ନୂଆଦିଲ୍ଲୀ: ଆଜି ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ। ପ୍ରଥମ ଦିନରେ ଏହା କେଉଁ ବିଷୟ ପ୍ରତି ଗୁରୁତ୍ୱ ଦେବ ଆଉ କେଉଁ ବିଧେୟକ ସରକାର ଆଣିବେ? ପୁଣି କେଉଁ ବିଭାଗର ପ୍ରଶ୍ନରେ ଉତ୍ତର ଦେବେ ସରକାର? ଏମିତି ଅନେକ ପ୍ରଶ୍ନ ଉଠିବା ସ୍ୱଭାବିକ।  ଆସନ୍ତୁ ନଜର ପକାଇବା ଆଜି କେମିତି ରହିବ ଉଭୟ ଲୋକସଭା ଓ ରାଜ୍ୟସଭାରେ ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ବାବଦରେ। 

 

1.ନିର୍ଦ୍ଧାରିତ କାର୍ଯ୍ୟସୂଚନୀ ଅନୁସାରେ ବାଚସ୍ପତି ଆଜି ସକାଳ ୧୧ଟାରେ ଲୋକସଭାରେ ସବୁ ସାଂସଦଙ୍କୁ ଉପସ୍ଥିତ ରହିବାକୁ ଜଣାଇଛନ୍ତି। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁସାରେ ସାଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଡିସେମ୍ବର ୨୦ ତାରିଖ ଯାଏ ଡକାଯାଇଛି। ଏଥିରେ ୧୯ଟି କାର୍ଯ୍ୟଦିବସ ରହିଛି। ପ୍ରତି ଶୁକ୍ରବାରକୁ ଉଭୟ ସରକାରୀ ଏବଂ ଘରୋଇ ସଦସ୍ୟଙ୍କ ସଂକଳ୍ପର ଦିନ ଭାବେ ଗ୍ରହଣ କରାଯାଇଛି। 

 

2.ଆଜି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସ୍ୱରୁପ ଅର୍ଥମନ୍ତ୍ରୀ ବ୍ୟାଙ୍କିଙ୍ଗ୍ ସଂଶୋଧନ ବିଧେୟକ ୨୦୨୪କୁ ଗୃହରେ ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ବିଧେୟକ ପାଇଁ ଆଲୋଚନା ଓ ପାରିତ କରିବା ଲାଗି ଅର୍ଥମନ୍ତ୍ରୀ ପ୍ରସ୍ତାବ ଆଣିବେ। ସେହିପରି ଗୃହ ଯଦି ଠିକ୍‍ଠାକ୍‍ ଚାଲେ ତେବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇ ସଂଶୋଧନ ବିଧେୟକ ୨୦୨୪କୁ ଗୃହରେ ଆଲୋଚନା ଓ ପାରିତ ଲାଗି ପ୍ରସ୍ତାବ ଉପସ୍ଥାପନ କରିବେ। 

 

3.କିନ୍ତୁ ସର୍ବପ୍ରଥମେ ସଭା କାର୍ଯ୍ୟ ଆରମ୍ଭ ହେବାପରେ ଆଜି ଲୋକସଭା ଏହାର ଦିବଂଗତ ସଦସ୍ୟ ଏବଂ ପୂର୍ବତନ ସଦସ୍ୟଙଘ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିବ। ଦୁଇଜଣ ବର୍ତ୍ତମାନର ସଦସ୍ୟଙ୍କ ଏ ଭିତରେ ଦେହାନ୍ତ ହୋଇଛି। ଏମାନଙ୍କ ବାବଦରେ ବାଚସ୍ପତି ଗୃହକୁ ସୂଚନା ଦେବା ସହ ତାଙ୍କ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିବେ। ଏହି ଦୁଇଜଣ  ସଦସ୍ୟ ହେଉଛନ୍ତି ଚବନ ବସନ୍ତ ରାଓ ବଲଓ୍ୱନ୍ତ ରାଓ ଏବଂ ସେଖ ନୁରୁଲ ଇସ୍ଲାମ।

 

4.ସେହିପରି ପୂର୍ବତନ ସଦସ୍ୟ ଏମ୍‍ଏମ୍‍ ଲରେନ୍ସ, ଏମ୍‍ ପାର୍ବତୀ, ହରିଶଚନ୍ଦ୍ର ଦେଓରାମ ଚବନ୍‍ଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ରିବ ଲୋକସଭା। 

 

5.ଶ୍ରଦ୍ଧାଞ୍ଜଳୀ ପ୍ରଦାନ ପରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ ପାଇଁ ଆଦେଶ ଦେବେ। କର୍ପୋରେଟ୍‍ ବ୍ୟାପାର, ସଂସ୍କୃତି, ଶିକ୍ଷା, ପରିବେଶ, ଅର୍ଥ, ଶ୍ରମ, ନିଯୁକ୍ତି, ପର୍ଯ୍ୟଟନ, ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରଣାଳୟ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଆଜି ସମ୍ପୃକ୍ତ ମନ୍ତ୍ରୀମାନେ ଲୋକସଭାରେ ରଖିବେ। 

 

6.ଏହାପରେ ‘ସଂକଳ୍ପ’ ପ୍ରକଳ୍ପ ବାବଦରେ ଶ୍ରମ, ବୟନ ଓ ଦକ୍ଷତା ବିକାଶ ଷ୍ଟାଣ୍ଡିଂ କମିଟିର ରିପୋର୍ଟର ରୂପାୟନ ବାବଦରେ ଏକ ବୟାନ ଆଜି ଉପସ୍ଥାପନ କରାଯିବ। 

 

7.ଏହା ପରେ ରାଜ୍ୟସଭାରୁ ଜଣେ ସଦସ୍ୟଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବ୍ୟାପାର ସମ୍ପର୍କିତକ ମିଟିରେ ସ୍ଥାନୀତ କରିବା ଲାଗି ଏକ ପ୍ରସ୍ତାବ ଆଗତ ହେବ। 

 

8.ପଛୁଆ ବର୍ଗ କଲ୍ୟାଣ କମିଟି ଲାଗି ରାଜ୍ୟସଭାର ଜଣେ ସଦସ୍ୟଙ୍କୁ ସଦସ୍ୟ ଭାବେ ମନୋନୟନ ଲାଗି ରାଜ୍ୟସଭାକୁ ପ୍ରସ୍ତାବ କରିବା ଲାଗି ଏକ ପ୍ରସ୍ତବ ମଧ୍ୟ ଆଗତ ହେବାର କାର୍ଯ୍ୟକ୍ରମ ରହିଛି। 

 

9.ଆଇଆଇଟି କାଉନ୍ସିଲ୍‍କୁ ଗୃହର ଦୁଇ ସଦସ୍ୟଙ୍କୁ ନିର୍ବାଚନ ମଧ୍‍ୟ ଆଜି ଅନୁଷ୍ଠିତ ହେବ। 

 

10.ଏହାପରେ ଗୃହର କାର୍ଯ୍ୟବିଧି ଧାରା ୩୭୭ ଅନୁସାରେ  ସଦସ୍ୟମାନଙ୍କ ଆଞ୍ଚଳିକ ପ୍ରସଙ୍ଗକୁ ମଧ୍ୟ  ଗୃହ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି।