Mangala Muduli: ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ବାବଦରେ ଅନେକ କଥା ଆଲୋଚନା ହୁଏ। ଏଠାର ଆଦିବ ଅଧିବାସୀ, ପରମ୍ପରା, ଅନ୍ଧବିଶ୍ୱାସ ବିଷୟରେ ଗଣମାଧ୍ୟମରେ ଅନେକ ରିପୋର୍ଟ ପୂର୍ବରୁ ପ୍ରକାଶିତ ହୋଇଛି। ହେଲେ ଆଜି ଯେଉଁ କଥା ଚର୍ଚ୍ଚା ହେଉଛି ତାହା ସମୁଦାୟ ଆଦିମ ଅଧିବାସୀ ବର୍ଗ ତଥା ବଣ୍ଡା ଜାତି ପାଇଁ ଏକ ଗୌରବର ବିଷୟ। ତାହା ହେଲା ଏହି ସମ୍ବାଦନଶୀଳ ଆଦିବାସୀ ଜାତିର ଜଣେ ଯୁବକ ଡାକ୍ତରୀ ପଢ଼ିବାକୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ( ଏମ୍‍କେସିଜି) ମେଡିକାଲ୍‍ କଲେଜରେ ନାମ ଲେଖାଇଛନ୍ତି। ଆଗରେ ଯେତେ ବାଧା ବିଘ୍ନ ଥିଲେ ମଧ୍ୟ ଏକାଗ୍ରତା ଓ ଅଧ୍ୟବସାୟ ଯେ ଲକ୍ଷ୍ୟ ହାସଲରେ ସହାୟକ ହୁଏ ତାହାକୁ ପ୍ରମାଣିତ କରିଛନ୍ତି ଏହି ବଣ୍ଡା ଯୁବକ ମଙ୍ଗଳା ମୁଦୁଲି। 


COMMERCIAL BREAK
SCROLL TO CONTINUE READING

ବଣ୍ଡାଘାଟିର ଖଇରିପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତର ବଡ଼ବେଲ ଗାଁର ବାସିନ୍ଦା ହେଉଛନ୍ତି ମଙ୍ଗଳା। ତାଙ୍କ ଗାଁକୁ ଭଲ ରାସ୍ତା ନାହିଁ। ଝୁମ୍ପୁଡ଼ି ଘରେ ତାଙ୍କ ବାପା ହାଡ଼ୁ ମୁଦୁଲି ଓ ପରିବାର ରହନ୍ତି। ବାପା ହାଡ଼ୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରି କରି ବେଉସା ନିର୍ବାହ କରିଥାଆନ୍ତି। ହେଲେ ତାଙ୍କର ପ୍ରତିଭା ଓ ନିଷ୍ଠା ବଳରେ ସେ ଆଜି ଏହି ସଫଳତା ହାସଲ କରିପାରିଥିବା ତାଙ୍କର ଶିକ୍ଷକ କହିଛନ୍ତି।  


ରାଜ୍ୟ ଅନୁସୂଚିତ ଜାତି, ଜନଜାତି ବିକାଶ ବିଭାଗ ପକ୍ଷରୁ ଏ ବାବଦରେ ସୂଚନା ଦିଆଯାଇ କୁହାଯାଇଛି ଯେ, ଶ୍ରୀ ମୁଦୁଲି ନିଟ୍‍-୨୦୨୪ରେ ଆବଶ୍ୟକ ସ୍ଥାନ ସଂରକ୍ଷିତ କରିଛନ୍ତି। ମୁଦୁଲିପଡ଼ାର ଏସ୍‍ଏସ୍‍ଡି ହାଇସ୍କୁଲ୍‍ରୁ ସେ ପାଠ ସମାପ୍ତ କରିଥିଲେ। ଏହାପରେ ଗୋବିନ୍ଦପାଲ୍ଲୀରେ ଯୁକ୍ତ ଦୁଇ ଶେଷ କରିବା ପରେ ସେ ନିଟ୍‍ ପରୀକ୍ଷା ଦେବାକୁ ଆସିଥିଲେ। ଆଉ ଏବେ ଏଥିରେ ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ଏମ୍‍କେସିଜିରେ ନାମ ଲେଖାଇବାକୁ ସୁଯୋଗ ମିଳିଛି। ସେ ଏହି ସଫଳତାରେ ଖୁସି ଥିବା କହିଛନ୍ତି। 


