ଭୁବନେଶ୍ୱର: ହାତରେ ପ୍ଲାକାର୍ଡ ମୁହଁରେ ନୀରବତା। ଓଡିଆ ସିନେମା ଶିଳ୍ପକୁ ବଞ୍ଚାଇବାକୁ ପଦଯାତ୍ରା। ରାଜଧାନୀ ରାଜରାସ୍ତାରେ ପ୍ରଯୋଜକଙ୍କ ପ୍ରତିବାଦ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଓଡିଆ ସିନେମା ତିଆରି କରୁଛନ୍ତି ହେଲେ ଲାଭ ତ ଲାଭ ମୁଳ ବି ଉଠୁନି। ସିନେମା ଚାଲିବା ପାଇଁ ହଲ ମିଳୁ ନଥିବା ବେଳେ କଣ ସିନେମା ହେଉଛି ଦେଖିପାରୁ ନାହାଁନ୍ତି ଦର୍ଶକ। ଯାହାକୁ ନେଇ ଆରମ୍ଭ ହୋଇଛି ଅଭିନବ ପ୍ରତିବାଦ। ଆଜି ୬ଜଣ ପ୍ରଯୋଜକ ଜୟଦେବ ଭବନ ଠାରୁ ରାଜଭବନ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇ ନୀରବ ପ୍ରତିବାଦ ଜଣାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ସିନେମା ଶିଳ୍ପ ପ୍ରତି ସରକାର ଉଦାର ହେବାକୁ ଦାବି କରିଛନ୍ତି ପ୍ରଯୋଜକ। ଓଡିଆ ସିନେମା ପାଇଁ ଓଡିଶାରେ ହଲ ନାହିଁ। ୨୦୦୮ରୁ ମିଳୁନି ସବସିଡି ସୁବିଧା। ଏଭଳି ସ୍ଥିତିରେ ଏବେ ଓଡିଆ ସିନେମାର ଭବିଷ୍ୟତକୁ ନେଇ ସନ୍ଦିହାନ ପ୍ରଯୋଜକ । ଓଡିଆ ସିନେମା ଉନ୍ନୟନ ପରିଷଦରେ ଜଣକ ପରେ ଜଣେ ଥଇଥାନ ହେଉଛନ୍ତି ପଛେ ବଦଳୁନି ସିନେମା ଶିଳ୍ପର ଭାଗ୍ୟ ଓ ଭବିଷ୍ୟ । ଆଗରୁ ଯେତିକି ଓଡିଆ ଫିଲ୍ମ ନିର୍ମାଣ ହେଉଥିଲା, ଏବେ ତାର ସଂଖ୍ୟା ବଢ଼ିଛି । କିନ୍ତୁ ସିନେମା ହଲରେ ଓଡିଆ ସିନେମା ବଦଳରେ ଅଣଓଡିଆ ସିନେମା ରାଜ କରୁଛି । 


ନିକଟରେ ହଲ ନ ମିଳିବା ଯୋଗୁଁ କଲ୍ୟାଣ ମଣ୍ଡପରେ ରିଲିଜ ହୋଇଥିଲା ଓଡିଆ ଫିଲ୍ମ । ସରକାର ନିଦାବିଷ୍ଣୁ ସାଜିଥିବା ବେଳେ ଓଡିଆ ସିନେମା ଶିଳ୍ପ ବୁଡିବାକୁ ବସିଲାଣି ବୋଲି ଅଭିଯୋଗ ହୋଇଛି । ଭଲ କାହାଣୀ ଥାଇ ଓଡିଆ ସିନେମା ନିର୍ମାଣ ହେଉଛି ହେଲେ ଲୋକେ ଦେଖିପାରୁ ନାହାଁନ୍ତି । କପି ପେଷ୍ଟର ଟ୍ରେଣ୍ଡ ଭିତରେ ଭଲ ସିନେମା ସ୍ଥାନ ପାଉନି । ଫଳରେ ନୂଆ ଓଡିଆ ସିନେମା ଦେଖି ପାରୁନାହାଁନ୍ତି ଦର୍ଶକ । ସଂଚିତ ପୁଂଜିରେ ଜଣେ ସିନେମା ନିର୍ମାଣ କଲେ ତ କଥା ସରିଲା । ଏମିତିରେ ସିନେମା ନିର୍ମାଣ କରୁଥିବା ପ୍ରଯୋଜକ ମାନେ ଆଉ ସିନେମା କେମିତି ନିର୍ମାଣ କରିବେ ସେଇ ଚିନ୍ତାରେ । ତେଣୁ ଏ ଦିଗରେ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ପ୍ରଯୋଜକ ସମୁହ ।