ଆଜି ମନମୋହନଙ୍କ ଶେଷକୃତ୍ୟ
ଆଉ କିଛି ସମୟ ପରେ ପଞ୍ଚଭୂତରେ ଲୀନ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ। ଦିନ ୧୧ଟା ୪୫ ମିନିଟରେ ନିଗମବୋଧ ଘାଟରେ ହେବ ସ୍ବର୍ଗତ ମନମୋହନ ସିଂହ ଶେଷକୃତ୍ୟ। ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ। ମନମୋହନ ସିଂହଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହେବ। ସକାଳ ସାଢ଼େ ୯ଟାରେ ଏଆଇସିସି ମୁଖ୍ୟାଳୟରୁ ଶ୍ମଶାନ ପର୍ଯ୍ୟନ୍ତ ମନମୋହନ ସିଂହଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହେବ। 


COMMERCIAL BREAK
SCROLL TO CONTINUE READING

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା
ଆଜି ଓ ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା । ପଶ୍ଚିମାଝଡ଼ ପ୍ରଭାବରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲା ଓ ଉତ୍ତର ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ଦୁଇ ଦିନ ତଳେ ଲଘୁଚାପ ପ୍ରଭାବରେ ହୋଇଥିବା ବର୍ଷାରେ ରାଜ୍ୟର ହଜାର ଏକର ଚାଷ ପ୍ରଭାବିତ ହୋଇଥିଲା। ପଶ୍ଚିମା ଝଡ଼ ଆଜି ବରଗଡ, ବଲାଙ୍ଗିର, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି । ଆସନ୍ତାକାଲି ଝାରସୁଗୁଡ଼ା, ସନ୍ଦିରଗଡ଼, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର କେତେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଗତ 24 ଘଣ୍ଟାରେ ମାଲକାନଗିଗିରେ ସର୍ବାଧିକ 11 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।


ଉତ୍ତର ଭାରତରେ ବର୍ଷା
ଦେଶର ପାହାଡ଼ିଆ ରାଜ୍ୟରେ ତୁଷାରପାତ ଏବଂ ସମତଳ ରାଜ୍ୟରେ ବର୍ଷା ହେଉଛି। ଦିଲ୍ଲୀ-ଏନସିଆର ସମେତ ଦେଶର ଅନେକ ରାଜ୍ୟରେ ଶୁକ୍ରବାର ଦିନ ପ୍ରବଳ ବର୍ଷା ହୋଇଥିଲା, ଯାହା ଶୀତର ପ୍ରଭାବକୁ ବଢାଇ ଦେଇଥିଲା। ୧୫ ବର୍ଷ ପରେ, ଡିସେମ୍ବର ମାସରେ ସର୍ବାଧିକ ୯.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଏହି କାରଣରୁ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୧୪ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଥିଲା | ଜାମ୍ମୁ କାଶ୍ମୀରରେ ଗତକାଲି ସମତଳ ଅଞ୍ଚଳରେ ବର୍ଷା ହୋଇଥିଲା ଏବଂ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଥିଲା। ଫଳରେ ଯାତାୟତ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।


ସୁଜୁକିର ପ୍ରତିଷ୍ଠାତାଙ୍କ ଦେହାନ୍ତ
ଅଟୋମୋବାଇଲ ସେକ୍ଟରରେ ବେଶ ଦବଦବା ରଖିଥିବା ସୁଜୁକି ଅଟୋମୋବାଇଲର ପ୍ରତିଷ୍ଠାତା ଓସାମୁ ସୁଜୁକିଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଶୋକ ବ୍ୟକ୍ତ କରିଛନ୍ତି। ଜାପାନର ସୁଜୁକି ମୋଟର କର୍ପୋରେସନ୍ ଦ୍ୱାରା ଶୁକ୍ରବାର ସେୟାର କରାଯାଇଥିବା ସୂଚନାରେ ସେ ଲିମ୍ଫୋମା ରୋଗରେ ପୀଡ଼ିତ ବୋଲି କହିଥିଲେ।


ଜଷ୍ଟିସ ବିଶ୍ୱନାଥ ରଥ ଓଡ଼ିଶା ଲ’ କମିଶନ ଅଧ୍ୟକ୍ଷ
ରାଜ୍ୟ ସରକାର ଆଜି ଓଡ଼ିଶା ଷ୍ଟେଟ୍ ଲ’ କମିଶନର ପୁନର୍ଗଠନ କରିଛନ୍ତି । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ଲ’ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଲ’ କମିଶନର ସଦସ୍ୟ ଭାବେ ଦୁଇଜଣ ବରିଷ୍ଠ ଆଡଭୋକେଟ୍ ସୂର୍ଯ୍ୟପ୍ରକାଶ ମିଶ୍ର ଓ ସୌରଚନ୍ଦ୍ର ମହାପାତ୍ରଙ୍କୁ ସାମିଲ କରାଯାଇଛି । ଆଇନ ବିଭାଗ ପକ୍ଷରୁ ଆଜି ଶୁକ୍ରବାର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୨୦୧୬ ମାର୍ଚ୍ଚ ୧୬ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଓଡ଼ିଶା ଷ୍ଟେଟ୍ ଲ’ କମିଶନର ପ୍ରାବଧାନ ଆଧାରରେ ଆଜି ଲ’ କମିଶନ ଗଠନ କରାଯାଇଛି। କମିଟିର ଅଧ୍ୟକ୍ଷ ଭାବେ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସମେତ ଏକ୍ସ-ଅଫିସୋ ସଦସ୍ୟ ଭାବେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଓ ଆଇନ ବିଭାଗର ପ୍ରମୁଖ ସଚିବଙ୍କୁ ସାମିଲ କରାଯାଇଛି।


