1. ଆଜି କୁମାର ପୂର୍ଣ୍ଣମୀ। ଓଡ଼ିଆ କୁଆଁରୀ ଝିଅମାନେ ଆଜି ଜହ୍ନକୁ ପୁଷ୍ପାଞ୍ଜଳୀ ଦେବାର ପରମ୍ପରା ରହିଛି। ଗାଁ ଗହଳରେ ଜହ୍ନି ଓଷା ପାଳନ କରାଯାଇଥାଏ। ସହରର ବିଭିନ୍ନ ସ୍ଥାନରେ ଆଜି ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେବ। ଆଜି ରାତିରେ ଗଜଲକ୍ଷ୍ମୀଙ୍କ ପାଇଁ ଉଦ୍ଦିଷ୍ଟ ମୃଣ୍ମୟୀ ମୂର୍ତ୍ତିଙ୍କୁ ବୈଦିକ ରିତିରେ ଜୀବଦାନ ଦେବାର ବିଧି ରହିଛି। ବିଶେଷ କରି ଢେଙ୍କାନାଳ, ଅନୁଗୁଳ, ଭୁବନେଶ୍ୱରର କିଛି ଅଞ୍ଚଳରେ ସୁସଜ୍ଜିତ ମେଢ ଏବଂ ମଣ୍ଡପ ଦେଖିବାକୁ ମିଳିବ। ଦେଶର ବିଭିନ୍ନ ଅଞ୍ଚଳରେ ଏହି ଦିନ ଭିନ୍ନଭିନ୍ନ ଉପାୟରେ ଚାନ୍ଦ ପୂଜା କରାଯାଇଥାଏ। ଏହି ଉତ୍ସବକୁ ଶରଦ ପୂର୍ଣ୍ଣମୀ ଭାବେ ମଧ୍ୟ ପାଳନ କରି କେହି କେହି ଉପବାସ ନେଇଥାଆନ୍ତି। 


COMMERCIAL BREAK
SCROLL TO CONTINUE READING

2. ବ୍ରିଟିଶ ଭାଇସରାୟ ଲର୍ଡ କର୍ଜନ ୧୯୦୫ ମସିହା ଆଜିର ଦିନରେ ଭାରତର ବଙ୍ଗ ପ୍ରଦେଶକୁ ଦୁଇ ଭାଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଭାରତୀୟଙ୍କ ଭାଇଚାରା, ଏକତାକୁ ଧ୍ୱଂସ କରି ସେମାନଙ୍କ ଭିତରେ ଫାଟ ସୃଷ୍ଟି କରିବାକୁ ଉଦ୍ଦିଷ୍ଟ ଥିଲା। ଏହି ନିଷ୍ପତ୍ତିକୁ ନିନ୍ଦା କରି କିଛି ସ୍ଥାନରେ ବଙ୍ଗ ଭଙ୍ଗ ଦିବସ ଭାବେ ଏହାକୁ ପାଳନ କରାଯାଉଛି। 


3. ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ। ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ନବୀନଙ୍କ ଜନ୍ମ ହୋଇଥିଲା। ସେ ଓଡ଼ିଶାର ସବୁଠାରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ରହିଛନ୍ତି। ଗତ ନିର୍ବାଚନରେ ତାଙ୍କର ୨୪ ବର୍ଷର ଶାସନ ଅନ୍ତ ହୋଇ ବିଜେପି ରାଜ୍ୟର ମଙ୍ଗ ଧରିଛି। ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପୁର୍ବରୁ ଦେଶର କୋଇଲା ଓ ଇସ୍ପାମ ମନ୍ତ୍ରୀ ଥିଲେ। ବିଜୁ ପଟ୍ଟନାୟକଙ୍କ ପୁତ୍ର ଭାବେ ପରିଚିତ  ନବୀନ ପଟ୍ଟନାୟକ ରାଜନୀତିକୁ ଆସିବା ପୂର୍ବରୁ ଜଣେ ଲେଖକ ଭାବେ ପ୍ରତିଷ୍ଠା ଅର୍ଜନ କରିଥିଲେ। 


