Mumbai Rain: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୁମ଼୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସୋମବାର ଦିନ ଲଗାତାର ବର୍ଷା ହେତୁ ସହର ଉପକଣ୍ଠରେ ଟ୍ରେନ୍ ସେବା ଏବଂ ବିମାନ ଚଳାଚଳ ବ୍ୟାହତ ହୋଇଥିବାରୁ ମହାନଗରରେ ସାଧାରଣ ଜୀବନ ପ୍ରଭାବିତ ହେଉଛି। ସୋମବାର ରାତି ୧ଟାରୁ ସକାଳ ୭ଟା ଭିତରେ ମୁମ୍ବାଇର କେତେକ ଅଞ୍ଚଳରେ  ୩୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା। ବିଖରୋଲିର ବୀର ସବରକର ମାର୍ଗ, ମୁନିସିପାଲ ସ୍କୁଲ ଏବଂ ଏମସିଏମସିଆର ପୋୱାଇରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୩୧୫ ମିମି ବର୍ଷା ରେକର୍ଡ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟ ପାଣିରେ ବୁଡ଼ିକି ରହିବା ସହିତ ଗମନାଗମ,ଯାତାୟତରେ ସମସ୍ୟା ହେଉଛି।ଟ୍ରାଫିକ ଚଳାଚଳ ସମେତ, ରେଳ ସେବା,ବିମାନ ସେବା ବ୍ୟାହତ ହୋଇଛି।ମୁଖ୍ୟ ରାସ୍ତା ତଥା ନିମ୍ନମାନର ଅଞ୍ଚଳରେ ବ୍ୟାପକ ଜଳସ୍ତର ସୃଷ୍ଟି ହେବା ଫଳରେ ସହର ସାରା ଟ୍ରାଫିକ୍ ଜାମ୍‌ ହେବା ସହ ସହରବାସୀଙ୍କ ସାଧାରଣ ଜୀବନକୁ ଏହା ପ୍ରଭାବିତ କରିଛି।


ସରକାରୀ ତଥା ବେସରକାରୀ  ସ୍କୁଲ,କଲେଜ ମଧ୍ୟ  ବନ୍ଦ ଘୋଷଣା ହୋଇଛି। ବର୍ଷା ଯୋଗୁ ମୁମ୍ବାଇରେ ୫୦ରୁ ଅଧିକ ବିମାନ ବାତିଲ ହୋଇଛି। ବିଭିନ୍ନ ଏୟାରଲାଇନ୍ସ ଏକ୍ସରେ ପୋଷ୍ଟ୍‌ କରି ଯାତ୍ରୀମାନଙ୍କୁ ସୂଚନା ଦେଇଛନ୍ତି।ବିମାନବନ୍ଦର ଯିବା ପୂର୍ବରୁ ବିମାନର ଷ୍ଟାଟସ୍‌ ସଂକ୍ରାନ୍ତରେ ଜାଣିବା ପାଇଁ ସେମାନଙ୍କୁ ଅନୁରୋଧ କରାଯାଇଛି।


ଥାନେ, ବସାଇ, ଚିପଲୁନ, କୋହ୍ଲାପୁର, ସତରା, ଘଟକୋପୁର, କୁର୍ଲା ଏବଂ ସିନ୍ଧୁଦୁର୍ଗରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି।ବିଭିନ୍ନ ସ୍ଥାନରେ ଜଳବନ୍ଦୀ ରିସୋର୍ଟରୁ ଏନ୍‌ଡିଆର୍‌ଏଫ୍‌ ୪୯‌ ଲୋକଙ୍କୁ ଏବଂ ପାଲଘରରେ ୧୬ ଗ୍ରାମବାସୀଙ୍କୁ ଉଦ୍ଧାର କରିଛି।