Madhya Pradesh Assembly Election 2018: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଶେଷ ହୋଇଛି ପ୍ରସ୍ତୁତି। ଆସନ୍ତା ୧୭ ତାରିଖ ଶୁକ୍ରବାର ହେବ ଭୋଟ ଗ୍ରହଣ। ଏହି ନର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଚାର। ମଧ୍ୟ ପ୍ରଦେଶ ଭାରତ ବର୍ଷରେ ସର୍ବାଧିକ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଭାବରେ ପରିଗଣିତ ହୋଇଥାଏ। ଯେଉଁଠି ମୋଟ ୨୩୦ ବିଧାନସଭା ଆସନ ରହିଛି। ସେଥିମଧ୍ୟରୁ ୪୭ ଆସନ ଅନୁସୂଚିତ ଜନଜାତି ଏବଂ ୩୪ ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି।


COMMERCIAL BREAK
SCROLL TO CONTINUE READING

ହେଲେ ଗତ ୨୦୧୮ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଥିଲା। ରାଜ୍ୟର ଯେଉଁ ଆସନ ଅନୁସୂଚିତ ଜନଜାତି କିମ୍ବା ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି ସେଠାରେ ନୋଟା ଅର୍ଥାତ "ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ" (NOTA-None Of The Above) ଭୋଟ୍ ଅଂଶ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଗତ ଥରର ବିଧାନସଭା ନିର୍ବାଚନରେ ରାଜ୍ୟର ୧୮ ଆସନରେ ନୋଟା ୫ ହଜାରରୁ ଅଧିକ ଭୋଟ୍ ପାଇଥିବାର ରେକର୍ଡ କରାଯାଇଥିଲା। ଏହି ୧୮ ଆସନ ମଧ୍ୟରୁ ୧୩ ସିଟ୍ ଅନୁସୂଚିତ ଜନଜାତି ଏବଂ ଗୋଟିଏ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଥିବା ନିର୍ବାଚନମଣ୍ଡଳୀ ରହିଥିଲା।


୨୦୧୮ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କେଉଁ ଆସନରେ ମିଳିଥିଲା କେତେ ନୋଟା ଭୋଟ?
ଗତ ୨୦୧୮ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟର ବୈତୁଲ ଜିଲ୍ଲାର ଏକ ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ଭୈସଂଦେହୀ ଠାରେ ସର୍ବାଧିକ ନୋଟା ଭୋଟ ମିଳିଥିଲା। ଏହି ଆସନରେ ପ୍ରାୟ ୩.୬ ପ୍ରତିଶତ ଅର୍ଥାତ ୭୯୪୮ ଖଣ୍ଡ ନୋଟା ଭୋଟ୍ ମିଳିଥିଲା। ଏହା ସହିତ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଥିବା ଶାହାପୁର, ଜୁନ୍ନାରଦେବ, ଝାବୁଆ ଆସନରେ ଯଥାକ୍ରମେ ୬୫୪୩, ୬୨୪୫ ଏବଂ ୬୧୮୮ ଖଣ୍ଡ ନୋଟା ଭୋଟ୍ ମିଳିଥିଲା।


ନୋଟା ଭୋଟ ମିଳିବା ପଛରେ କ'ଣ ରହିଛି କାରଣ?
ଏପରି ସଂରକ୍ଷତି ଆସନରେ ନୋଟା ଭୋଟ୍ ବୃଦ୍ଧି ହେତୁ ଅନେକ ପ୍ରଶ୍ନ ଉଠିଛି। ପ୍ରଥମ ପ୍ରଶ୍ନ ହେଉଛି ଯେ କ'ଣ କୌଣସି ରାଜନୈତିକ ଶ୍ରେଣୀ କିମ୍ବା ଏକ ନିର୍ଦ୍ଦିଷ୍ଟ ଜାତି ଅଥବା ଗୋଷ୍ଠୀର ରାଜନେତାଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିବା ଉଦ୍ଦେଶ୍ୟରେ ନୋଟା ବିକଳ୍ପ ଚୟନ କରାଯାଉଛି? 


