Bharat Ratna Awardee PV Narasimha Rao: ୨୦୨୪ ଫେବୃଆରୀ ୯ ତାରିଖ ଶୁକ୍ରବାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସୀମ୍ହା ରାଓ। ସେ ହେଉଛନ୍ତି ଗାନ୍ଧୀ-ନେହେରୁ ବାହାରର ଏକମାତ୍ର କଂଗ୍ରେସ ଯିଏ ପ୍ରଧାନମନ୍ତ୍ରୀ ଭାବରେ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିଥିଲେ। ତାଙ୍କର ପ୍ରଧାନମନ୍ତ୍ରୀତ୍ୱ କାଳରେ ଦେଶରେ ଅର୍ଥନୈତିକ ସଂସ୍କାର ଆରମ୍ଭ ହୋଇଥିଲ। ତାଙ୍କୁ ଆଧୁନିକ ଭାରତୀୟ ଅର୍ଥନୀତିର ଜନକ କୁହାଯାଏ। ସେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଦକ୍ଷିଣ ଭାରତରୁ ସଂସଦକୁ ପ୍ରତିନିଧିତ୍ୱ କରୁଥିଲେ। 


COMMERCIAL BREAK
SCROLL TO CONTINUE READING

ପି.ଭି ନରସୀମ୍ହା ରାଓଙ୍କୁ 'ଭାରତ ରତ୍ନ' ସମ୍ମାନରେ ସମ୍ମାନିତ କରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ନାତି ତଥା ତେଲେଙ୍ଗାନା ବିଜେପି ମୁଖ୍ୟପାତ୍ର ଏନ.ଭି ସୁଭାଷ। ଏନେଇ ସେ କହିଛନ୍ତି ପି.ଭି ନରସୀମ୍ହା ରାଓଙ୍କୁ 'ଭାରତ ରତ୍ନ' ସମ୍ମାନରେ ସମ୍ମାନିତ କରିବା କଂଗ୍ରେସ ମୁହଁରେ ଚାପୁଡ଼ା ସଦୃଶ୍ୟ। ମୋଦି ସରକାର ଦଳକୁ ଦେଖି ନାହାଁନ୍ତି ବରଂ ତାଙ୍କ ଅବଦାନକୁ ଦେଖି ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି। ମୋର ମନେ ଅଛି ଗତ ୨୦୦୪ ବର୍ଷରେ ଘଟିଥିବା ଘଟଣା। ଯେତେବେଳେ ତାଙ୍କ (ଜେଜେବାପା ପି.ଭି ନରସୀମ୍ହା ରାଓ) ପାର୍ଥିବ ଶରୀର ଆମ ପରିବାରର ଇଚ୍ଛା ବିରୋଧରେ ହାଇଦ୍ରାବାଦ ପଠାଯାଇଥିଲା। ନାତି ସୁଭାଷ ସେହି ସମୟକୁ ମନେ ରଖିଛନ୍ତି ଯାହା ସମୟ ଅତିବାହିତ ହେବା ସହିତ କଂଗ୍ରେସ ଦଳ ପାଇଁ ଏକ ଅପବାଦ ସଦୃଶ୍ୟ ହୋଇଛି। ଗତ ୨୦୦୪ ଡିସେମ୍ବର ୨୩ ତାରିଖରେ ଯେଉଁ ଘଟଣା ଘଟିଥିଲା ତାହା ଭାରତୀୟ ରାଜନୀତିରେ ଏକ କଳା ଅଧ୍ୟାୟ ସଦୃଶ୍ୟ। 


