Jammu Kashmir Landing Strip: ଜାମୁ ଶ୍ରୀନଗର ରାଜପଥରେ ଯୁଦ୍ଧ ବିମାନ ଅବତରଣ କରିବା ପାଇଁ ପ୍ରଥମ ଲ୍ୟାଣ୍ଡିଂ ଷ୍ଟ୍ରିପ୍ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଛି ଭାରତୀୟ ବାୟୁସେନା। ଦକ୍ଷିଣ କାଶ୍ମୀର ସ୍ଥିତ ଅନନ୍ତନାଗ ଜିଲ୍ଲାର ବିଜବେହରା ଠାରେ ଅବସ୍ଥିତ ଲ୍ୟାଣ୍ଡିଂ ଷ୍ଟ୍ରିପ୍ ନିର୍ମାଣ ଗତ ୨୦୨୧ ବର୍ଷରେ ଶେଷ ହୋଇଥିଲା। ହେଲେ ବର୍ତ୍ତମାନ ଲ୍ୟାଣ୍ଡିଂ ଷ୍ଟ୍ରିପ୍ ଭାବରେ କାର୍ଯ୍ୟ କରିବାକୁ ଆବଶ୍ୟକ ହେଉଥିବା ଏୟାର ଟ୍ରାଫିକ କଣ୍ଟ୍ରୋଲ, ପାର୍କିଂ କ୍ଷେତ୍ର ଏବଂ ଅନ୍ୟାନ୍ୟ ଆନୁଷଙ୍ଗୀକ ସେବା ସମାପ୍ତ ହୋଇଛି।


COMMERCIAL BREAK
SCROLL TO CONTINUE READING

ବିଜବେହାର ଠାରେ ଜାମ୍ମୁ-ଶ୍ରୀନଗର ରାଜପଥରେ ୩.୫ କିଲୋମିଟର ଲ୍ୟାଣ୍ଡିଂ ଷ୍ଟ୍ରିପ୍ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନକୁ ଯୁଦ୍ଧ ସମେତ ବନ୍ୟା, ଭୂକମ୍ପ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ ଜରୁରୀକାଳୀନ ଅବତରଣ କରିବାରେ ସକ୍ଷମ କରିବ। ଜାତୀୟ ପ୍ରକଳ୍ପର ଏକ ଅଂଶ ଭାବରେ ଏହି ଜରୁରୀକାଳୀନ ଅବତରଣ ସୁବିଧା ଗତ ୨୦୧୯ ବର୍ଷରୁ ଆରମ୍ଭ ହୋଇଥିଲା। ଏକ ନମ୍ବର ଜାତୀୟ ରାଜପଥର ଶ୍ରୀନଗର-ବାନିହାଲ୍ ବିଭାଗରେ ୨୪୬ କିଲୋମିଟର ଠାରୁ ୨୪୯.୭ କିମି ମଧ୍ୟରେ  ରହିଥିବା ଅଞ୍ଚଳ ଭାରତୀୟ ବାୟୁସେନା ଏବଂ ଅନ୍ୟାନ୍ୟ ସଶସ୍ତ୍ର ବାହିନୀ ପାଇଁ ଜରୁରୀକାଳୀନ ଏୟାରଷ୍ଟ୍ରିପ୍ ଭାବରେ ବ୍ୟବହୃତ ହେବ। 


ନିର୍ମାଣକାରୀ ସଂସ୍ଥା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ କହିବା ଅନୁଯାୟୀ, ବିଜବେହାର ସ୍ଥିତ ଜାମୁ-ଶ୍ରୀନଗର ରାଜପଥର ୩.୫ କିଲୋମିଟର ରାସ୍ତା ବର୍ତ୍ତମାନ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନକୁ ଜରୁରୀକାଳୀନ ଅବତରଣ ଏବଂ ଉଡ଼ାଣ ପାଇଁ ପ୍ରସ୍ତୁତ ରହିଛି। ଏନେଇ ବାୟୁସେନା ପକ୍ଷରୁ ଖୁବ ଶୀଘ୍ର ଏକ ପରୀକ୍ଷଣ କରାଯିବ। ଯାହା ଦ୍ୱାରା ଜାଣିହେବ ଯେ ଏହି ଏୟାର ଷ୍ଟ୍ରିପ୍ ଅବତରଣ କିମ୍ବା ଉଡ଼ାଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ନାଁ ନାହିଁ। ପରେ ଏହାକୁ ବାୟୁସେନା ନିୟନ୍ତ୍ରଣରେ ରଖାଯିବ।


