H1. ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଭାଙ୍ଗିଲା AICC
ସାଧାରଣ ନିର୍ବାଚନରେ ରାଜ୍ୟରେ ଦଳର ଦୁର୍ବଳ ପ୍ରଦର୍ଶନ ପରେ କଂଗ୍ରେସର ସମସ୍ତ ସାଂଗଠନିକ କମିଟିକୁ ନିରସ୍ତ୍ର କରିଦିଆଯାଇଛି। ଆଜି ଏନେଇ ଏଆଇସିସି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟିକୁ ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି। ତେବେ ପିସିସିର ସଭାପତି ପଦରୁ ହଟିଛନ୍ତି ଶରତ ପଟ୍ଟନାୟକ। ପରବର୍ତ୍ତି ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଶ୍ରୀ ପଟ୍ଟନାୟକ କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରିବେ ବୋଲି ଏକ ଚିଠି ମାଧ୍ୟମରେ ଓଡ଼ିଶା ପ୍ରଦେଶ କମିଟିକୁ ସୂଚନା ଦିଆଯାଇଛି। ପିସିସି ସହ ସମସ୍ତ ଜିଲ୍ଲା, ବ୍ଲକ ଓ ମଣ୍ଡଳସ୍ତରୀୟ କମିଟି ମଧ୍ଯ ଭଙ୍ଗ ହୋଇଛି। AICC ସଭାପତିଙ୍କ ଅନୁମୋଦନ କ୍ରମେ ଭାଙ୍ଗିଛି କଂଗ୍ରେସ କମିଟି। 


COMMERCIAL BREAK
SCROLL TO CONTINUE READING

H2. ରାମଚନ୍ଦ୍ର କାଡାମ ହେଲେ ବିଧାୟକ ଦଳର ନେତା
ଆଜି ଅପରାହ୍ଣରେ ଆଜି ବିଧାୟକ ଦଳର ନେତା ବାଛିଛି କଂଗ୍ରେସ। ଏଆଇସିସି ପକ୍ଷରୁ କଂଗ୍ରେସର ବିଧାୟକ ଦଳର ନେତା ଚୟନ କରାଯାଇଛି। ରାମଚନ୍ଦ୍ର କାଡାମଙ୍କୁ କଂଗ୍ରେସର ବିଧାୟକ ଦଳର ନେତା ଭାବେ ଏଆଇସିସି ପକ୍ଷରୁ ଚୟନ କରାଯାଇଛି। ସେହିପରି ଡେପୁଟି ଲିଡର ଭାବେ ଅଶୋକ ଦାସଙ୍କୁ ନିଯୁକ୍ତି ମିଳିଛି। ବିଧାନସଭାରେ ଡ. ସିଏସ ରାଜନ ଏକ୍କାଙ୍କୁ ଚିଫ ହ୍ୱିପ ଭାବେ ନିଯୁକ୍ତି ଦେଇଛି ଏଆଇସିସି। 


H3. ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ କମଳା ପୂଜାରୀ
ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ଗାଁ ପାତ୍ରପୁଟର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ତାଙ୍କ ସାନ ପୁଅ ଟଙ୍କଧର ପୂଜାରୀ ମୁଖାଗ୍ନି ଦେଇଛନ୍ତି। ପଞ୍ଚଭୂତରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପାର୍ଥିବ ଶରୀର ବିଲୀନ ହୋଇଛି। କମଳାଙ୍କ ଶେଷକୃତ୍ୟ ସଂପନ୍ନ ବେଳେ କୋରାପୁଟ ଜିଲ୍ଲାପାଳ ଭି. କିର୍ତ୍ତୀଭାସନ୍, ଏସପି ଅଭିନବ ସୋନାକର, ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା, ଏସଡିପିଓ ଅଙ୍କିତ ବର୍ମା, ବିଡିଓ ଶକ୍ତିପ୍ରସାଦ ମହାପାତ୍ରଙ୍କ ସହିତ ଅନେକ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ଥିଲେ।


