Top 10 News Today: ଅଣହିନ୍ଦୁ ପ୍ରବେଶ ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Top 10 News Today: ଅଣହିନ୍ଦୁ ପ୍ରବେଶ ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Top 10 News Today:
01- ଅଣହିନ୍ଦୁ ପ୍ରବେଶ ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି: ରବିବାର ଦିନ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ଅଣହିନ୍ଦୁ । ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ମନ୍ଦିର ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ସିଂହଦ୍ୱାର ସାମ୍ନାରେ ଅଧିକ ସୁରକ୍ଷାକର୍ମୀଙ୍କୁ ନିଯୋଜିତ କରାଯାଇଛି । ଭକ୍ତଙ୍କୁ ଯାଞ୍ଚ କରିବା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଗତକାଲି ଜଣେ ହିନ୍ଦୁ ବ୍ୟକ୍ତିଙ୍କ ସହିତ ୩ ଜଣ ଅଣହିନ୍ଦୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ । ସମସ୍ତ ଅଣହିନ୍ଦୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ । କେବଳ ସେତିକି ନୁହେଁ ସମସ୍ତେ ଆନନ୍ଦ ବଜାରରେ ପହଞ୍ଚି ଅବଢା ଖାଇବା ସହ ହାତରେ ଅବଢା କୁଡୁଆ ଧରି ଫେରିଥିଲେ ।
02- ୩ ସ୍କୁଲ୍ ଛାତ୍ରୀଙ୍କୁ ଏସିଡ୍ ମାଡ: ପରୀକ୍ଷା ଦେବା ପାଇଁ ସ୍କୁଲକୁ ଯାଉଥିବା ସମୟରେ ୩ ଜଣ ଛାତ୍ରୀଙ୍କ ଉପରେ ଏସିଡ୍ ପକାଇଲା ଦୁର୍ବୁତ୍ତ । ଫଳରେ ସେମାନେ ଗୁରୁତର ଆହତ ହୋଇଛନ୍ତି । କର୍ଣ୍ଣାଟକର ମାଙ୍ଗାଲୁରୁରୁ ଏପରି ଏକ ଖବର ସାମ୍ନାକୁ ଆସିଛି । କଡଓ୍ୱା ଅଞ୍ଚଳରେ ଥିବା ଏକ ସ୍କୁଲକୁ ଦ୍ୱିତୀୟ ପିୟୁସି ଟେଷ୍ଟ୍ ପରୀକ୍ଷା ଦେବା ପାଇଁ ଆସୁଥିଲେ ଛାତ୍ରୀ । ସେହି ସମୟରେ ସ୍କୁଲ୍ ନିକଟରେ ଜଣେ ଦୁର୍ବୁତ୍ତ ମୁହଁରେ ମାସ୍କ ପିନ୍ଧି ଛକି ରହିଥିଲା । ଛାତ୍ରୀମାନେ ସ୍କୁଲ୍ ନିକଟରେ ପହଞ୍ଚିବା ପରେ ଦୁର୍ବୁତ୍ତ ଜଣକ ସେମାନଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲା । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ୍ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ବୟସ ୨୩ ବର୍ଷ ହୋଇଥିବା ସମୟରେ ତାଙ୍କ ନାମ ଅବିନ୍ ବୋଲି ଜଣାପଡିଛି । ସେ ଜଣେ ଏମବିଏ ଛାତ୍ର ହୋଇଥିବା ସମୟରେ କାହିଁକି ଏପରି କାମ କଲା ସେନେଇ ପୋଲିସ ଅଧିକ ପଚରାଉଚରା କରୁଛି ।
03- ପ୍ରତ୍ୟେକ ମହିଳା ପାଇବେ ୧୦୦୦ ଟଙ୍କା !: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି । କେଜ୍ରିୱାଲ ସରକାର ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କୁ ୧ ହଜାର ଟଙ୍କା ପ୍ରଦାନ କରିବେ । ୧୮ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ମହିଳାଙ୍କୁ ୧ ହଜାର ଟଙ୍କା ଲେଖାଏଁ ମିଳିବ । ଏନେଇ ବିଧାନସଭାରେ ସମ୍ମାନ ଯୋଜନା ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଆତିଶ (Atishi Marlena) ।
04- ବନ୍ଦର ନିଷିଦ୍ଧାଞ୍ଚଳରେ ଗୋ ମାଂସ ଚାଲାଣ: ଏକ ଗାଡ଼ିରେ ଜାହାଜକୁ ପରିବା ମାଛ ଏବଂ କିଛି ଖାଦ୍ୟ ସମାଗ୍ରୀ ଚାଲାଣ ହେଉଥିବା ବେଳେ ଏଥିରେ ଚୋରା ଭାବେ ପେଟି ପେଟି ଗୋ-ମାଂସ ଚାଲାଣ ହେଉଥିବା ପର୍ଦ୍ଦାଫାସ ହୋଇଛି । ଗାଡ଼ିଟିକୁ ପାରାଦୀପ ଆଦର୍ଶ ଥାନା ପୋଲିସ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଭଳି ଗୋ ମାଂସ ଚୋରା ଚାଲାଣ ହେଉଥିବା ବେଳେ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ କିପରି ଯାଞ୍ଚ କରାଯାଉନାହିଁ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାରାଦୀପ ବଜରଙ୍ଗୀ ଦଳ।
