Top 10 News Today: ରୌପ୍ୟ ଜିତିଲେ ନୀରଜ, ନବୀନ ବୁଲିବେ ପୂରା ରାଜ୍ୟ ଓ ଅନ୍ୟାନ୍ୟ ଖବର
Top 10 News Today: ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର
ରୌପ୍ୟ ଜିତିଲେ ନୀରଜ
ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଛନ୍ତି। ସେ ଟୋକିଓ ଅଲିମ୍ପିକ୍ସରେ ଜିତିଥିବା ସ୍ୱର୍ଣ୍ଣ ପଦକକୁ ବଜାୟ ରଖିବାରେ ବିଫଳ ହୋଇଛନ୍ତି। କାରଣ ଏଥର ଏହି ସ୍ୱର୍ଣ୍ଣ ପାକିସ୍ତାନର ଅର୍ଶଦ ନଦିମ ହାସଲ କରିନେଇଛନ୍ତି। ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ନୀରଜ ଚୋପ୍ରାଙ୍କୁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଥିଲା, କିନ୍ତୁ ନାଦିମ ସ୍ୱର୍ଣ୍ଣ ପଦକ ଜିତିବା ଏବଂ ଅଲିମ୍ପିକ୍ ରେକର୍ଡ ଭାଙ୍ଗି ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛନ୍ତି। ୨୦୨୪ ଅଲିମ୍ପିକ୍ସରେ ଏହା ହେଉଛି ଭାରତର ପଞ୍ଚମ ପଦକ। ଏହା ପୂର୍ବରୁ ଭାରତ ୪ଟି ବ୍ରୋଞ୍ଜ ପଦକ ଜିତିଛି। ସୁଟିଂରେ ୩ଟି ଏବଂ ହକିରେ ବ୍ରୋଞ୍ଜ ପଦକ ହାତେଇଛି ଭାରତ।
ବ୍ରୋଞ୍ଜରେ ସନ୍ତୁଷ୍ଟ ହେଲା ଭାରତୀୟ ହକି ଦଳ
ପ୍ୟାରିସ୍ ଅଲିମ୍ପିକ୍ସର ହକି ବ୍ରୋଞ୍ଜ ପଦକ ମ୍ୟାଚ୍ ଭାରତ ଓ ସ୍ପେନ୍ ମଧ୍ୟରେ ଖେଳାଯାଇଥିଲା। ଭାରତ ଏହି ମ୍ୟାଚକୁ ୨-୧ ରେ ଜିତି ବ୍ରୋଞ୍ଜ ପଦକ ହାସଲ କରିଛି। ଦୀର୍ଘ ସମୟ ପରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ ଗେମ୍ସରେ ପଦକ ଜିତିଛି। ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ଭାରତ ହକିରେ ବ୍ରୋଞ୍ଜ ପଦକ ଜିତିଥିଲା। କ୍ୟାପଟେନ ହରମାନପ୍ରୀତ ସିଂ ଉଭୟ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ଦୁଇଟି ଗୋଲ୍ ସ୍କୋର କରିଥିଲେ।
ଭାରତୀୟ ହକି ଦଳ ପାଇଁ ପୁରସ୍କାର ଘୋଷଣା
ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ। ତେବେ ଟିମ୍ରେ ଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ୱତନ୍ତ୍ର ଭାବେ ୪ କୋଟି ପ୍ରଦାନ କରାଯିବ। ଆଜି ସ୍ପେନ୍ ବିରୋଧରେ ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ଲଢ଼େଇରେ ଅମିତ ରୋହିଦାସଙ୍କର ରହିଥିଲା ବଡ଼ ଯୋଗଦାନ। ସେ ଏକାଧିକ ଗୋଲ୍ରୁ ଦଳକୁ ରକ୍ଷା କରିଥିଲେ।
ନବୀନ ବୁଲିବେ ପୂରା ରାଜ୍ୟ
