H1. ମାଡ଼ି ଆସୁଛି ‘ଦାନା’: ଆଜି ରାତିରେ ରଚିବ ତାଣ୍ଡବ ଲୀଳା
ଭୀଷଣ ବାତ୍ୟାର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ସମୁଦ୍ରରେ ବଳ ଗୋଟାଇ ଉପକୂଳ ଆଡ଼କୁ ମାଡ଼ି ଆସୁଛି ‘ଦାନା’ । ଆଜି ରାତିରେ ସ୍ଥଳଭାଗ ଛୁଇଁ ରଚିବ ତାଣ୍ଡବ ଲୀଳା । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୦୦ ରୁ ୧୨୦ କିମି ରହିବ। ପ୍ରଭାବରେ ଅତିରୁ ଅତିପ୍ରବଳ ବର୍ଷା ହେବ।  ବର୍ତ୍ତମାନ ଏହା ପାରାଦୀପଠାରୁ ୨୮୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୩୧୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟା‌ପ୍ରତି ୧୫ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଦାନା। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଭୀଷଣ ବାତ୍ୟା ରୂପରେ ‘ଦାନା’ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବ। ଆଜି ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବ, ଯାହା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଜାରି ରହିବ।


COMMERCIAL BREAK
SCROLL TO CONTINUE READING

H2. ଆତଙ୍କିତ ହୁଅନ୍ତୁ ନାହିଁ, ସତର୍କ ରୁହନ୍ତୁ: ମୁଖ୍ୟମନ୍ତ୍ରୀ
ଗୁରୁବାର ରାତିରେ ବାତ୍ୟା ‘ଦାନା’ ଓଡ଼ିଶାରେ ସ୍ଥଳଭାଗ ଛୁଇଁବ। ହାତରେ ଆଉ କମ୍‌ ସମୟ ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଜରିଆରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଆପଣମାନେ କୌଣସି ପରିସ୍ଥିତିରେ ଭୟଭୀତ ବା ଆତଙ୍କିତ ହୁଅନ୍ତୁ ନାହିଁ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି।  ଆପଣମାନେ ସୁରକ୍ଷିତ ହାତରେ ଅଛନ୍ତି। ବିପଦ ଟଳିବା ପର୍ଯ୍ୟନ୍ତ ସମସ୍ତେ ସୁରକ୍ଷିତ ଓ ସତର୍କ ରୁହନ୍ତୁ।


H3.ଦୁଇ ଦିନ ଯାଏ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ହବିଷ୍ୟାଳି
ବାତ୍ୟା ଦାନା ମାଡ଼ରୁ ବର୍ତ୍ତିବା ପାଇଁ ଚାଲିଛି ବଡ଼ ତୟାରି। ବାତ୍ୟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ସେଥିପାଇଁ ମନ୍ଦିର ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି। ଆନନ୍ଦ ବଜାରରେ ଅସ୍ଥାୟୀ ଟିଣ ବାହାର କରିଦିଆଯାଇଛି। ବର୍ଷା ପାଣିରୁ ରକ୍ଷା ପାଇଁ ଅସ୍ଥାୟୀ ଖଟସେଜ ଘର ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି।


H4. ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ-ବଟନିକାଲ୍ ଗାର୍ଡେନ୍
ଝଡ଼଼ ପୂର୍ବରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କୋଳାହଳର ପରିବେଶ । ବିଶ୍ରାମ ମୁଦ୍ରାରେ ମହାବଳ। ଖୋଲା ଆକାଶ ତଳେ ବିନ୍ଦାସ ବିଚରଣ କରୁଛି ସିଂହ। ଭାଲୁ ବି ମଉଜ ମସ୍ତିରେ ମାତିଛି। ଆଉ ଏହି ଜଙ୍ଗଲୀ ଜନ୍ତୁ ସବକୁ ପାଖରୁ ଦେଖି ଖୁସି ହେଉଛନ୍ତି ଦେଖେଣାହାରୀ। ନିଜ ମୋବାଇଲ କ୍ୟାମେରାରେ କଏଦ କରୁଛନ୍ତି ଦେଶୀ ବିଦେଶୀ ପର୍ଯ୍ୟଟକ। ହେଲେ କାଲିଠାରୁ ୨ ଦିନ ଯାଏଁ ବନ୍ଦ ରହିବ ନନ୍ଦନକାନନ। ବାତ୍ୟା ଦାନା ଓ ଏହାର ପ୍ରଭାବରେ ହେବାକୁ ଥିବା ବର୍ଷାକୁ ଦୃଷ୍ଟିରେ ରଖି ୨୪ ଏବଂ ୨୫ ତାରିଖ ଦୁଇ ଦିନ ଲାଗି ଜୁ' ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।