  • ଏନେଇ ରାଜନୈତିକ ବିଶେଷଜ୍ଞ କହିଛନ୍ତି ଯେ ସଂରକ୍ଷିତ ଆସନରେ NOTA ଚୟନ କରୁଥିବା ବ୍ୟକ୍ତି ଆଦିବାସୀ ମତଦାତା ହେବେ ନାହିଁ। ଏହା ସମ୍ଭବ ଯେ ଅଣ ଆଦିବାସୀ ବର୍ଗର ମତଦାତା ଏପରି ଆସନରେ ନିର୍ବାଚନ ଲଢୁଥିବା ଏକ ଆଦିବାସୀ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପରିବର୍ତ୍ତେ ନୋଟା ବିକଳ୍ପ ଚୟନ କରିପାରନ୍ତି।

  • ଆଉ କେତେକ ରାଜନୈତିକ ବିଶେଷଜ୍ଞ ମତ ଦିଅନ୍ତି ଯେ ନୋଟା ଭୋଟ ବଢିବା ଦେଶର ପ୍ରଚଳିତ ରହିଥିବା ଜାତିଗତ ସଂରକ୍ଷଣ ବିରୋଧରେ ଉଚ୍ଚ ଜାତିର ବିରୋଧର ପ୍ରତୀକ ହୋଇପାରେ।

  • ଏହାର ଅନ୍ୟ ଏକ ଦିଗ ଏହା ହୋଇପାରେ ବିଗତ କିଛି ବର୍ଷ ଧରି ଆଦିବାସୀ ମତଦାତା ବିଜେପି ଉପରେ ଅସନ୍ତୁଷ୍ଟ ରହିଥିଲେ। ଏପରି ପରିସ୍ଥିତିରେ, ଏହା ସମ୍ଭବ ହୋଇଥାଇ ପାରେ ଯେ କିଛି ଆଦିବାସୀ ଭୋଟର ମଧ୍ୟ ନୋଟା ବିକଳ୍ପ ଚୟନ କରିଥାଇ ପାରନ୍ତି।


ଦେଶର ଜଣାଶୁଣା ଇଂରାଜୀ ସମ୍ବାଦପତ୍ର "ଡେକାନ୍ ହେରାଲ୍ଡ" ରିପୋର୍ଟ ଅନୁଯାୟୀ, କେବଳ ମଧ୍ୟ ପ୍ରଦେଶ ନୁହେଁ କେନ୍ଦ୍ରୀୟ ଭାରତର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏପରି ଧାରା ଦେଖିବାକୁ ମିଳିଛି। ଏନେଇ ହୋଇଥିବା ଅଧ୍ୟୟନରେ କୁହାଯାଇଛି ଯେ ଜାତି ସମୂହ ମୁଖ୍ୟ ରୂପରେ ଉତ୍ତମ ପ୍ରତିନିଧିତ୍ୱ ପାଇବା ପାଇଁ ନୋଟା ବିକଳ୍ପ ବ୍ୟବହାର କରିଥାଇ ପାରନ୍ତି। ଏହି ଅନୁସନ୍ଧାନରେ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲା ଏବଂ ଛତିଶଗଡର ବସ୍ତର ଅଞ୍ଚଳରୁ ଏହାର ଏକ ଉପାଦେୟ ପ୍ରମାଣ ମଧ୍ୟ ଅନ୍ତର୍ଭୂକ୍ତ ରହିଛି। ଯେଉଁଠାରେ ଅନ୍ୟ ପଛୁଆ ବର୍ଗ ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଥିଲା। ଏହା ବଦଳରେ ସେମାନଙ୍କ ସମ୍ପ୍ରଦାୟ ପାଇଁ ପ୍ରତିନିଧିତ୍ୱ ବୃଦ୍ଧି କରିବାକୁ ଦାବି କରିଥିଲା ପଛୁଆ ବର୍ଗ।