ନଭେମ୍ବରରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବସିଥିବା ରାଜ୍ୟସ୍ତରୀୟ ସମନ୍ବୟ କମିଟି ବୈଠକରେ ଏନେଇ ସୂଚନା ଦେଇଛନ୍ତି ନବୀନ । ଦଳୀୟ କର୍ମୀ ଓ ତୃଣମୂଳ ସ୍ତରର ନେତାଙ୍କୁ ଭେଟିବେ ନବୀନ । ଏଥିପାଇଁ ନଭେମ୍ବରରୁ ବିଭିନ୍ନ ଜିଲ୍ଲା ଗସ୍ତ କରିବେ ନୀବନ । ଗତ ୨୪ ବର୍ଷ ହେବ ଓଡ଼ିଶାବାସୀ ବିଜେଡିକୁ ଆର୍ଶୀବାଦ ଦେଇଛନ୍ତି । ବିଜେଡି ଉପରେ ଭରସା କରିଥିବାରୁ ଓଡ଼ିଶାବାସୀଙ୍କ ନିକଟରେ ଆମେ ଋଣୀ ବୋଲି କହିଛନ୍ତି ନବୀନ । ତେବେ ଆଗକୁ ଲୋକଙ୍କ ସେବା ଜରି ରଖିବାକୁ ଏବଂ ସୋସିଆଲ ମିଡିଆରେ ସକ୍ରିୟ ରହିବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡି ନେତା ନବୀନ ପଟ୍ଟନାୟକ ।
ଆଜି ପ୍ରବଳ ବର୍ଷା
ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ। ଏହାର ପ୍ରଭାର ଓଡି଼ଶାରେ ବର୍ଷା ଜାରି ରହିଛି। କିନ୍ତୁ ଆଗାମୀ ଦିନରେ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା କମିଯିବ। କାଁଭାଁ ବର୍ଷା ହୋଇପାରେ। ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ କୌଣସି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ନାହିଁ। ଆସନ୍ତା ୨ ସପ୍ତାହ ମଧ୍ୟରେ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। ମୌମୁମୀ ଟ୍ରପ୍ ସକ୍ରିୟ ରହିବନି। ଏଥିପାଇଁ ଅଧିକ ବର୍ଷା ନାହିଁ। ଅଳ୍ପ ସ୍ଥାନରେ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣପାଗ ବିଭାଗ ଆକଳନ କରିଛି। ଗୁରୁବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ଉପରେ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ହୋଇଛି। ରାଜ୍ୟ ଉପରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ବିଭାଗ କହିଛି।
୧୪ ଗେଟ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ
ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲିଛି। ଏବେ ହୀରାକୁଦରୁ ମୋଟ୍ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଣାଯାଇଛି। ଗତ ୪ ତାରିଖ ସକାଳ ସାଢ଼େ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମେ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପରମ୍ପରା ଅନୁଯାୟୀ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଥମେ ବାମ ପାର୍ଶ୍ବର ୭ ନମ୍ବର ଗେଟ୍ ଖୋଲାଯାଇଥିଲା। ତାପରେ ତାକୁ ମିଶାଇ ବାମ ପାର୍ଶ୍ବର ୫ଟି ଓ ଡାହାଣ ପାର୍ଶ୍ବର ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ତାପରେ ବାମ ପାର୍ଶ୍ବର ୯ଟି ଓ ଡାହାଣ ପାର୍ଶ୍ବର ୪ଟି ଗେଟ୍ ଖୋଲାଯାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା ସୂଚନା ଦେଇଥିଲେ।
ନାଫେଡ ଦେବ ଆଳୁ
