Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର
Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର
1.BJD: ଦରଦାମ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି। ଜାନୁଆରୀ ୬ରେ ଲୋକସେବା ଭବନ ଆଗରେ ବିକ୍ଷୋଭ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ବିଜେଡି ନେତା। ପ୍ରତି ବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୨୬ ରେ ବିଜେଡି ପ୍ରତିଷ୍ଠା ଦିବସ ସବୁ ନିର୍ବାଚନ ମଣ୍ଡଳୀରେ ପାଳନ ହେବ. ସଂକଳ୍ପ ନିଆଯିବ ଯେ ଯେଉଁ ଲକ୍ଷ୍ୟ ଓ ଆଭିମୁଖ୍ୟ ନେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସ୍ୱାଭିମାନଙ୍କ ରକ୍ଷା କରିବୁ ବୋଲି କୁହାଯାଇଛି।
2.PM Modi Target to Congress: ନୂଆଦିଲ୍ଲୀ: ଡ. ବି.ଆର ଆମ୍ବେଦକରଙ୍କ ଉପରେ ଗୃହମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଛି। ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତିକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି। ବୁଧବାର ବିରୋଧୀ ଦଳ ଏହି ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିଲେ। ବିରୋଧି କଂଗ୍ରେସ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରୁଛି। ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳକୁ ଏହି ପ୍ରସଙ୍ଗରେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।
3.Arun Kumar Sahu: ନୂଆଦିଲ୍ଲୀ: ୧୯୯୬ ବ୍ୟାଚର ଆଇଏଫଏସ ଅଧିକାରୀ ଅରୁଣ କୁମାର ସାହୁଙ୍କୁ ବୁଲଗେରିଆର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି। ସେ ଏବେ ବୈଦେଶିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି। ପୂର୍ବରୁ କେନ୍ଦ୍ର ୟୁରୋପିୟ ଯୁଗ୍ମ ସଚିବ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। କାନାଡାର ଉପ ଉଚ୍ଚାୟୁକ୍ତ ଦାୟିତ୍ୱ ତୁଲାଇବାରେ ଏହି କୁଟନୀତିଜ୍ଞଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ବେଜିଂ, ଲଣ୍ଡନ, ତେହେରାନରେ ଥିବା ଭାରତୀୟ ଦୂତାବାସରେ କାର୍ଯ୍ୟ କରିବା ସହ ତ୍ରିନିଦାଦ-ଟବାଗୋରେ ମଧ୍ୟ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ତୁଲାଇଛନ୍ତି ଶ୍ରୀ ସାହୁ।
4.Parliament Winter Session 2024: ନୂଆଦିଲ୍ଲୀ: ସମ୍ବିଧାନର ନିର୍ମାତା ଡ. ଭିମରାଓ ଆମ୍ବେଦକରଙ୍କୁ କେନ୍ଦ୍ର କରି ଆଜି ସଂସଦର ଉଭୟ ଗୃହରେ ହଟ୍ଟଗୋଳ ହୋଇଛି। ଶାସକ ଦଳ ଡ. ଆମ୍ବେଦକରଙ୍କୁ ଅପମାନିତ କରିଛି ବୋଲି ବିରୋଧି ଦଳର ସାଂସଦମାନେ ଅଭିଯୋଗ କରିବା ସହ ଗୃହର ମଧ୍ୟଭାଗକୁ ଆସି ବିରୋଧ ପ୍ରଦର୍ଶନ କରିବାରୁ ଗୃହରେ କୌଣସି କାର୍ଯ୍ୟ ଆଗକୁ ବଢିପାରିନାହିଁ। ଫଳରେ ଉଭୟ ଗୃହକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି।
