନେଇଥିବା ବେଳେ ଦ୍ୱିତୀୟ ମ୍ୟାଚକୁ ୨୬ ବଲ ବାକି ଥାଇ ଜିତିନେଇଥିଲା।