05- ମୋକିମଙ୍କ ନିର୍ବାଚନ ଅସିଦ୍ଧ: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ମିଳିଛି ବଡ଼ ଝଟକା । ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ନାମାଙ୍କନ ବେଳେ ଭୁଲ ତଥ୍ୟ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଯାହାର ଶୁଣାଣି କରି ହାଇକୋର୍ଟ ଆଜି ଏଭଳି ରାୟ ଦେଇଛନ୍ତି । ସେତେବେଳେ ପ୍ରତିଦ୍ୱନ୍ଦ୍ୱୀ ଥିବା ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନାମାଙ୍କନପତ୍ରରେ ଭୁଲ ଥିବା ଦର୍ଶାଇ ଅଭିଯୋଗ କରିଥିଲେ । ନାମାଙ୍କନରେ ଅପରାଧିକ ତଥ୍ୟ ଦିଆଯାଇନଥିବା ଅଭିଯୋଗ କରିଥିଲେ ଦେବାଶିଷ ସାମନ୍ତରାୟ।
06- ଭିଜିଲାନ୍ସ ହାତରେ ଧରାପଡିଲେ ଅମିନ: ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି ବଲାଙ୍ଗିର ଅଗ୍ରପୁର ତହସିଲ ଅମିନ ସଦାନନ୍ଦ ସାହୁ । ଲାଞ୍ଚ ଟଙ୍କା ଜବତ କରିବା ସହିତ ସଦାନନ୍ଦଙ୍କ ଘର ଓ ଅଫିସ ସମେତ ଲିଙ୍କ୍ ଥିବା ସ୍ଥାନ ଗୁଡିକରେ ଚଢାଉ ଜାରି ରହିଛି ।
07- ଶୁଭୋଜିତଙ୍କୁ ଗାର୍ଡ ଅଫ୍ ଅନର: ଖୁବ୍ କମ ବୟସରେ ୮ ଜଣଙ୍କୁ ଅଙ୍ଗଦାନ କରିଥିବା ଭୁବନେଶ୍ୱରର ୮ ବର୍ଷୀୟ ବାଳକ ଶୁଭୋଜିତଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଏହି ଅବସରରେ ସତ୍ୟନଗର ଶ୍ମଶାନରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଏବଂ ଡିସିପି ପ୍ରତୀକ ସିଂହ ମଧ୍ୟ ଉପସ୍ଥିତ ଥିଲେ । ପରିବାର ଲୋକଙ୍କ ଉପସ୍ଥିତିରେ ଆଜି ଶୁଭୋଜିତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
08- ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ କ୍ୟାନସର୍ ! ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ କ୍ୟାନସର। ଏହି ଖବର କିଛି ଲୋକଙ୍କୁ ଝଟକା ଦେଇପାରେ। ଆଦିତ୍ୟ ଏଲ୍-୧ ଲଂଚି ଦିନ ହିଁ ଜଣାପଡିଥିଲା ସତ। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି । ଏତେ ବଡ଼ ଦୁଃଖ ଖବର ପାଇ ସାରିବା ପରେ ବି ଧୌର୍ଯ୍ୟର ସହକାରେ ପୂରା ଟିମକୁ ସମ୍ଭାଳି ମିଶନକୁ ସଫଳ କରାଇଥିଲେ ଡ. ଏସ୍ ସୋମନାଥ। ସୂଚନା ଅନୁସାରେ, ଏକ ସାକ୍ଷାତକାରରେ ଏସ୍. ସୋମନାଥ କହିଥିଲେ ଯେ, ଚନ୍ଦ୍ରାୟନ-୩ ମିଶନ ଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିଲା। ଯାହାକୁ ନେଇ ଚିନ୍ତାରେ ରହୁଥିଲେ ସେ । ପରେ ସେ ଏନେଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହି ଖବର ଜାଣିବା ପରେ ସୋମନାଥ ନିଜ ଧୌର୍ଯ୍ୟର ସହକାରେ ପରିସ୍ଥିତିର ସାମ୍ନା କରିଥିଲେ। ସୋମନାଥଙ୍କର ଏକ ରେଗୁଲାର ସ୍ବାସ୍ଥ୍ୟ ପରୀକ୍ଷା ହେବା ସହ ଏକ ଅସ୍ତ୍ରୋପ୍ରଚାର ମଧ୍ୟ ଏହାରି ଭିତରେ ଶେଷ ହୋଇଛି ।
09- ୩୬ ଡିଗ୍ରୀ ଉପରେ ୭ ସହରର ଦିନ ତାପମାତ୍ରା: ରାଜ୍ୟରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଯାଇଛି ଅସମ୍ଭାଳ ତାତି। ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟର ସାତୋଟି ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଉପକୂଳ ଓଡି଼ଶାରେ ତାପମାତ୍ରା ୧ରୁ ୨ ଡିଗ୍ରୀ କମିଛି। କିନ୍ତୁ ଆଭ୍ୟାନ୍ତରିଣ ଓଡି଼ଶାରେ ଦିନର ତାପମାତ୍ରା ୧ରୁ ୩ ଡିଗ୍ରୀ ଅଧିକ ରହିଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ ୪ରୁ ୫ ଦିନ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ।
10- ଏହି ସ୍ଥାନରେ ବର୍ଷା ସମ୍ଭାବନା: ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ସୁନ୍ଦରଗଡ଼, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେହିପରି ୭ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ସହ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୭ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ବଳ୍ପରୁ ମଧ୍ଯମ ଧରଣର ବର୍ଷା ହୋଇପାରେ ।
Also Read- ଆପଣଙ୍କ ଟୋଲ ଟଙ୍କା ସଞ୍ଚୟ କରିବ Google Maps, ଜାଣନ୍ତୁ ଏହି ପ୍ରକ୍ରିୟା
Also Read- Delhi Budget 2024: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତ୍ୟେକ ମହିଳା ପାଇବେ ୧୦୦୦ ଟଙ୍କା !