Shri Mahakal Lok Corridor: ଗତ ରବିବାର ହୋଇଥିବା ଝଡ଼ କୋପରୁ ବର୍ତ୍ତି ପାରିନାହିଁ ମଧ୍ୟ ପ୍ରଦେଶ ଉଜ୍ୱୈନ ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିର। ଏହି ମନ୍ଦିର ପରିସରରେ ଅବସ୍ଥିତ ମହାକାଳ ଲୋକ କରିଡର ଠାରେ ସ୍ଥାପନ ହୋଇଥିବା ସପ୍ତଋଷିଙ୍କ ମୂର୍ତ୍ତି ପ୍ରବଳ ଝଡ଼ କାରଣରୁ ନଷ୍ଟ ହୋଇଯାଇଛି। ଏହି ସୂଚନା ଜଣେ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିଲା। ଏନେଇ ଅଧିକାରୀ ଜଣଙ୍କ କହିଥିଲେ ଯେ ଯେତେବେଳେ ସପ୍ତଋଷିଙ୍କ ମୂର୍ତ୍ତି ଖସିପଡ଼ଥିଲା ସେତେବେଳେ ମହାକାଳେଶ୍ୱର ମନ୍ଦିର ପରିସର ଭକ୍ତଙ୍କ ସହିତ ଭରପୂର ଥିଲା। ହେଲେ ମୂର୍ତ୍ତି ଭାଙ୍ଗିଯିବା କାରଣରୁ କେହି ଆହତ ହୋଇନଥିଲେ। ମହାକାଳେଶ୍ୱର ମନ୍ଦିରରେ ସ୍ଥାପନ ହୋଇଥିବା ମହାକାଳ ଲୋକ କରିଡର ଏବଂ ସପ୍ତଋଷିଙ୍କ ମୂର୍ତ୍ତି ନିର୍ମାଣରେ ଗୁଜୁରାଟ ଭିତ୍ତିକ କମ୍ପାନୀ ନିୟୋଜିତ ହୋଇଥିଲା।


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ମାସ ପୂର୍ବରୁ ପ୍ରାୟ ୯୦୦ ମିଟର ଲମ୍ବା ମହାକାଳ ଲୋକ କରିଡର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଥିଲେ। ମୋଟ ୮୫୬ କୋଟି ଟଙ୍କା ବ୍ୟୟରେ ନିର୍ମିତ  ହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୩୫୧ କୋଟି ଟଙ୍କା ବ୍ୟୟରେ ମହାକାଳ ଲୋକ କରିଡର ପ୍ରସ୍ତୁତ କରାଯାଇଛି। ଦେଶର ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଉଜ୍ୱୈନ ମହାକାଲେଶ୍ୱର ମନ୍ଦିରରେ ଅବସ୍ଥିତ ରହିଛି। ଦେଶ ବିଦେଶରୁ ବହୁ ସଂଖ୍ୟାରେ ଭକ୍ତ ଏଠାକୁ ଆସିଥାନ୍ତି।


ଝଡ଼ କାରଣରୁ ମହାକାଳେଶ୍ୱର ମନ୍ଦିର ପରିସରରେ ସ୍ଥାପନ ହୋଇଥିବା ମୂର୍ତ୍ତି ଭାଙ୍ଗଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଉଜ୍ୱୈନ ଜିଲ୍ଲାପାଳ କୁମାର ପୁରୁଷୋତ୍ତମ। ଏନେଇ ଜିଲ୍ଲପାଳ କହିଛନ୍ତି ଯେ, ମହାକାଳ ଲୋକ କରିଡର ପରିସରରେ ୧୬୦ ମୂର୍ତ୍ତି ରହିଛି। ରବିବାର ହୋଇଥିବା ଝଡ଼ କାରଣରୁ ୬ ମୂର୍ତ୍ତି ଗଳି ପଡ଼ିବାରୁ ଭାଙ୍ଗି ଯାଇଥିଲା। ଏହି ଭଙ୍ଗା ମୂର୍ତ୍ତି ସେଠାରେ ସ୍ଥାପିତ ସାତଟି ସପ୍ତଋଷିଙ୍କ ବୋଲି ଜଣାପଡ଼ିଛି। ଯାହାରା ଉଚ୍ଚତା ପ୍ରାୟ ୧୦ ଫୁଟ ଥିଲା। ମୂର୍ତ୍ତି ନିର୍ମାଣ କରିଥିବା ଠିକାଦାର ପୁନର୍ବାର ନୂତନ ପ୍ରତିମା ସ୍ଥାପନ କରିବେ। କାରଣ ସେମାନଙ୍କ ଦ୍ୱାରା ନିର୍ମାଣର କରାଯାଇଥିବା ପ୍ରକଳ୍ପ ୫ ବର୍ଷର ରକ୍ଷଣା ବେକ୍ଷଣ ଦାୟିତ୍ୱ ସେମାନଙ୍କ ହାତରେ ନ୍ୟସ୍ତ ରହିଛି। ଭବିଷ୍ୟତ ପାଇଁ ମଧ୍ୟ ଆମେ ନିୟମକୁ ଅଧିକ କଠୋର କରୁଛୁ ଏବଂ ସେମାନଙ୍କର ଦାୟିତ୍ୱ ମଧ୍ୟ ସ୍ଥିର କରିବାକୁ ଯାଉଛୁ।