କିପରି ବିଗିଡ଼ିଲା ରାଓ-ଗାନ୍ଧୀ ପରିବାର ମଧ୍ୟରେ ସମ୍ପର୍କ ?
୧୯୯୧ ମସିହାରେ ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା, ସେତେବେଳେ ପି.ଭି ନରସୀମ୍ହା ରାଓ ରାଜନୀତି ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଦିବଂଗତ କଂଗ୍ରେସ ନେତା ରାଜୀବ ଗାନ୍ଧୀଙ୍କ ପତ୍ନୀ ସୋନିଆ ଗାନ୍ଧୀ ନବ ନିର୍ବାଚିତ କଂଗ୍ରେସ ସରକାର ଚଳାଇବାକୁ ପି.ଭି ନରସୀମ୍ହା ରାଓଙ୍କୁ ଦାୟିତ୍ୱ ଦେଇଥିଲେ। ହେଲେ ଉୟୟଙ୍କ ମଧ୍ୟରେ ସବୁ ଠିକ୍ ଠାକ ନଥିଲା। ରାଜୀବ ଗାନ୍ଧୀଙ୍କ ବିରୋଧରେ ବୋଫର୍ସ ଦୁର୍ନୀତି ମାମଲାରେ ସୋନିଆ ଗାନ୍ଧୀ କ୍ରୋଧିତ ହୋଇଥିଲେ। ସେ ମଧ୍ୟ ପିଭି ନରସୀମ୍ହା ରାଓ ଆର୍ଥିକ ସଂସ୍କାର ସପକ୍ଷରେ ନଥିଲେ।


ପି.ଭି ନରସୀମ୍ହା ରାଓଙ୍କ ଜୀବନୀ "Half Lion: How PV Narasimha Rao transformed India" ପୁସ୍ତକରେ ବିନୟ ସୀତାପତି ଲେଖିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ବିରକ୍ତି ୧୯୯୫ ପର୍ଯ୍ୟନ୍ତ ସବୁ ସୀମା ପାର କରିଯାଇଥିଲା। ସ୍ୱାମୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣାର ଅନୁସନ୍ଧାନର ମନ୍ଥର ଗତିକୁ ନେଇ ସେ ଅସନ୍ତୁଷ୍ଟ ରହିଥିଲେ। ଉଭୟଙ୍କ ମଧ୍ୟରେ ବହୁତ କମ୍ କଥାବାର୍ତ୍ତା ହେଉଥିଲା। ସମସ୍ତ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ୧୦ ଜନପଥ ସ୍ଥିତ ବାସଭବନରେ ଉପସ୍ଥିତ ରହୁଥିଲେ। ହେଲେ ରାଓ ବେଳେବେଳେ ସେଠାକୁ ଯାଉଥିଲେ।


୧୯୯୬ ମସିହାରେ ଯେତେବେଳେ ଲୋକେ କଂଗ୍ରେସ ଦଳକୁ କ୍ଷମତାରୁ ହଟାଇ ଦେଇଥିଲେ ସେତେବେଳେ ରାଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସେତେବେଳର କଂଗ୍ରେସ ନେତୃତ୍ୱ ତାଙ୍କୁ ଏକ ପ୍ରକାର ଭୁଲି ଯାଇଥିଲା। ରାଓ-ଗାନ୍ଧୀ ପରିବାର ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା। ଯେତେବେଳେ ୨୦୦୪ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କ ମୃତଦେହକୁ ଦିଲ୍ଲୀ ଆକବର ରୋଡ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ଭିତରକୁ ନେବାକୁ ମଧ୍ୟ ଅନୁମତି ଦିଆଯାଇ ନଥିଲା। ରାଓଙ୍କ ମୃତଦେହକୁ ଫାଟକ ବାହାରେ ରଖାଯାଇଥିଲା। ଯେଉଁଠି ସୋନିଆ ଗାନ୍ଧୀ ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।


ରାଓ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ। ସେ ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ। ଏପରିକି କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଥିଲେ। ତାଙ୍କୁ ଭାରତୀୟ ରାଜନୀତିର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମଧ୍ୟରେ ଗଣାଯାଇଥିଲା। ଏହା ସତ୍ତ୍ୱେ ତାଙ୍କ ଅନ୍ତିମ ସଂସ୍କାର ସମୟରେ ଯାହା ଘଟିଥିଲା ​​ତାହାକୁ ସବୁଠାରୁ ଲଜ୍ଜାଜନକ ମୂହୁର୍ତ୍ତ ଭାବେ ବିବେଚନା କରାଯାଏ।


ସେଦିନ କ'ଣ ହୋଇଥିଲା?
"Half Lion: How PV Narasimha Rao transformed India" ପୁସ୍ତକରେ ବିନୟ ସୀତାପତି, ପି.ଭି ନରସୀମ୍ହା ରାଓଙ୍କ ମୃତ୍ୟୁ ପରର ଘଟଣା ବିଷୟରେ ବିସ୍ତୃତ ଭାବରେ ଲେଖିଛନ୍ତି। ଗତ ୨୦୦ ଡିସେମ୍ବର ୨୩ ତାରିଖ ଦିନ ପ୍ରାୟ ୧୧:୦୦ ସମୟରେ ପି.ଭି ନରସୀମ୍ହା ରାଓ ମୃତ୍ୟୁ ବରଣ କରିଥିଲେ। ସୀତାପତିଙ୍କ କହିବା ଅନୁସାରେ ସେହି ସମୟରେ ଗୃହମନ୍ତ୍ରୀ ରହିଥିବା ଶିବରାଜ ପାଟିଲ ରାଓଙ୍କ ସାନପୁଅ ପ୍ରଭାକରଙ୍କୁ କହିଥିଲେ ଯେ ହାଇଦ୍ରାବାଦ ଠାରେ ଅନ୍ତିମ ସଂସ୍କାର କରାଯିବା ଆବଶ୍ୟକ। ରାଓଙ୍କ ପରିବାର ଚାହୁଁଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଶେଷ ରୀତି ଦିଲ୍ଲୀ ଠାରେ କରାଯାଉ। ଯାହାକି ଦଶନ୍ଧି ଧରି ତାଙ୍କ କାର୍ଯ୍ୟକ୍ଷେତ୍ର ରହିଥିଲା। ଏହା ଉପରେ ଶିବରାଜ ପାଟିଲ କ୍ରୋଧିତ ହୋଇ ଉଠିବା ସହ କହିଥିଲେ ଯେ କେହି ଆସିବେ ନାହିଁ।


ପରେ ସୋନିଆ ଗାନ୍ଧୀଙ୍କ ନିକଟତମ ସହଯୋଗୀ କୁହାଯାଉଥିବା ଗୁଲାମ ନବୀ ଆଜାଦ ପହଞ୍ଚିଥିଲେ। ସେ ମଧ୍ୟ ରାଓଙ୍କ ମୃତଦେହକୁ ହାଇଦ୍ରାବାଦ ନେବାକୁ କହିଥିଲେ। ରାଓଙ୍କ ମୃତଦେହ ଦିଲ୍ଲୀ ଆକବର ରୋଡ ଠାରେ ପହଞ୍ଚିବା ପରେ କଂଗ୍ରେସ ମୁଖ୍ୟାଳୟର କବାଟ ବନ୍ଦ ହୋଇଯାଇଥିଲା। ରାଓଙ୍କ ଜଣେ ବନ୍ଧୁ କଂଗ୍ରେସ ନେତୃବୃନ୍ଦଙ୍କୁ ତାଙ୍କ ମୃତଦେହ କଂଗ୍ରେସ ମୁଖ୍ୟାଳୟ ଭିତରକୁ ନେବା ଲାଗି ଅନୁମତି ଦେବାକୁ କହିଥିଲେ। ସେ ଉତ୍ତର ଦେଲେ, କବାଟ ଖୋଲିବ ନାହିଁ। ସୀତାପତି, ରାଓଙ୍କ ବନ୍ଧୁଙ୍କ ଉଦ୍ଧେଶ୍ୟରେ ଲେଖିଛନ୍ତି ଯେ ଯେତେବେଳେ କିଛି ବର୍ଷ ପୂର୍ବେ ମାଧବରାଓ ସିନ୍ଦିଆଙ୍କ ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କ ପାଇଁ କଂଗ୍ରେସ ମୁଖ୍ୟାଳୟ ଦ୍ୱାର ଖୋଲା ଯାଇଥିଲା।


