ଆଜି ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ 
ଆଜି ଶପଥ ନେବେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି। ପୂର୍ବାହ୍ନ ୧୦ଟା ୧୫ ମିନିଟରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଗତକାଲି ଓଡ଼ିଶାରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳ ପୁରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ।  ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ । ରାଜଭବନ ପକ୍ଷରୁ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ଚୀନରେ କୋରୋନା ପରେ ଆଉ ଏକ ଭାଇରସ ଡରାଉଛି
ଚାଇନାରେ HMPV ନାମକ ଭାଇରସରେ ପୁଣି ଶତାଧିକ ଲୋକ ସଂକ୍ରମିତ ହେଉଥିବା ନେଇ କୁହାଯାଇଛି। ଏହି ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଦାବି କରାଯାଉଛି। ଚାଇନାର ଡାକ୍ତରଖାନାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୦୦ରୁ ଅଧିକ ରୋଗୀ ଆସି ପହଞ୍ଚିଛନ୍ତି। ଗଣମାଧ୍ୟମ ରିପୋର୍ଟ ମୁତାବକ ଏହି ଜୀବାଣୁ ୨୦୦୧ ମସିହାରେ ଆବିଷ୍କୃତ ହୋଇଥିଲା। ଏହି ଜୀବାଣୁ ଥଣ୍ଡା ବୃଦ୍ଧିରେ ଲୋକଙ୍କୁ ସଂକ୍ରମିତ କରନ୍ତି | ଜାତୀୟ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ପ୍ରଶାସନ ଏହି ଜୀବାଣୁ ସମ୍ବନ୍ଧରେ ଲ୍ୟାବ ରିପୋର୍ଟ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ 16 ରୁ 22 ଡିସେମ୍ବର ମଧ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଲା।


ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଖୋଜୁଛି ପୋଲିସ
ତାଙ୍କୁ ଗିରଫ କରିବା ପାଇଁ ପୋଲିସ ଅଧିକାରୀମାନେ ଶୁକ୍ରବାର ଦିନ ଦକ୍ଷିଣ କୋରିଆର ନିଲମ୍ବିତ ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲଙ୍କ ବାସଭବନରେ ପହଞ୍ଚିଥିଲେ। ଅଧିକାରୀମାନେ ୟୋନ୍ଙ୍କୁ ଗିରଫ ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ। ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲଙ୍କ ଘର ବାହାରେ ଏକ ବିକ୍ଷୋଭକାରୀ ଏକତ୍ରିତ ହୋଇ ୟୋନ୍ ସୁକ୍ ୟୋଲଙ୍କ ସମର୍ଥନରେ ସ୍ଲୋଗାନ ଦେଉଛନ୍ତି। ୟୋନ୍‌ଙ୍କ ସମର୍ଥକମାନେ ତାଙ୍କ ଗିରଫଦାରୀକୁ ରୋକିବାକୁ ଚେଷ୍ଟା କରୁଛନ୍ତି।


ସକାଳୁ ଦିଲ୍ଲୀରେ ଘନ କୁହୁଡି
ଆଜି ରାଜଧାନୀ ଦିଲ୍ଲୀରେ ଘନ କୁହୁଡ଼ିର ଏକ ଆସ୍ତରଣ ଦେଖିବାକୁ ମିଳିଛି। ଜାନୁଆରୀ ୩ ତାରିଖ ସକାଳେ ଦିଲ୍ଲୀରୁ ନୋଏଡା ପର୍ଯ୍ୟନ୍ତ ଭିଜିବିଲିଟି ବହୁତ କମ୍ ରହିଛି। ନୂଆ ବର୍ଷ ଆରମ୍ଭ ହେବା ମାତ୍ରେ ଥଣ୍ଡା ବଢିବାରେ ଲାଗିଛି। ଗତ ୨ ଦିନ ପାଇଁ ଦିନର ତାପମାତ୍ରା ମଧ୍ୟ କମ୍ ରହିଛି। ଯଦିଓ ସାମାନ୍ୟ ଖରା ଆସିଥିବା ବେଳେ ଦିଲ୍ଲୀବାସୀଙ୍କୁ ଥଣ୍ଡାରୁ କୌଣସି ଆଶ୍ୱସ୍ତି ଦେଇପାରିନାହିଁ। ଆଗାମୀ ଦିନରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।


