Godrej Group: ଦୁଇଫାଳ ହେବ ୧୨୬ ବର୍ଷର ଗୋଦରେଜ କମ୍ପାନୀ !
Godrej Group: ଅନେକ ସମୟରେ କର୍ପୋରେଟ୍ ହାଉସ ଗୁଡିକର ବିଭାଜନ ସମ୍ପର୍କୀତ ଖବର ଆସିଥାଏ । ପୂର୍ବରୁ ଅମ୍ବାନୀ, ଟାଟା, ରୁଆ ବ୍ରଦର୍ସଙ୍କ କମ୍ପାନୀରେ ତାହା ଘଟିସାରିଛି । ଠିକ୍ ସେହିପରି ଦେଶର ସର୍ବ ପୁରାତନ କର୍ପୋରେଟ୍ ହାଉସ ଗୋଦରେଜ୍ ମଧ୍ୟ ବିଭାଜନ ହେବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
Godrej Group: ଆମେ ଆଜି ଯେଉଁ କମ୍ପାନୀ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ସେ କମ୍ପାନୀକୁ ପ୍ରାୟ ସମସ୍ତେ ଜାଣନ୍ତି । କାରଣ ଏହା ହେଉଛି ୧୨୬ ବର୍ଷ ପୁରୁଣା ଗୋଦରେଜ୍ କମ୍ପାନୀ । ଅନ୍ୟ ଅଗ୍ରଣୀ କମ୍ପାନୀ ତଥା ଅମ୍ବାନୀ, ଟାଟା, ବିର୍ଲାଙ୍କ ସହିତ ଗୋଦରେଜ କମ୍ପାନୀର ନାମ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ସଭିଏଁ ଜାଣନ୍ତି । ବର୍ତ୍ତମାନ ଯାହା ଜଣା ପଡିଛି, ୧୨୬ ବର୍ଷର ପୁରୁଣା ଗୋଦରେଜ କମ୍ପାନୀ ମଧ୍ୟ ଅନ୍ୟ କମ୍ପାନୀ ପରି ଦୁଇଫାଳ ତଥା ବିଭାଜିତ ହୋଇପାରେ । ଏହି ଘରୋଇ ବ୍ୟବସାୟକୁ ୧.୭୬ ଲକ୍ଷ କୋଟି ଟଙ୍କାରେ ବାଣ୍ଟିବାର ଅଭ୍ୟାସ ଆରମ୍ଭ ହୋଇଛି । ତେବେ ଏପରି କାହିଁକି ବିଭାଜନ ସେ ସମ୍ପର୍କରେ ଆସନ୍ତୁ ଜାଣିବା କିଛି ତଥ୍ୟ ।
କର୍ପୋରେଟ୍ ସେକ୍ଟର (Corporate Sector)ରେ ବିଭାଜନ ଏକ ସାଧାରଣ କଥା । କାରଣ ସେହି ବ୍ୟବସାୟରେ ପରିବାର ସହିତ ଅନ୍ୟମାନଙ୍କ ଭବିଷ୍ୟତ ମଧ୍ୟ ଏଥିରେ ଜଡିତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବଡ଼ ବ୍ୟବସାୟ ଓ ଘରୋଇ ସମ୍ପର୍କ ମଧ୍ୟରେ ଅନେକ ଜଟିଳତା ରହିଛି । ଯଦି ଆପଣ ମୁକେଶ ଅମ୍ବାନୀ ଏବଂ ଅନିଲ ଅମ୍ବାନୀଙ୍କ ମଧ୍ୟରେ ଥିବା ବିଭାଜନକୁ ମନେ ପକାଇବେ ତେବେ ଆପଣ ସହଜରେ ଏହି ବିଭାଜନ ସମ୍ପର୍କରେ ବୁଝି ପାରିବେ ।
ଗୋଡ୍ରେଜ୍ କମ୍ପାନୀର ମୂଲ୍ୟ
ଗୋଦରେଜ କମ୍ପାନୀ କଥା ମନେ ପଡିଲେ ଆମ ନଜରକୁ ପ୍ରଥମେ ଗୋଦରେଜ କମ୍ପାନୀ ପ୍ରସ୍ତୁତ କରୁଥିବା ତାଲା ଆସିଯାଇଥାଏ । କାରଣ ୧.୭୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ଗୋଦରେଜ ଗ୍ରୁପ୍ ପ୍ରଥମେ ତାଲା ବିକ୍ରି କରି କମ୍ପାନୀକୁ ସଫଳତା ଆଡକୁ ନେଇଥିଲା । ଏହି କମ୍ପାନୀ ଭାରତ ସର୍ବ ପୁରାତନ କମ୍ପାନୀ ମଧ୍ୟରେ ସାମିଲ ରହିଛି । ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଏହି ଗୋଦରେଜ ବିଭାଜନକୁ ନେଇ ଆଲୋଚନା ଚାଲିଛି। ମିଳିଥିବା ସୂଚନା ମୁତାବକ ଏହି ଆଲୋଚନା ଅନେକ ଆଗକୁ ମଧ୍ୟ ବଢିଛି । ଅଫିସିଆଲି ଭାବରେ ଖୁବ ଶୀଘ୍ର ଏନେଇ ସୂଚନା ପ୍ରକାଶ ହୋଇପାରେ ।
କାହିଁକି ବିଭାଜନ ?