ଉଜ୍ୱୈନ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ, ଝଡ଼ କାରଣରୁ ଗଳି ପଡ଼ିବା ପରେ ଭାଙ୍ଗିଯାଇଥିବା ଏହି ମୂର୍ତ୍ତି ମହାକାଳ ମନ୍ଦିର ପରିସରରେ ନଥିଲା। ତାହା ମହାକାଳ ଲୋକ କରିଡର ମଧ୍ୟରେ ଥିଲା। ଏହାକୁ ପୁଣି ଥରେ ସାଧାରଣ ଲୋକଙ୍କ ପାଇଁ ସନ୍ଧ୍ୟା ସମୟରେ ଖୋଲି ଦିଆଯାଇଥିଲା। ଏହି ସମୟ ମଧ୍ୟରେ ସେଠାରେ ପ୍ରାୟ ଏକ ଲକ୍ଷ ଲୋକଙ୍କ ଭିଡ଼ ଏକାଠି ହୋଇଯାଇଥିଲା। 


ଏ ପ୍ରସଙ୍ଗରେ ଟ୍ୱିଟ କରି ପ୍ରତିକ୍ରିୟା ରଖିଥିଲେ ମଧ୍ୟ ପ୍ରଦେଶ କଂଗ୍ରେସ ସଭାପତି କମଲ ନାଥ। ଏନେଇ ଟ୍ୱିଟ୍ କରି ସେ କହିଛନ୍ତି ଯେ ଯେତେବେଳେ ରାଜ୍ୟର ତତ୍କାଳୀନ କଂଗ୍ରେସ ସରକାର ଉଜ୍ୱୈନ ମହାକାଳ ମନ୍ଦିର ପରିସର  ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲା, ସେତେବେଳେ କେହି ଏହା ଭାବି ନଥିଲା ଯେ ପରବର୍ତ୍ତୀ (ବିଜେପି ନେତୃତ୍ୱାଧୀନ) ସରକାର ମହାକାଳ ଲୋକ କରିଡର ପ୍ରକଳ୍ପ ନିର୍ମାଣରେ ଅନିୟମିତତା କରିବେ। ରବିବାର ହୋଇଥିବା ଝଡ କାରଣରୁ ମହାକାଳ ଲୋକ କରିଡର ଠାରେ ସ୍ଥାପନ ହୋଇଥିବା ସପ୍ତଋଷିଙ୍କ ମୂର୍ତ୍ତି ତଳେ ପଡ଼ିଯାଇଥିଲେ। ସେହି ଦୃଶ୍ୟ କୌଣସି ଧାର୍ମିକ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଦୃଶ୍ୟ। ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରୁଛି ଯେ ମହାକାଳ ଲୋକ ଠାରେ ପଡିଥିବା ମୂର୍ତ୍ତିକୁ ତୁରନ୍ତ ସ୍ଥାପନ କରାଯାଉ ଏବଂ ଯେଉଁମାନେ ଖରାପ ନିର୍ମାଣ କରିଛନ୍ତି ସେମାନଙ୍କୁ ଅନୁସନ୍ଧାନ ପରେ ଦଣ୍ଡ ଦିଆଯାଉ।


ଅନ୍ୟପଟେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଯାଦବ ଟ୍ୱିଟ୍ କରି କହିଛନ୍ତି ଯେ, ଉଜ୍ୱୈନ ମହାକୁମ୍ଭରେ କୋଟି କୋଟି ଟଙ୍କାର ଦୁର୍ନୀତି କରିଥିବା ବିଜେପି ସରକାର ୫୦ ପ୍ରତିଶତ କମିଶନ ଆଶାରେ ମହାକାଳ ଲୋକ କରିଡର ଠାରେ ଲଗାଯାଇଥିଲା ମୂର୍ତ୍ତି ସାମାନ୍ୟ ଝଡ଼ ମୌସୁମୀ ଆସିବା ଆଗରୁ ଭୁଶୁଡି ପଡିଛି। ବିଜେପି ସରକାର ମଧ୍ୟ ଭଗବାନଙ୍କୁ ରକ୍ଷା କରୁନାହାଁନ୍ତି। ମହାକାଳ ମନ୍ଦିର ବିକାଶର ମଧ୍ୟ ଦୁର୍ନୀତିର ଗନ୍ଧ ବାରି ହେଉଛି।


ସ୍ଥାନୀୟ ପାଣିପାଗ ପରିସ୍ଥିତି ସମ୍ପର୍କରେ ଭାରତ ପାଣିପାଗ ବିଭାଗ ଭୋପାଳ କେନ୍ଦ୍ର ଡ୍ୟୁଟି ଅଫିସର ଜେପି ବିଶ୍ୱକର୍ମା କହିଥିଲେ ଯେ ରବିବାର ହୋଇଥିବା ପୂର୍ବାନୁମାନ ଅନୁଯାୟୀ ଉଜ୍ୱୈନର ବିଭିନ୍ନ ସ୍ଥାନରେ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିଥିଲା। ଉଜ୍ୱୈନ ଅଞ୍ଚଳରେ ପବନର ବେଗ ମାପିବା ପାଇଁ ଆମ ପାଖରେ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ନାହିଁ। ଆମେ ଏହାକୁ ଦାବି କରୁଛୁ।