H4. ହାଉସ୍ କମିଟିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ହାଉସ୍‌ କମିଟିରେ ସ୍ଥାନ ପାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ୧୨ ଜଣିଆ ହାଉସ୍‌ କମିଟିରେ ତାଙ୍କୁ ସ୍ଥାନ ଦେଇଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା। ଡ. ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ହାଉସ କମିଟି ଗଠିତ ହୋଇଛି। ଏହି କମିଟିରେ କଲ୍ୟାଣ ବାନାର୍ଜୀ, ସୁଧୀର ଗୁପ୍ତା, କୃପାନାଥ ମଲ୍ଲାହ, ଡି. ପୁରନ୍ଦେଶ୍ୱରୀ, ସୁଖଜିନ୍ଦର ସିଂହ ରାନ୍ଧୱା, ଏମ୍‌ଏସ୍‌ ରେଡ୍ଡୀ, କୋଡିକୁନ୍ନିଲ ସୁରେଶ, ଡକ୍ଟର ଟି ସୁମତି, ଅକ୍ଷୟ ଯାଦବ ଓ ଦୀନେଶ ଚନ୍ଦ୍ର ଯାଦବ ଅଛନ୍ତି।


H5. ପରିବହନ ସଚିବଙ୍କ ନାଁ ନେଇ ଠକେଇ ଉଦ୍ୟମ
ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନାଁ ନେଇ କେହି ଠକେଇ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ନିଜେ ଉଷା ପାଢ଼ୀ ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରରେ ଏକ ପୋଷ୍ଟ କରିଛନ୍ତି। କେହି ଜଣେ ଦୁର୍ବୃତ୍ତ ଏକ ହ୍ୱାଟ୍‌ସଆପ୍ ନମ୍ବରରେ ଉଷା ପାଢ଼ୀଙ୍କ ଫଟୋ ଲଗାଇ ତାଙ୍କର କିଛି ଜଣାଶୁଣା ଲୋକଙ୍କୁ ଟଙ୍କା ମାଗୁଛି। ଉଷା ପାଢ଼ୀଙ୍କ ନଜରକୁ ଏ କଥା ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ସାରିଛନ୍ତି। ସତର୍କ ରହିବାକୁ ଓ ଏଭଳି ସାଇବର ଠକଙ୍କ ଜାଲରେ ନ ଫସିବାକୁ ସେ ଅନୁରୋଧ କରିଛନ୍ତି।


H6. ସର୍ବଦଳୀୟ ବୈଠକରେ ଯୋଗଦେଲେ ନବୀନ, କଂଗ୍ରେସ
ଆସନ୍ତାକାଲିଠୁ ଆରମ୍ଭ ହେଉଛି ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ। ତା’ ପୂର୍ବରୁ ଆଜି ସରିଛି ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ। କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଥିଲେ ମଧ୍ୟ ସେ ଯୋଗ ଦେଇନଥିଲେ। ସେହିପରି କଂଗ୍ରେସ ପକ୍ଷରୁ କେହି ଯୋଗ ଦେଇନଥିବା ଦେଖିବାକୁ ମିଳିଛି। 


H7. ବଦଳିବନି ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ର ନାଁ
ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ପରିବର୍ତ୍ତନ ହେବନି। ଆଜି ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ବାବୁଙ୍କ ନାଁରେ ଦୀର୍ଘ ବର୍ଷରୁ କ୍ରୀଡ଼ା ପୁରସ୍କାର ଦିଆଯାଇ ଆସୁଅଛି। ଏହାର ନାମ ପରିବର୍ତ୍ତନ କଥା ମୁଁ ଆଜି ଗଣମାଧ୍ୟମରୁ ଜାଣିବାକୁ ପାଇଲି। କିନ୍ତୁ ଏନେଇ ବିଧିବଦ୍ଧ ଭାବେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ ଏବଂ ମୋ ପାଖରେ ବି ସେପ୍ରକାରର କୌଣସି ସୂଚନା ନଥିଲା। ମୋ ସରକାର ଓଡ଼ିଶାର ବରପୁତ୍ରମାନଙ୍କୁ ଯଥୋଚିତ ସମ୍ମାନ ଦିଅନ୍ତି। 