ହାଡ଼ ଭଙ୍ଗା ଜାଡ଼ରେ ଥରୁଛି ରାଜ୍ୟ
ରାଜ୍ୟରେ ଏବେ ଶୀତର ଲହରୀ ଜାରି ରହିଛି। ରାଜ୍ୟରେ ଶୀତର ମାତ୍ରା ବୃଦ୍ଧି ପାଇଛି। ଦିନକୁ ଦିନ ପାରଦ ଖସିବାରେ ଲାଗିଛି। ଏପରିକି ପୂର୍ବ ଦିନ ତୁଳନାରେ ୧ ରୁ ସାଢେ ୪ ଡିଗ୍ରୀ ହ୍ରାସ ପାଇଛି। ରାଉରକେଲାରେ ୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଝାରସଗୁଡାର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ, କେନ୍ଦୁଝର ୯.୫, ଫୁଲବାଣୀ ୯.୫, ଦାରିଙ୍ଗିବାଡି ୯.୫, ସୁନ୍ଦରଗଡ ୯.୭, ଅନୁଗୁଳ ୧୦,  ସୋନପୁର ୧୦, ଡିଗ୍ରୀ ବୁଧବାର ଥିଲା। ଭବାନୀପାଟଣା ଓ ବଲାଙ୍ଗୀରରେ ୧୧ ଡିଗ୍ରୀ, ବାରିପଦା, ଢେଙ୍କାନାଳ ଓ ଭଦ୍ରକରେ  ୧୨ ଡିଗ୍ରୀ , ନବରଙ୍ଗପୁର ୧୨.୫, ତାଳଚେର ୧୨.୪, ହୀରାକୁଦ ୧୨.୬, ସମ୍ବଲପୁର, ୧୨.୪, ବାଲେଶ୍ବର ୧୨.୪,କୋରାପୁଟ୍ ୧୨.୮, ଟିଟିଲାଗଡ ୧୩, ରାୟଗଡା ୧୩, ରାୟଗଡା ୧୩, କଟକ ୧୩, ଭୁବନେଶ୍ବର ୧୩.୨, ନୂଆପଡା ୧୩.୪, ଚାନ୍ଦବାଲି ୧୩.୮, ଖୋର୍ଦ୍ଧା ୧୪ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି। 


ପୁରୀ ଯାଇ ସପରିବାର ସହ ଜଗନ୍ନାଥଙ୍କୁ ଦର୍ଶନ କଲେ ନୂଆ ରାଜ୍ୟପାଳ
ଆସନ୍ତାକାଲି ଓଡିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ହରିବାବୁ କମ୍ଭମପତି। ସେନେଇ ଆଜି ଅପରାହ୍ନ ୩ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ପୁରୀ ଯାଇ ସପରିବାର ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ବିମଳା ମନ୍ଦିର, ମୁକ୍ତି ମଣ୍ଡପ, ଲକ୍ଷ୍ମୀ ମନ୍ଦିର ଦର୍ଶନ କରିବା ପରେ ଭିତର ବେଢ଼ା ପରିକ୍ରମା କରିଥିଲେ। ସିଂହଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ଲାଗି ଖଣ୍ଡୁଆ ଦେଇ ସ୍ବାଗତ କରାଯାଇଥିଲା। ପ୍ରାୟ ୪୫ ମିନିଟ୍ ଶ୍ରୀମନ୍ଦିର ଭିତରେ ପରିବାର ସହ ଦର୍ଶନ କାଳରେ ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରିଥିଲେ।