ରାଜ୍ୟରେ ଉପୁଜିଥିବା ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ । ଏଣିକି ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେବେ। ଏହାଦ୍ୱାରା ଖାଉଟି ମାନଙ୍କୁ ସୁଲଭ ଦରରେ ଆଳୁ ଉପଲବ୍ଧ କରାଇବା ସହ ରାଜ୍ୟରେ ଆଳୁ ସଙ୍କଟ ଦୂର ହୋଇପାରିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଶ୍ରୀ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଏଥି ପାଇଁ ପ୍ରଥମ ପର୍ଯ୍ୟାୟରେ ତିନି ଶହ ମେଟ୍ରିକ ଟନ ଆଳୁ ପାଇଁ ନାଫେଡ ମାଧ୍ୟମରେ ଅର୍ଡର ପ୍ରଦାନ କରାଯାଇଛି।
ବାଂଲାଦେଶ ସରକାରର ନେତୃତ୍ୱ ନେଲେ ମହମ୍ମଦ ୟୁନୁସ୍
ଶପଥ ନେଇଛନ୍ତି ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ୍। ଦେଶରେ ହିଂସା ସ୍ଥିତି ଭିତରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଉ ଏହାକୁ ନେଇ ଖୁସି ଜାହିର କରିଛି ଆମେରିକା।ବାଂଲାଦେଶରେ ଚାଲିଥିବା ବିଦ୍ରୋହ ଓ ହିଂସା ମଧ୍ୟରେ ନୋବେଲ ବିଜେତା ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସ୍ ଗୁରୁବାର ପ୍ୟାରିସରୁ ଆସି ଢାକାରେ ପହଞ୍ଚିଛନ୍ତି। ଏହାପରେ ଶାସନ ଭାର ଗ୍ରହଣ କରିଛନ୍ତି । ଶେଖ୍ ହସିନା କ୍ଷମତାରୁ ବହିଷ୍କୃତ ହେବା ପରେ ଏବେ ମହମ୍ମଦ ଅନ୍ତରୀଣ ସରକାରର ମୁଖ୍ୟ। ଢାକାରେ ପହଞ୍ଚିବା ପରେ ସେ ନିଜର ପ୍ରଥମ ବୟାନ ଦେଇ କହିଛନ୍ତି ଯେ ସରକାର ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବେ।
ବିଡିଓ ଗିରଫ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ବୁଧବାର ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏହା ସହିତ ଆଜି ଭୁବନେଶ୍ବର ଏସବିଆଇ ମୁଖ୍ୟ ଶାଖାରେ ଥିବା ତାଙ୍କର ଲକରକୁ ମଧ୍ୟ ଯାଞ୍ଚ କରିଥିଲା। ଏହା ପରେ ଡାଇରେକ୍ଟ ଆକ୍ସନ ଚାର୍ଜରେ ବିଡିଓଙ୍କୁ ବାନ୍ଧିଛି ଭିଜିଲାନ୍ସ।
ଇଡ଼ି ଅଧିକାରୀଙ୍କୁ ବାନ୍ଧିଲା ସିବିଆଇ
୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଜଣେ ବରିଷ୍ଠ ଇଡ଼ି ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ଇଡିର ସହକାରୀ ନିର୍ଦ୍ଦେଶକ ସନ୍ଦୀପ ସିଂହଯାଦବଙ୍କୁ ବୁଧବାର ସିବିଆଇ ମୁମ୍ବାଇ ଶାଖା ଗିରଫ କରିଛି। ଇଡି ମୁମ୍ବାଇର ଏକ ଗହଣା ଦୋକାନ ପରିସରରେ ଅଗଷ୍ଟ ୩ ଓ ୪ ତାରିଖରେ ଚଢାଉ କରିଥିଲା। ଏହାପରେ ଅଫିସର ଯାଦବ ଯାଇ ଏହି ଗହଣା ଦୋକାନୀଙ୍କ ପୁଅଙ୍କୁ ଗିରଫ କରିବା ପାଇଁ ଧମକ ଦେଇଥିଲେ। ୨୫ ଲକ୍ଷ ଟଙ୍କା ନ ଦେଲେ ତାଙ୍କ ପୁଅକୁ ଗିରଫ କରାଯିବ ବୋଲି ଧମକ ଦେଇଥିଲେ।