Bahanaga train collision: ମନେପଡେ ସେଇ ଛତିଥରା ଦୃଶ୍ୟ। ସେଦିନ ଥିଲା ୨ ଜୁନ୍ ୨୦୨୩ ଶୁକ୍ରବାର। ଅନ୍ଧାରକୁ ଚିରି ଟ୍ରାକରେ ଗଡୁଥିଲା କରମଣ୍ଡଳ ଏକ୍ସପ୍ରେସ । ଗନ୍ତବ୍ୟ ସ୍ଥଳର ନିକଟତର ହେଉଥିଲେ ଯାତ୍ରୀ । କିଏ ପରିବାର ସହ ତ କିଏ ସାଙ୍ଗ ସାଥିଙ୍କ ସହ ହସଖୁସିରେ ମଜି ଯାଇଥିଲେ । ହେଲେ ଅଚାନକ ନିମିଷକ ମଧ୍ୟରେ ସବୁ କିଛି ଛାରଖାର ହୋଇଯାଇଥିଲା। ସାରା ବିଶ୍ବକୁ ସ୍ତବ୍ଧ କରିଥିଲା କରମଣ୍ଡଳ ଟ୍ରେନ ଦୁର୍ଘଟଣା। ଆଖି ବୁଜିଥିଲେ ଶହ ଶହ ଯାତ୍ରୀ ଆଉ ରକ୍ତରେ ଭିଜିଥିଲା ବାହାନଗା । ଆଜି ଏହି ଘଟଣାକୁ ବର୍ଷେ ପୁରିଛି । ଦିନ ବଦଳିଛି ସମୟ ବଦଳିଛି, କିନ୍ତୁ ସେହି ଦିନର ସେ ଦୁଃଖଦ ଘଟଣା କାହାରି ମନରୁ ଆଜି ବି ଲିଭିନାହିଁ । କିଏ ମା କୁ ହରେଇଚି ତ, ଆଉ କିଏ ଛୁଆ କୁ ହରେଇ ବିକଳ ହେଇ କାନ୍ଦୁଚି। କାହା ସିନ୍ଦୁର ଲିଭି ଯାଇଛି ତ କାହା କୋଳ ଶୂନ୍ୟ ହୋଇଯାଇଛି। ଏହି ଦୁର୍ଘଟଣା ସାରା ବିଶ୍ବକୁ ଦୋହଲାଇ ଦେଇଥିଲା ।


COMMERCIAL BREAK
SCROLL TO CONTINUE READING

ସେଦିନ ଥିଲା ଶୁକ୍ରବାର, ହାୱାଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ । ହଠାତ୍ ବାହାନଗାରେ ଲୁପ ଲାଇନକୁ ଚାଲିଯାଇ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା କରମଣ୍ଡଳ । ଫଳରେ ଟ୍ରେନର ବଗି ଟ୍ରାକରେ ଛିଟିକି ପଡିଥିଲା । ଏହି ସମୟରେ ଅପର ପାର୍ଶ୍ବରୁ ଆସୁଥିବା ଯଶୋବନ୍ତପୁର ଏକ୍ସପ୍ରେସ କରମଣ୍ଡଳ ବଗିରେ ପିଟି ହୋଇଥିଲା । ଆର୍ତ୍ତ ଚିତ୍କାରରେ ଫାଟି ପଡିଥିଲା ସାରା ଅଞ୍ଚଳ । ଟ୍ରାକ ତଳୁ ଶୁଭୁଥିଲା ବଞ୍ଚାଅ ବଞ୍ଚାଅର ଶବ୍ଦ । ଖବର ପ୍ରଚାର ହେଉ ହେଉ ସଙ୍ଗେ ସଙ୍ଗେ ରେଳ ଲାଇନ ପାଖରେ ଲାଗିଯାଇଥିଲା ଲୋକଙ୍କ ଭିଡ଼ । ଯିଏ ଯେମିତି ପାରିଥିଲା ଆହତ ଲୋକମାନଙ୍କୁ ଉଦ୍ଧାର କରିବାରେ ଲାଗି ପଡିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏହାର ଶବ୍ଦରେ ଥରି ଉଠିଥିଲା ପୁରା ବାହାନଗା ଅଞ୍ଚଳ।


ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ଜୀବନ ବଞ୍ଚାଇବାକୁ ଶୁଭୁଥିଲା ଚିତ୍କାର । ଟ୍ରେନ ତଳୁ ଉଦ୍ଧାର କରିବାକୁ କୋହଭରା କଣ୍ଠରେ ଚିତ୍କାର କରିଥିଲେ ଯାତ୍ରୀ । କାହାର ଜୀବନ ଯାଇଥିଲା ତ ଆଉ କିଏ ଅଚେତ ହୋଇପଡିଥିଲା । କାହାର ଗୋଡ ଶରୀର ଦୁଇ ଭାଗ ହୋଇଯାଇଥିଲେ ତ ଆଉ କାହାର ଗୋଡ ଶରୀରଠୁ ଅଲଗା ହୋଇଯାଇଥିଲା । ଏହାପରେ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଆରମ୍ଭ ହୋଇଥିଲା ଉଦ୍ୟମ । ଆଖି ଆଗରେ ଦୁର୍ଘଟଣା ପରର ସେ ଭୟଙ୍କର ଦୃଶ୍ୟ ଦେଖି ସମସ୍ତେ ହୋଇଯାଇଥିଲେ ଧୈର୍ଯ୍ୟହରା । ଆଖି ଆଗରେ ପଡିଥିଲା କୁଢ କୁଢ ମୃତଦେହ । ତଥାପି ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଅଣ୍ଟା ଭିଡିଥିଲେ ବାଲେଶ୍ବରବାସୀ । ଆମ୍ବୁଲାନ୍ସ ଆସିବା ପୂର୍ବରୁ ସଙ୍ଗେ ସଙ୍ଗେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ କରିଥିଲେ ଭର୍ତ୍ତି । ଦୁର୍ଘଟଣା ଦିନ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ ବାଲେଶ୍ବରବାସୀ । ଯିଏ ଯେଉଁ ପ୍ରକାର ସାହାଯ୍ୟ କରିଥିଲେ । ବିଛାଡି ହୋଇ ପଡିଥିବା ଟ୍ରେନ ବଗିରୁ ଲୋକଙ୍କୁ ଉଦ୍ଧାର କରି କିଏ ଆହତଙ୍କୁ ପାଣି ଦେଉଥାଏ ତ କିଏ ସେମାନଙ୍କୁ ଆଉଁସି ଦେଉଥାଏ । ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ବ୍ୟବସ୍ଥା କରିଥିଲେ । ଖାଲି ସେତିକି ନୁହେଁ ଆହତଙ୍କୁ ରକ୍ତ ଦେବାକୁ ଲୋକଙ୍କ ଲାଇନ ଲାଗିଥିଲା । ବିଳମ୍ବିତ ରାତି ଯାଏ ଆହତଙ୍କୁ ରକ୍ତଦାନ ପାଇଁ ଧାଡିରେ ଅପେକ୍ଷା କରିଥିଲେ । ବିପତ୍ତି ସମୟରେ ବାଲେଶ୍ବରବାସୀ ଯେଉଁଭଳି କାର୍ଯ୍ୟ କରିଥିଲେ ତାହା ଉଦାହରଣ ସୃଷ୍ଟି କରିଥିଲା । ସାଉଁଟି ଥିଲା ପ୍ରଶଂସା ।


ଟ୍ରେନ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏଥିରେ ପ୍ରାଣ ହରାଇଥିବା ଯାତ୍ରୀଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡିଥିଲା । ସବୁଠାରୁ ଅଧିକ ଆହ୍ବାନପୂର୍ଣ୍ଣ ଥିଲା ମୃତଦେହ ଚିହ୍ନଟ କରିବା ଓ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା । ଏଥିପାଇଁ ଓଡିଶା ସରକାର ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ । ଚିହ୍ନଟ ହୋଇନଥିବା ମୃତଦେହଗୁଡିକୁ ଭୁବନେଶ୍ବର ଏମ୍ସରେ ରଖାଯାଇଥିଲା । ତଥାପି ଶେଷ ପର୍ଯ୍ୟନ୍ତ ସମସ୍ତ ମୃତକଙ୍କ ମୃତଦେହ ଚିହ୍ନଟ ଓ ହସ୍ତାନ୍ତରଣ ପ୍ରକ୍ରିୟା ଶେଷ ହୋଇପାରିନଥିଲା । ଅକ୍ଟୋବର ୧୧ ତାରିଖରେ ଚିହ୍ନଟ ହୋଇପାରିନଥିବା ୨୮ ମୃତଦେହକୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଶେଷକୃତ୍ୟ କରାଯାଇଥିଲା ।


(Written By- Tapasa Gyanadarshini)