Top 10 News: ଚୁଟକୀରେ ପଢିନିଅନ୍ତୁ ଆଜି ଦିନର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Top 10 News: ଚୁଟକୀରେ ପଢିନିଅନ୍ତୁ ଆଜି ଦିନର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
1.Odisha News: ନନ୍ଦନକାନନ ଏକ୍ସପ୍ରେସ୍ ଟ୍ରେନ୍ ଉପରକୁ ମଙ୍ଗଳବାର ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି। ଭଦ୍ରକ ଓ ବାଉଦପୁର ସେକ୍ସନ ମଝିରେ ଟ୍ରେନ୍ ଉପରକୁ ଗୁଳିମାଡ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଟ୍ରେନ୍ ଉପରକୁ ୨ ରାଉଣ୍ଡ ଗୁଳିମାଡ ହୋଇଛି। ଗୁଳିମାଡରେ ଗାର୍ଡ ବଗିର ଝରକା କାଚ ଭାଙ୍ଗିଛି। ଖବର ପାଇ ଜିଆର୍ପି ଓ ସ୍ଥାନୀୟ ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି।
2.Mohan Majhi: ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଜାତୀୟ ଉତ୍ସବ ଭାବେ ଆୟୋଜନ କରାଯିବ। ଆୟୋଜନ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସୋସିଆଲ ମିଡିଆ ' ଏକ୍ସ' ରେ ସୂଚନା ପ୍ରଦାନ କରିଛନ୍ତି। ଓଡ଼ିଶା କିମ୍ବଦନ୍ତୀ ଜାତୀୟତାବାଦୀ ନେତାଙ୍କ ପାଇଁ ଏହା ମହାନ ଶ୍ରଦ୍ଧାଞ୍ଜଳି ଏବଂ ଓଡିଆ ଆସ୍ମିତାର ଏକ ନିୟମ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି। ଜାତୀୟ ଉତ୍ସବ ପାଳନ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
3.Odisha News: ବାତ୍ୟା ଦାନା ପ୍ରଭାବରେ ଓଡିଶା ସୀମାନ୍ତ ଭୋଗରାଇ ଉଦୟପୁର ସମୁଦ୍ର ନିକଟରେ ଠାବ ହେଲା ଏକ ଅଜଣା ବିରାଟ କାୟ ଲୁହା ବସ୍ତୁ। ଏହାକୁ ଦେଖିବା ପାଇଁ ଲୋକେ ଭିତରେ ଉତ୍ସାହ। ସୂଚନା ଅନୁଯାୟୀ ଗତ ବାତ୍ୟା ଦାନା ପ୍ରଭାବରେ ସମୁଦ୍ର ଅଶାନ୍ତ ହେବା ଫଳରେ ସମୁଦ୍ରରେ ବଡ ବଡ଼ ଲହଡ଼ି ଉପକୂଳ ଆଡକୁ ମାଡି ଆସିଥିଲା। ଏହା ପରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଉଦୟପୁର ସମୁଦ୍ର ନିକଟରେ ଏକ ଅଜଣା ବିରାଟକାୟ ଲୁହା ବସ୍ତୁ ଭାସି ଆସିଥିବା ଲୋକେ ଦେଖିବାକୁ ପାଇଥିଲେ।
4.Delhi Pollution: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ହରିୟାଣା ଏବଂ ପଞ୍ଜାବରେ ଥିବା ପରାଲି ଜଳିବା ଠାରୁ ଆରମ୍ଭ କରି ଗାଡି ପ୍ରଦୂଷଣ, କାରଖାନା ବର୍ଜ୍ୟବସ୍ତୁ ଏବଂ ଏବେ ଦୀପାବଳି ପ୍ରଦୂଷଣ ଦିଲ୍ଲୀ ବାୟୁକୁ ବିଷାକ୍ତ କରି ଚାଲିଛି। ଅବଶ୍ୟ, ଦିପାବଳୀ ପୂର୍ବରୁ ଏଠାରେ ଗ୍ରେପ୍-୩ ସ୍ଥାପିତ ହୋଇସାରିଥିଲା। ଦିପାବଳୀ ପରେ ଦିଲ୍ଲୀର ଅନେକ ଅଞ୍ଚଳର AQI ନଭେମ୍ବର ୨ ରୁ ୪୦୦ ଅତିକ୍ରମ କରିଛି। ଆଜି ମଧ୍ୟ, ନଭେମ୍ବର ୫ରେ, ଦିଲ୍ଲୀର ଆନନ୍ଦ ବିହାରର AQI 400 ଥିଲା।
5.Odisha News: ଚାଷୀଙ୍କ ପାଇଁ ଖୁସି ଖବର। ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନକିଣା। ଏ-ନେଇ ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ନେଇ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଚଳିତ ବର୍ଷ ୮୦ ଲକ୍ଷ ଟନ୍ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଧାନର ଏମଏସପି ୨୩୦୦ ଟଙ୍କା ସହିତ ରାଜ୍ୟ ସରକାରଙ୍କ ତରଫରୁ ଇନ୍ପୁଟ ସହାୟତା ୮୦୦ ଟଙ୍କା ମିଶାଇ ଚଳିତ ବର୍ଷ ଧାନ କିଣା ଦର କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଧାନ କ୍ରୟ ପ୍ରକ୍ରିୟା ସୁବ୍ୟବସ୍ଥା ପାଇଁ ପକ୍ରିୟାକୁ ଶେଷ ହେବା ଯାଏ ମଣ୍ଡିରେ ରହିବେ ଅଧିକୃତ ଅଧିକାରୀ ।