4. ଆସନ୍ତା ୨୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ଏହା ଏକ ତିନିଦିନିଆ ଗସ୍ତ ହେବ। ଏହି ଅବସରରେ ସେ ପୁରୀ, ଭୁବନେଶ୍ୱର ଏବଂ ମୟୁରଭଞ୍ଜର ବିଭିନ୍ନ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିନେଇ ସୁରକ୍ଷା ଏବଂ ପ୍ରୋଟକଲ ବାବଦୀୟ ଏକ ବୈଠକ ଅନୁଷ୍ଠିତ ହୋଇଛି।  ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି। 


5. ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ  ବିଧାନସଭା ଲାଗି ତାରିଖ ଘୋଷଣା କରାଯାଇଛି। ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରରେ ଭୋଟ ଗ୍ରହଣ କରାଯିବ। ୨୮୮ ଆସନ ଲାଗି ଏହା ଏକକ ପର୍ଯ୍ୟାୟ ଭୋଟ ହେବ। କିନ୍ତୁ ଝାଡ଼ଖଣ୍ତ ଲାଗି ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ୮୧ ଆସନ ବିଶିଷ୍ଟ  ଝାଡ଼ଖଣ୍ଡ ବିଧାନସଭା ଲାଗି ନଭେମ୍ବର ୧୩ ଓ ୨୦ ତାରିଖକୁ ଭୋଟ ଗ୍ରହଣ ତାରିଖ ଭାବେ ଗ୍ରହଣ କରାଯାଇଛି। ଏହା ସହ ୧୫ ରାଜ୍ୟର ୪୮ ବିଧାନସଭା ଏବଂ ୨ ଲୋକସଭା ଆସନ ଲାଗି ଉପ ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିଛନ୍ତି ନିର୍ବାଚନ ଆୟୁକ୍ତ। ୧୩ ନଭେମ୍ବରରେ ଏହି ନିର୍ବାଚନ ହେବ। 


6. ଫ୍ରିକ୍ୱେନ୍ସୀ ମଡ୍ୟୁଲେଟେଡ୍‍ ବା ଏଫ୍‍ଏମ୍‍ ରେଡିଓକୁ ଅପରିଚିତ ସହରରେ ପରିଚିତ କରିବା ଲାଗି ଭାରତ ସରକାର ଫ୍ରିକ୍ୱେନ୍ସୀ ବା ତରଙ୍ଗ ନିଲାମ କରିବାବାକୁ ବିଜ୍ଞପ୍ତି ଆହ୍ୱାନ କରିଛନ୍ତି। ଏହି ଅନୁସାରେ ଦେଶର ୨୩୪ଟି ଅଣ ପରିଚିତ ସହରରେ ୭୩୦ଟି ନୂଆ ଘରୋଇ ଏଫ୍‍ଏମ୍‍ ଖୋଲିବ। ୨୦୨୨ର ଟ୍ରାଇ ନିୟମାବଳୀ ଅନୁସାରେ ଏହାର ମୂଲ୍ୟ ନିର୍ଦ୍ଧାରଣ ରାଯାଇଛି। ଏହା ଏଫ୍‍ଏମ୍‍ ରେଡିଓ ତୃତୀୟ ପର୍ଯ୍ୟାୟର ତୃତୀୟ ବ୍ୟାଚ୍‍ ନିଲାମ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ୧୮ ନଭେମ୍ବର ଯାଏ ଆବେଦନ କରାଯାଇପାରିବ।


7. ରାଜ୍ୟରେ ଧାନ କିଣା ଲାଗି ପ୍ରସ୍ତୁତ ହୋଇଛନ୍ତି ସରକାର। କୃଷକଙ୍କ ସମସ୍ତ ଧାନକୁ କିଣିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି, ଏହା ପୁଣି କ୍ବିଣ୍ଟାଲ ପ୍ରତି ୩୧୫୦ ଟଙ୍କା ଦରରେ । ପୂର୍ବ ଶାସନ ସମୟରେ ଯେମିତି କଟନୀ ଛଟନୀ ନାଁରେ ଚାଷୀଙ୍କୁ ହଇରାଣ କରାଯାଉଥିଲା ତାହା ହେବ ନାହିଁ ବୋଲି ସରକାର ପ୍ରତିଶୃତି ଦେଇଛନ୍ତି। ପ୍ରଯୁକ୍ତି ବିଦ୍ୟା ସହାୟତାରେ ଧାନରେ ଆର୍ଦ୍ରତାକୁ ଯାଞ୍ଚ କରାଯିବ ଏବଂ ସେହି ଅନୁସାରେ ଓଜନ ସ୍ଥିର କରାଯିବ ବୋଲି ସରକାର ଜଣାଇଛନ୍ତି। ଏହି ପ୍ରକ୍ରିୟାକୁ ସୁରୁଖୁର କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ପଡ଼ୋଶୀ ରାଜ୍ୟର ମିଲର ତଥା ଚାଷୀ ଯେମିତି ଏଠାରେ ଧାନ ବିକିବେ ନାହିଁ ତାହାକୁ ଦୃଷ୍ଟିରେ ରଖି ପଡ଼ୋଶୀ ରାଜ୍ୟ ସୀମାକୁ ସିଲ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାପାଳଙ୍କୁ ଆବଶ୍ୟକତା ଅନୁସାରେ ଟୋକନ ବାଣ୍ଟିବା, ଟୋକନ ସଂଖ୍ୟା ବୃଦ୍ଧି ପାଇଁ କ୍ଷମତା ଦିଆଯାଇଛି। 


