ରାଜଧାନୀର ଭୂତଳ ମାର୍କେଟରେ ଲାଗିଲା ନିଆଁ
ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବହୁ ସମୟର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାଯାଇଛି। ୟୁନିଟ-୧ ଓ ୟୁନିଟ-୨ ମାର୍କେଟକୁ ସଂଯୋଗ କରୁଥିବା ଭୂତଳ ମାର୍କେଟରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ତାହା ଏକ ଭୂତଳ ମାର୍କେଟ ହୋଇଥିବାରୁ ପ୍ରବେଶ ପଥ ଓ ପ୍ରସ୍ଥାନ ପଥ ହିଁ ବାଟ ଥିଲା।


COMMERCIAL BREAK
SCROLL TO CONTINUE READING

ବଢିଲା ଗ୍ୟାସ ଦର
ଆଜି ଠୁ ନୂଆ ନଭେମ୍ବର ମାସ ପାଇଁ ନୂଆ ଦର ଲାଗୁ ହୋଇଛି। ଘରୋଇ ସିଲିଣ୍ଡରରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ୧୯ କିଲୋ ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡର ପିଛା ୬୨ ଟଙ୍କା ବୃଦ୍ଧି କରାଯାଇଛି। ତେବେ ତୈଳ କମ୍ପାନୀଗୁଡିକ ମୁଦ୍ରାସ୍ଫୀତି ଉପରେ ଏକ ବଡ଼ ଝଟକା ଦେଇଛନ୍ତି। ଏହି କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘୋଷଣା କରିଛନ୍ତି। ୧ ନଭେମ୍ବର ୨୦୨୪ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ଇଣ୍ଡିଆନ୍ ଅଏଲ୍ ନଭେମ୍ବର ୧ରୁ ବାଣିଜ୍ୟିକ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୬୨ ଟଙ୍କା ବୃଦ୍ଧି କରିଥିବା ବେଳେ ସିଲିଣ୍ଡର ଦର ୧୮୦୨ ଟଙ୍କାରେ ପହଞ୍ଚିଛି। 


୨ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ, ପରିବାର ସହିତ ପାଳିଲେ ଦୀପାବଳୀ
୨ ଦିନିଆ କେନ୍ଦୁଝର ଗସ୍ତରେ ଯାଇ ନିଜ ଗାଁ ରାଇକଳାରେ ଦୀପାବଳି ପାଳିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଘରେ ଦୀପ ଲଗାଇ ସପରିବାର ସହ ଦୀପାବଳି ଉତ୍ସବ ପାଳିଛନ୍ତି ମୁଖ୍ୟମନ୍ତ୍ରୀ। ପରେ ଗ୍ରାମବାସୀଙ୍କ ସହ ମିଶି ପାରମ୍ପରିକ ଗୀତ ଗାଇବା ସହ ମାଦଳ ବାଜା ବଜାଇଥିଲେ। ପୂର୍ବ ପରମ୍ପରା ଓ ସଂସ୍କୃତିକୁ ଭୁଲିପାରିନାହାନ୍ତି ମୁଖ୍ୟମନ୍ତ୍ରୀ। ଗାଁର ବନ୍ଦନା ପର୍ବରେ ଯୋଗ ଦେଇଛନ୍ତି ମୋହନ ମାଝୀ। ଏହାସହ ଓଡ଼ିଶାବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାଛଡା  କେନ୍ଦୁଝର ମଣ୍ଡୁଆ ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ଅଭିଯୋଗ ଓ ମତାମତ ଗ୍ରହଣ କରୁଛନ୍ତି।   


ଲଣ୍ଡନ ଯିବେ ଉପମୁଖ୍ୟମନ୍ତ୍ରୀ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଦେଶ ଗସ୍ତରେ ଯିବେ। ଉପମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀମତୀ ପରିଡ଼ା ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରୁଛନ୍ତି। ସେ ଆସନ୍ତା ୨ ତାରିଖ ଠାରୁ ୭ ଦିନ ପାଇଁ ଲଣ୍ଡନ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ‘Tourism Odyssey: Strengthening ties with Diaspora and Industry Leaders” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀମତୀ ପରିଡ଼ା ସାତଦିନିଆ ଲଣ୍ଡନ ଗସ୍ତ କରିବେ।


ନଦୀ ମୁହାଣ ଓ ସମୁଦ୍ରରେ ମାଛଧରା ନିଷେଧ
ଆଜିଠୁ ୭ ମାସ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା ଜାରି କରାଯାଇଛି। ମେ’ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ସମୁଦ୍ରକୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛଧରା ନିଷେଧ କରାଯାଇଛି। ଏଥିସହ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସହ ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମାଛ ଧରିବା ଉପରେ ରୋକ୍ ଲାଗିଛି। ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଏହି କଟକଣା ଲାଗିଛି। ନଭେମ୍ବର ୧ ତାରିଖ ଠାରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଗହୀରମଥାକୁ ଶହ ଶହ ନଟିକାଲ ମାଇଲ ଅତିକ୍ରମ କରି ଅଲିଭ ରିଡଲ କଇଁଛ ସେମାନଙ୍କ ବଂଶ ବିସ୍ତାର ପାଇଁ ଆସିଥାନ୍ତି।


ଭୁବନେଶ୍ୱରରେ ସ୍ଥାପନ ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ
ରାଜଧାନୀ ଭୁବନେଶ୍ୱରରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ(ଏନଏସଡି)ର ଆଂଚଳିକ ଶାଖା କାର୍ଯ୍ୟ କରିବ । ଏନେଇ ଓଡ଼ିଶା ସରକାର ବିଧିବଦ୍ଧ ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି । ଏହା ଅସ୍ଥାୟୀ ଭାବେ ଏବେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରୁ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ରାଜ୍ୟ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଂଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରାଯାଇଥିଲା । ଏହାପରେ ସରକାରଙ୍କ ପକ୍ଷରୁ ଆଂଚଳିକ ଶାଖା ପ୍ରତିଷ୍ଠା ପାଇଁ ବିଧିବଦ୍ଧ ଭାବେ ଅନୁମୋଦନ ମିଳିଛି।