6.Bhubaneswar Airport: ଗତ କିଛି ଦିନ ହେବ ଲଗାତାର ବିଭିନ୍ନ ବିମାନକୁ ବୋମା ଧମକ ମିଳି ଆସୁଛି। ପୁଣି ବିମାନରେ ବୋମା ଆତଙ୍କ ଖେଳିଯିବାରୁ ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନର ହେଲା ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି। ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରୁଥିବା ବେଳେ ଜରୁରୀ ଅବତରଣ କରିଛି ବିମାନ। ବିମାନରେ ବୋମା ଥିବା ନେଇ ଧମକ ମିଳିବା ପରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରୁ ବିମାନର ଜରୁରୀ ଅବତରଣ କରାଯାଇଛି ବୋଲି ଜଣାପଡ଼ିଛି। ତେବେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
7.Gajapati Maharaja: କୃଷ୍ଣ ଚେତନାର ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପ୍ରସାର କରୁଥିବା ‘ଇସ୍କନ’କୁ କଡ଼ା ସମାଲେଚନା କରିଛନ୍ତି ଶ୍ରୀମନ୍ଦିରର ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟ ସିଂହ ଦେବ। ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ଭକ୍ତି ଓ ପରମ୍ପରାର ଯାତ୍ରା ନୁହେଁ, ବରଂ ଏକ ପ୍ରଚାର ଯାତ୍ରାରେ ଇସ୍କନ ପରିଣତ କରିଥିବା ସେ କହିଛନ୍ତି। ଏଣୁ ଇସ୍କନର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ଗଭର୍ଣ୍ଣିଂ ବଡି କମିଶନ( ଜିବିସି)ର ଆସନ୍ତା ବୈଠକରେ ଏହି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ଲାଗି ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରା ନଗଲେ ଆଇନର ଲଢ଼େଇ ଆରମ୍ଭ ହେବ ବୋଲି କହିଛନ୍ତି ଗଜପତି।
8.Kandhamal: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ(କୋଇଲି)ରୁ ପ୍ରସ୍ତୁତ ଜାଉ ଖାଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଦୁଇ ଗୁରୁତର ରୋଗୀ ହେପାଟାଇଟିସ୍ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଯକୃତରେ ଗୁରୁତର ସଂକ୍ରମଣ ହୋଇଛି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଡାକ୍ତରୀ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଦ୍ରୁତଗତିରେ ଉଭୟଙ୍କ ଲିଭର(ଯକୃତ) ଖରାପ ହେବା ଆରମ୍ଭ କରିଛି। ଏହାସହ ଆକ୍ରାନ୍ତଙ୍କ ବିଭିନ୍ନ ଅଙ୍ଗ କାମ ଦେଉ ନଥିବା ଜଣାପଡିଛି।
9.Koraput: ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରଲୋକ। ବିଳମ୍ୱିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି। ବହୁଦିନ ହେଲା ସେ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ। ତେଣୁ ଅସୁସ୍ଥତା କାରଣରୁ କିଛି ଦିନ ତଳେ ଭୁବନେଶ୍ଵର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶେଷନିଶ୍ବାସ ତ୍ୟାଗ କରିଥିବା ସୂଚନା ମିଳିଛି।
10.Odisha News: କଟକ: ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପ୍ରଥମ ବର୍ଷର ଏମବିବିଏସ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଜଣାପଡ଼ିଛି। ଅଧ୍ୟକ୍ଷଙ୍କ ହ୍ୱାଟସଆପ ନମ୍ବରକୁ ଏକ ଅଜଣା ନମ୍ବରରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ପାଇବା ପରେ ଅଧ୍ୟକ୍ଷା ନିଜେ ହଷ୍ଟେଲକୁ ଯାଇ ଯାଞ୍ଚ କରିବା ସହିତ ସୁରକ୍ଷା ବ୍ୟବସ୍ଥା ବଢାଇଛନ୍ତି। କିନ୍ତୁ ତଦନ୍ତ ପରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସସିବି ଅଧ୍ୟକ୍ଷା ତଥା ଡିନ ପ୍ରଫେସର ଡାକ୍ତର ଲୁସି ଦାସ। ଡାକ୍ତର ଦାସ କହିଛନ୍ତି ଯେ ରାଗିଂ ନେଇ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ମେଲ ମାଧ୍ୟମରେ ମଧ୍ୟ କୌଣସି ଅଭିଯୋଗ ପାଇନାହୁଁ।