H5.ରାଜ୍ୟ ମହିଳା ଆୟୋଗର ସମସ୍ତ ସଦସ୍ୟଙ୍କୁ ହଟାଇଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଥିବା ମୋହନ ମାଝୀ  ସରକାର ଆଜି ଚେୟାରମ୍ୟାନ୍ ତଥା ଓଡିଶା ରାଜ୍ୟ ମହିଳା ଆୟୋଗର ସମସ୍ତ ସଦସ୍ୟଙ୍କୁ ସେମାନଙ୍କ ପଦରୁ ହଟାଇ ଦେଇଛନ୍ତି। ରାଜ୍ୟ ସରକାର ଏକ ବୟାନରେ କହିଛନ୍ତି ଯେ ଓଡିଶା ଏସସିଡବ୍ଲୁ ଚେୟାରମ୍ୟାନ୍ ମିନତୀ ବେହେରା ଏବଂ ଆୟୋଗର ସମସ୍ତ ସଦସ୍ୟ - ସ୍ୱର୍ଣ୍ଣଲତା ସାମଲ, ସୁଜତା ଦିଗଲ, ବିଜୟା ବାରୱା ଏବଂ ବବିତା ସ୍ୱାଇଁଙ୍କୁ ସେମାନଙ୍କ ପଦରୁ ହଟାଇ ଦିଆଯାଇଛି।


H6.ବାତ୍ୟା ମୁକାବିଲା ନେଇ ରେଳମନ୍ତ୍ରୀଙ୍କ ସମୀକ୍ଷା
ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଭର୍ଚୁଆଲ୍‌ ମାଧ୍ୟମରେ ପୂର୍ବତଟ ଓ ଦକ୍ଷିଣପୂର୍ବ ରେଳପଥର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସର୍ବନିମ୍ନ ବ୍ୟାଘାତ ସହ ସର୍ବାଧିକ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ଏବଂ ଯାତ୍ରୀଙ୍କ ସୁରକ୍ଷା ଉପରେ ଶ୍ରୀ ବୈଷ୍ଣବ ଗୁରୁତ୍ବାରୋପ କରିଛନ୍ତି। ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ରେଲୱେ ବୋର୍ଡ ଅଧ୍ୟକ୍ଷ, ସିଇଓ, ସମସ୍ତ ସଦସ୍ୟ, ପୂର୍ବତଟ ଓ ଦକ୍ଷିଣପୂର୍ବ ରେଳପଥର ମହାପ୍ରବନ୍ଧକ, ଖଡ଼ଗପୁର, ଚକ୍ରଧରପୁର, ଆଦ୍ରା ଓ ଖୋର୍ଦ୍ଧାରୋଡ୍‌ ଡିଭିଜନ୍‌ର ଡିଭିଜନାଲ ରେଲୱେ ମ୍ୟାନେଜର ପ୍ରମୁଖ ସାମିଲ ହୋଇଥିଲେ।


H7.ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ
ଚଳିତ ବର୍ଷର ଡିଜି ପୁଲିସ ଓ ଆଜି ପୁଲିସ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇପାରେ। ଏଥିଲାଗି ଅକ୍ଟୋବର ୨୯ ତାରିଖକୁ ସ୍ଥିର କରାଯାଇଛି। ଏହା ୩ ଦିନ ଧରି ଚାଲିବ। ୧ ତାରିଖରେ ଉଦ୍‍ପନୀ ହେବ। ଏହି ବୈଠକରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। 