8. ଶ୍ରୀମନ୍ଦିରରେ କେବଳ  ଓମଫେଡ୍‍ ଘିଅରେ ହିଁ କାମ ହେବ। ରନ୍ଧନ ଓ ଦୀପ ଜାଳିବା ସବୁ କ୍ଷେତ୍ରରେ ଏହି ଘିଅ ବ୍ୟବହାର ହେବ। ଏଥିନେଇ ପୂର୍ବ ଆଦେଶକୁ ଆହୁରି କଠୋର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ପ୍ରଶାସୌକ ସୁଆରଙ୍କ ଆବଶ୍ୟକତାକୁ ଅନୁଭବ କରି ଶ୍ରୀମନ୍ଦିରରେ ଏକ ଓମଫେଡ୍‍ ଡିପୋ ଖୋଲିବାକୁ ଓମଫେଡ୍‍ ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଓମଫେଡ୍‍ ହେଉଛି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଦୁଗ୍ଧ ଉତ୍ପାଦନ ବିତରଣ ନିମନ୍ତେ ଚାଷୀମାନଙ୍କ ଏକ ସମବାୟ ମହାସଂଘ। 


9. ଏଣିକି ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ଲାଗି ଆବଶ୍ୟକ ପରୀକ୍ଷା ଏଆଇ ମାଧ୍ୟମରେ କରାଯିବ। ରାଜ୍ୟର ୧୯ଟି ଆର୍‍ଟିଓଙ୍କୁ ଏ ବାବଦରେ ନୋଟିସ ହୋଇଛି। ସମସ୍ତ ଆର୍‍ଟିଓଙ୍କୁ ଏ ବ୍ୟବସ୍ଥା ଲାଗୁ ଉପରା ଗୁରୁତ୍ୱ ଦେବାକୁ କୁହାଯାଇଛି। ଗଲା ୬ ବର୍ଷ ହେଲା ବିଭିନ୍ନ ଆର୍‍ଟିଓରେ ଏଡି ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଥିଲା। ଏହାର ସଫଳତା ପରେ ଏେବ ସମୁଦାୟ ବ୍ୟବସ୍ଥାକୁ ଏଆଇ ପରିଚାଳିତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ପରିବହନ ବିଭାଗ। 


10. ମହାରାଷ୍ଟ୍ରର ମନ୍ତ୍ରୀ ବାବା ସଦ୍ଦିକିଙ୍କୁ ହତ୍ୟା କରାଯିବାର ଯୋଜନା ତିନିମାସ ପୂର୍ବରୁ ହୋଇଥିଲା। ଏବଂ ସେମାନେ ବାବା ସିଦ୍ଦିକିଙ୍କ ଘରକୁ ବାରମ୍ବାର ଆସି ତାଙ୍କ ସହ କଥାବାର୍ତ୍ତା କରିଥିବା ନେଇ ପୁଲିସ କହିଛି। ମହାରାଷ୍ଟ୍ର ପୁଲିସ ଅନୁସାରେ ସେମାନେ ପରସ୍ପର ଭିତରେ କଥା ହେବା ଲାଗୀ ଫୋନ ନୁହେଁ ବରଂ ଇନ୍‍ଷ୍ଟାଗ୍ରାମ, ମେସେଞ୍ଜରକୁ ଅଧିକ ବ୍ୟବହାର କରୁଥିଲେ।