୬ରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ
ଜାନୁୟାରୀ ୬ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ।  ଏଣୁ ମୁଖ୍ୟମନ୍ତ୍ରୀ କୌଣସି ଜନସାଧାରଣଙ୍କୁ ଏହି ଅବସରରେ ଭେଟିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କର ଏହିଦିନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଥିବାରୁ ଅଭିଯୋଗ ଶୁଣାଣି ହୋଇପାରିବ ନାହିଁ ବୋଲି ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। 


IAS ସ୍ତରରେ ଅଦଳବଦଳ
ନୂଆବର୍ଷରେ ଆଇଏଏସ ଅଦଳବଦଳକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା । ଜୁଲାଇ ୧୮ ପ୍ରାୟ ୫ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟରେ ଯୋଗଦେଇଥିଲେ ୨୦୧୧ ବ୍ୟାଚର ଆଇଏଏସ ଅଧିକାରୀ ଅରିନ୍ଦମ ଡାକୁଆ । କିନ୍ତୁ ଅଚାନକ ତାଙ୍କର ଆଜି ବଦଳି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ କାଢି ପୌର ପ୍ରଶାସକ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ହଠାତ କାହିଁକି ତାଙ୍କୁ ସିଏମଓରୁ ବଦଳି କରାଗଲା ? ଏହାପଛର କାରଣ କ 'ଣ ? ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ସିଏମଓରେ ନରହିବାକୁ ନିଜ ଆଡୁ ପ୍ରସ୍ତାବ ରଖିଥିଲେ କି ଅରିନ୍ଦମ? ନା ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବଙ୍କ ଉପରେ ଭରସା କରିପାରିଲେନି?


ଆଜିଠୁ ବରଗଡ଼ ଧନୁଯାତ୍ରା 
ଆଜିଠୁ ବଦଳିଯିବ ସହରର ରୂପ। ଦ୍ୱାପର ଯୁଗକୁ ଫେରିଯିବ ବରଗଡ଼। ମୁକ୍ତାକାଶ ରଙ୍ଗମଞ୍ଚରେ ଶୁଭିବ ମହାରାଜ କଂସଙ୍କ ଅଟହାସ୍ୟ। ଗୋପପୁର ପାଲଟିଯିବ ଅମ୍ବାପାଲି, ବରଗଡ଼ ମଥୁରାନଗରୀ। ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ପ୍ରାୟ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ୭୭ ବର୍ଷରେ ପଦାର୍ପଣ କରୁଥିବା ଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି କାରିଗର। ମହାରାଜ କଂସଙ୍କ ରାଜ ଦରବାର ସମେତ ରଙ୍ଗମହଲ ଓ ବିଭିନ୍ନ ତୋରଣ ନିର୍ମାଣରେ ଲାଗି ପଡ଼ିଛନ୍ତି।


ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି
ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତାକୁ ବୃଦ୍ଧି କରିଛନ୍ତି।  ତିନୋଟି ବର୍ଗରେ ବିଭକ୍ତ ହୋଇଥିବା ସଂଗ୍ରାମୀଙ୍କ ପାଇଁ ଭିନ୍ନ ଭିନ୍ନ ଭାବେ ଭତ୍ତା ରାଶି ସ୍ଥିର କରାଯାଇଛି। ଯେଉଁ ସଂଗ୍ରାମୀମାନେ ସ୍ୱାଧୀନତା ଆନ୍ଦୋଳନ ସମୟରେ ଜେଲ ଯାଇଥିବେ ସେମାନଙ୍କ ପାଇଁ ମାସିକ ଭତ୍ତା ରାଶି ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅଣବନ୍ଦୀ ସଂଗ୍ରାମୀଙ୍କୁ ୧୫ ହଜାର ଏବଂ କେନ୍ଦ୍ର ସରକାରଙ୍କ ପେନସନ୍‍ ପାଉଥିବା ସଂଗ୍ରାମୀଙ୍କ ପାଇଁ ଭତ୍ତା ରାଶିକୁ ୧୦ ହଜାରକୁ ବୃଦ୍ଧି କରାଯାଇଛି।