5.Chhattisgarh: ଛତିଶଗଡ଼ ଏନକାଉଣ୍ଟରରେ କୁଖ୍ୟାତ ମାଓନେତା ଦାସରୁ ମୃତ। ଓଡିଶାରେ ସକ୍ରୀୟ ଥିଲେ ଦାସରୁ ଓରଫ କାର୍ତ୍ତିକ ଓରଫ ରାମଚନ୍ଦ୍ର। ଛତିଶଗଡ ପୁଲିସ ଦାସୁରଙ୍କ ଫଟୋ ଜାରି କରି ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛି। ମୃତ ମାଓବାଦୀଙ୍କ ମଧ୍ୟରେ ଦାସରୁ ଓରଫ କାର୍ତ୍ତିକ ଓରଫ ରାମଚନ୍ଦ୍ର ଥିବା ସୂଚନା ଦେଇଛି ଛତିଶଗଡ ପୁଲିସ। ତେବେ ଗତ ୧୨ତାରିଖରେ ଅବୁଝମାଡ଼ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ କୁଖ୍ୟାତ ମାଓନେତା ଦାସରୁଙ୍କ ମୃତ୍ୟୁ ହୋଇଛି। ଏନକାଉଣ୍ଟରରେ ୭ଜଣ ମାଓବାଦୀ ନିପାତ ହୋଇଥିଲେ।
6.CBI: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ ଜିଜିଏମ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଆଜି ଦିନ ୧୨ଟା ସୁଦ୍ଧା ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ଚିଠି କରିଛି। ଏହି ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀ ସିବିଆଇ ଜେରାର ସମ୍ମୁଖୀନ ହେବା ଆପାତତଃ ନିଶ୍ଚିତ ବୋଲି କୁହାଯାଉଛି। ଏଣେ ଗତକାଲି ରାଜ୍ୟ ସରକାର ବିଷ୍ଣୁପଦ ସେଠୀଙ୍କୁ ତିନିଟି ଯାକ ବିଭାଗରୁ ହଟାଇ ଦେଇଥିବାରୁ ସିବିଆଇ ତାଙ୍କୁ ଜେରା କରିବ।
7.Weather Update: ରାଜ୍ୟରେ ଜାରି ରହିଛି ଶୀତ ବର୍ଷାର ଲୁଚକାଳି ଖେଳ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଠାରୁ ରାଜ୍ୟରେ ବର୍ଷା ହେବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୦ ତାରିଖ ଯାଏଁ ଉପକୂଳ ଓଡି଼ଶା, ଆଭ୍ୟନ୍ତରୀଣ ଓଡି଼ଶା ଓ ଦକ୍ଷିଣ ଓଡି଼ଶାରେ ବର୍ଷା ହୋଇପାରେ।
8.ED Raid: ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍ କରାଯାଇଛି। ପ୍ରମିଳାଙ୍କ ଭାଇ ହେଉଛନ୍ତି କ୍ଷୀରୋଦ ମଲ୍ଲିକ। କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡିର ରେଡ୍ ଜାରି ରହିଛି। ବିଶ୍ବ ଏନଜିଓର ଫାଉଣ୍ଡର ହେଉଛନ୍ତି ପ୍ରମିଳା ମଲ୍ଲିକଙ୍କ ଭାଇ । ମିଳିଥିବା ସୂଚନା ଅନୁସାରେ, ୨୩୧ କୋଟି ଠକେଇ ଅଭିଯୋଗରେ ଇଡିର ଏହି ରେଡ୍ ହୋଇଛି। ସମ୍ବଲପୁର ଓ ଦିଲ୍ଲୀରେ ରେଡ୍ ଇଡି ରେଡ୍ କରିଥିବା ଜଣାପଡିଛି।
9.Puri News: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ। ପହିଲି ଭୋଗ ମାସରେ ଦୈନିକ ଦିବା ପହୁଡ଼ ଅନ୍ୟତମ ନୀତି ହୋଇଥିଲେ ମଧ୍ୟ ପହିଲି ଭୋଗ ମାସରେ ଦର୍ଶନାର୍ଥିଙ୍କ ଅତ୍ୟଧିକ ଭିଡ଼ ଯୋଗୁଁ ଗୋଟିଏ ଦିନ ଦିବା ପହୁଡ ନିତି କରାଯିବ। ରତ୍ନଭଣ୍ଡାର ଗୃହ ମରାମତି କାର୍ଯ୍ୟ ପାଇଁ ସମୟ ଆବଶ୍ୟକ ହେଉଥିବାରୁ ଦୈନିକ ଦିବା ପହୁଡ଼ କରାନଯାଇ କେବଳ ପରମ୍ପରାର ପ୍ରତୀକ ସ୍ଵରୂପ ପହିଲି ଭୋଗ ମାସରେ ଗୋଟିଏ ଦିନ ଦିବାପହୁଦ କରିବାକୁ ଗତ ଛତିଶା ନିଯୋଗ ବୈଠକରେ ନିଷ୍ପତି ହୋଇଥିଲା । ଏଣୁ ଆଜି ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବାପରେ ପ୍ରାୟ ଅପରାହ୍ନ ୨ଟା୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରାୟ ସାଢେ ତିନିଘଣ୍ଟା ଦିବା ପହୁଡ଼ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
10.Ravichandran Ashwin Retirement: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗାବା ଟେଷ୍ଟ ଶେଷ ହେବା ପରେ ଭାରତର ଭେଟେରାନ୍ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି କେବଳ ପ୍ରଶଂସକଙ୍କ ମଧ୍ୟରେ ନୁହେଁ କ୍ରିକେଟ୍ ବିଶେଷଜ୍ଞଙ୍କ ମଧ୍ୟରେ ମଧ୍ୟ ଅନେକ କୌତୁହଳ ସୃଷ୍ଟି କରିଛି ଯେ ସେ ହଠାତ୍ କାହିଁକି ଏପରି ନିଷ୍ପତ୍ତି ନେଲେ।