ଚିଲିକାରେ ଆଜି ଠୁ ଭାସିଲା ଗରୁଡ, ଗରୁଡରେ ରାତ୍ରି ଯାପନ ସହ ରହିଛି ରେଷ୍ଟ୍ରୋ ଓ ବାର
(ଭୁବନେଶ୍ବର, ରାଜେଶ ସାମନ୍ତରାୟ ):- ଏଣିକି ବିଦେଶ ନୁହେଁ କି ରାଜ୍ୟ ବାହାର ନୁହେଁ, ଚିଲିକାରେ ଆଜି ଠୁ ମିଳିବ ବୋଟ ହାଉସର ମଜା । ଖାଇବା, ରହିବା, ରାତ୍ରୀ ଯାପନ କରିବା ସହ ଲାଇଭ୍ ରେଷ୍ଟ୍ରୋ-ବାର ବି ସୁବିଧା ରହିଛି । ଏପରିକି ଚିଲିକା ହ୍ରଦର ପାଣି ଉପରେ 2 ମହଲା ବୋଟ ହାଉସରେ ସ୍ବିମିଙ୍ଗ ପୁଲର ମଜା ବି ନେଇ ପାରିବେ । ଏପରି ସୁବିଧା ରହିଛି ଗରୁଡରେ । ଗରୁଡ ହେଉଛି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ବାରା ପ୍ରଥମ ଥର ପାଇଁ ଯୋଗାଇ ଦିଆ ଯାଉଥିବା ବୋଟ୍ ହାଉସର ନାମ ।
ଗରୁଡ ହେଉଛି ପର୍ଯ୍ୟଟନ ବିଭାଗର ପ୍ରଥମ ବୋଟ୍ ହାଉସ ବା ଦେଶୀ କ୍ରୁଜ୍ । ଏଥିରେ ମୋଟ 6 ଜଣ ଦଂପତ୍ତି ବା କପଲ୍ ରହିବାର ସୁବିଧା ରହିଛି । ଦୁଇଟି ସୁଟ୍ ଏବଂ ଚାରୋଟି ପ୍ରିମିୟମ୍ ରୁମ୍ ସହ ଲାଇଭ୍ ବାର୍-ରେଷ୍ଟୁରାଣ୍ଟ ଅଛି । ଏହା ସହ ବୋଟ ହାଉସ ଛାତ ଉପରେ ଏକ ସ୍ବିମିଂ ପୁଲ ବି ରହିଛି । ମିଟିଂ ବା କନଫେରେନ୍ସ ପାଇଁ ଏହାର ଉପର ଡେକରେ ଖୋଲା ଆକାଶ ତଳେ ଲବି ମଧ୍ୟ ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଓଡିଶାର ପ୍ରଥମ ଦେଶୀ ବିଳାସପୂର୍ଣ୍ଣ ହାଉସବୋଟକୁ ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ବିଳାସପୂର୍ଣ୍ଣ ଏହି ବୋଟ ହାଉସକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ନିଶ୍ଚିତ ଭାବେ ଚିଲିକା ହ୍ରଦର ପର୍ଯ୍ୟଟନ ପ୍ରୋଫାଇଲରେ ଢେର ଉନ୍ନତି ଆଣିବ । ଜାତୀୟ ତଥା ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଓଡିଶାକୁ ଆକର୍ଷିତ କରିବ। ଚିଲିକା ହ୍ରଦ ହେଉଛି ଦେଶର ଏକ ପ୍ରମୁଖ ଜୈବ ବିବିଧତା ହଟସ୍ପଟ୍ । ଓଡିଶାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ରୂପେ ରୂପାନ୍ତର କରିବାର ଏହାର ସାମର୍ଥ୍ୟ ଅଛି । ରାଜ୍ୟ ସରକାର ଓଡିଶାକୁ ଦେଶର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ଭାବରେ ସ୍ଥାନିତ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି।
‘ଗରୁଡ’ ହେଉଛି ଏକ ବିଳାସପୂର୍ଣ୍ଣ ବୋଟ ହାଉସ । ଏକ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଏହାକୁ ନିର୍ମାଣ କରାଯାଇଛି । ଏହାର ଲମ୍ବ 105 ଫୁଟ୍ ଓ ଚଉଡା 22 ଫୁଟ୍ । ଚିଲିକା ବରକୁଳରେ ସ୍ବଦେଶୀ ଜ୍ଞାନ କୌଶଳ ସହ ଡିଜାଇନ୍, ବିକଶିତ ଏବଂ ନର୍ମାଣ କରାଯାଇଛି । ବିକାଶ ଇକୋ ରିସର୍ଟ ଏହାର ପରିଚାଳନା ଦାୟିତ୍ବ ନେଇଛି । ଏହି ବୋଟରେ ଖାଦ୍ୟକୁ ପ୍ରାଥମିକତା ଦିଆଯ଼ାଇଛି । କାରଣ ଚିଲିକାର ସି ଫୁଡ ବିଶେଷ କରି କଙ୍କଡା, ଚିଙ୍ଗୁଡି, ଖଇଙ୍ଗା ଆଦି ମାଛର ଅନେକ ଚାହିଦା ରହିଛି । ପର୍ଯ୍ୟଟକଙ୍କ ପାଇଁ ଓଡିଆ ଖାଦ୍ୟ ପ୍ରାଥମିକତା ରହିବ । ଏହା ବାଦ ସମସ୍ତ ପ୍ରକାର ଦେଶୀ ବିଦେଶୀ ଖାଦ୍ୟ ବି ଉପଲବ୍ଧ ରହିବ । ସକାଳେ ବ୍ରେକ୍ ଫାଷ୍ଟ, ମଧ୍ୟାହ୍ନ ଗୋଟାଏ 30ରେ ଲଞ୍ଚ, ରାତି 9ଟାରେ ଡିନର ସୁବିଧା ରହିଛି । ଏହା ସହ ବାର ବା ମଦ୍ୟପାନର ସବୁଧା ରହିଛି ।ହାଉସବୋଟ୍ ସେବା ପ୍ରଥମେ ଚିଲିକା ବରକୁଳ ପାନ୍ଥ ନିବାସରେ ଉପଲବ୍ଧ ହେବ । ପରେ ପୁରୀ ସାତପଡା ଠାରେ ମଧ୍ୟ ଏହା ଉପଲବ୍ଧ ହେବ ବୋଲି ଜଣା ପଡିଛି । ପରବର୍ତ୍ତୀ ସମୟରେ ଚିଲିକାର ବିଭିନ୍ନ ଦ୍ବୀପପୁଞ୍ଜକୁ ଏହି ସେବା ଯୋଗାଇ ଦିଆଯ଼ିବାର ଯୋଜନା ବି ରହିଛି । ଇକୋ ରିଟ୍ରିଟ୍ ସଫଳ ହେବା ପରେ ଏହା ରାଜ୍ୟ ସରକାରଙ୍କର ଅନ୍ୟତମ ଟୁରିଜିମ୍ ଭେଞ୍ଚର ।