H8. ଶଙ୍ଖ ଭବନକୁ ନେଇ ମୁଣ୍ଡ ଟେକୁଛି ବିବାଦ
ବିଜୁ ଜନତା ଦଳର କାର୍ଯ୍ୟାଳୟ ଶଙ୍ଖ ଭବନକୁ ନେଇ ବିବାଦ ଉପୁଜିଛି। ଏହି ଭବ୍ୟ କୋଠା ସଡ଼କ ପାଇଁ ଉଦ୍ଦିଷ୍ଟ ଜମି ଉପରେ ଗଢ଼ି ଉଠିଥିବା ନେଇ ମତ ଉଠିଛି। ରାଜସ୍ୱମନ୍ତ୍ରୀ ଏବାବଦରେ ମନ୍ତବ୍ୟ ରଖି ନିର୍ମାଣର ତଦନ୍ତ କରାଯିବ ବୋଲି କହିଛନ୍ତି। ବିଜେଡି ଏହାର ଜବାବରେ ଆଇନ ଅନୁସାରେ ନିର୍ମାଣ ହୋଇଛି ବୋଲି କହିଛି। 


H9. ନିପା ଭାଇରସ ନେଲା ୧୪ ବର୍ଷୀୟ ପିଲାର ଜୀବନ
କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସ ଜଣେ ୧୪ ବର୍ଷୀୟ ପିଲାର ଜୀବନ ନେଇଛି। ଦିନକ ତଳେ ପିଲାଟି ନିପା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ମାଲାପୁରମ ଜିଲ୍ଲାର ଏହି ପିଲାଟିର ଚିକିତ୍ସା ଆରମ୍ଭ ହୋଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ତା’ର ମୃତ୍ୟୁ ହୋଇଥିବା କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।


H10. ତଥ୍ୟ ଦାଖଲ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
ଲୋକଜନଶକ୍ତି ପାର୍ଟି ବିବାଦରେ ନିର୍ବାଚନ କମିଶନ ଅଧିକ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୨୫ ତାରିଖ ସୁଦ୍ଧା ଦୁଇ ଗୋଷ୍ଠୀଙ୍କ ପାଇଁ ଏହି ଆଦେଶ ଜାରି କରାଯାଇଛି। ୨୦୨୦ରେ ରାମ ବିଳାସ ପାଶ୍‍ଓ୍ୱାନଙ୍କ ଦ୍ୱାରା ପ୍ରତିଷ୍ଠିତ ଲୋକଜନଶକ୍ତି ପାର୍ଟିକୁ ନେଇ ବିବାଦ ଉପୁଜିଥିଲା। ରାମ ବିଳାସଙ୍କ ପୁଅ ଚିରାଗ ପାଶଓ୍ୱାନ ଏବଂ ଭାଇ ପଶୁପତି କୁମାର ପାରସ୍‍ ଙ୍କ ଭିତରେ ବିବାଦ ଉପୁଜି ତାହା ନିର୍ବାଚନ କମିଶନଙ୍କ ପାଖକୁ ଆସିଥିଲା। ଏହି ବିବଦାଦ ଅମୀଂମାସିତ ରହିଥିବାରୁ ଜୁଲାଇ ୨୫ ତାରିଖ ସୁଦ୍ଧା  ଉଭୟ ଚିରାଗ ପାଶଓ୍ୱାନ ଏବଂ ପାରସଙ୍କ ଗୋଷ୍ଠୀଙ୍କୁ ନିଜ ଦାବି ସମୃଦ୍ଧ କରିବା ଲାଗି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।