ଅନ୍ୟ ଜଣେ କଂଗ୍ରେସ ନେତାଙ୍କ ସୂତ୍ରରୁ ଏହି ପୁସ୍ତକରେ ଲେଖା ଯାଇଛି ଯେ ସେମାନେ ଆଶା କରୁଥିଲେ ଯେ ରାଓଙ୍କ ପାର୍ଥିବ ଶରୀର କଂଗ୍ରେସ ମୁଖ୍ୟାଳୟ ଭିତରକୁ ନେବା ଲାଗି ଅନୁମତି ମିଳିବ। ହେଲେ କବାଟ ଖୋଲିବ ପାଇଁ କୌଣସି ଅନୁମତି ମିଳିଲା ନାହିଁ। କେବଳ ଜଣେ ବ୍ୟକ୍ତି ଏପରି ଆଦେଶ ଦେଇଥାନ୍ତେ, ହେଲେ ସେ ଦେଲେନାହିଁ। ଶେଷରେ ରାଓଙ୍କ ଶବଦାଦ ହାଇଦ୍ରାବାଦ ଠାରେ ହୋଇଥିଲା।


ଶେଷ ରୀତିନୀତି ହାଇଦ୍ରାବାଦ ଠାରେ ହୋଇଥିଲା, ହେଲେ ପହଞ୍ଚି ନଥିଲେ ସୋନିଆ ଗାନ୍ଧୀ
ପି.ଭି ନରସୀମ୍ହା ରାଓଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥମନ୍ତ୍ରୀ ରହିଥିବା ମନମୋହନ ସିଂହ ୨୦୦୪ ମସିହାରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିଲେ। ସେ ରାଓଙ୍କ ସହ ହୋଇଥିବା ବ୍ୟବହାରକୁ ନେଇ ଅସନ୍ତୁଷ୍ଟ ରହିଥିଲେ। ହାଇଦ୍ରାବାଦ ହୁସେନ୍ ସାଗର ହ୍ରଦ କୂଳରେ ରାଓଙ୍କ ଅନ୍ତିମ ସଂସ୍କାର ସମୟରେ ମନମୋହନ ସିଂହ ଉପସ୍ଥିତ ଥିଲେ। ତାଙ୍କର କ୍ୟାବିନେଟ ସହଯୋଗୀ ଅର୍ଥାତ ବହୁ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଲାଲ କୃଷ୍ଣ ଆଡଭାନୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ହେଲେ ସୋନିଆ ଗାନ୍ଧୀ ଆସି ନଥିଲେ। ଯେତେବେଳେ ଏହି ସମସ୍ତ ନେତା ଚାଲିଗଲେ ସେତେବେଳେ ବିଳମ୍ବିତ ରାତିରେ ତେଲୁଗୁ ଟିଭି ଚ୍ୟାନେଲ ଦ୍ୱାରା ରାଓଙ୍କ ଅନ୍ତିମ ସଂସ୍କାରର ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା। ମୃତ ଦେହ ଅଧା ଜଳି ଯାଇଥିଲା। ତାଙ୍କର ଖପୁରୀ ଦୃଶ୍ୟମାନ ହେଉଥିଲା। ତାଙ୍କ ଚିତା ଆଖପାଖରେ କୁକୁର ବୁଲୁଥିଲେ। ନରସିଂହ ରାଓଙ୍କ ସହ ହୋଇଥିବା ଏପରି ଆଚରଣକୁ କେହି ଗ୍ରହଣ କରିପାରିବେ ନାହିଁ।