ଗୋଦରେଜ ଗ୍ରୁପରେ ବର୍ତ୍ତମାନ ୫ ଟି ତାଲିକାଭୁକ୍ତ କମ୍ପାନୀ ରହିଛି । ଏଥି ମଧ୍ୟରେ ଗୋଦରେଜ ଇଣ୍ଡଷ୍ଟ୍ରିଜ୍, ଗୋଦରେଜ ଗ୍ରାହକ ଉତ୍ପାଦ, ଗୋଦରେଜ ଆଗ୍ରୋଭେଟ୍, ଗୋଦରେଜ ପ୍ରପର୍ଟିଜ୍ ଏବଂ ଲାଇଫ ସାଇନ୍ସ ଅନ୍ତର୍ଭୁକ୍ତ | ବର୍ତ୍ତମାନ ଗୋଦରେଜର ଗୋଟିଏ ପରିବାରରେ ଦୁଇଟି ଗୋଷ୍ଠୀ ଅଛନ୍ତି । ଗୋଦରେଜ ଗ୍ରୁପ୍ ମୁଖ୍ୟ ଆଦି ଗୋଦରେଜ ଏବଂ ତାଙ୍କ ଭାଇ ନାଦିର ଗୋଦରେଜ ଇଣ୍ଡଷ୍ଟ୍ରିଜ୍ ଏବଂ ଆସୋସିଏଟ୍ସକୁ ନିୟନ୍ତ୍ରଣ କରନ୍ତି । ଯେଉଁଠାରେ ଗୋଦରେଜ ଆଣ୍ଡ ବଏସ୍ ଉତ୍ପାଦନ କମ୍ପାନୀ ଆଦି ଗୋଦରେଜଙ୍କ ସମ୍ପର୍କୀୟ ଜାମଦେଶ ଗୋଦରେଜ ଏବଂ ସ୍ମିତା କୃଷ୍ଣ ଗୋଦରେଜଙ୍କ ନେତୃତ୍ୱରେ ରହିଛି। ବର୍ତ୍ତମାନ ଖବର ହେଉଛି ଏହି ଇଞ୍ଜିନିୟରିଂ, ସୁରକ୍ଷା, ଏଗ୍ରି, ରିଏଲ୍ ଇଷ୍ଟେଟ୍ ଏବଂ ଉପଭୋକ୍ତା ଉତ୍ପାଦ କମ୍ପାନୀର ଶାଖା ଗୁଡିକୁ ବିଭକ୍ତ କରାଯାଇପାରେ ।
ଗୋଦରେଜ ତାଲା ବିକ୍ରି
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବର୍ତ୍ତମାନ ଗୋଦରେଜ କମ୍ପାନୀର ସମୁଦାୟ ମୂଲ୍ୟ ୧.୭୬ ଲକ୍ଷ କୋଟି ଟଙ୍କା । ଏହି କମ୍ପାନୀ ପ୍ରଥମେ ତାଲା ବିକ୍ରି କରି ପ୍ରତିଷ୍ଠିତ ହେବାରେ ସକ୍ଷମ ହୋଇଥିଲା । ବର୍ତ୍ତମାନ ଏହି କମ୍ପାନୀ ନିଜର ଏତେ ପ୍ରଚାର ପ୍ରସାର କରିସାରିଛି ଯାହା ପ୍ରତ୍ୟକ କ୍ଷେତ୍ରରେ ନୂଆ ନୂଆ ସଫଳତା ଆଣିଦେଉଛି । ଏହି କମ୍ପାନୀ ୨୦୨୩ ଆର୍ଥିକ ବର୍ଷରେ ୪୨,୧୭୨ କୋଟି ଟଙ୍କା ହାସଲ କରିଛି । ତେବେ କମ୍ପାନୀର ଲାଭ ସେମଧ୍ୟରେ ରହିଛି ପ୍ରାୟ ୪ ହଜାର କୋଟି ।
ସମସ୍ୟା କେଉଁଠି ଉପୁଜିବ ?
ଯେକୌଣସି କମ୍ପାନୀ ବିଭାଜନ ହେଉ ନା କାହିଁକି ପ୍ରଥମେ ବିଭାଜନ ପୂର୍ବରୁ ସମସ୍ୟା ସୃଷ୍ଟି ହୋଇଥାଏ । ଗୋଦରେଜ୍ ଗ୍ରୁପ୍ ବିଷୟରେ କହିବାକୁ ଗଲେ ଏଠାରେ ଏକ ସମସ୍ୟା ମଧ୍ୟ ଦେଖିବାକୁ ମିଳିପାରେ । ବିଶେଷଜ୍ଞଙ୍କ ମତ ଅନୁଯାୟୀ, କମ୍ପାନୀର ସମ୍ପତ୍ତି ଥିବା ଜି ଆଣ୍ଡ ବି ୩୪୦୦ ଏକର ଜମି ସମସ୍ୟାର ସମାଧାନ ହେବା ଜରୁରୀ । ଏଥିସହିତ ଇକ୍ୱିଟି କ୍ରସୋଲ୍ଡିଂ ଯୋଗୁଁ ଏହି ଜମି ବଣ୍ଟନରେ ସାମାନ୍ୟ ସମସ୍ୟା ରହିଛି । ଆଭ୍ୟନ୍ତରୀଣ ସମାଧାନ ମାଧ୍ୟମରେ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରାଯାଉଛି । ଏହାର ସମାଧାନରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଏହାର ମୂଲ୍ୟ ନିର୍ଦ୍ଧାରଣ କରିବା ।
Also Read- ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ ଧରଣର ରିଆଲିଟି ଶୋ ‘ଗୃହଲକ୍ଷ୍ମୀ’
Also Read- Maharashtra Case: ମହାରାଷ୍ଟ୍ର ଡାକ୍ତରଖାନାରେ ଅଭାବନୀୟ ଘଟଣା, ମେଡିସିନ ଅଭାବରୁ ଗଲା ୩୧ ଜୀବନ