Also Read: Highway Strip in India: ୧୩ ରାଜ୍ୟର ରାଜପଥରେ ନିର୍ମିତ ହେବ ୩୫ ଏୟାରଷ୍ଟ୍ରିପ୍, ଜାଣନ୍ତୁ କାରଣ


ଯୁଦ୍ଧ ବିମାନ ପାଇଁ ହୋଇଛି କେଉଁ ସୁବିଧା?
ଜାମୁ-ଶ୍ରୀନଗର ରାଜପଥରେ ଅଭ୍ୟାସ କରିବା ପାଇଁ ଭାରତୀୟ ବାୟୁସେନାର ସବୁଜ ସଙ୍କେତକୁ ଅପେକ୍ଷା କରାଯାଇଛି। ଯୁଦ୍ଧ ବିମାନ, ଜେଟ ବିମାନ ଏବଂ ହେଭି ଲିଫ୍ଟ କାର୍ଗୋ ବିମାନର ସଫଳ ଅବତରଣ ଏବଂ ଉଡ଼ାଣ ପରେ ଯାଇ ବାୟୁସେନା ଉଡ଼ାଣ ସମ୍ପର୍କିତ କ୍ଲିୟରାନ୍ସ ସାର୍ଟିଫିକେଟ ପ୍ରଦାନ କରିବ। ଜାତୀୟ ରାଜପଥରେ ଷ୍ଟ୍ରିପ୍ ସହିତ ଯୁଦ୍ଧ ବିମାନ ପାଇଁ ପାର୍କିଂ ସ୍ଲଟ୍, ରାଜପଥରେ ଅବସ୍ଥିତ ଏହି ଷ୍ଟ୍ରିପ୍ ର ଉଭୟ ପାର୍ଶ୍ୱରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ଟାୱାର ଏବଂ ଦୁଇଟି ଫାଟକ ରହିବ। ଯୁଦ୍ଧ ବିମାନ ଏବଂ ଜେଟ୍ ବିମାନ ଅବତରଣ ଏବଂ ଉଡ଼ାଣ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଆନୁଷଙ୍ଗୀକ ବ୍ୟବସ୍ଥା ମଧ୍ୟ ରାଜପଥରେ ନିର୍ମାଣ କରାଯାଇଛି। ଯେଉଁଥିରେ ଇନ୍ଧନ ସଂରକ୍ଷଣ ଏବଂ ଇଞ୍ଜିନିୟରିଂ ପାଇଁ ମଧ୍ୟ ସୁବିଧା ରହିବ।


ପ୍ରତିରକ୍ଷା କ୍ଷମତା ବୃଦ୍ଧି ତଥା ଯୁଦ୍ଧ ବିମାନ ପାଇଁ ଜରୁରୀକାଳୀନ ଅବତରଣ ଷ୍ଟ୍ରିପ୍ ଭାବରେ ଏହି ରାଜପଥ ପରିଯୋଜନା ବିକଶିତ ହୋଇଛି। ଜାମୁ କାଶ୍ମୀର ଏବଂ ଲଦାଖ ଠାରେ ପାଞ୍ଚଟି ସ୍ଥାନ ଚୂଡାନ୍ତ ହୋଇଛି। ଯେଉଁଠାରେ ଏପରି ଅବତରଣ ଷ୍ଟ୍ରିପ୍ ନିର୍ମାଣ କରାଯାଉଛି। ଜମୁ-କାଶ୍ମୀରର ଦୁଇଟି ସ୍ଥାନ ବିଜବେହାରା-ଚିନାର ବାଗ ଏବଂ ଶ୍ରୀନଗର-ବାନିହାଲ ମଧ୍ୟରେ ଅବସ୍ଥିତ ଥିବାବେଳେ ଅନ୍ୟ ତିନୋଟି ଜାମୁ-ପଠାନକୋଟ, ଜାମୁ-ପୁଞ୍ଚ ରାଜପଥ ଏବଂ ଲଦାଖ ଅଞ୍ଚଳରେ ଗୋଟିଏ ସ୍ଥାନ ଆସିବ ବୋଲି ଆଶା କରାଯାଉଛି। ଲଦାଖ ସ୍ଥିତ ପ୍ରକୃତ ନିୟନ୍ତ୍ରଣ ସୀମାରେଖରେ ଭାରତ-ଚୀନ୍ ସୈନ୍ୟଙ୍କ ମଧ୍ୟରେ ସୀମା ବିବାଦ ସମୟରେ ଏପରି ଏୟାର ଷ୍ଟ୍ରିପ୍ ଯୋଜନା କରାଯାଇଥିଲା।