ଆଜି ଶ୍ରୀମନ୍ଦିରରେ ଦୀପାବଳୀ
ଆଜି ଶ୍ରୀମନ୍ଦିରରେ ଦୀପାବଳୀ ସହ ଅମାବାସ୍ୟା ନୀତି ପାଳନ ହେବ । ଏଥିସହ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡ଼ିଆଙ୍କୁ କାଉଁରିଆ କାଠି ମଧ୍ୟ ଜାଳିବେ । ପଞ୍ଜିକା-ପଞ୍ଜିକା ଭିତରେ ଅସାମଞ୍ଜସ୍ୟତା ଓ କ୍ୟାଲେଣ୍ଡରରୁ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ସୂଚନାରୁ କିଏ ଗତକାଲି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଛନ୍ତି, ତ କିଏ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି । ସେପଟେ ଗତକାଲି ଅମାବାସ୍ୟା ନ ପଶୁଣୁ ଶ୍ରୀମନ୍ଦିର ସାମ୍ନାରେ କାଉଁରିଆ କାଠି ଜଳିଥିଲେ କିଛି ଭକ୍ତ । ତେବେ ଜ୍ୟୋତିର୍ବିଦ୍ ଓ ଗବେଷକଙ୍କ ମତରେ, ଗତକାଲି ଅପରାହ୍ଣ ସାଢ଼େ ୩ଟା ପରେ ଅମାବାସ୍ୟା ପ୍ରବେଶ କରିଥିବାରୁ ଗତକାଲି ବଡ଼ବଡୁଆ ନ ଡାକିବାକୁ ସେମାନେ କହିଥିଲେ ।


ଦୀପାବଳିରେ ବିଭିନ୍ନ ସ୍ଥାନରେ ଅଘଟଣ, ଜଣେ ମୃତ, ଏକାଧିକ ଆହତ
ଦୀପାବଳି ଉତ୍ସବ ପାଳନ ବେଳେ ରାଜଧାନୀରେ ଅଘଟଣ । ବାଣ ଫୁଟାଇ ଆହତ ହେଲେ ସ୍ୱାମୀ-ସ୍ତ୍ରୀ । ଦମ୍ପତ୍ତିଙ୍କ ହାତ ଜଳିଥିବା ବେଳେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨୫ରୁ ଅଧିକ ଲୋକ ବାଣ ନିଆଁରେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କ୍ୟାପିଟାଲ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଆହତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଛି।  ସେହିଭଳି କଟକରେ ମଧ୍ୟ ବିଳମ୍ୱିତ ରାତି ସୁଦ୍ଧା ୨୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ପୁରୀରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି। 


ଦୀପାବଳୀ ପରେ ବିଷ ବଳୟ ପାଲଟିଛି ଦିଲ୍ଲୀ ବାୟୁମଣ୍ଡଳ
ଦୀପାବଳୀ ପରେ କେନ୍ଦ୍ରୀୟ ରାଜଧାନୀର ବାୟୁମଣ୍ଡଳ ବିଷ ବଳୟ ମଧ୍ୟକୁ ଠେଲି ହୋଇଯାଇଛି। ଏହାର AQI ଅତ୍ୟନ୍ତ ଖରାପ ବର୍ଗରେ ରହିଛି। ଅନେକ ସ୍ଥାନରେ AQI 350 ଅତିକ୍ରମ କରିଛି। ଦିଲ୍ଲୀର ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣଫୁଟା ଉପରେ ରୋକ ଲଗାଇ ଦିଆଯାଇଥିଲା। ତଥାପି ଦିଲ୍ଲୀ ଏବଂ ଏନସିଆରରେ ଅନେକ ସ୍ଥାନରେ ପ୍ରଚୁରମାତ୍ରାରେ ବାଣ ଫୁଟାଯିବାର ଦେଖିବାକୁ ମିଳିଥିଲା। ଏହି କାରଣରୁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ମଣ୍ଡର ପ୍ରଦୁଷଣ ମାତ୍ରା 'ଅତିଭୟଙ୍କର' ସ୍ତରରେ ପହଞ୍ଚିଥିବା ଜଣାପଡ଼ିଛି ଏଥିରେ ଆନନ୍ଦ ବିହାର ଏବଂ ସରିତା ବିହାରରେ AQI ସ୍ତର ସର୍ବାଧିକ (300) ଥିଲା। ଏହି ଅବଧିରେ ଆଖିରେ ଜଳାପୋଡ଼ା ହେଉଥିବା ଦେଖିବାକୁ ମିଳିଥିଲା। 


ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ସ୍କ୍ୱାଡ ଘୋଷଣା କଲା ଦକ୍ଷିଣ ଆଫ୍ରିକା
ପୁଣି ଥରେ ଟି-୨୦ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା। ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ଫାଇନାଲ ପରେ ଏବେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳା ହେବାକୁ ଯାଉଛି। ଏହି ସିରିଜ ଖେଳିବାକୁ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଥିବା ସିରିଜ ପାଇଁ ଆଜି ଘରୋଇ ଦଳ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଜୁନ ୨୯ରେ ଭାରତୀୟ ଟିମ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟ୍ରଫି କବଜା କରିଥିଲା। ଏବେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ଫାଇନାଲ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ବିଶ୍ୱକପ ଫାଇନାଲ ପରେ ଉଭୟ ଦେଶ ପ୍ରଥମଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି।