Top 10 News Today:ଡିସେମ୍ବର ପୁରୀ ଆସିବେ ରାଷ୍ଟ୍ରପତି, ଚଳିତ ବର୍ଷ ପଞ୍ଚୁକ ୪ ଦିନ ଏବଂ ସକାଳର ଅନ୍ୟ ମୁଖ୍ୟ ଖବର
Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
H1. ରାଧାପାଦ ଦର୍ଶନ କଲେ ୨ ଲକ୍ଷ ଶ୍ରଦ୍ଧାଳୁ
ପବିତ୍ର ଅଁଳା ନବମୀ ଉପଲକ୍ଷେ ସାକ୍ଷୀଗୋପାଳ ମନ୍ଦିରରେ ରାଧାରାଣୀଙ୍କ ପାଦଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ମା ରାଧାରାଣୀଙ୍କ ପାଦଦର୍ଶନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ୨ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପୂର୍ବ ରାତ୍ରୀରୁ ଦେବନୀତି ସମ୍ପନ୍ନ କରାଯାଇ ରବିବାର ଭୋର ୫ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ବ୍ୟାରିକେଡ଼ ମଧ୍ୟରେ ଯାଇ ମାଆଙ୍କର ପାଦ ଦର୍ଶନ କରିଥିଲେ। ଉତ୍ତର ଭାରତରୁ ଆସିଥିବାରୁ ରାଧାରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାଆନ୍ତି।
H2. ଏଥର ୪ ଦିନ ପଞ୍ଚୁକ
ଦିନକ ପରେ ଅର୍ଥାତ ମଙ୍ଗଳବାର ଠାରୁ କାର୍ତ୍ତିକ ମହାପଞ୍ଚୁକ ବ୍ରତ ଆରମ୍ଭ ହେବ। ପଞ୍ଚୁକ ୫ ଦିନ ମହାପ୍ରଭୁ ସ୍ୱତନ୍ତ୍ର ବେଶରେ ଶ୍ରଦ୍ଧାଳୁଙ୍କୁ ବର୍ଷକରେ ଥରେ ଦର୍ଶନ ଦେଇଥାଆନ୍ତି। ତେଣୁ ଏହି ୫ ଦିନକୁ ଚାତକ ଭଳି ଚାହି ରହିଥାଆନ୍ତି ଶ୍ରଦ୍ଧାଳୁ। ଚଳିତ ବର୍ଷ ତିଥି କ୍ଷୟ ପଡୁଥିବାରୁ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପାଳିତ ହେବ। ଫଳରେ ଭକ୍ତ ୪ ଦିନରେ ୪ଟି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଦେବ ଉତ୍ଥାପନ ଏକାଦଶୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚତୁର୍ଦ୍ଧାବିଗ୍ରହ ପ୍ରତ୍ୟହ ଭିନ୍ନ ଭିନ୍ନ ବେଶରେ ସୁସଜ୍ଜିତ ହୋଇ ଦର୍ଶନ ଦେବେ। ୧୨ ତାରିଖ ଅର୍ଥାତ ପଞ୍ଚୁକ ପ୍ରଥନ ଦିନରେ ଲକ୍ଷ୍ମୀନାରାୟଣ ବେଶ, ୧୩ ତାରିଖରେ ବାଙ୍କଚୁଡ଼ା ବେଶ, ୧୪ରେ ଡାଳିକିଆ ତଥା ତ୍ରିବିକ୍ରମ ବେଶ ଓ ୧୫ ତାରିଖରେ ରାଜାଧିରାଜ ବେଶ ବା ସୁନାବେଶରେ ମହାପ୍ରଭୁ ଦର୍ଶନ ଦେବେ।
H3. ଆଜି ଦିନିକିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଆଜି ଦିନିକିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ଧରିବେ ପ୍ରଚାର ମଙ୍ଗ, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ। ମାରାଥନ ସଭା ଓ ରୋଡ ଶୋ କରିବାର ରହିଛି କାର୍ଯ୍ୟକ୍ରମ। ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ତେଣୁ ଶେଷ ଦିନରେ ପୁରା ଦମ୍ ଲଗାଇବେ ସବୁ ରାଜନୈତିକ ଦଳ। ଓଡ଼ିଆ ବହୁଳ ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଲୋଡ଼ିବେ ଜନତାଙ୍କ ସମର୍ଥନ।
H4. ରାଜ୍ୟରେ ପ୍ରତିଷ୍ଠା ହେବ ୪ ମହିଳା କୋର୍ଟ
ରାଜ୍ୟରେ ମହିଳା ବିରୋଧୀ ହିଂସାର ଦଣ୍ଡବିଧାନ ହାର ବହୁତ କମ ରହିଛି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ୨୦୨୨ ସୁଦ୍ଧା ଓଡ଼ିଶାରେ ମହିଳା ହିଂସା ଦଣ୍ଡ ବିଧାନ ହାର କେବଳ ୯.୩ ପ୍ରତିଶତ। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର। ତେଣୁ ରାଜ୍ୟରେ ୪ଟି ମହିଳା କୋର୍ଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
H5. ରାଜଧାନୀରେ ଦୁର୍ଘଟଣା: ଜଣେ ମୃତ
ରବିବାର ରାତି ପ୍ରାୟ ସାଢେ ୧୦ଟାରେ ଭୁବନେଶ୍ବରରେ ଘଟିଛି ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ଯୁ ହୋଇଛି। ଜଣେ ଯୁବକ ଦ୍ରୁତ ଗତିରେ ଗାଡି ଚଲାଉଥିବା ବେଳେ ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡରକୁ ପିଟିବା ପରେ ଗଛକୁ ଜୋରରେ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଡେଲଟା ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୋଲିସ ମୃତଦେହ ଜବତ କରିବା ସହ ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମେଡିକାଲ ପଠାଇଛି ।
H6. ରୁଷ ଦେବ ନ୍ୟୁକ୍ଲିୟର ୱାର
ସମୁଦ୍ରରେ ଭାରତର ଶକ୍ତି ବୃଦ୍ଧି ହେବାକୁ ଯାଉଛି। ଭାରତୀୟ ନୌସେନା ଖୁବ୍ ଶୀଘ୍ର ଏହାର ନୂତନ ସାଥୀକୁ INS Tushil ରୂପରେ ପାଇବାକୁ ଯାଉଛି। ଋଷ-ୟୁକ୍ରେନ ଯୁଦ୍ଧ ହେତୁ ବିଳମ୍ବ ପରେ ଏହି ମାସ ଶେଷ ସୁଦ୍ଧା ରୁଷ ନିର୍ମିତ ଦୁଇଟି ଗାଇଡେଡ୍ କ୍ଷେପଣାସ୍ତ୍ର ଯୁଦ୍ଧ ଜାହାଜ ମଧ୍ୟରୁ ପ୍ରଥମକୁ ଭାରତ ଗ୍ରହଣ କରିବାକୁ ଯାଉଛି। ଏହି ଦୁଇଟି ଗାଇଡ୍ କ୍ଷେପଣାସ୍ତ୍ର ହାସଲ କରିବା ସହିତ ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇବ। ଏହା ନିଶ୍ଚିତ ଭାବେ ଚୀନ୍ ଏବଂ ପାକିସ୍ତାନର ମୁଣ୍ଡ ବିନ୍ଧାଇବ।
H7. ପୁରୀ ଆସିବେ ରାଷ୍ଟ୍ରପତି
