Child Died: ନବରଙ୍ଗପୁର: ରାଇଘର ବ୍ଲକର କସକଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜଡ଼ାପାରା ଗ୍ରାମରେ ପୁଣି ଅନ୍ଧ ବିଶ୍ବାସ ଚେଙ୍କ ଯୋଗୁଁ ୯ ମାସର ଶିଶୁ ପୁତ୍ରର ମୃତ୍ୟୁ। ସୂଚନା ଅନୁଯାୟୀ ଜଡ଼ାପାରା ଗ୍ରାମର ସୁକଦେବ ଗଣ୍ଡଙ୍କ ୯ ମାସର ପୁଅ ରୂପେଶ ଗଣ୍ଡକୁ ଗତ ସୋମବାର ଦିନ ଥଣ୍ଡା ଖାସ ସହିତ ଜ୍ବର ହୋଇଥିଲା। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ସେଠାକାର ଆଶାକର୍ମୀ ସହନ୍ତି ଗଣ୍ଡ ଗତ ମଙ୍ଗଳବାର ଦିନ ସୁକଦେବ ଘରକୁ ଯାଇ ପୁଅକୁ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଆଶାକର୍ମୀଙ୍କ କଥାକୁ ଭୃକ୍ଷେପ ନକରି ଘରୋଇ ଚିକିତ୍ସା କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ।


COMMERCIAL BREAK
SCROLL TO CONTINUE READING

ଫଳରେ ବୁଧବାର ଜୋଡ଼ଯୋଙ୍ଗା ଅଞ୍ଚଳରୁ ଜଣେ ବୃଦ୍ଧାଙ୍କୁ ଡକାଇ ନିଜ ପୁଅ ରୂପେଶକୁ ଚେଙ୍କ ଦେଇଥିଲେ। ଚେଙ୍କ ଦେଉଥିବା ସମୟରେ ଆଶାକର୍ମୀ ସେଠାକୁ ପହଞ୍ଚି ଏଭଳି ଅବସ୍ଥା ଦେଖି ତୁରନ୍ତ ୧୦୮ ଆମ୍ବୁଲାନସ୍ ଡକାଇ ଥିଲେ। ଅପରପକ୍ଷରେ ଚେଙ୍କ ଯୋଗୁଁ ରୁପେଶର ସ୍ୱାସ୍ଥ୍ୟ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା। ଆମ୍ବୁଲାନସ୍ ପହଞ୍ଚିବା ପରେ ଦିନ ଦ୍ବିପହରରେ ଆଶାକର୍ମୀଙ୍କ ସହାୟତାରେ ରୁପେଶକୁ ହାଟଭରାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ରୁପେଶକୁ ଭର୍ତ୍ତି କରି ଭଲ ହେବା ପର୍ଯ୍ୟନ୍ତ ଚିକିତ୍ସା ଚାଲୁ ରହିବ ବୋଲି କହିଥିଲେ। 


ଅନ୍ୟପଟେ ପରିବାର ଲୋକେ ମେଡିକାଲରେ ଚିକିତ୍ସା କରିବାକୁ ପସନ୍ଦ କରୁନଥିବା ବେଳେ ଘରକୁ ଫେରି ଯିବାକୁ ଇଛା କରି ଡାକ୍ତରଙ୍କୁ ରିଲିଭ କରିଦିଅ ବୋଲି ବାରମ୍ବାର କହିଥିଲେ। ଅନ୍ୟପଟେ ରୁପେଶର ସ୍ୱାସ୍ଥ୍ୟ ଅବସ୍ଥା ଶୋଚନୀୟ ଅଛି ତାକୁ ଛଡ଼ାଯିବ ନାହିଁ ବୋଲି ଡାକ୍ତର ସଫା ସଫା ମନା କରିଥିଲେ। ଗତ ଗୁରୁବାର ଦିନ ସକାଳ ପ୍ରାୟ ୧୦ଟା ସମୟରେ ଆଶାକର୍ମୀ ଓ ଡାକ୍ତର ଆସି ଦେଖିବା ବେଳକୁ ରୂପେଶକୁ ନେଇ ପରିବାର ଲୋକେ ମେଡିକାଲରୁ ଲୁଚି ପଳାଇଥିଲେ। ଏହା ପରେ ଡାକ୍ତର ଏ ନେଇ କୁନ୍ଦେଇ ଥାନାରେ ଲିଖିତ ଜଣାଇଥିଲେ।


ଆଶାକର୍ମୀ ସହନ୍ତି ଗଣ୍ଡ ପୁଣି ଥରେ ସୁକଦେବ ଗଣ୍ଡଙ୍କ ଘରକୁ ଯାଇ ଦେଖିବା ବେଳକୁ ରୁପେଶକୁ ଘରୋଇ ଚିକିତ୍ସା କରୁଥିଲେ। ଆଶାକର୍ମୀ ସେମାନଙ୍କୁ ବହୁତ ବୁଝାଇବା ପରେ ବି ସେମାନେ ନ ବୁଝିବାରୁ ସେ ନିରାଶ ହୋଇ ଫେରି ଆସିଥିଲେ। ଶେଷରେ ଋପେଶର ଭୋର ୪ଟା ସମୟରେ ମୃତ୍ୟୁ ଘଟିଥିଲା। ଚେଙ୍କ ଭଳି ଏକ ଅନ୍ଧ ବିଶ୍ବାସର ଚିକିତ୍ସା ଯୋଗୁଁ ଆଜି ଆଉ ଏକ ନିରୀହ ଶିଶୁର ଜୀବନ ଯାଇଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି।


ଏଭଳି ଘଟଣା ଗୁଡ଼ିକରୁ ଜଣାପଡିଛି ଯେ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରଶାସନ ଚେଙ୍କକୁ ନେଇ ସଠିକ ଭାବେ ସଚେତନତା କରାଯାଇ ନାହିଁ। ଫଳ ସ୍ୱରୁପ ଏହି ଚେଙ୍କର ପ୍ରଭାବରେ ଗୋଟାଏ ପରେ ଗୋଟାଏ ନିରୀହ ଶିଶୁର ଜୀବନ ଶେଷ ହୋଇ ଯାଉଛି। ଏଭଳି ଏକ ଅନ୍ଧ ବିଶ୍ବାସର ଶିକାର ହୋଇ ୯ ମାସର ଶିଶୁ ପୁତ୍ରକୁ ହରାଇ ଥିବା ଘଟଣା ଘଟିଛି।