 ପ୍ରଥମ ରାଉଣ୍ଡରେ ତାଙ୍କର ଚୟନ ହୋଇଥିବାରୁ ତାଙ୍କ ପ୍ରତିଭାକୁ ନେଇ ଅଭିବାଦନ ଜଣାଇଛନ୍ତି ଅନୁସୂଚିତ ଜାତି ଜନଜାତି ବିଭାଗ। ସୋଶାଲ ମିଡିଆରେ ବିଭାଗ ପକ୍ଷରୁ ତାଙ୍କର ନୂଆ ଯାତ୍ରା ପ୍ରତି ଅଭିନନ୍ଦନ ଜଣାଯାଇଛି। 


ଭାରତର ୭୫ ସମ୍ବେଦନଶୀଳ ଆଦିବାସୀ ବର୍ଗଙ୍କ ଭିତରୁ ଓଡ଼ିଶାରେ ସର୍ବାଧିକ ୧୩ ଜାତିର ଆଦିବାସୀ ରହୁଛନ୍ତି। ଏଥିରୁ ବଣ୍ଡା ସମ୍ପ୍ରଦାୟଙ୍କୁ ସବୁଠାରୁ ସମ୍ବେଦନଶୀଳ ଜନଜାତି ଭାବେ ଗ୍ରହଣ କରାଯାଏ। ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ସେମାନେ ରହିଥାଆନ୍ତି। ବିଶେଷକରି ସେମାନେ ବଣ୍ଡା, ବଣ୍ଡା ପରଜା, ରେମୋ ଜାତି ଭାବେ ଚିହ୍ନିତ ହୋଥଥାଆନ୍ତି। ପାହାଡ଼ ଉପରେ ରହୁଥିବା ବଣ୍ଡାଙ୍କୁ ଉପର ବଣ୍ଡା ଓ ଅବବାହିକାରେ ରହୁଥିବା ବଣ୍ଡାଙ୍କୁ ତଳ ବଣ୍ଡା ଭାବେ ଗ୍ରହଣ କରାଯାଏ। ଉପର ବଣ୍ଡାଙ୍କ ସଂଖ୍ୟା ପ୍ରାୟ ୬୭୦୦ ହୋଇଥିବା ବେଳ  ତଳ ବଣ୍ଡାଙ୍କ ସଂଖ୍ୟା ୧୭ ହଜାର ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ଜାତିର ବିକାଶ ଲାଗି ସରକାର ଏକ ବଣ୍ଡା ବିକାଶ ଅନୁଷ୍ଠାନ ଗଢ଼ିଛନ୍ତି। ଯାହା ମାଧ୍ୟମରେ ଏଠାରେ ସାମାଜିକ ଓ ଭିତ୍ତିଭୂମି ବିକାଶ ଲାଗି ଚେଷ୍ଟା କରାଯାଇଛି। 


ମଙ୍ଗଳାଙ୍କ ପ୍ରତିଭାକୁ ଦେଖି ସରକାରଙ୍କ ପକ୍ଷରୁ ତାଙ୍କ ପାଠପଢ଼଼ା ଖର୍ଚ୍ଚ ବହନ କରାଯାଇଥିଲା। ଚଳିତ ନିଟ୍‍ ପରୀକ୍ଷାରେ ମଙ୍ଗଳାଙ୍କ ସ୍ଥାନ ଅନୁସୂଚିତ ଜାତି ସଂରକ୍ଷିତ ବର୍ଗରେ ୨୬୧ ଥିବା ବେଳେ ଏସ୍‍ଜିଏସ୍‍ ତାଲିକାରେ ୬ ନମ୍ବର ସ୍ଥାନରେ ରହିଥିଲା।