H8.ମ‌ୋଦୀ-ଜିନପିଙ୍ଗ୍ ଭେଟ: ସୀମାରେ ଶାନ୍ତି ବଜାୟ ରଖିବାକୁ ଗୁରୁତ୍ବାରୋପ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଗତ ପାଞ୍ଚ ବର୍ଷ ମଧ୍ୟରେ ରୁଷିଆର କଜାନରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ସେମାନଙ୍କର ପ୍ରଥମ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ବୈଠକ ପ୍ରାୟ ୫୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ​​। ଯେତେବେଳେ ଡେପସାଙ୍ଗ ସମତଳ ଅଞ୍ଚଳ ଏବଂ ଡେମଚୋକ ଅଞ୍ଚଳରେ ଭାରତର ଚୀନ୍ ପରସ୍ପରର ପାଟ୍ରୋଲିଂ ଅଧିକାର ଫେରାଇ ଆଣିବାକୁ ରାଜି ହୋଇ ସାରିଛନ୍ତି ସେତେବେଳେ ଦୁଇଦିନ ପରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବ ଲଦାଖରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି) ସହିତ ବିବାଦର ସମାଧାନ ପାଇଁ ପ୍ରୟାସରେ ନୂଆ ଦିଗ ଏହି ବୈଠକ ଦ୍ବାରା ମିଳିବ ବୋଲି ଚର୍ଚ୍ଚା ହେଉଛି।


H9.ଜିମ୍ବାୱେ କ୍ରିକେଟ ଦଳର ଇତିହାସ
ବୁଧବାର ଦିନ ଜିମ୍ବାୱେ କ୍ରିକେଟ୍ ଦଳ ଜବରଦସ୍ତ ଇତିହାସ ସୃଷ୍ଟି କରିଛି। ଜିମ୍ବାୱେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ସ୍କୋର କରିଛି। ଜିମ୍ବାୱେ ୨୦ ଓଭରରେ ୪ ୱିକେଟ୍ ହରାଇବା ପରେ ଗାମ୍ବିଆ ବିପକ୍ଷରେ ୩୪୪ ରନ୍ ସଂଗ୍ରହ କରିଥିଲା। ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ସବ୍ ରିଜନାଲ ଆଫ୍ରିକା କ୍ୱାଲିଫାୟର୍ ଗ୍ରୁପ୍ ବି ୨୦୨୪ ମ୍ୟାଚ୍ ରେ ଏହି କୀର୍ତ୍ତିମାନ ଦେଖିବାକୁ ମିଳିଥିଲା ।


H10. ଆଜିଠୁ ଦ୍ୱିତୀୟ ଟେଷ୍ଟ
ଗୁରୁବାର ଦିନ ଠାରୁ ପୁଣେରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଏହି ଟେଷ୍ଟ ସିରିଜରେ ଭାରତ ବର୍ତ୍ତମାନ ୦-୧ ରେ ପଛୁଆ ରହିଛି ଏବଂ ପୁଣେରେ ଟିମ୍ ଇଣ୍ଡିଆ ବିଜୟ ହେବା ଲକ୍ଷ୍ୟ ନେଇ ଖେଳିବ। କିୱି ଦଳ ବିପକ୍ଷରେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସାମ୍ବାଦିକ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିଛନ୍ତି। ସେ କେ.ଏଲ୍ ରାହୁଲଙ୍କୁ ସମର୍ଥନ କରିଥିଲେ ଏବଂ ଋଷଭ ପନ୍ତ ଏବଂ ଜସପ୍ରୀତ ବୁମ୍ରା ଏବଂ ଅନ୍ୟାନ୍ୟ ବିଷୟ ବିଷୟରେ ମଧ୍ୟ କହିଥିଲେ।