ଉଭୟ ପୂର୍ବ ଏବଂ ପଶ୍ଚିମ ସୀମାରେ ଆକ୍ରମଣାତ୍ମକ ପଡ଼ୋଶୀଙ୍କ ସାମ୍ନାରେ ସେନାର ସୀମା ପ୍ରସ୍ତୁତିକୁ ମଜବୁତ କରିବାକୁ ଏହି ପ୍ରକଳ୍ପ ଲକ୍ଷ୍ୟ ରଖିଛି। କାରଣ ଜାମୁ କାଶ୍ମୀର ଏବଂ ଲଦାଖ ଅଞ୍ଚଳକୁ ରଣନୈତିକ ସ୍ତରରେ କେନ୍ଦ୍ରରେ ରଖାଯାଇଛି। ଏହି ଲ୍ୟାଣ୍ଡି ଷ୍ଟ୍ରିପ ଠାରୁ କୌଣସି ବିମାନ ପଶ୍ଚିମ ସୀମାରେ ୭-୧୦ ମିନିଟ ମଧ୍ୟରେ ପହଞ୍ଚିଯିବ। ପୂର୍ବ ସୀମାରେ ପହଞ୍ଚିବାକୁ ୩୦ ମିନିଟ ଠାରୁ କମ୍ ସମୟ ଲାଗିବ। ଗତ ୨୦୧୬ ବର୍ଷରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଭାରତୀୟ ବାୟୁସେନା ମଧ୍ୟରେ ହୋଇଥିବା ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ ମିଳିତ କମିଟି ବୈଠକରେ କେନ୍ଦ୍ର ସରକାର ଏହି ପ୍ରତିରକ୍ଷା ପ୍ରକଳ୍ପ ପାଇଁ ଏକ ପଦକ୍ଷେପ ନେଇଥିଲେ। ଯେଉଁଥିରେ ରାଜପଥରେ ଜରୁରୀକାଳୀନ ଅବତରଣ ଷ୍ଟ୍ରିପ୍ ସ୍ଥାପନ ହେବାର ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା।


ଭାରତୀୟ ବାୟୁସେନା ଏବଂ ଜାତୀୟ ରାଜପଥ ପ୍ରାଧିକରଣକୁ ସାଇଟ୍ ସର୍ବେକ୍ଷଣ ଏବଂ ନିରୀକ୍ଷଣ ଦାୟିତ୍ୱ ଦିଆଯାଇଥିଲା। ସମଗ୍ର ଦେଶରେ ଦଶରୁ ଅଧିକ ଷ୍ଟ୍ରିପ୍ ଯୋଜନା କରାଯାଇଛି। ଦେଶର ପ୍ରଥମ ଜରୁରୀକାଳୀନ ଲ୍ୟାଣ୍ଡ ଷ୍ଟ୍ରିପ୍ ଗତ ୨୦୨୧ ବର୍ଷରେ ରାାଜସ୍ଥାନର ବାଡ଼େମେର ଜିଲ୍ଲାରେ ଅବସ୍ଥିତ ୯୨୫ ନମ୍ବର ଜାତୀୟ ରାଜପଥର ଗନ୍ଧବ ଭାକାସର ବିଭାଗରେ ନିର୍ମିତ ହୋଇଥିଲା।