ଡିସେମ୍ବର ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ରାଷ୍ଟ୍ରପତି । ଡିସେମ୍ବର ୪ରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ନୌସେନାର ସମରାଭ୍ୟାସରେ ହେବେ ସାମିଲ । ଡିସେମ୍ବର ୪ ନୌସେନା ଦିବସ ଉପଲକ୍ଷେ ଆୟୋଜିତ ହେବ ସମରାଭ୍ୟାସ । ପୁରୀର ବ୍ଲୁ ଫ୍ଲାଗ ବେଳାଭୂମିରେ ଅନୁଷ୍ଠିତ ହେବ ସମରାଭ୍ୟାସ । ଏହି ସମରାଭ୍ୟାସରେ ନିଜର ସାମୁଦ୍ରିକ କ୍ଷମତା ଓ ଶକ୍ତି ପ୍ରଦର୍ଶନ କରିବ ନୌସେନା ।
H8. ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ୫ ଅଭିଯୁକ୍ତ ଗିରଫ
ବାବା ସିଦ୍ଦିକି ହତ୍ୟା ମାମଲାରେ ଜଡିତ ଶିବାଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ବାହରାଇଚରେ ଗିରଫ କରାଯାଇଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏବଂ ୟୁପି ଏସଟିଏଫର ମିଳିତ ଦଳ ଏହି ପଦକ୍ଷେପ ନେଇଛନ୍ତି। ଅଭିଯୁକ୍ତମାନେ ନେପାଳକୁ ପଳାଇବାକୁ ଯୋଜନା କରିଥିଲେ। ନାନପାରା ପୋଲିସ ଷ୍ଟେସନରେ ଧରାପଡିଥିବା ଅଭିଯୁକ୍ତଙ୍କୁ ହସ୍ତାନ୍ତର କରିବା ପରେ ଦଳ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି। ଏହାପୂର୍ବରୁ ଏହି ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।
H9. ଚାମ୍ପିଅନସ ଟ୍ରଫି: ପାକିସ୍ତାନ ଯିବନି ଭାରତ
ବିସିସିଆଇ ନିକଟରେ ଆଇସିସିକୁ ସ୍ପଷ୍ଟ କରିଦେଇଛି ଯେ ସୁରକ୍ଷା କାରଣରୁ ଭାରତ ସରକାର ପାକିସ୍ତାନକୁ ଟିମ୍ ଇଣ୍ଡିଆ ପଠାଇବାକୁ ଅନୁମତି ଦେଇନାହାଁନ୍ତି। ଏଭଳି ପରିସ୍ଥିତିରେ ବିସିସିଆଇ ଟିମ୍ ଇଣ୍ଡିଆର ମ୍ୟାଚ୍କୁ ଏକ ନିରପେକ୍ଷ ସ୍ଥାନରେ ଆୟୋଜନ କରିବାକୁ ଦାବି କରିଥିବାବେଳେ ପିସିବି କହିଛି ଯେ ସେମାନେ ହାଇବ୍ରିଡ୍ ମଡେଲ୍ ପାଇଁ ପ୍ରସ୍ତୁତ ନୁହଁନ୍ତି। ବର୍ତ୍ତମାନ ପିସିବି ଏହି ପ୍ରସଙ୍ଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବିଷୟରେ ଚିନ୍ତା କରୁଛି ଏବଂ ଭାରତୀୟ ବୋର୍ଡକୁ କୋର୍ଟକୁ ନେବାକୁ ପ୍ରସ୍ତୁତ ହେଉଛି।
H10. ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ
ଭାରତ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ସ୍କ୍ୱାର୍ଡ ରବିବାର ଦିନ ଘୋଷଣା କରାଯାଇଛି। ନଭେମ୍ବର ୨୨ ରୁ ପର୍ଥରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍ ପାଇଁ ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ଦଳରେ ଦୁଇଟି ନୂଆ ଚେହେରାକୁ ସାମିଲ କରାଯାଇଛି। ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ନାଥାନ୍ ମ୍ୟାକସ୍ୱେନି ଏବଂ ଜୋସ୍ ଇଂଲିସ୍ ଚୟନ ହୋଇଛନ୍ତି।