AAP Minister Raj Kumar Anand Resignation: ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି (ଆପ୍) ସରକାରକୁ ଲାଗିଛି ଜବରଦସ୍ତ ଝଟକା। ମଙ୍ଗଳବାର ଉଭୟ ଦଳ ଏବଂ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ରାଜ କୁମାର ଆନନ୍ଦ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କୁ ପ୍ରାୟ ମାସେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡି଼ଥିଲା। ଇଡି ତାଙ୍କ ସହ ଜଡ଼ିତ ବିଭିନ୍ନ ଠିକଣା ଉପରେ ଚଢାଉ କରିଥିଲା। ଇସ୍ତଫା ଦେବା ପରେ ରାଜକୁମାର ଆନନ୍ଦ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ଦୁର୍ନୀତିରେ ବୁଡ଼ି ରହିଛି। ମୁଁ ଦୁର୍ନୀତିଗ୍ରସ୍ତ ଲୋକଙ୍କ ସହିତ କାମ କରିପାରିବି ନାହିଁ।     


COMMERCIAL BREAK
SCROLL TO CONTINUE READING

"ମନି ଲଣ୍ଡରିଂ" ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜ କୁମାର ଆନନ୍ଦଙ୍କ ସହ ଜଡ଼଼ିତ ବିଭିନ୍ନ ଠିକଣା ଉପରେ ଚଢାଉ କରିଥିଲା। ସେତବେଳେ କୁହାଯାଇଥିଲା ଯେ ଇଡି଼ ପକ୍ଷରୁ ହୋଇଥିବା ଚଢାଉ "ମନି ଲଣ୍ଡରିଂ" ମାମଲାରେ ହେଉଥିବା ଯାଞ୍ଚର ଏକ ଅଂଶ ବିଶେଷ। ଏହି ମାମଲାରେ ଇଡ଼ି ତାଙ୍କ ସରକାରୀ ବାସଭବନରେ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର ମଧ୍ୟରେ ରହିଥିବା ତାଙ୍କ ସହ ଜଡିତ ଅନ୍ୟ ୯ ଠିକଣା ଉପରେ ଚଢାଉ କରିଥିଲା।



କିଏ ଏହି ରାଜ କୁମାର ଆନନ୍ଦ?
ରାଜକୁମାର ଆନନ୍ଦ ଦିଲ୍ଲୀ ସ୍ଥିତ ପଟେଲ ନଗର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଗତ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସେ ପଟେଲ ନଗର ବିଧାନସଭା ଆସନରୁ ​​ନିର୍ବାଚିତ ହୋଇଥିଲେ। ରାଜକୁମାର ଆନନ୍ଦ ଆପ୍ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମନ୍ତ୍ରୀମଣ୍ଡଳରେ ବିଭିନ୍ନ ବିଭାଗର ମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ସେ ସମାଜ କଲ୍ୟାଣ, ଏସସି ଏବଂ ଏସଟି, ଗୁରୁଦ୍ୱାର ନିର୍ବାଚନ ଏବଂ ସମବାୟ ସମିତି ଭଳି ବିଭାଗ ଦାୟିତ୍ୱରେ ରହିଥିଲେ। ରାଜନୀତିକୁ ଆସିବା ପୂର୍ବରୁ ସେ ଚମଡ଼ା ବ୍ୟବସାୟ କରୁଥିଲେ। ବ୍ୟବସାୟୀ ସହ ସେ ହେଉଛନ୍ତି ଜଣେ ସାମାଜିକ କର୍ମକର୍ତ୍ତା। ଗତ ୨୦୧୧ ବର୍ଷରେ ଆନନ୍ଦ ଆନ୍ନା ହାଜାରେଙ୍କ ନେତୃତ୍ୱରେ ହୋଇଥିବା ଦୁର୍ନୀତି ବିରୋଧରେ ହୋଇଥିବା ଆନ୍ଦୋଳନର ଅଂଶଗ୍ରହଣ କରିଥିଲେ। ଏହି ଆନ୍ଦୋଳନ ପରେ ରାଜ କୁମାର ଆନନ୍ଦ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧିନ ଆମ ଆଦମୀ ପାର୍ଟି ହାତ ଧରିଥିଲେ।