ଅମିତ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ବାତିଲ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ୍ ଶାହଙ୍କ ଦୁଇଦିନିଆ ପ୍ରସ୍ତାବିତ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମୃତ୍ୟୁ ପାଇଁ ଜାତୀୟ ଶୋକକୁ ଦୃଷ୍ଟିରେ ରଖି ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି । ଯାଜପୁରର ବିଜେପି ସାଂସଦ  ରବିନ୍ଦ୍ର ନାରାୟଣ ବେହେରା ଆଜି ଶାହଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।


‘ମିସ୍‌ ଟିନ୍‌ ଇଣ୍ଡିଆ’ ହେଲେ ମାଲକାନଗିରିର ଝିଅ
ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଝିଅ ସୋନାକ୍ଷୀ ମହାପାତ୍ରଙ୍କୁ ମିଳିଛି ବଡ଼ ସଫଳତା। ରାଜ୍ୟକୁ ଗୌରବାନିତ୍ଵ କରିଥିବାରୁ ଛୁଟୁଛି ଶୁଭେଚ୍ଛା ସୁଅ।  ସେ ‘ମିସ୍‌ ଟିନ୍‌ ଇଣ୍ଡିଆ’ ଉପାଧି ହାସଲ କରିଛନ୍ତି।  ମାଲକାନଗିରି ଜିଲ୍ଲା ସଦର ମହାକୁମା ପାତ୍ରଗୁଡା ସାହିର ସୋନାକ୍ଷୀ ମହାପାତ୍ର ‘ଫର୍‌ଏଭର୍ ମିସ୍ ଟିନ୍ ଇଣ୍ଡିଆ-୨୦୨୪’ରେ ଫାଷ୍ଟ ରନର୍ସ-ଅପ୍ ଟାଇଟଲ୍ ହାତେଇଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭୦ ଜଣଙ୍କୁ ପ୍ରଥମେ ଚୟନ କରାଯାଇଥିଲା।  ଏଥିରେ  ୩୦ ଜଣ ଚୟନ ହେବା ପରେ ୩ ଜଣ ଫାଇନାଲକୁ ଯାଇଥିଲେ। ଏହି ତାଲିକାରେ ରହିଛନ୍ତି ମାଲକାନଗିରି ଝିଅ ସୋନାକ୍ଷୀ।


ଆଜି ଭବାନୀପାଟଣା ବନ୍ଦ
ଧାନ ମଣ୍ଡି ଅବ୍ୟବସ୍ଥା ଓ କଟନୀ ଛଟନୀ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ। ଧାନ କଟନୀ ଛଟନୀ ଓ ଧାନ କିଣା ଅବ୍ୟବସ୍ଥା ନେଇ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ଏହି ବନ୍ଦ ଡାକରା ଦେଇଛନ୍ତି। ମଣ୍ଡିରେ ସବୁ ବ୍ୟବସ୍ଥା ଫେଲ୍ ହୋଇଥିବା ବେଳେ ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ସାଗର ଦାସ। ମଣ୍ଡିରେ ଖୁଲମଖୁଲା ଚାଷୀଙ୍କୁ ୭କେଜି ଧାନ କାଟି ଲୁଟ ଚାଲିଛି। ବସ୍ତା, ଶୁତୁଳି ନାରେ ବି ଲୁଟର ଶିକାର ହେଉଛନ୍ତି ଚାଷୀ। ସବୁ ମଣ୍ଡି ଠିକ ଭାବରେ ଖୋଲି ନାହିଁ। ମନ୍ତ୍ରୀ ପ୍ରତିଶ୍ରୁତି ସବୁ ଧୂଆଁ ବାଣ ବୋଲି ବିଧାୟକ କହିଛନ୍ତି। ତେଣୁ ମଣ୍ଡି ବ୍ୟବସ୍ଥା ସଠିକ୍ କରିବା ସହ ତୁରନ୍ତ ଚାଷୀଙ୍କୁ ସବୁ ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି। ଯଦି ସମସ୍ୟାର ସମାଧାନ ନହୁଏ, ତାହେଲେ ଆଗକୁ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦିଆଯାଇଛି। 


ବଢିଲା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ
ମନୋଜ ଓଡ଼ିଶା ‌ଫେରିବା ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଗତ ୨୫ ତାରିଖରେ କ୍ୟାବିନେଟ୍‌ର ନିଯୁକ୍ତି ସଂକ୍ରାନ୍ତୀୟ କମିଟି ତାଙ୍କୁ ଓଡ଼ିଶା ଫେରିବା ପାଇଁ ଅନୁମତି ଦେଇଥିଲା। ଏଥିସହିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମନୋଜ ଆସନ୍ତା ‌ଡିସେମ୍ବରରେ ଅବସର ନେବାର ଥିବା ବେଳେ ସରକାର ଆଉ ଏକ ବର୍ଷ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି।


ଆନ୍ଦୋଳନକୁ ଓହ୍ଲାଇବ ବିଜେଡି
ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦରଦାମ ବୃଦ୍ଧି ବିରୋଧରେ ବିଜୁ ଜନତା ଦଳ ତରଫରୁ ଆସନ୍ତା ଜାନୁଆରୀ ୬ ତାରିଖରେ ଗଣବିକ୍ଷୋଭ ଆୟୋଜନ କରାଯାଇଛି।  ଏଥିନେଇ ଦଳ ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା।